କେବେ ମଂଚରେ ମାୟା ଲଗେଇ ଦର୍ଶକଙ୍କୁ ବଶୀଭୂତ କରିଛନ୍ତି ତ କେବେ ସିନେମାର ପ୍ରଚାର ପାଇଁ ହେଲିକପ୍ଟରରୁ ଲିଫ୍ଲେଟ୍ ଉଡ଼େଇଛନ୍ତି। ଓଡ଼ିଆ ନାଟକ ଓ ସିନେମା ଯେ କୌଣସି ଗୁଣରେ କମ୍ ନୁହେଁ, ପ୍ରମାଣିତ କରି ଦେଖାଇଛନ୍ତି। ପ୍ରତିଷ୍ଠା, ପ୍ରତିପତ୍ତିର ଅଧିକାରୀ ହୋଇଛନ୍ତି। ହେଲେ ଅମାୟିକ ବ୍ୟକ୍ତିତ୍ବର ପରିଚୟରେ ସାରା ଜୀବନ ବଞ୍ଚିଛନ୍ତି। ଏହା ହିଁ ଥିଲା ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅମିୟ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ବିଶେଷତ୍ବ। ଅଭିନୟ, ନିର୍ଦେଶନା, ପ୍ରଯୋଜନା ଓ ଶିଳ୍ପପତି ଭାବେ ପ୍ରତିଟି କ୍ଷେତ୍ରରେ ତାଙ୍କର ଅଲିଭା ସ୍ବାକ୍ଷର ତାଙ୍କୁ ମରି ବି ଅମର କରିଦେଇଛି। ଖାସ୍ ଏଇଥିପାଇଁ ତାଙ୍କୁ ହରାଇ ଝୁରି ହେଉଥିଲା ସିନେଜଗତରୁ ଶିଳ୍ପ ଜଗତ। ଶେଷଥର ପାଇଁ ଥରେ ଆଖି ପୂରେଇ ଦେଖିନେବା ପାଇଁ ତାଙ୍କ ବାସଭବନକୁ ସବୁ ବର୍ଗର ଲୋକଙ୍କ ସୁଅ ଛୁଟିଥିଲା। ଫେରିବା ବେଳେ ସଭିଙ୍କ ମୁହଁରୁ ବାହାରି ଆସୁଥିଲା, ଜଣେ ଭଲ ମଣିଷ ଚାଲିଗଲେ…
Sambad is now on WhatsApp
Join and get latest news updates delivered to you via WhatsApp
ଝୁରୁଛି ସାଂସ୍କୃତିକ ଦୁନିଆ
ରାଜଧାନୀର ସାଂସ୍କୃତିକ ଦୁନିଆ ବେଶ୍ ସକ୍ରିୟ ଥିଲେ ଅମିୟ ପଟ୍ଟନାୟକ। ବିଭିନ୍ନ ସାଂସ୍କୃତିକ ସଂଗଠନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିଲେ। ପୁଣି କିଛି ସଂଗଠନର ପୃଷ୍ଠପୋଷକତା କରୁଥିଲେ ଅମିୟ। ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ହିଁ ଆୟୋଜକମାନଙ୍କୁ ବେଶ୍ ଉତ୍ସାହିତ କରୁଥିଲା। ତାଙ୍କ ପରଲୋକରେ ସାଂସ୍କୃତିକ ଦୁନିଆ ସ୍ତବ୍ଧ ହୋଇଯାଇଛି। ସମସ୍ତେ ଝୁରୁଛନ୍ତି ତାଙ୍କ ପ୍ରିୟ ମଣିଷକୁ। ନାଟ୍ୟ ଅନୁଷ୍ଠାନ ‘ପଞ୍ଚମ ବେଦ’ର ସଭାପତି ରହି ରାଜ୍ୟର ନାଟ୍ୟ ଆନ୍ଦୋଳନରେ ନିଜକୁ ସକ୍ରିୟ ଭାବେ ସାମିଲ୍ କରିଥିଲେ। ସେହିପରି ସାଂସ୍କୃତିକ ସଂଗଠନ ‘ଓଡ଼ିଶା କଲ୍ଚରାଲ୍ ସର୍କଲ୍’ର ଅଧ୍ୟକ୍ଷ ଥିବା ସ୍ବର୍ଗତ ପଟ୍ଟନାୟକ ଏହି ସଂଗଠନ ମାଧ୍ୟମରେ ଓଡ଼ିଶାର ଲୋକନୃତ୍ୟକୁ ରାଜ୍ୟ ବାହାରେ ପରିଚିତ କରାଇବା ପାଇଁ ପ୍ରୋତ୍ସାହନ େଦଉଥିଲେ। ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପରି ଅଗ୍ରଣୀ ସାଂସ୍କୃତିକ ସଂସ୍ଥାର ସେ ଥିଲେ ଉପଦେଷ୍ଟା।
ଅମିୟ ରଞ୍ଜନଙ୍କ ପରଲୋକରେ ପ୍ରଫୁଲ୍ଲ କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଦାଶ ବେନହୁର ଓ କୋଷାଧ୍ୟକ୍ଷ ଗିରିଜା ଶଙ୍କର ଦାଶ, ‘ପଞ୍ଚମ ବେଦ’ର ସମ୍ପାଦକ ହରେନ୍ ସାହୁ, ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି, ‘ଓଡ଼ିଶା କଲ୍ଚରାଲ୍ ସର୍କଲ୍’ର ଉପାଧ୍ୟକ୍ଷ ଜେନାମଣି ସଞ୍ଜୀବ କୁମାର ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ‘ମନନ ନାଟ୍ୟସଂସ୍ଥା’ର ମନୋଜ ପଟ୍ଟନାୟକ, ‘ସଂଭାବନା’ର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଓ ସମ୍ପାଦକ େଦବ ପ୍ରସାଦ ପରିଜା, ‘ସମାଜ ଓ ସଂସ୍କୃତି’ର ସଭାପତି ନିଶିକାନ୍ତ ମିଶ୍ର, ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡର ନିର୍ଦ୍ଦେଶକ ରାଣା ସାମନ୍ତରାୟ ଓ ଉଲ୍ଲାସ ବେହୁରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
ବିଜୁ ପଟ୍ଟନାୟକଙ୍କୁ ନେଇ କରିଥାନ୍ତେ ହିନ୍ଦୀ ଚଳଚ୍ଚିତ୍ର
ବିଜୁ ପଟ୍ଟନାୟକଙ୍କୁ ନେଇ ହିନ୍ଦୀ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଅମିୟ ପଟ୍ଟନାୟକ। ଅକ୍ଷୟ କୁମାରଙ୍କୁ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନେବାକୁ ପ୍ରାରମ୍ଭିକ କଥାବାର୍ତା ମଧ୍ୟ ସରିଥିଲା। ମାତ୍ର ଅମିୟ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତାଙ୍କର ଏହି ସ୍ବପ୍ନର ପ୍ରକଳ୍ପ ସ୍ବପ୍ନରେ ରହିଗଲା। ଖାଲି ସେତିକି ନୁହେଁ, ଓଲିଉଡ୍ର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ସହ ମିଶି ଆଉ କିଛି ଚଳଚ୍ଚିତ୍ର କରିବାର ଯୋଜନା ମଧ୍ୟ କରୁଥିଲେ। ତାହା ମଧ୍ୟ ହୋଇପାରିଲା ନାହିଁ। କିଛି ବର୍ଷ ତଳେ ‘ଅନ୍ଧ ଅର୍ଜୁନ’ ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଗୀତ ପ୍ରସ୍ତୁତ ସରିଥିଲେ ବି ତାହା ନିର୍ମାଣ ହୋଇପାରିନଥିଲା ବୋଲି କହିଛନ୍ତି ସହଯୋଗୀ ନିର୍ଦେଶକ ଯୁଧିଷ୍ଠିର ସାହୁ ଓ ସ୍ବର୍ଗତ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ଗୋପାଳ ଚନ୍ଦ୍ର ଘଡ଼ାଇ।
ଚହଳ ସୃଷ୍ଟି କରିଥିଲା ‘ନର୍କରେ ଚହଳ’
ନାଟକଟିଏ ଯେ ଏତେ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇପାରେ ତାହାର ପ୍ରଥମ ଉଦାହରଣ ଥିଲେ ଅମିୟ ପଟ୍ଟନାୟକ। ତାଙ୍କ ହାତରେ ଗଢ଼ା ଯାଇଥିବା ‘ଟେକ୍ନୋ ଆର୍ଟ୍ସ’ ନାଟ୍ୟଦଳ ରାଉରକେଲାର ସିଭିକ୍ ସେଣ୍ଟରରେ ନାଟକ ‘ନର୍କରେ ଚହଳ’ ଭେଟି ଦେଇଥିଲା। ତାଙ୍କ ନିର୍ଦେଶିତ ଏହି ନାଟକ ୮୦ ଦଶକରେ ଏତେ ଚହଳ ସୃଷ୍ଟି କଲା ଯେ ୧୩ ଦିନ ଧରି ଡବଲ୍ ସୋ’ ଚାଲୁଥିଲା। ଏମିତିକି ଟିକେଟ୍ ମିଳୁ ନ ଥିଲା। ଦୁଇଟି ସୋ ପାଇଁ ଦୁଇଟି ଦଳ ନାଟକ ପରିବେଷଣ କରିବାକୁ ବାଧ୍ୟ ହେଉଥିଲେ ବୋଲି କହିଛନ୍ତି ଡ. ରାଜେନ୍ଦ୍ର ନାୟକ।
ଭୂମିପୁତ୍ର, ଭୂମିକନ୍ୟା ପୁରସ୍କାର ୨୫ ହଜାରରୁ ୧ଲକ୍ଷ କରିଥିଲେ
ଓଡ଼ିଶା ସିନେ ଆର୍ଟିଷ୍ଟ୍ ଆସୋସିଏସନ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବରେ ବର୍ଷିୟାନ ଅଭିନେତା ଓ ଅଭିନେତ୍ରୀଙ୍କୁ ଭୂମିପୁତ୍ର ଓ ଭୂମିକନ୍ୟା ପୁରସ୍କାର ପ୍ରଦାନ କରାଯାଉଥିଲା। ଏଥିପାଇଁ ୨୫ହଜାର ଟଙ୍କା ଆର୍ଥିକ ପୁରସ୍କାର ଦିଆଯାଉଥିଲା। ମାତ୍ର ଅମିୟ ପଟ୍ଟନାୟକ ଏହି ପୁରସ୍କାର ରାଶିକୁ ୧ଲକ୍ଷ ଟଙ୍କା ଲେଖାଏ କରିବାକୁ ପ୍ରସ୍ତାବ ଦେବା ସହ ପୁରସ୍କାର ରାଶି ପ୍ରଦାନ କରୁଥିଲେ ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି।
ଅମିୟଙ୍କ ଫିଲ୍ମୋଗ୍ରାଫି
ହାକିମ୍ ବାବୁ (୧୯୮୫)
ମମତା ମାଗେ ମୂଲ (୧୯୮୫)
ପୁଅ ମୋର କଳାଠାକୁର (୧୯୮୮)
ଆସୁଛି ମୋ କାଳିଆ ସୁନା (୧୯୮୯)
ଚକା ଆଖି ସବୁ ଦେଖୁଛି (୧୯୮୯)
ଚକାଡୋଳା କରୁଛି ଲୀଳା (୧୯୯୦)
ଖୋଲା ଚୋଖ୍ (୧୯୯୦)
ପରଦେଶୀ ବାବୁ (୧୯୯୮)
ରାଜାରାଣୀ (୧୯୯୯)
ପରୀମହଲ (୨୦୦୬)
ତୁଳସୀ ଅପା (୨୦୧୫)