ନିକଟରେ ପ୍ରଖ୍ୟାତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପାଦରେ କଞ୍ଚା ରସୁଣ ପାଖୁଡ଼ା ଘଷୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ରସୁଣ ମାଲିସ ହେଉଛି ଭାରତର ପୁରାତନ ଚିକିତ୍ସା ପଦ୍ଧତିର ଏକ ଅଂଶ। ଏହି ପରିପ୍ରେକ୍ଷୀରେ ରସୁଣର ରୋଗ ଉପଶମକାରୀ ଗୁଣ ବାବଦରେ ଆଲୋଚନା କରିବା। ରସୁଣରେ ଥିବା ଏସିଲିନ୍ ନାମକ ଏକପ୍ରକାର ରାସାୟନିକ ଯୌଗିକର ଅନେକ ଅଣୁଜୀବ ନିରୋଧୀ ଗୁଣ ରହିଛି। ତେଣୁ ରସୁଣକୁ ପାଦରେ ଘଷିବା ଦ୍ବାରା ଚର୍ମରେ ବୀଜାଣୁ ବା ଭୂତାଣୁ ସଂକ୍ରମଣରୁ ମୁକ୍ତି ମିଳିବ। ରସୁଣ ଘଷିବା ଦ୍ବାରା ପାଦ ଉଷୁମ ହୋଇଥାଏ ଏବଂ ଶରୀରର ରକ୍ତ ସଂଚାଳନ ଉନ୍ନତ ହୋଇ ହୃଦ୍ଘାତର ଆଶଙ୍କା ହ୍ରାସ ପାଏ ବୋଲି ବିଶ୍ବାସ ରହିଛି। ସେହିପରି ଏହା ଶରୀରରୁ ନାନା ପ୍ରକାର ବର୍ଜ୍ୟପଦାର୍ଥ ନିଷ୍କାସନରେ ସାହାଯ୍ୟ କରିଥାଏ।
ରସୁଣର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ ତାହାକୁ ପାଦରେ ଘଷିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଏହାଦ୍ବାରା ପାଦରୁ ଝାଳ ନିର୍ଗମନ ଜନିତ ଦୁର୍ଗନ୍ଧକୁ ମଧ୍ୟ ଦୂରେଇ ଦିଆଯାଇପାରିବ। ତେବେ କଞ୍ଚା ରସୁଣ ପାଦରେ ଘଷିବାର ବଡ଼ ଗୁଣଟି ହେଲା ଏହା ଥଣ୍ଡା ଓ ଜ୍ବର ପାଇଁ ଅମୋଘ ଅସ୍ତ୍ର ଭାବେ କାମ କରିଥାଏ। ଏହା ମନେରଖିବା ଜରୁରି କି କଞ୍ଚା ରସୁଣ ଘଷିବା ଦ୍ବାରା ସମ୍ବେଦନଶୀଳ ଚର୍ମରେ ପ୍ରତିକ୍ରିୟା ଦେଖାଦେଇପାରେ। ତେଣୁ ଏହା ପୂର୍ବରୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ।