ଆଜି ବି ଶୁଖିନି ମହାବାତ୍ୟାର କ୍ଷତ, ସେଇ କାଳରାତିକୁ ଭୁଲି ପାରୁନାହାନ୍ତି କଳ୍ପନା

ଏବେ ବି ନିଖୋଜ ଖାତାରେ ୧୫

ଆଜିକୁ ୨୦ ବର୍ଷର ତଳର ବ୍ୟଥାକୁ ଭୁଲି ନାହାନ୍ତି ଅସ୍ତରଙ୍ଗ ବ୍ଲକର ନୂଆଗଡ଼, ମଧୁପୁର ଓ ନଗରବାସୀ। ଏବେ ବି ତାଜା ରହିଛି ସେଇ କାଳ ରାତିର ସ୍ମୃତି। ମହାବାତ୍ୟାରେ ଅସ୍ତରଙ୍ଗ ତା’ର ୪୧ ଜଣ ସନ୍ତାନକୁ ହରାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ ପ୍ରମାଣ ନାହିଁ, ସେମାନଙ୍କ ନାମ ନିଖୋଜ ଖାତାରେ ଏବେ ବି ରହିଛି। ତେବେ ବାତ୍ୟାର ୨୦ ବର୍ଷ ପରେ କେମିତି ଅଛି ଏମାନଙ୍କ ଅବସ୍ଥା, ସେମାନଙ୍କ ଦୁଃଖ ଦୂର ହୋଇଛି ତ? ଏବେ ଆଉ କ’ଣ ସେମାନେ ଝୁମ୍ପୁଡି ଘରେ ରହୁଛନ୍ତି? କେମିତି ଅଛି ସମୁଦ୍ରକୂଳରେ ଘର କରି ବାତ୍ୟ‌ା ମାଡ଼ରୁ ମୁଣ୍ଡ ଟେକି ବଂଚିଥିବା ଏମାନଙ୍କ ବୃତ୍ତିଗତ ଜୀବନ। ଏହାକୁ ନେଇପୁରୀରୁ ଗଦାଧର ପଣ୍ଡା ଓ ଅସ୍ତରଙ୍ଗରୁ ବିପିନ ବିହାରି ଦାସ ରିପୋର୍ଟ।
ସେ ଦିନ ଥିଲା ଶୁକ୍ରବାର। ସେଇ ଅଶୁଭ ଶୁକ୍ରବାରର କିଛି ଘଟଣା ଅସ୍ତରଙ୍ଗର ଲୋକଙ୍କ ମନରୁ ଏବେ ବି ଲିଭି ନାହିଁ । ମଧୁପୁର ଗାଁ’ର କଳ୍ପନା ବେହେରା। ବାତ୍ୟା ଅନୁଭୂତି କହିଲା ବେଳେ ତାଙ୍କ ଆଖିରୁ ଆପେ ଆପେ ଲୁହ ଝରି ଆସେ। କାରଣ ସେଦିନ କଳ୍ପନାଙ୍କ ଆଖି ସାମ୍ନାରେ ଚାଲି ଯାଇଥିଲା ପାଞ୍ଚଟି ଜୀବନ। ଦୁଇ ବର୍ଷର ପୁଅ ଓ ଆଠ ମାସର ଝିଅକୁ ଛଡ଼ାଇ ନେଇଥିଲା ମହାବାତ୍ୟ‌ା। ମହାବାତ୍ୟାକୁ ସେଇ ଭୟଙ୍କର ଅନୁଭୂତିକୁ ମରିବା ଯାଏ ଭୁଲି ପାରିବେ ନାହିଁ ବୋଲି କହନ୍ତି କଳ୍ପନ‌ା। ସେଦିନ ପ୍ରକୃତି ତା’ର ପ୍ରଳୟ ରଚିଥିଲା। ସେ ଦିନ ସେମାନେ ତାଙ୍କ ଚାଳ କୁଡ଼ିଆ ଘରେ ଥିଲେ। ହଠାତ ୧୦ ଫୁଟର ଏକ ସମୁଦ୍ର ଜୁଆର ମାଡ଼ି ଆସିଲା। ଆଉ ଆଖି ସାମ୍ନାରେ ତାଙ୍କ ପୂରା ପରିବାର ଛାରଖାର ହୋଇଯାଇଥିଲା । ତାଙ୍କ ମା’ କୋଳ ଖାଲି କରିଦେଇଥିଲା ମହାବାତ୍ୟା। ସ୍ୱାମୀ ବୁଦ୍ଧେଶ୍ୱର ବେହେରା, ଦୁଇ ବର୍ଷର ପୁଅ ଟାଇଗର ବେହେରା, ଆଠ ମାସର ଝିଅ ପୁଷ୍ପା ମଧ୍ୟ ମା’ କୋଳରୁ ଅଲଗା ହୋଇଗଲେ। ଶ୍ୱଶୁର ଲୋକନାଥ ବେହେରା ଓ ଯା’ ଝାମ୍ପ ବେହେରା ସମୁଦ୍ରରେ ଭାସିଯାଇଥିଲେ। ଏ ବାବଦରେ ସରକାରଙ୍କ ପକ୍ଷରୁ ତାଙ୍କୁ ୨୨ ହଜାର ଟଙ୍କାର ଘର ଭଂଗା ସହାୟତା ମିଳିଥିଲା। ହେଲେ ତାଙ୍କ ପାଖରେ ଘର ପ୍ଲାଷ୍ଟର କରିବାକୁ ସମ୍ବଳ ନାହିଁ। ମୂଲମଜୁରି ଲାଗି ପେଟ ପୋଷୁଛନ୍ତି କଳ୍ପନା। ଏବେ ବି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି।

କଳ୍ପନାଙ୍କ ଭଳି ମହାବାତ୍ୟାରେ ସର୍ବସ୍ବ ହରାଇଥିବା ଅସ୍ତରଙ୍ଗ ବ୍ଲକର ନୂଆଗଡ଼, ମଧୁପୁର, ନଗର, ବେଳଙ୍ଗ, ସହନ,ସୁଧିକେଶର, ଗୁଣ୍ଡଳବା ଲୋକେ ଏବେ ବି ସେଇ କାଳରାତିକୁ ଭୁଲି ପାରିନାହାନ୍ତି। ଆ‌ଉ ମହାବାତ୍ୟାର ୨୦ ବର୍ଷ ପରେ ବି ଏମାନଙ୍କ ଅବସ୍ଥା ସୁଧୁରି ନାହିଁ। ୨୦ ବର୍ଷ ତଳେ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି । କେବଳ ସରକାରୀ ଖାତାରେ ଏମାନଙ୍କ ନାଁ ଉଠିଛି, ଏମାନଙ୍କୁ ଘର ମିଳିଛି। ହେଲେ ମିଳିଥିବା ଘରକୁ ଦେଖିଲେ ଏହାର ବାତ୍ୟା ପବନ ସହି ପାରିବାର କ୍ଷମତା ନାହିଁ, ତାହା ଜଳଜଳ ଦିଶୁଛି। ମିଳିଥିବା ଘର ଉପରେ ପଲିଥିନ୍‌ ନ ଢାଙ୍କିଲେ ଘରେ ବର୍ଷା ପାଣି ପଡ଼ୁଛି। କେବଳ ଭଂଗା ଇଟା ଓ ଅଧା ପ୍ଲା‌ଷ୍ଟରର ଘରେ ଏମାନଙ୍କ ଜୀବନ କଟୁଛି। ଏବେ ବି ଅଧିକାଂଶ ଲୋକଙ୍କ ଘର ଝୁମ୍ପୁଡ଼ି ରହିଛି। ବାତ୍ୟା ବେଳେ ସରକାରୀ ହିସାବରେ ୨୨ ହଜାର ଟଙ୍କାରୁ ହିତାଧିକାରୀ ୧୨ ହଜାର ଟଙ୍କା ପାଇଥିବା ବେଳେ ୧୦ ହଜାର ଟଙ୍କା ବାଟମାରଣା ହୋଇଛି। ମହାବାତ୍ୟା‌ ପରେ ସେମାନେ ଯେ ବାତ୍ୟା ଦେଖିନାହାନ୍ତି ତାହା ମଧ୍ୟ ନୁହେଁ। ଫାଇଲିନ, ହୁଡ଼ହୁଡ଼, ରୁଆନୁ, ତିତ୍‌ଲି ଓ ଗତ ମେ’ ମାସର ‘ଫନି’ ବାତ୍ୟାକୁ ମଧ୍ୟ ଏମ‌ାନେ ସାମ୍ନା କରି ସାରିଛନ୍ତି। ‌ହେଲେ ଏମାନଙ୍କ ଅବସ୍ଥା ଯଥା ପୂର୍ବମ୍‌ ତଥା ପରମ୍‌ ରହିଛି। ଧାନ, ମୀନ ଓ ପାନର ଅଞ୍ଚଳ ଅସ୍ତରଙ୍ଗରେ ରହୁଥିବା ମତ୍ସଜୀବୀ ଏବେ ବି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଇଛି। ମହାବାତ୍ୟା ପରଠାରୁ ଲୁଣ ଚାଷ ଉଜୁଡ଼ି ଯାଇଛି। ରାଜ୍ୟର ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ଅସ୍ତରଙ୍ଗ ଲୁଣ ସମବାୟ ସମିତି ମଧ୍ୟ ଭାଂଗିଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଉପକୂଳରେ ୧୯ଟି ବାତ୍ୟା ଆଶ୍ରୟସ୍ଥଳ ତିଆରି ହୋଇଛି। ସେଥିରୁ ଚାରିଟି କାର୍ଯ୍ୟକ୍ଷମ ଓ ଅନ୍ୟସବୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେତେକ ବାତ୍ୟା ଆଶ୍ରୟ ସ୍ଥଳରେ ପିଲା ପାଠ ପଢ଼ୁଛନ୍ତି ଓ ଅନ୍ୟସବୁ ଅସାମାଜିକ ଲୋକଙ୍କର ଆଡ଼ା ପାଲଟିଛି। ଉପକୂଳର ବାତ୍ୟା ଆଶ୍ରୟସ୍ଥଳୀର କେଉଁଠି କବାଟ ଝରକା ଭାଙ୍ଗି ଗଲାଣି ତ’ ଆଉ କେଉଁଠି ମଦ ବୋତଲ ଗଡ଼ୁଛି।

ସମ୍ବନ୍ଧିତ ଖବର