ଫ୍ରାନ୍ସର ଏକ ଛୋଟ ସହରରେ ଗାଡ଼ିମାନଙ୍କ ବେଗ କମାଇବା ଲାଗି ଏକ ଭିନ୍ନ ଧରଣର କୌଶଳ ଅବଲମ୍ବନ କରାଯାଇଛି। ଏ ସହରର ନାମ ବାଉନି। ଏଠାରେ ମାତ୍ର ୧,୭୦୦ ଲୋକ ବସବାସ କରନ୍ତି। ତଥାପି ଏଠାକାର ରାସ୍ତା ଦେଇ ପ୍ରତି ଦିନ ଅନେକ ସଂଖ୍ୟକ ଗାଡ଼ି ଯା’ଆସ କରେ କାରଣ ଏହି ସହରଟି ଦେଶର ଦୁଇଟି ମୁଖ୍ୟ ରାସ୍ତାର ଛକରେ ଅବସ୍ଥିତ। ବାଉନି ଛକରେ ସର୍ବାଧିକ ୩୦ କିଲୋମିଟର୍ ପ୍ରତି ଘଣ୍ଟା ବେଗରେ ଗାଡ଼ି ଚଳାଇବା ଲାଗି ଫଳକ ଲାଗିଥିଲେ ହେଁ ଅନେକ ଗାଡ଼ି ୧୦୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ବେଗରେ ଯାତ୍ରା କରନ୍ତି। ଦ୍ରୁତ ବେଗ ସହରବାସୀଙ୍କ ପାଇଁ ବିପଦ ସାଜିବାରୁ ସ୍ଥାନୀୟ ପ୍ରଶାସନ ଚାଳକଙ୍କୁ ବେଗ ହ୍ରାସ କରାଇବା ଲାଗି ଏକ ନିଆରା କୌଶଳ ପ୍ରୟୋଗ କରିଛନ୍ତି।
ଚାଳକଙ୍କ ସୁବିଧା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଓ ମଝିରେ ଯେଉଁ ଧଳା ଗାର ଟଣାଯାଇଥାଏ ତାହାକୁ ଅଙ୍କାବଙ୍କା ଭାବେ ରାସ୍ତା ଉପରେ ଚିତ୍ରିତ କରାଯାଇଛି। ଅଙ୍କାବଙ୍କା ଗାରଗୁଡ଼ିକ ଚାଳକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି ଏବଂ ସେମାନେ ଗାଡ଼ିର ବେଗ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ଏହା ବେଗ ସମସ୍ୟାର ସମାଧାନ କରିଥିବା ବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି ଯେ ଟ୍ରା​ଫିକ୍ ନିୟମ ଅନୁଯାୟୀ ରାସ୍ତାରେ ଧଳା ଗାର ଅତିକ୍ରମ କରିବା ମନା ଥିବାରୁ ସମଗ୍ର ଛକରେ ଏହାର ବ୍ୟବହାର କିପରି କରାଗଲା? ଏହି ଗାରଗୁଡ଼ିକ ସହିତ ଅଭ୍ୟସ୍ତ ହୋଇଯିବା ପରେ ଲୋକେ ପୁଣି ପୂର୍ବ ଭଳି ଦ୍ରୁତ ବେଗରେ ଏହି ବାଉନି ଛକ ଅତିକ୍ରମ କରିବେ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।