ଏମାନେ ଯୋଦ୍ଧା। ଲଢ଼ିଛନ୍ତି ଦୁରାରୋଗ୍ୟ କୁହାଯାଉଥିବା ଏକ ରୋଗ ସହ, ସେମାନଙ୍କୁ ଏକରକମ ବାସନ୍ଦ କରିଥିବା ସମାଜ ସହ। ସଫଳ ବି ହୋଇଛନ୍ତି। ମୁଣ୍ଡଟେକି ବାଟ ଚାଲିବାର ଆତ୍ମବଳ ଫେରିପାଇଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଏମାନେ ଗଢ଼ିଛନ୍ତି ସଂସାର, ସନ୍ତାନକୁ ଦେଇଛନ୍ତି ଉଚ୍ଚଶିକ୍ଷା। ଭୟକୁ ଭୟ ନକରି ଜୀବନକୁ ଗଭୀର ଭାବେ ଭଲପାଇଥିବା ଏମିତି କିଛି ଏଡ୍ସ୍ ବିଜେତାଙ୍କ କାହାଣୀ ଏଥର ପ୍ରଚ୍ଛଦ ପ୍ରସଙ୍ଗରେ...
ରିପୋର୍ଟ: ବିଭୂତି ପତି
ଅସରନ୍ତି ସଂଘର୍ଷର ନାୟିକା ସୁନୀତାଙ୍କ ଦୃଢ଼ ମନୋବଳ ଓ ଜଟିଳ ପରିସ୍ଥିତିକୁ ସାମ୍ନା କରିବାର ସାହସ ନିକଟରେ ହାରିଯାଇଛି ଏଡ୍ସ୍ ରାକ୍ଷସ। ସ୍ବାମୀ ଓ ଶଶୁର ଘରର ପ୍ରତାରଣା ହେତୁ ଏଚ୍ଆଇଭି/ଏଡସ୍ ଭଳି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇ ବି ସେ ଜାରି ରଖିଛନ୍ତି ଜୀବନ ସଂଗ୍ରାମ। ମୃତ୍ୟୁର ଦୂତ ଏଚ୍ଆଇଭିକୁ ସେ ନିଜଠାରୁ ଦୂରେଇ ରଖିବାରେ ସମର୍ଥ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଜୀବନ ସଂଗ୍ରାମର କାହାଣୀ ବର୍ଣ୍ଣନା କରି ଗଞ୍ଜାମ ଜିଲ୍ଲାର ବାସିନ୍ଦା ସୁନୀତା କହନ୍ତି, ‘‘ମୋ ସ୍ବାମୀ ଅନ୍ତର୍ଯ୍ୟାମୀ ସୁରଟରେ କାମ କରୁଥିଲେ। ସେଠାରୁ ସେ ଏଚ୍ଆଇଭି ସଂକ୍ରମିତ ହୋଇ ଫେରିଥିଲେ। କିନ୍ତୁ ଆମ ଘରଲୋକଙ୍କୁ ଏହି ସାଂଘାତିକ ଘଟଣାଟି ଲୁଚାଇ ତାଙ୍କ ମା’ବାପା ମୋ ସହିତ ବିବାହ କରାଇଦେଲେ। ଆମର ପୁଅଟିଏ ବି ହେଲା। ସଂସାର ଠିକ୍ଠାକ୍ ଚାଲୁଥିଲା। ଏଡ୍ସ୍ ପୀଡ଼ିତ ହୋଇଥିବାରୁ ବିବାହର କିଛି ବର୍ଷ ପରେ ୨୦୦୭ ଫେବ୍ରୁଆରିରେ ସ୍ବମାୀଙ୍କର ମୃତ୍ୟୁ ହେଲା। ସେତେବେଳକୁ ମୋ କୋଳରେ ୩ ବର୍ଷର ବାପଛେଉଣ୍ଡ ପୁଅ ଶୁଭମ୍। ହଠାତ୍ ଦିନେ ଶଶୁର ଶଙ୍କର୍ଷଣ ମୋତେ ଏଚ୍ଆଇଭି ପରୀକ୍ଷା କରିବାକୁ କହିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ପଚାରିବାରୁ ସେ କହିଲେ, ଅନ୍ତରାକୁ ରୋଗ ହୋଇଥିଲା। ମୋ ପାଦ ତଳୁ ଯେମିତି ମାଟି ଖସିଗଲା।
ମୁଁ ପରୀକ୍ଷା କରିବା ପରେ ମୋର ଏଚ୍ଆଇଭି ସଂକ୍ରମଣ ବାହାରିଲା। ଏହାପରେ ଶଶୁରଘର ଲୋକେ ମୋତେ ନିର୍ଯାତନା ଦେଇ ଘରୁ ବାହାର କରିଦେଲେ। ଏପରିକି ମୋତେ ମାରିଦେବାକୁ ଷଡ୍ଯନ୍ତ୍ର ମଧ୍ୟ କରିଲେ। ମୁଁ ବେସାହାରା ଅବସ୍ଥାରେ ଶେଷରେ ପୁଅକୁ ଧରି ବାପଘରକୁ ଚାଲିଆସିଲି। ମା’ବାପାଙ୍କ ସାହାରାରେ ବଞ୍ଚିବାକୁ ସଂଘର୍ଷ କଲି। ସବୁକିଛି ସହି ନିଜେ ବଞ୍ଚି ପୁଅ ଶୁଭମ୍କୁ ମଣିଷ କଲି। ପାଠପଢ଼ି ସେ ଆଜି ଇଂଜିନିୟର୍ ହୋଇଛି। ଈଶ୍ବରଙ୍କ କୃପାରୁ ସେ ଏଚ୍ଆଇଭି ସଂକ୍ରମିତ ହୋଇନାହିଁ। ମୋତେ ବଞ୍ଚିବାର ରାହା ମିଳିଛି। ହେଲେ ମୋ ଜୀବନ ସଂଘର୍ଷ ଶେଷ ହୋଇନି। ପୁଅକୁ ପୈତୃକ ସମ୍ପତ୍ତିର ଅଧିକାର ଦେବାକୁ ଚାହେଁ। ଏଥିଲାଗି ଆଇନ ଯୁଦ୍ଧ ଲଢୁଛି।’’
ହେଲେ ଶାଶୁଶଶୁର ତାଙ୍କ ପ୍ରତି କରିଥିବା ଅବିଚାରର ନ୍ୟାୟ ଦେବ କିଏ ? କେବେ ମିଳିବ ତାଙ୍କୁ ନିଜ ଅଧିକାର? ଅଦାଲତରେ ଚାଲିଛି ମାମଲା। ନ୍ୟାୟ ପାଇଁ ଲଢୁଛନ୍ତି ସୁନୀତା। ନିଜ ସଂଘର୍ଷର ବ୍ୟଥାଭରା କାହାଣୀ ବର୍ଣ୍ଣନା କରିବା ସମୟରେ ସେ କହନ୍ତି, ‘‘ମୁଁ ଆଜିର ଯୁବପିଢ଼ିଙ୍କୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଚାହେ, ସେମାନେ ବିବାହ ପୂର୍ବରୁ ନିଶ୍ଚିତ ରକ୍ତ ପରୀକ୍ଷା କରାନ୍ତୁ। ଏହା ବାଧ୍ୟତାମୂଳକ କରିବାର ସମୟ ଆସିଛି। ଯେମିତି ମୋ ବିଶ୍ବାସରେ ବିଷ ଦିଆଯାଇ ମତେ ନରକକୁ ଠେଲି ଦିଆଗଲା, ସେମିତି ଆଉ କାହା ଜୀବନରେ ନଘଟୁ। ଏଚ୍ଆଇଭି ସଂକ୍ରମିତ ରୋଗୀକୁ ପରିବାର ଅସହାୟ କରିବା ଉଚିତ ନୁହେଁ। ଏଡ୍ସ୍ ସଂକ୍ରମିତଙ୍କ ପିଲାମାନଙ୍କୁ ସେମାନଙ୍କ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ କରାନଯାଉ।’’
ବେଗୁନିଆ ଅଞ୍ଚଳର ୪୫ ବର୍ଷୀୟ ସନ୍ତୋଷଙ୍କ କାହାଣୀ କିନ୍ତୁ ଭିନ୍ନ। ସେ ନିଜେ ହିଁ ଆବିଷ୍କାର କରିଥିଲେ ଯେ ସେ ଏଚ୍ଆଇଭି ସଂକ୍ରମଣର ଶିକାର ହୋଇଛନ୍ତି। ଭୟଭୀତ ନ ହୋଇ ସେ ରୋଗ ସହ ଲଢ଼ିଛନ୍ତି ଆଉ ବିଜୟୀ ବି ହୋଇଛନ୍ତି। ଏଡ୍ସ୍ ସହ ନିଜ ସଂଘର୍ଷର କାହାଣୀ ବୟାନ କରି ସନ୍ତୋଷ କହନ୍ତି, ‘‘ମୁଁ ଗୁଜୁରାଟର ସୁରଟରେ ରହୁଥିଲି। ୧୯୯୫ ମସିହାରେ ମୁଁ ଅସୁସ୍ଥ ହୋଇଥିଲି। ସୁରଟ ସରକାରୀ ଡାକ୍ତରଖାନାରେ ଛୁଞ୍ଚି ନ ବଦଳାଇ ମତେ ଅନେକ ଇଞ୍ଜେକ୍ସନ୍ ଦିଆଯାଇଥିଲା। ୨୦୦୬ରେ ମୋତେ ଜ୍ୱର ହେଲା, ଯେତେ ଔଷଧ ଖାଇଲେ ବି ଛାଡ଼ିଲାନି। ସୁରଟରେ ମୁଁ କେତେକ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲି। ତେଣୁ ସନ୍ଦେହ ହେବାରୁ ଡାକ୍ତରଙ୍କୁ ପରାମର୍ଶ କରି ରକ୍ତ ପରୀକ୍ଷା କରାଇଲି। ଜଣାପଡ଼ିଲା, ମୁଁ ଏଚ୍ଆଇଭି ସଂକ୍ରମିତ। ତେବେ କିପରି ମୋତେ ଏହି ଭୂତାଣୁ ସଂକ୍ରମଣ ହେଲା ତାହା ମୁଁ ସଠିକ୍ ଭାବରେ କହିପାରିବି ନାହିଁ। ସଂକ୍ରମିତ ମହିଳାଙ୍କ ସହ ସଂପର୍କ କିମ୍ବା ଡାକ୍ତରଖାନାରେ ସଂକ୍ରମିତଙ୍କ ଠାରେ ବ୍ୟବହୃତ ଇଂଜେକ୍ସନ୍ ସିରିଞ୍ଜ୍ ହେତୁ ମୁଁ ରୋଗର ଶିକାର ହେଲି। ସଂଗେ ସଂଗେ ମୁଁ ଚିକିତ୍ସା ଆରମ୍ଭ କଲି ଏବଂ ମୋ ପତ୍ନୀଙ୍କର ରକ୍ତ ପରୀକ୍ଷା କରାଇବାରୁ ତାଙ୍କର ମଧ୍ୟ ସଂକ୍ରମଣ ହୋଇଛି ବୋଲି ଜଣାପଡ଼ିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଚଳାଇଲୁ। ଆଜି ମୁଁ ସୁସ୍ଥ, ଆମ୍ବୁଲାନ୍ସ ଚଳାଇ ପରିବାର ପ୍ରତିପୋଷଣ କରୁଛି। ଆମର ୨୧ ବର୍ଷର ଝିଅ ବିବାହ କରିସାରିଲାଣି। କିନ୍ତୁ ଦୁଃଖର କଥା, ପତ୍ନୀଙ୍କୁ ବଞ୍ଚାଇ ପାରିଲିନାହିଁ। କ୍ୟାନ୍ସର୍ ଆକ୍ରାନ୍ତ ହୋଇ ୨୦୧୫ ମସିହାରେ ତାଙ୍କର ମୃତ୍ୟୁ ହୋଇଗଲା। ଆଶ୍ବସ୍ତିର ବିଷୟ, ଏବେ ମୋ ରକ୍ତରେ ‘ଭାଇରସ୍ ଆକ୍ଟିଭ୍ ଲୋଡ୍’ ନାହିଁ। ’’
ସନ୍ତୋଷଙ୍କ କାହାଣୀ ବେଶ୍ ପ୍ରେରଣାଦାୟୀ ଏବଂ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ। ସମାଜ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ପ୍ରଶ୍ନରେ ସେ ଉତ୍ତର ଦିଅନ୍ତି, ‘‘ଯଦି ଆପଣ ଏଡ୍ସ୍ରେ ପୀଡିତ ବୋଲି ଜାଣନ୍ତି, ତେବେ ମନରୁ ଭୟ ତ୍ୟାଗ କରି ତୁରନ୍ତ ଚିକିତ୍ସା କରାନ୍ତୁ। ଏହି ରୋଗ ହେଲେ ଛ’ମାସ କି ବର୍ଷକରେ ମୃତ୍ୟୁ ହେବ ଭାବି ନିରାଶ ହୁଅନ୍ତୁ ନାହିଁ। ଆଜିର ଦିନରେ ଏହି ରୋଗରୁ ମୁକ୍ତି ମିଳିବା ସହିତ ଆକ୍ରାନ୍ତ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି।’’
ଶୈଶବରେ ବାପ-ମା’ ଛେଉଣ୍ଡ ସୁଜାତାଙ୍କ ମୁଣ୍ଡରେ ଦୈବ ଯେଉଁ ଦୁଃଖର ବୋଝ ଲଦିଦେଲା, ତାହା ହୃଦୟ ବିଦାରକ। କିନ୍ତୁ ସମାଜର ସହାୟତାରେ ଜନ୍ମରୁ ଏଡ୍ସ୍ ଆକ୍ରାନ୍ତ ହୋଇଥିବା ଝିଅଟି ଆଜି ସ୍ବାବଲମ୍ବୀ ହୋଇ ସମ୍ମାନଜନକ ଜୀବନ ଜିଉଛି। ନିଜ ଜୀବନର ଅଙ୍ଗେନିଭା ଅନୁଭୂତି ବର୍ଣ୍ଣନା କରି ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ସୁଜାତା କହନ୍ତି, ‘‘ମୋତେ ସେତେବେଳକୁ ବୟସ ମାତ୍ର ୩ ବର୍ଷ। ମୁଁ କିଛି ଜାଣି ନଥିଲି। ମୋତେ ଆଣି ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ଛାଡ଼ି ଦିଆଗଲା। ମୁଁ ବହୁତ କାନ୍ଦୁଥିଲି। ଧୀରେ ଧୀରେ ସେଠାରେ ରହିବାର ଅଭ୍ୟାସ ପଡ଼ିଲା। ସେଦିନର କଥା ସବୁ ଆଉ ମନେନାହିଁ। କିନ୍ତୁ ଶିଶୁଗୃହର କର୍ମକର୍ତ୍ତାଙ୍କ ସହାୟତାରେ, ବିଶେଷକରି ଲୋକନାଥ ମିଶ୍ରଙ୍କ ଉଦ୍ୟମ ହେତୁ ମୁଁ ଏଡ୍ସ୍ ବିପଦରୁ ମୁକ୍ତି ପାଇ ବଞ୍ଚିବାର ରାହା ଦେଖିଛି। ସେ ମୋତେ ମଣିଷକରି ଛିଡ଼ା କରିଛନ୍ତି ଏବଂ ମୋତେ ଏକ ନୂଆ ଜୀବନ ମିଳିଛି। ମୁଁ ଦଶମ ଶ୍ରେଣୀ ପାସ୍ କରିଲା ପରେ ଆଇ.ଆଇ.ଟି. କରି ବର୍ତ୍ତମାନ ଗୋଟିଏ କମ୍ପାନିରେ ମାସିକ ୧୬ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଛି। ବାପା-ମା’ଙ୍କ ମୃତ୍ୟୁ ପରେ ମୁଁ ଶିଶୁ ଯତ୍ନ ଗୃହକୁ ଆସିଥିଲି। ସେଦିନର ଛୋଟ ବେଳର ଫଟୋ ଆଜି ଦେଖିଲେ ମୁଁ ନିଜେ ନିଜକୁ ବିଶ୍ୱାସ କରିପାରୁନି।’’ ବିଶ୍ୱ ଏଡ୍ସ୍ ଦିବସରେ ସୁଜାତା ଅନୁରୋଧ କରିଛନ୍ତି କି ରୋଗକୁ ଲୁଚାନ୍ତୁ ନାହିଁ କି ଅନ୍ୟକୁ ସଂକ୍ରମିତ କରନ୍ତୁ ନାହିଁ। ଜାଣିବୁଝି ଅନ୍ୟର ଜୀବନ ଓ ପରିବାରକୁ ମୃତ୍ୟୁ ମୁହଁକୁ ଠେଲିଦିଅନ୍ତୁ ନାହିଁ।
ଏଡ୍ସ୍ ହେଲେ ମୃତ୍ୟୁ ସୁନିଶ୍ଚିତ- ଏଭଳି ପାରମ୍ପରିକ ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କରିଥିବା ଏଇ ଯୋଦ୍ଧାମାନଙ୍କ କ୍ରମରେ ଆସନ୍ତି ନିରୁପମା, ମଣିଦୀପା, ଗୋବିନ୍ଦ ଓ ମକରନ୍ଦ। ଏମାନଙ୍କ ଜୀବନ ଯନ୍ତ୍ରଣାର କାହାଣୀ ନିଆରା। ନିରୁପମା ଓ ମଣିଦୀପା ସଂପର୍କରେ ଦୁଇଭଉଣୀ ହୋଇଥିବା ବେଳେ ଗୋବିନ୍ଦ ଓ ମକରନ୍ଦ ଦୁଇଭାଇ। ଆଉ ସେମାନଙ୍କ ବାପା-ମା’ ବି ଅଲଗା। ଦୁଇଭଉଣୀଙ୍କ ଘର ଜଗତ୍ସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ଦୁଇଭାଇ ଗଞ୍ଜାମ ଜିଲ୍ଲାର ବାସିନ୍ଦା। ଜୀବନର ଅର୍ଥ ବୁଝିବା ପୂର୍ବରୁ ଏମାନେ ଏଚ୍ଆଇଭି ଆକ୍ରାନ୍ତ ହୋଇଥିଲେ। ବାପା-ମା’ ଏଡ୍ସ୍ରେ ମୃତ୍ୟୁମୁଖରେ ପଡ଼ିବା ପରେ ଏହି ଚାରି ଛେଉଣ୍ଡଙ୍କୁ ଆଶ୍ରୟ ଦେଇ ଲାଳନପାଳନ କରିଥିଲା ସ୍ବେଚ୍ଛାସେବୀ ସଂଗଠନ ‘ଅରୁଣା’। ଘଟଣାଚକ୍ରରେ ବର୍ତ୍ତମାନ ଏମାନେ ଦୁଇଯୋଡ଼ା ଦମ୍ପତି। ଏଚ୍ଆଇଭି ସଂକ୍ରମିତ ପୁଅଝିଅ ପରସ୍ପରକୁ ବିବାହ କରିବାର ଧାରାରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ଏହି ଚାରିଜଣ। ୨୦୧୯ରେ ମକରନ୍ଦ ଓ ନିରୁପମା ବିବାହ କରିଥିବା ବେଳେ ୨୦୨୨ରେ ଗୋବିନ୍ଦ ଓ ମଣିଦୀପା ପରସ୍ପରକୁ ବିବାହ କରିଥିଲେ। ୨୦୨୩ରେ ଗୋବିନ୍ଦ ଓ ମଣିଦୀପାଙ୍କର ଗୋଟିଏ କନ୍ୟା ସନ୍ତାନ ହୋଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ସେମାନଙ୍କ ବିବାହର ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆଭାସୀ ଆଶୀର୍ବାଦ ପ୍ରଦାନ କରିଥିଲେ।
ମକରନ୍ଦ-ନିରୁପମା ଏବଂ ଗୋବିନ୍ଦ-ମଣିଦୀପା କହନ୍ତି, ‘‘ଆଜି ଆମେ ଅନ୍ୟ ଦମ୍ପତିଙ୍କ ଭଳି ସାଂସାରିକ ଜୀବନ ଅତିବାହିତ କରୁଛୁ। କିନ୍ତୁ ଜୀବନ ଯନ୍ତ୍ରଣାକୁ ମର୍ମେ ମର୍ମେ ଅନୁଭବ କରୁଛୁ। ଆମେ କାହିଁକି ଦୁନିଆକୁ ଚିହ୍ନିବା ପୂର୍ବରୁ ଛେଉଣ୍ଡ ହୋଇଗଲୁ? ଯା’ ହେଉ ଆଜି ଆମେ ମଣିଷ ପରି ମଣିଷ ହୋଇ ଭଲରେ ବଞ୍ଚିଛୁ। ସ୍ବାବଲମ୍ବୀ ହୋଇଛୁ। ଆମେ କେବଳ ସମାଜକୁ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛୁ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଯଥା ଶୀଘ୍ର ଚିକିତ୍ସିତ ହେବା ଉଚିତ। ନିଜେ ଦାୟିତ୍ୱବାନ୍ ରହି ଅନ୍ୟକୁ ସଂକ୍ରମିତ କରିବାଠାରୁ ଦୂରରେ ରହିବା ଆଜିର ଆହ୍ବାନ।’’
ସୁନୀତା ହୁଅନ୍ତୁ କି ସନ୍ତୋଷ, ସୁଜାତା ହୁଅନ୍ତୁ କି ମକରନ୍ଦ-ନିରୁପମା କିମ୍ବା ଗୋବିନ୍ଦ-ମଣିଦୀପା; ଏମାନେ ସମସ୍ତେ ଦେଶର ସେଇ ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ମଧ୍ୟରୁ ଜଣେ ଜଣେ, ଯେଉଁମାନେ ଏଚ୍ଆଇଭି ସଂକ୍ରମଣ ଓ ଏଡ୍ସ୍ ଭଳି ଦୂରାରୋଗ୍ୟ ବ୍ୟାଧିକୁ ନିଜର ଦୃଢ଼ ମନୋବଳ, ସଚେତନତା ଏବଂ ସାହସ ବଳରେ ଜିତି ପାରିଛନ୍ତି। କେବଳ ସେତିକି ନୁହେଁ, ସମାଜ ସାମ୍ନାରେ ଉଦାହରଣ ହୋଇ ଠିଆ ହୋଇଛନ୍ତି।
(ଏଚ୍ଆଇଭି/ଏଡସ୍ ନିବାରଣ ଏବଂ ନିୟନ୍ତ୍ରଣ ଆଇନ ୨୦୧୭ ଅନୁଯାୟୀ ଆମେ ଏଠାରେ ଏଡ୍ସ୍ ଆକ୍ରାନ୍ତଙ୍କ ପ୍ରକୃତ ନାମ ଓ ଠିକଣା ପ୍ରକାଶ କରିନାହୁଁ)
ଏଚ୍ଆଇଭି ଚିକିତ୍ସା ଓ ଟିକା
ବର୍ତ୍ତମାନ ସମଗ୍ର ବିଶ୍ବର ଦୃଷ୍ଟି ଏଡ୍ସ୍ ନିରାକରଣ ଲାଗି ପ୍ରସ୍ତୁତ ହେଉଥିବା ଟିକା ଉପରେ ରହିଛି। ଏ ଦିଗରେ ବ୍ୟାପକ ଗବେଷଣା ଓ ପରୀକ୍ଷାନିରୀକ୍ଷା ଚାଲିଛି ଏବଂ ଖୁବ୍ଶୀଘ୍ର ଏହା ବ୍ୟବହାର ଲାଗି ଉପଲବ୍ଧ ହେବ ବୋଲି ଚର୍ଚ୍ଚା ହେଉଛି। ବରିଷ୍ଠ ଇମ୍ୟୁନୋଲୋଜି ବିଶେଷଜ୍ଞ ଡାକ୍ତର ସୌମ୍ୟରଞ୍ଜନ ସାହୁ କହନ୍ତି, “ଗବେଷକମାନେ ଜିଟି ୧.୧ ନାମକ ଏକ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିଛନ୍ତି। ଜିଟି ୧.୧ ମକାକ୍ସ ଶରୀରରେ ଏଚ୍ଆଇଭି ନିରୋଧୀ ନିରପେକ୍ଷ ଆଣ୍ଟିବଡି ସୃଷ୍ଟି କରି ଏହାକୁ ପରାସ୍ତ କରିପାରିବ ବୋଲି ଆଶା ରଖାଯାଇଛି। ଜିଟି ୧.୧ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଅଛି। ଜିଟି ୧.୧ ଟିକା ଏଚ୍ଆଇଭି ନିୟନ୍ତ୍ରଣକୁ ଅଧିକ ପ୍ରଭାବଶାଳୀ କରିପାରେ। ଏହାର ପ୍ରଥମ ମାତ୍ରା ଡେଣ୍ଡ୍ରାଇଟିକ୍ କୋଷଗୁଡ଼ିକୁ ସକ୍ରିୟ କରିବାରେ ସହାୟକ ହେବ ଏବଂ ଏହା ଟି-କୋଷର ସକ୍ରିୟତାକୁ ପ୍ରୋତ୍ସାହିତ କରିବ। ଦ୍ୱିତୀୟ ମାତ୍ରା ଆହୁରି ଅଧିକ ଡେଣ୍ଡ୍ରାଇଟିକ୍ କୋଷଗୁଡ଼ିକୁ ଉତ୍ତେଜିତ କରି ସକ୍ରିୟ କରିବ ଏବଂ ଏହାଦ୍ୱାରା ଟି-କୋଷ ପ୍ରତିକ୍ରିୟା ଅଧିକ ବ୍ୟାପକ ହେବ। ତେବେ ଏହାକୁ ନେଇ ବର୍ତ୍ତମାନ ପରୀକ୍ଷାନିରୀକ୍ଷା ଜାରି ରହିଛି।” ବର୍ତ୍ତମାନ ଏଚ୍ଆଇଭିକୁ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି (ଏ.ଆର୍.ଟି.) ଜରିଆରେ ଚିକିତ୍ସା କରାଯାଉଛି। ଶରୀରରେ ଏଚ୍ଆଇଭି ପ୍ରସାରକୁ ଏଆର୍ଟି ନିୟନ୍ତ୍ରଣ କରୁଛି। ଶରୀରରେ ଆକ୍ଟିଭ୍ ଭାଇରାଲ ଲୋଡ୍ ପରିମାଣକୁ ହ୍ରାସ କରି ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରୁଛି। ଏଚ୍ଆଇଭି ସଂକ୍ରମଣ ଚିହ୍ନଟ ହେବା ପରେ ପରେ ଯଥାଶୀଘ୍ର ଏଆର୍ଟି ଆରମ୍ଭ କରିବା ଉଚିତ।
ଓଡ଼ିଶାରେ ଏଡ୍ସ୍
୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଏଚ୍ଆଇଭି ଆକ୍ରାନ୍ତ ହାର ୦.୧୪% ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହା ଜାତୀୟ ହାର ତୁଳନାରେ ହାରାହାରି ୦.୨୧% କମ୍। ସେହିପରି ଓଡ଼ିଶାରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଏକ ଲକ୍ଷରେ ୦.୫୨ ବୋଲି ଆକଳନ କରାଯାଇଛି। ରାଜ୍ୟରେ ଏହାର ନିୟନ୍ତ୍ରଣ ଲାଗି ମୁଖ୍ୟ ଏଜେନ୍ସି ଭାବେ କାର୍ଯ୍ୟ କରୁଛି ଓଡ଼ିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସୋସାଇଟି (ଓଏସ୍ଏସିଏସ୍)। ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏଚ୍ଆଇଭି/ଏଡ୍ସ୍ ନିରାକରଣ, ନିୟନ୍ତ୍ରଣ ଏବଂ ସଚେତନତା ସଙ୍ଗକୁ ନୂତନ ରୋଗୀ ଚିହ୍ନଟ, ଆକ୍ରାନ୍ତ ରୋଗୀ ଏବଂ ସେମାନଙ୍କର ପିଲାମାନଙ୍କ ଚିକିତ୍ସା ଓ ଥଇଥାନ କାର୍ଯ୍ୟରେ ନିଜକୁ ସାମିଲ କରିଥିବା ସାମାଜିକ କର୍ମୀ ଲୋକନାଥ ମିଶ୍ର କହନ୍ତି, ‘‘୨୦୨୪ ଅକ୍ଟୋବର ମାସ ସୁଦ୍ଧା ଓଡ଼ିଶାରେ ୬୩,୪୩୭ ଜଣ ରୋଗୀ ରହିଥିବା ବେଳେ ସେଥିମଧ୍ୟରୁ କେବଳ ଗଂଜାମ ଜିଲ୍ଲାରେ ୧୮,୪୮୪ ରୋଗୀ ରହିଛନ୍ତି। ଓଡ଼ିଶାରେ ଗତ ୫-୭ ବର୍ଷ ମଧ୍ୟରେ ଯଦିଓ ରୋଗୀଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଉନାହିଁ, କିନ୍ତୁ ଗତ ୪ ବର୍ଷ ହେଲା ହ୍ରାସ ମଧ୍ୟ କାହିଁକି ଘଟୁନି ଏହାର କାରଣ ସରକାରୀ ସ୍ତରରେ ଜାଣିବାର ପ୍ରୟାସ ହେଉନାହିଁ। ଏହାହିଁ ଚିନ୍ତାଜନକ ପ୍ରସଙ୍ଗ।’’
ଏଚ୍ଆଇଭି ଓ କ୍ୟାନ୍ସର୍
ଏଚ୍ଆଇଭି ଓ କ୍ୟାନ୍ସର୍ ପରସ୍ପରର ପରିପୂରକ। ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ଏଚ୍ଆଇଭି ଆକ୍ରାନ୍ତ କ୍ୟାନ୍ସର୍ରେ ପୀଡ଼ିତ ହେବାର ଆଶଙ୍କା ରହିଥାଏ ଏବଂ ଏଭଳି କ୍ଷେତ୍ରରେ ୯୯ ପ୍ରତିଶତ ରୋଗୀ ମୃତ୍ୟୁବରଣ କରିବାର ଆଶଙ୍କା ବି ଥାଏ। କାରଣ ଏଚ୍ଆଇଭି ସଂକ୍ରମଣ ହୋଇଥିବା ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି ନଥିବାରୁ କ୍ୟାନ୍ସର୍ ଆକ୍ରମଣ ସହଜ ହୋଇଥାଏ। ମୁଣ୍ଡ ଓ ଗଳା କ୍ୟାନ୍ସର୍ ବିଶେଷଜ୍ଞ ଡାକ୍ତର ସ୍ମୃତିରଞ୍ଜନ ସାମଲ କହନ୍ତି, “ଏଡ୍ସ୍ ରୋଗୀଙ୍କ ଶରୀରରେ ହ୍ୟୁମାନ୍ ପାପିଲୋମା ଭାଇରସ୍ (ଏଚ୍.ପି.ଭି.) ଭଳି ଭୂତାଣୁ ସଂକ୍ରମଣ ସହଜରେ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ବା ନଥିବାରୁ ଏଚ୍ଆଇଭି କ୍ୟାନ୍ସର୍ ରୋଗୀ ସାଧାରଣ କ୍ୟାନ୍ସର୍ ରୋଗୀଙ୍କ ତୁଳନାରେ ଅଧିକ ଏବଂ ଅତିଶୀଘ୍ର ଗୁରୁତର ହୋଇପଡ଼େ। ପୁନଶ୍ଚ ଅସ୍ତ୍ରୋପ୍ରଚାର ସମୟରେ ଅଧିକ ବିପଦ ରହେ କାରଣ କ୍ଷତ ଶୁଖିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଯେତେବେଳେ ଏଭଳି ରୋଗୀଙ୍କୁ ରେଡିଏସନ୍ କିମ୍ବା କେମୋ ଦିଆଯାଏ, ସେହି ସମୟରେ ଆହୁରି ଅଧିକ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ତେଣୁ ରୋଗୀର ଜୀବନ ରକ୍ଷା ପ୍ରାୟତଃ ସମ୍ଭବ ହୁଏନାହିଁ।