ଭୁବନେଶ୍ବର: ବିଧାୟକ ର‌ାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଉପନିର୍ବାଚନ ମୁହାଁ ହୋଇଛି ନୂଆପଡ଼ା। ନିର୍ବାଚନ କମିସନ ଯଦିଓ ତାରିଖ ଘୋଷଣା କରିନାହାନ୍ତି କିନ୍ତୁ ପ୍ରାର୍ଥୀ ଚୟନ ପାଇଁ ଦଳମାନେ କସରତ ଆରମ୍ଭ କରିଦେଲେଣି। ତେବେ ସ୍ବାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଚଳିତବର୍ଷର ଉପନିର୍ବାଚନକୁ ମିଶାଇ ଏଥର ଚତୁର୍ଥ ଥର ଲାଗି ନୂଆପଡ଼ା ଉପନିର୍ବାଚନର ସାମ୍‌ନା କରିବାକୁ ଯାଉଛି। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ନୂଆପଡ଼ା, ବୋଡ଼େନ୍, କୋମନା, ସିନାପାଲି ଓ ଖରିଆର ରୋଡ୍‌ (ଏନ୍‌ଏସି)କୁ ନେଇ ଗଠିତ ହୋଇଛି। ସ୍ବାଧୀନତା ପୂର୍ବରୁ ୧୯୩୭ ମସିହାରେ ଖରିଆର ରାଜା ରାଜାଲାଲ ଆର୍ତ୍ତତ୍ରାଣ ଦେବ ଖଡ଼ିଆଳ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ୧୯୪୬ ମସିହାରେ ନ୍ୟାସନାଲ ପାର୍ଟିର ସଭ୍ୟଭାବେ ପୁନର୍ବାର ନିର୍ବାଚନ ଜିଣିଥିଲେ। ୧୯୪୭ ସେପ୍ଟେମ୍ବରରେ ତାଙ୍କ ପରଲୋକ ହୋଇଥିଲା। ସେହିବର୍ଷ ଜାନୁଆରିରେ ଉପନିର୍ବାଚନ ହୋଇଥିଲା। ଆର୍ତ୍ତତ୍ରାଣଙ୍କ କାକା ପୁଅ ଭାଇ ରୁଦ୍ରମାଧବ ଦେଓ ନିର୍ବାଚିତ ହୋଇଥିଲେ। 

Advertisment

ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧-୫୨ରେ ହୋଇଥିଲା। ନୂଆପଡ଼ା ଏକ ଯୁଗ୍ମ ଆସନ ହୋଇଥିଲା। କଂଗ୍ରେସର ଅନୁପ ସିଂହଦେଓ ଓ ଚୈତନ୍ୟ ମାଝୀ ନିର୍ବାଚିତ ହୋଇଥିଲେ। ୧୯୫୭ ମସିହାରେ ଯୁଗ୍ମ ଆସନ ନାଁ ନାମତରା ହୋଇଥିଲା। ଅନୁପ ସିଂହଦେଓ ଓ ଘାସିରାମ ମାଝୀ ନିର୍ବାଚିତ ହୋଇଥିଲେ। ୧୯୬୧ରେ ଦୁଇ ସବ୍‌ଡିଭିଜନ ନୂଆପଡ଼ା ଓ ଖରିଆର ଦୁଇଟି ନିର୍ବାଚନମଣ୍ଡଳୀ ହୋଇଥିଲା। ନୂଆପଡ଼ାରୁ ସ୍ବାଧୀନ ପ୍ରାର୍ଥୀଭାବେ ଘାସିରାମ ମାଝୀ ବିଜୟୀ ହୋଇଥିଲେ। ପରବର୍ତ୍ତୀ ୧୯୬୭, ୧୯୭୧ ନିର୍ବାଚନର ଫଳାଫଳ ବେଶ୍‌ ରୋଚକ ରହିଥିଲା। କଂଗ୍ରେସରୁ ଓଁକାର ସିଂହ ମାଝୀ ଓ ଘାସିରାମ ମାଝୀ ବିଜୟୀ ହୋଇଥିଲେ। ୧୯୭୪ ନିର୍ବାଚନରେ କଂଗ୍ରେସର ଓଁକାର ସିଂହମାଝୀ ପୁନର୍ବାର ନିର୍ବାଚନ ଜିଣିଥିଲେ। ମାତ୍ର ମକଦ୍ଦମାରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା। ଏହି ଉପନିର୍ବାଚନରେ ୮ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ମାତ୍ର ୨୯ବର୍ଷ ବୟସରେ କଂଗ୍ରେସର ଜଗନ୍ନାଥ ପଟ୍ଟନାୟକ ସ୍ବତନ୍ତ୍ର ଦଳର ଘାସିରାମ ମାଝୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ରାଜ୍ୟ ଯୁବ କଂଗ୍ରେସର ସଭାପତି ଥାଇ ଶ୍ରୀ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ନନ୍ଦିନୀ ଶତପଥୀଙ୍କ ସଂପ୍ରସାରିତ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଥିଲେ। ପରେ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୭୭ରେ ଜନତା ପାର୍ଟିରୁ ଘାସିରାମ ମାଝୀ, ୧୯୮୦ରେ କଂଗ୍ରେସରୁ ଭାନୁ ପ୍ରକାଶ ଯୋଶୀ, ୧୯୮୫, ୧୯୯୦ ଓ ୧୯୯୫ରେ ଘାସିରାମ ମାଝୀ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୭ରେ ଘାସିରାମ ମାଝୀଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷ ମେ’ ୨୯ ତାରିଖରେ ଉପନିର୍ବାଚନ ହୋଇଥିଲା। ଏଥିରେ ଜଗନ୍ନାଥ ପଟ୍ଟନାୟକ କଂଗ୍ରେସରୁ ନିର୍ବାଚନ ହୋଇଥିଲେ। 

୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାର କଂଗ୍ରେସ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଏଥିରେ ବିଜେପି ହାତକୁ ନୂଆପଡ଼ା ଆସନ ଯାଇଥିଲା। ବସନ୍ତ କୁମାର ପଣ୍ଡା ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ ରାଜେନ୍ଦ୍ର ଢୋଲକିଆ ସ୍ବାଧୀନ ଭାବେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ ଶ୍ରୀ ଢୋଲକିଆ ବିଜେଡିରୁ ବିଜୟୀ ହୋଇଥିଲେ। ପରେ ୨୦୧୯ ଓ ୨୦୨୪ରେ ମଧ୍ୟ ଜିତିଥିଲେ।