୧୯୯୯ ମସିହା ଜାନୁଆରି ୨୩ ତାରିଖ (୨୨ ତାରିଖ ମଧ୍ୟରାତ୍ର ପରେ) ସକାଳୁ ସକାଳୁ ଗଣମାଧ୍ୟମର ଏକ ଖବର ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ଅଷ୍ଟ୍ରେଲୀୟ ନାଗରିକ ଗ୍ରାହମ୍ ଷ୍ଟେନ୍ସ୍ ଓ ତାଙ୍କର ଦୁଇ ଶିଶୁପୁତ୍ର ଫିଲିପ୍ ଓ ତିମୋତିଙ୍କୁ ଗାଡ଼ିରେ ଶୋଇଥିବା ବେଳେ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା। ଏହାକୁ ବିରଳରୁ ବିରଳତମ ଅପରାଧ ବିବେଚନା କରି ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରବୀନ୍ଦ୍ର ପାଲ୍ ସିଂ ଓରଫ୍ ଦାରାକୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାପରେ ଓଡ଼ିଶା ହାଇକୋର୍ଟ ମାମଲାର ବିଚାରକରି ଦାରା ସିଂକୁ ଆଜୀବନ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ। ସଂପ୍ରତି କେଉଁଝର ଜେଲ୍ର ଥିବା ଦାରା ସିଂ ଇତିମଧ୍ୟରେ ୨୪ ବର୍ଷ ଜେଲ୍ଦଣ୍ଡ ଭୋଗି ସାରିଲାଣି। ଏହି ପରିପ୍ରେକ୍ଷୀରେ ୧୪ ବର୍ଷରୁ ଅଧିକ କାଳ ଜେଲ୍ରେ ଥିବା ଦାରା ସିଂକୁ ମୁକ୍ତ କରିବାକୁ ସୁପ୍ରିମ୍ କୋର୍ଟରେ ଆବେଦନ କରାଯାଇଛି। ଏହିି ପଦକ୍ଷେପକୁ କେତେକ ନାପସନ୍ଦ କରିବା ସହ ଏପରି ବିରଳତମ ଅପରାଧ ଘଟାଇଥିବା ଦୋଷୀ କ୍ଷେତ୍ରରେ ଏହା ଗ୍ରହଣୀୟ ନୁହେଁ ବୋଲି ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ଭାରତ ରକ୍ଷା ମଞ୍ଚର ଉପସଭାପତି ଅନୀଲ ଧୀର ଏବଂ ଜଣାଶୁଣା ସାମାଜିକକର୍ମୀ ଡକ୍ଟର ଅଭିଷେକ ଶର୍ମାଙ୍କୁ ସାମ୍ନାସାମ୍ନି କରାଇଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ଅପରାଧୀକୁ ବ୍ୟକ୍ତିଗତଭାବେ କ୍ଷମାକରିବା ଅାଇନସମ୍ମତ ନୁହେଁ: ଡକ୍ଟର ଅଭିଷେକ ଶର୍ମା
ଜଣେ ଆଇନଜୀବୀ ଓ ସାମାଜିକକର୍ମୀ ଭାବେ ପରିଚିତ ଡକ୍ଟର ଅଭିଷେକ ଶର୍ମାଙ୍କ ମତରେ ୨୪ ବର୍ଷ ରହିଥିବାରୁ ଜେଲ୍ରୁ ମୁକ୍ତି ପାଇଁ ଦାରା ସିଂ ଯେଉଁ ଆବେଦନ କରିଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ। ନ୍ୟାୟିକ ବ୍ୟବସ୍ଥାରେ ବ୍ୟକ୍ତିଗତ ସ୍ତରରେ ଏପରି ରିହାତି ଲାଗି ଆବେଦନର କୌଣସି ମହତ୍ତ୍ବ ନାହିଁ।
ଜେଲ୍ରୁ ମୁକ୍ତି ପାଇଁ ସୁପ୍ରିମ୍କୋର୍ଟରେ ଦାରା ସିଂର ଆବେଦନକୁ ନେଇ ଆପଣଙ୍କ ମତ କ’ଣ ? ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆପଣ କାହିଁକି କହୁଛନ୍ତି?
ମୋର ମତାମତ ସ୍ପଷ୍ଟ। ଆଇନ ଓ ବିଚାରାଳୟ ଯେଉଁ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ସମ୍ମାନ ଦେବା ଉଚିତ। ତେଣୁ ମୁଁ ଆଇନ ସମର୍ଥିତ ଯୁକ୍ତି ଆଧାରରେ ମତ ଉପସ୍ଥାପନ କରୁଛି। ଆଜୀବନ କାରାଦଣ୍ଡରୁ ଦାରାଙ୍କୁ ମୁକ୍ତି ମିଳିବ ବା ମୁକ୍ତି ମିଳିବ ନାହିଁ ତାହା ବିଚାରାଳୟ ନିଷ୍ପତ୍ତି ନେବେ। ଦୁଇଟି ନିରୀହ ପିଲା ଓ ସେମାନଙ୍କ ପିତାଙ୍କୁ ଜିଅନ୍ତା ଜାଳିଦେବା ସହିତ ଅରୁଲ ଦସ୍ ଓ ମହମ୍ମଦ ରେହମାନଙ୍କୁ ମଧ୍ୟ ଦାରା ସିଂ ହତ୍ୟା କରିଥିଲେ। ଏଣୁ ପାଞ୍ଚ ପାଞ୍ଚଟି ହତ୍ୟାର ଦଣ୍ଡବିଧାନକୁ ନେଇ ତର୍ଜମା କରାଯିବା ଉଚିତ। ସବୁ ହତ୍ୟା ଓ ଅପରାଧର ଦଣ୍ଡବିଧାନ ଭିନ୍ନ ଭିନ୍ନ । ଏହି ପରିପ୍ରେକ୍ଷୀରେ ଯଦି ଆଜୀବନ କାରାଦଣ୍ଡର ଅବଧିକୁ ନେଇ ବିଚାର କରାଯାଏ, ହୁଏତ ୨୪ ବର୍ଷ ନୁହେଁ, ଦାରା ସିଂ ୪୨ ବର୍ଷ କାରାଦଣ୍ଡ ଭୋଗିବେ। ମୋ ମତରେ କେଉଁ ହତ୍ୟା ମାମଲାରେ ୧୪ ବର୍ଷର ଆଜୀବନ କାରାଦଣ୍ଡ କଥା କୁହାଯାଉଛି ତାହା ଦାରାଙ୍କ ଆବେଦନ ଶୁଣାଣି ସମୟରେ ସ୍ପଷ୍ଟ ହେବ।
ଦାରା ସିଂ କହିଛନ୍ତି କି, ଗାଡ଼ିରେ ଦୁଇ ଶିଶୁପୁତ୍ର ଥିଲେ ବୋଲି ସେ ଜାଣି ନ ଥିଲା। ପୁନଶ୍ଚ ସେ ହତ୍ୟା କରିବାକୁ ଯାଇ ନ ଥିଲା, ମାଡ଼ ମାରିବାକୁ ଯାଇଥିଲା। ଏହାକୁ ଆପଣ ଗ୍ରହଣ କରନ୍ତି?
ପାରିପାର୍ଶ୍ବିକ ସାକ୍ଷ୍ୟପ୍ରମାଣରୁ ଜଣାପଡ଼ିଥିଲା ଯେ ଗାଡ଼ିରେ ଦୁଇ ଶିଶୁପୁତ୍ର ଥିଲେ ବୋଲି ଦାରା ଜାଣିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି, ଦାରାକୁ ସେ ଦିନ ଅନ୍ଧ ନାଏକ କହିଥିଲେ ଯେ ଗାଡ଼ିରେ ଦୁଇ ଶିଶୁପୁତ୍ର ଅଛନ୍ତି। ତେବେ ଏ ସବୁକୁ ନେଇ ମୁଁ ବିଶେଷ ଯୁକ୍ତି କରିବାକୁ ଚାହୁନାହିଁ। ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଛି, ବର୍ତ୍ତମାନ ଦାରା ସିଂ ୫ଟି ହତ୍ୟା ଅପରାଧର ଦୋଷୀ। ପୁନଶ୍ଚ ସେ ହତ୍ୟାକାଣ୍ଡରେ ଚେଞ୍ଚୁ ହାଁସଦା ଭଳି ଜଣେ ନାବାଳକକୁ ସାମିଲ କରିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ। ଏ ସବୁର ବିଚାର ହେବା ଦରକାର।
ଗ୍ରାହମ୍ ଷ୍ଟେନ୍ସଙ୍କ ପତ୍ନୀ ଓ ତାଙ୍କ ଝିଅ ଦାରା ସିଂଙ୍କୁ କ୍ଷମା କରିଦେଇଛନ୍ତି ଏବଂ ଦାରା ସିଂ ଅନୁତାପ ଓ ପଶ୍ଚାତ୍ତାପ କରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇଛି। ଜେଲ୍ରେ ତା’ର ଆଚରଣ ଭଲ ରହିଛି। ଏଣୁ ତାକୁ ମୁକ୍ତ କରାଯିବା ଉଚିତ ବୋଲି ଯେଉଁ ମତ ଆସିଛି, ତାହା କେତେ ଦୂର ଯୁକ୍ତିଯୁକ୍ତ?
ଅନୁତାପ ଓ ପଶ୍ଚାତ୍ତାପ କରିବା ତଥା ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବା ନିଶ୍ଚିତ ଏକ ଉତ୍ତମ କାର୍ଯ୍ୟ। କିନ୍ତୁ ଜଣେ ଜଘନ୍ୟ ଅପରାଧୀକୁ ଏହି ଆଧାରରେ ଯଦି ଜେଲ୍ରୁ ମୁକ୍ତି ଦିଆଯାଏ, ତେବେ ସମସ୍ତେ ଏହି ସୁବିଧା ଚାହିବେ। ଏହାଦ୍ବାରା ଅପରାଧ ବୃଦ୍ଧି ପାଇବ। ଲୋକଙ୍କ ମନରୁ ଆଇନକାନୁନ୍ ଓ ଦଣ୍ଡବିଧାନ ପ୍ରତି ଭୟ ଚାଲିଯିବ। ଗ୍ଲାଡିସ୍ ଓ ତାଙ୍କ ଝିଅ ଦାରା ସିଂଙ୍କୁ ମାନବିକତା ଦେଖାଇ କ୍ଷମା ଦେଇଛନ୍ତି। କିନ୍ତୁ ସେମାନେ କହିଛନ୍ତି, ଆଇନ ନିଜ ରାସ୍ତାରେ ଯିବ। ଯଦି ସବୁ ଅପରାଧୀଙ୍କୁ ଏଭଳି କ୍ଷମା କରିଦିଆଯାଏ, ତେବେ ଦେଶରେ ଆଇନକାନୁନ ବ୍ୟବସ୍ଥା ଅଛି କାହିଁକି? ମୁଁ ସ୍ପଷ୍ଟ କହିବାକୁ ଚାହେ, ଆମେ ମାନ୍ୟବର ଅଦାଲତଙ୍କ ମତକୁ ଅପେକ୍ଷା କରିବା ଦରକାର।
ଅନ୍ତର୍ଜାତୀୟ ଚାପ ଯୋଗୁଁ ମୁକୁଳି ପାରୁନାହାନ୍ତି ଦାରା: ଅନୀଲ ଧୀର
ଭାରତ ରକ୍ଷା ମଞ୍ଚର ଉପସଭାପତି ଅନୀଲ ଧୀର ଦୀର୍ଘ ପାଞ୍ଚ ବର୍ଷ ଧରି ବିଭିନ୍ନ ଆଇନଜୀବୀଙ୍କ ସହିତ ଦାରା ସିଂଙ୍କୁ ଦଣ୍ଡବିଧାନର ନ୍ୟାୟିକ ପ୍ରକ୍ରିୟା ଓ ଜେଲ୍ ଜୀବନକୁ ଅନୁଧ୍ୟାନ କରୁଛନ୍ତି। ସୁପ୍ରିମ୍ କୋର୍ଟରେ ଦାରା ସିଂ ପକ୍ଷରୁ ଜେଲ୍ରୁ ମୁକ୍ତି ଲାଗି ଯେଉଁ ଆବେଦନ କରାଯାଇଛି, ତାକୁ ଦୃଢ଼ ଭାବେ ସମର୍ଥନ କରୁଛନ୍ତି ଶ୍ରୀ ଧୀର।
ଦାରା ସିଂ ଜେଲ୍ରୁ ମୁକ୍ତ କରିବା ପାଇଁ ସୁପ୍ରିମ୍ କୋର୍ଟରେ ଯେଉଁ ଆବେଦନ କରିଛି ତାହା ଅାଇନଗତ ଭାବେ କେତେ ଯୁକ୍ତିସମ୍ମତ?
ଦାରା ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା, ତାହା ସେ ଭୋଗ କରିସାରିଲେଣି। ସେ ଜେଲ୍ରେ ୨୪ ବର୍ଷର ବନ୍ଦୀ ଜୀବନ କଟାଇ ସାରିଲେଣି। ତାଙ୍କୁ ଯେତେବେଳେ ଦଣ୍ଡବିଧାନ କରାଯାଇଥିଲା ସେତେବେଳେ ଆଜୀବନ କାରାଦଣ୍ଡର ସମୟସୀମା ୧୪ ବର୍ଷ ଥିଲା। ଜେଲ୍ ସଂସ୍କାର ପ୍ରକ୍ରିୟାରେ ସେ ନିଜକୁ ସାମିଲ କରି ଅନୁତାପ ଓ ପଶ୍ଚାତ୍ତାପ କରିବା ସହିତ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ଜଣେ ଆଧ୍ୟାତ୍ମିକ ମଣିଷ ପାଲଟି ଯାଇଛନ୍ତି। ଗୋଟିଏ ଦିନ ପାଇଁ ବି ସେ ପାରୋଲ୍ରେ ଯିବାକୁ ଆବେଦନ କରିନାହାନ୍ତି। ଏପରିକି ତାଙ୍କ ମା’ଙ୍କ ମୃତ୍ୟୁ ସମୟରେ ମଧ୍ୟ ତାଙ୍କୁ ଛଡ଼ା ଯାଇ ନ ଥିଲା କିମ୍ବା ଏହାକୁ ନେଇ ସେ ଅଭିଯୋଗ ବି କରି ନ ଥିଲେ। ଅନ୍ତଃରାଷ୍ଟ୍ରୀୟ ଚାପ ଓ ରାଜନୈତିକ ବିବାଦ ଭିତରେ ଦାରା ସିଂ ବଳି ପଡ଼ିଯାଉଛନ୍ତି ବୋଲି ମୋର ମତ। ଦାରା ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅପରାଧୀଙ୍କୁ ମୁକ୍ତି ମିଳିଲାଣି।
ଦୁଇ ନାବାଳକ ଶିଶୁ ଓ ତାଙ୍କ ପିତାଙ୍କୁ ଜିଅନ୍ତା ଜାଳି ମାରିଦେବା ଭଳି ଜଘନ୍ୟ ଅପରାଧର ଦୋଷୀ ପ୍ରତି କୋହଳ ମନୋଭାବ ପୋଷଣ ଓ ମୁକ୍ତିର ଦାବି କ’ଣ ଗ୍ରହଣୀୟ?
ମୁଁ ଦାରାଙ୍କ ଅପରାଧକୁ ଆଦୌ ହାଲୁକା ଭାବେ ଗ୍ରହଣ କରିନାହିଁ କିମ୍ବା ସାମାନ୍ୟ ଘଟଣା ବୋଲି ବିଲ୍କୁଲ୍ ଭାବୁନାହିଁ। କିନ୍ତୁ ଆଇନର ତର୍ଜମା କଲେ ଆପଣ ଜାଣିପାରିବେ ଦାରା ସିଂ ତାଙ୍କର ଦଣ୍ଡ ଭୋଗ କରିସାରିଲେଣି। ଯେତେବେଳେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ସେ ସର୍ବୋଚ୍ଚ ନ୍ୟାୟାଳୟରେ ଏହା ବିରୋଧରେ ଆବେଦନ କରିଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା। ତେଣୁ ଏହା ଏକ ବିରଳରୁ ବିରଳତର ଅପରାଧ ବୋଲି କହିବା ଠିକ୍ ହେବନି। ୨୪ ବର୍ଷ ଦଣ୍ଡ ଭୋଗିବା ପରେ ଅପରାଧୀ ଓ ଅପରାଧର ପାରିପାର୍ଶ୍ବିକ ପରିସ୍ଥିତି ତଥା ମାନବିକତା ଆଧାରରେ ଆଇନସମ୍ମତ ଭାବେ ମୁକ୍ତି ପାଇବାର ଅଧିକାର ତାଙ୍କର ରହିଛି। ଯଦି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ସାମାନ୍ୟ ଅପରାଧ ଭାବି ମୁକ୍ତି କରାଗଲା, ତେବେ ଦାରାଙ୍କୁ କାହିଁକି ନୁହେଁ? ଏହାର ଆଇନଗତ ତର୍ଜମା ହେଉ।
ଦାରା ସିଂକୁ ମୁକ୍ତ ନ କରିବା ନେଇ ସରକାରଙ୍କର କିଛି ବାଧ୍ୟବାଧକତା ଅଛି ବୋଲି ଆପଣ ଭାବୁଛନ୍ତି?
ନିଶ୍ଚିତ। ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗିସାରିବା ପରେ ମଧ୍ୟ ପରେ ବି ତାଙ୍କୁ ମୁକ୍ତି ମିଳୁନାହିଁ। ସୁପ୍ରିମକୋର୍ଟରେ ଯେତେବେଳେ ଦାରାଙ୍କୁ ଜେଲ୍ରୁ ଛାଡ଼ିବାକୁ ଆବେଦନ ହୋଇଥିଲା, ସେଦିନ ତତ୍କାଳୀନ ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏହାକୁ ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ବିଚାର ପାଇଁ ରଖିଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ୬ ସପ୍ତାହ ମଧ୍ୟରେ ଦାରା ସିଂ ମାମଲା ଓ ଦଣ୍ଡବିଧାନର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ। କିନ୍ତୁ, ରାଜ୍ୟ ସରକାର ଏ ପ୍ରସଙ୍ଗ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି। ଅର୍ଥାତ୍ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୈତିକ ବାଧ୍ୟବାଧକତାରେ କାର୍ଯ୍ୟକରୁଛନ୍ତି। ଏଥିରେ ଅନ୍ତର୍ଜାତୀୟ ଚାପ ବି କାର୍ଯ୍ୟକରୁଛି।