ରାତିପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ଚଳଚଞ୍ଚଳ ପଶ୍ଚିମ ଓଡିଶା, ସହରରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ନୂଆଁଖାଇର ମାହୋଲ!

ରାତିପାହିଲେ ନୂଆଁଖାଇ। ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡିଶା। ସହରରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ନୂଆଁଖାଇର ମାହୋଲ। ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଁଖାଇ ପାଳିବାକୁ ଘରକୁ ଫେରିଲେଣି। ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ଆସନ୍ତାକାଲି ନବାନ୍ନ ଲାଗି ହେବ।

ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବିପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ। ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁ ଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଏକପ୍ରକାର ପ୍ରସ୍ତୁତ।

ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘରେ ଘରେ ଲିପାପୋଛା, ପୂଜା ପାଇଁ ସାମଗ୍ରୀ କିଣା ସହ ସରିଛି ସମସ୍ତ ପ୍ରସ୍ତୁତି। କ୍ଷେତରୁ ନୂଆ ଧାନ ଆସିବା ପରେ ଏଥିରୁ ପ୍ରସ୍ତୁତ ହୁଏ ଚୁଡା। ଏହି ଚୁଡାକୁ ନବାନ୍ନ ଭାବେ ଠାକୁରଙ୍କ ପାଖେ ଅର୍ପଣ କରାଯାଇଥାଏ। କେବଳ ନୂଆ ଧାନ ନୁହଁ ବରଂ ନୂଆ ବସ୍ତ୍ର ବି ପିନ୍ଧିବାକୁ ଭୁଲନ୍ତି ନାହିଁ ଏଠାକାର ଅଧିବାସୀ। ଘରର ମହିଳାମାନେ ଘର ଆଗରେ ଆଙ୍କି ସାରିଲେଣି ଝୋଟି ଓ ଚିତା। ଏହା ସାଂଗକୁ ନୂଆଖାଇକୁ ଧୁମଧାମରେ ପାଳନ କରିବାକୁ ନୃତ୍ୟ ଗୀତର ପ୍ରସ୍ତୁତି ବି ଚାଲିଛି । ସମ୍ବଲପୁରୀ ନୃତ୍ୟ ସାଂଗକୁ ଗ୍ରାମାଞ୍ଚଳରେ ଆରମ୍ଭ ହେଲାଣି ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ଗାଁ ଠାରୁ ସହର ସବୁଠି ଝୁମିବ ଏବେ ରସକେଳିର ଧୁନ୍‌। ଆଉ ଏହାରି ସାଙ୍ଗକୁ ଜୁହାର ଭେଟ୍‌ ବି କରିବେ ପଶ୍ଚିମ ଓଡିଶାବାସୀ।

ସମ୍ବନ୍ଧିତ ଖବର