ଆମର ପଡ଼ୋଶୀ ଗ୍ରହ ମଙ୍ଗଳର ଲୋହିତ ରଙ୍ଗ ବୈଜ୍ଞାନିକମାନଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଜିଜ୍ଞାସୁ କରି ରଖିଛି। ତେବେ ମଙ୍ଗଳ ଲାଲ୍‌ ଦିଶିବାର କାରଣ ନେଇ ‘ନେଟର କମ୍ୟୁନିକେସନ୍‌ସ’ ପତ୍ରିକାରେ ଏକ ଯୁକ୍ତିଯୁକ୍ତ ବ୍ୟାଖ୍ୟା ପ୍ରକାଶିତ ହୋଇଛି। ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟର ମୁଖ୍ୟ ଗବେଷକ ଆଡୋମାସ ଭାଲେଣ୍ଟିନାସଙ୍କ କହିବା କଥା, ମଙ୍ଗଳ ପୃଷ୍ଠରେ ‘ଫେରିହାଇଡ୍ରାଇଟ୍‌’ ନାମକ ଧୂଳିକଣା ଯୋଗୁଁ ମଙ୍ଗଳ ଲାଲ୍‌ବର୍ଣ୍ଣ ଧାରଣ କରିଛି। ‘ଫେରିହାଇଡ୍ରାଇଟ୍‌’ ହେଉଛି ଜଳର ଉପସ୍ଥିତିରେ ଫେରସ୍‌ ବା ଲୁହାରୁ ଉତ୍ପନ୍ନ ଏକପ୍ରକାର ଲୌହ-ଅକ୍ସାଇଡ୍‌। ତେବେ ମଙ୍ଗଳରେ ତରଳ ଜଳ ନଥିବା କାରଣରୁ ବୈଜ୍ଞାନିକମାନେ ଆଗରୁ ଧରିନେଇଥିଲେ ଯେ ‘ହେମାଟାଇଟ୍‌’ ପରି ଶୁଷ୍କ ଲୌହ-ଅକ୍ସାଇଡ୍‌ ଯୋଗୁଁ ମଙ୍ଗଳର ରଙ୍ଗ ଲାଲ୍‌ ହୋଇଥିବ।

Advertisment

ମାତ୍ର ନୂତନ ତଥ୍ୟରୁ ଲାଲ୍‌ ରଙ୍ଗ ପଛରେ ‘ଫେରିହାଇଡ୍ରାଇଟ୍‌’ର ଭୂମିକା ବେଶୀ ଯୁକ୍ତିଯୁକ୍ତ। କାରଣ ଉଷ୍ମ କିମ୍ବା ଶୁଷ୍କ ପରିବେଶରେ ‘ହେମାଟାଇଟ୍‌’ ଗଠିତ ହେଉଥିବା ବେଳେ ଥଣ୍ଡା ଜଳରେ ହିଁ ‘ଫେରିହାଇଡ୍ରାଇଟ୍‌’ ଦ୍ରୁତ ଭାବେ ସୃଷ୍ଟି ହୋଇପାରିଥାଏ। ସୁତରାଂ ବହୁ ବର୍ଷ ପୂର୍ବେ ଯେବେ ମଙ୍ଗଳରେ ଜଳରାଶିର ଉପସ୍ଥିତି ଥିଲା, ସେବେ ‘ଫେରିହାଇଡ୍ରାଇଟ୍‌’ ଉତ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି। ‘ଫେରିହାଇଡ୍ରାଇଟ୍‌’ର ଉପସ୍ଥିତି ସୂଚାଉଛି ଯେ ଏକଦା ମଙ୍ଗଳରେ ତରଳ  ଜଳ ରହିଥିଲା, ଯାହା ଜୀବସତ୍ତା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ସମ୍ପ୍ରତି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଦ୍ବାରା ପ୍ରେରିତ ମହାକାଶ ଯାନ ପର୍ସିଭରେନ୍ସ ଦ୍ବାରା ମଙ୍ଗଳପୃଷ୍ଠରୁ ନମୁନା ସଂଗ୍ରହ ଜାରି ରହିଛି। ତାହା ଭୂପୃଷ୍ଠକୁ ଫେରିବା ପରେ ଏ ନେଇ ଅଧିକ ବିବରଣୀ ମିଳିପାରିବ।