 ଜଣେ ମାନସକ ରୋଗୀ ବୋଲି କିପରି ଜାଣିବା? ଏହାର ପ୍ରାଥମିକ ଲକ୍ଷଣ କ’ଣ?
ବିଜ୍ଞାନ ଯୁଗରେ ସମସ୍ତେ ଜାଣିବା ଉଚିତ ଯେ ମନୁଷ୍ୟ ଅତ୍ୟଧିକ ମାନସିକ ଚାପ, ନାନା ଚିନ୍ତା ଓ ଅନ୍ୟାନ୍ୟ କାରଣ ଯୋଗୁଁ ମାନସିକ ଭାରସାମ୍ୟ ହରାଇଥାଏ। ମନୁଷ୍ୟର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଘଟିବା, କ୍ରମାଗତ ଭାବେ ଅନିଦ୍ରା ରହିବା, ବିନା କାରଣରେ ଭୟଭୀତ ହେବା, କଥାବାର୍ତ୍ତା ଅସଂଲଗ୍ନ ହେବା, ନିଜର ଦୈନନ୍ଦିନ କାର୍ଯ୍ୟ ସୁଚାରୁରୂପେ ତୁଲାଇ ନ ପାରିବା, ଶୂନ୍ୟରୁ କେହି କହିଲା ପରି ଶୁଭାଯିବା, କୌଣସି କାରଣ ନ ଥାଇ ରାଗିବାକୁ ପ୍ରାଥମିକ ସ୍ତରରେ ମାନସିକ ରୋଗର ସାଧାରଣ ଲକ୍ଷଣ ଭାବେ ବିଚାର କରାଯାଇଥାଏ।
 ମହିଳାମାନେ ଏହାର ଅଧିକ ଶିକାର ହେବାର କାରଣ କ’ଣ?
ଏକ ରିପୋର୍ଟ ଅନୁଯାୟୀ ୫୦ ପ୍ରତିଶତ ମହିଳା କର୍ମମୟ ଜୀବନରେ ଅସନ୍ତୁଳନ, ଆର୍ଥିକ ଚାପ ଓ ସାମାଜିକ ଉପେକ୍ଷା ପାଇଁ ଅବସାଦଗ୍ରସ୍ତ ହେଉଛନ୍ତି। ୪୭ ପ୍ରତିଶତ ମହିଳାଙ୍କୁ ନିଦ ଠିକ୍‌ରେ ହେଉନାହିଁ। ମହିଳାଙ୍କଠାରେ ସୂଚି ରୋଗ, ବିଷାଦ, ହରମୋନ ବ୍ୟତିକ୍ରମ, ମାତୃତ୍ବ ଓ ମେନୋପଜ୍‌ ପରେ ମାନସିକ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ବ୍ୟତୀତ ଯୌନ ଉତ୍ପୀଡ଼ନ ଓ ଘରୋଇ ହିଂସା ହେତୁ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିବା ଦେଖାଯାଏ। 
 ଏହି ରୋଗର ଚିକିତ୍ସା କ’ଣ?
ସବୁ ମାନସିକ ରୋଗ ପାଗଳାମି ନୁହେଁ, ତେଣୁ ଠିକ୍‌ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏଥିରୁ ଉପଶମ ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ବିଷାଦର ପ୍ରାଥମିକ ସ୍ତରରେ ପରିବାରର ଲୋକମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସା ଆରମ୍ଭ କଲେ ଅଧିକାଂଶ କ୍ଷେତ୍ରରେ ରୋଗୀ ରୋଗମୁକ୍ତ ହୋଇପାରେ। ମାନସିକ ରୋଗୀଙ୍କୁ ବିଭିନ୍ନ ଔଷଧ, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବିଦ୍ୟୁତ୍‌ ଦ୍ୱାରା ଚିକିତ୍ସା କରାଯାଏ।
 ମାନସିକ ରୋଗୀ କେଉଁ କେଉଁ ଦିଗ ପ୍ରତି ଯତ୍ନ ନେବା ଆବଶ୍ୟକ?
ମାନସିକ ରୋଗୀଙ୍କୁ ନିୟମିତ ଔଷଧ ସେବନ ସହ ଶାରୀରିକ ପରିଶ୍ରମ କରାଇବା ଜରୁରି। ମାନସିକ ରୋଗୀମାନଙ୍କୁ ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ଉଚିତ। ରୋଗୀ ପ୍ରତି ସମସ୍ତଙ୍କର ସହାନୁଭୂତି, ସ୍ନେହ ଓ ଶ୍ରଦ୍ଧା ତଥା ଭଲ ପାଇବା ହେଉଛି ସବୁଠାରୁ ବଡ଼ ଚିକିତ୍ସା।
 ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବିଦ୍ୟୁତ୍‌ ଦ୍ୱାରା ଚିକିତ୍ସା ମଧ୍ୟ‌ରୁ କେଉଁଟି ଲାଭଦାୟକ?
ମନସ୍ତାତ୍ତ୍ବିକ ଚିକିତ୍ସା ଦ୍ବାରା ରୋଗଟି ଧୀରେ ଧୀରେ ଭଲ ହୋଇଥାଏ ଏବଂ ଏହା କିଛି ସ୍ଥଳରେ ବିଫଳ ହେବାର ଆଶଙ୍କା ରହିଛି। ଏଥିରେ ଔଷଧ ସେବନ କରିବାକୁ ପଡ଼ିଥାଏ। କିନ୍ତୁ ବିଦ୍ୟୁତ୍‌ ଚିକିତ୍ସା ଦ୍ବାରା ଗୋଟେ ଜୀବନ ବଞ୍ଚାଯାଇପାରେ। ଗର୍ଭଧାରଣ ସମୟରେ ଅନ୍ୟ କୌଣସି ଔଷଧ ଦିଆଯାଉ ନଥିବାରୁ ବିଦ୍ୟୁତ୍‌ ଚିକିତ୍ସାକୁ ହିଁ ଗ୍ରହଣ କରାଯାଇଥାଏ।