ପୋଖରୀଟିଏ ମଞ୍ଜୁରୀ ପାଇଁ ୩ ବର୍ଷ ଧରି ଖଣ୍ଡିଏ ସାର୍ଟ ପିନ୍ଧି ସରକାରୀ ଅଫିସକୁ ଧାଆଁଦୌଡ଼ କଲେ ମନରେଗା ଶ୍ରମିକ, ୧୦୩୫ ଦିନ ପରେ ବଦଳାଇଲେ ସାର୍ଟ

ବେଙ୍ଗାଲୁରୁ: ଚାଷୀରୁ ମନରେଗା ଶ୍ରମିକ ପାଲଟିଥିବା ୪୮ ବର୍ଷିୟ ଜ୍ୟୋତିବା ମାନାୱାଡ଼କର୍ ପ୍ରାୟ ତିନି ବର୍ଷ ଧରି ପିନ୍ଧୁଥିବା ସାର୍ଟଖଣ୍ଡିକ ନିକଟରେ ବଦଳାଇଛନ୍ତି। କୌଣସି ଅନ୍ଧବିଶ୍ବାସ କାରଣରୁ ନୁହେଁ, ତାଙ୍କର ଲକ୍ଷ୍ୟ ଥିଲା ବେଲଗାୱି ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁକୁ ୨୧ ଏକର ଜମିରେ ଗୋଟାଏ ପୁଷ୍କରଣୀ ମଞ୍ଜୁର କରାଇବା। ଲକ୍ଷ୍ୟ ହାସଲ କରିବା କଥା ସ୍ମରଣ ରଖିବାକୁ ସେ ତାଙ୍କ ସାର୍ଟ ନ ବଦଳାଇବାକୁ ପ୍ରତିଜ୍ଞା କରିଥିଲେ। ଅନେକ ବାର ଏଠାରୁ ସେଠାକୁ ନି‌ଷ୍ଫଳ ଧାଆଁଦୌଡ଼ କରିବା ପରେ ତାଙ୍କର ଲକ୍ଷ୍ୟ ହାସଲ ‌ହୋଇଥିଲା ଏବଂ ୧, ୦୩୫ ଦିନ ପରେ ସେ ତାଙ୍କର ସାର୍ଟଟି ବଦଳାଇଛନ୍ତି।

କଥାଟି ଆରମ୍ଭ ହୋଇଥିଲା ୨୦୧୫ରେ। ସେ ବର୍ଷ ହାଣ୍ଡିଗାନୁରର ଶ୍ରମିକମାନଙ୍କୁ ସେମାନଙ୍କ ପଞ୍ଚାୟତ ମଧ୍ୟରେ ବର୍ଷକ ପାଇଁ କାମ ଯୋଗାଇ ଦିଆଯାଇଥିଲା। ତେଣୁ, ଶ୍ରମିକମାନେ ଚାଲି ଚାଲି କାର୍ଯ୍ୟସ୍ଥଳୀକୁ ଯାଆନ୍ତି। କିନ୍ତୁ, ପରେ ତାଙ୍କ ଗାଁ ଠାରୁ ଅନେକ ଦୂର ଆମ୍ବେୱାଡ଼ି ଏବଂ ହଲଙ୍ଗାରେ ସେମାନଙ୍କୁ କାମ ‌ଦିଆଗଲା। କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ସେମାନଙ୍କୁ ୨୫/୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା।

ଦିନକର କଷ୍ଟାର୍ଜିତ ଅର୍ଥକୁ ଅଟୋଯାତ୍ରାରେ ବ୍ୟୟ କରିବାକୁ ସେମାନଙ୍କୁ ଖୁବ୍ ବାଧୁଥିଲା। ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ୧୦ମ ପାସ୍ କରିଥିବା ବେଲାଗାୱି ଠାରୁ ପ୍ରାୟ ୧୬ କିଲୋମିଟର ଦୂର ହାଣ୍ଡିଗାନୁରବାସୀ ଜ୍ୟୋତିବା ପୁଷ୍କରଣୀ ପ୍ରକଳ୍ପ କଥା ଚିନ୍ତାକଲେ। ତାଙ୍କ ଗ୍ରାମପଞ୍ଚାୟତ ଅଞ୍ଚଳରେ କୌଣସି ସରକାରୀ ଜମି ଅଛି କି, ନାହିଁ ଗ୍ରାମବାସୀଙ୍କୁ ପଚାରିବା ପରେ ଜାଣିବାକୁ ପାଇଲେ ଯେ ୪୩. ୩ ଏକର ଜମି ଅଛି।

Image Courtesy of The New Indian Express

ଏହାପରେ ଜ୍ୟୋତିବା ବେଲଗାୱି ଜିଲ୍ଲା ପଞ୍ଚାୟତର ସିଇଓଙ୍କୁ ଏ ବିଷୟରେ ଅବଗତ କରାଇବାରୁ ସେ ସ୍ବତନ୍ତ୍ର ଗ୍ରାମସଭା ପାଇଁ ପ୍ରସ୍ତାବ ଦେଲେ। ଡାଣ୍ଡିଗାନୁରରେ ପୁଷ୍କରଣୀ ଖନନ ପାଇଁ ଗ୍ରାମସଭା ପ୍ରସ୍ତାବନା ମଞ୍ଜୁର କଲା। କିନ୍ତୁ, ପରେ ଆଉ କିଛି ହେଲା ନାହିଁ। ଉଚ୍ଚସ୍ତରୀୟ ଅନୁମୋଦନ ପାଇଁ ସ୍ଥାନୀୟ ଅଧିକାରୀ ଏହି ପ୍ରସ୍ତାବନାକୁ ଜିଲ୍ଲା ପଞ୍ଚାୟତ ଅଫିସକୁ ପଠାଇଲେ ନାହିଁ। ଫଳରେ, ଜ୍ୟୋତିବା ଗୋଟିଏ ଅଟୋ ଭଡ଼ା କରି ୨୫ ଜଣ ମନରେଗା ଶ୍ରମିକଙ୍କୁ ତାଲୁକ ଏବଂ ଜିଲ୍ଲା ପଞ୍ଚାୟତ, ତହସିଲଦାର ଏବଂ ଡେପୁଟି କମିସନର୍‌ଙ୍କ ଠାରେ ସ୍ମାରକପତ୍ର ଏବଂ ପ୍ରସ୍ତାବନାର କପି ଦାଖଲ କଲେ। ସେଥିରେ ବି କିଛି ଫଳ ମିଳିଲା ନାହିଁ।

ଗାଁ ଲୋକେ ପରିହାସ କରିବାରୁ ୨୦୧୭ ମାର୍ଚରେ ଜ୍ୟୋତିବା ନିଷ୍ପତ୍ତି ନେଲେ ପୁଷ୍କରଣୀ ମଞ୍ଜୁର ନ ହେବା ଯାଏଁ ସେ ସାର୍ଟ ବଦଳାଇବେ ନାହିଁ। ଦିନ ତମାମ ସେ ସାର୍ଟଖଣ୍ଡକ ପିନ୍ଧନ୍ତି, ରାତିରେ ସଫା କରନ୍ତି ଓ ପୁଣି ତହିଁ ଆର ଦିନ ସକାଳେ ପିନ୍ଧନ୍ତି। ଏମିତି ଦୀର୍ଘ ତିନି ବର୍ଷ ବିତିଗଲା। ସାର୍ଟର କୋଲାର୍ ଓ ଅସ୍ତିନ୍ ଚିରିଗଲା, ବୋତାମ ଭାଙ୍ଗିଗଲା। ସେ ତାଳି ପକାଇ ସେ ସାର୍ଟ ଖଣ୍ଡକ ପିନ୍ଧିଲେ। ତାକୁ ଦେଖି ସରକାରୀ ଅଫିସ୍‌ର କେତେକ କର୍ମଚାରୀମାନେ ବି ପରିହାସ କଲେ।

Image Courtesy of The New Indian Express

କିନ୍ତୁ, ଜ୍ୟୋତିବା ଲଜ୍ଜାବୋଧ କଲେ ନାହିଁ। ତାଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା କାମଟି ମଞ୍ଜୁର କରାଇବା। ଜାନୁଆରି ୨୪ ତାରିଖ ଦିନ ଜ୍ୟୋତିବା ‌ବିଧାୟକ ସତୀଶ ଜାର୍କିହୋଲିଙ୍କ ଅଫିସ୍‌ରୁ ଫୋନ୍ ପାଇଲେ ଯେ, ସରକାର ପୁଷ୍କରଣୀ ଖନନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସେତେବେଳେ ରାତ୍ର ଭୋଜନ ଖାଉଥିବା ଜ୍ୟୋତିବା ଥାଳି ଧରି ଆନନ୍ଦରେ ପଟାଏ ନାଚିଗଲେ।

ଦୁଇ ଦିନ ପରେ ଜ୍ୟୋତିବା ଜାର୍କିହୋଲିଙ୍କ ଘରକୁ ଯାଇ ଧନ୍ୟବାଦ ଜଣାଇଲେ। ବିଧାୟକ ୧୨୦୦ ଟଙ୍କା ମୂଲ୍ୟର ନୂଆ ସାର୍ଟ ଖଣ୍ଡେ ତାଙ୍କୁ କିଣି ଦେଲେ। ଜୀବନରେ ଏଇଟା ତାଙ୍କର ସବୁଠୁ ଦାମିକା ସାର୍ଟ ବୋଲି ଜ୍ୟୋତିବା କହୁଛନ୍ତି।

ତାଙ୍କ ପଞ୍ଚାୟତରେ ୩୫୦ରୁ ୪୦୦ ମନରେଗା ଶ୍ରମିକ ଅଛନ୍ତି। ଏହି ପୁଷ୍କରଣୀ ଖୋଳା ହେଲେ ତାଙ୍କ ଗ୍ରାମର ୩୦୦୦ ଏକର ବିଲକୁ ପାଣି ମଡ଼ାଯାଇ ପାରିବ। ମାର୍ଚ ୩୦ ତାରିଖ ଦିନ ପୁଷ୍କରଣୀ ଖନନ ଶିଳନ୍ୟାସ କାର୍ଯ୍ୟକ୍ରମ ଥିଲା, କିନ୍ତୁ ମହାମାରୀ ଯୋଗୁଁ ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର