ମେଦବହୁଳତା କରୋନା ସଂକ୍ରମଣକୁ ଅଧିକ ଜଟିଳ କରୁଛି

ଟିକାକରଣରେ ଅଗ୍ରାଧିକାର ଦେବାକୁ ଅକ୍ସଫୋର୍ଡ ଗବେଷକଙ୍କ ପରାମର୍ଶ

ମେଦବହୁଳତା ବା ତୁଳନାତ୍ମକ ଭାବେ ଅଧିକ ଓଜନ ଥିଲେ କୋଭିଡ୍‌-୧୯ର ସଂକ୍ରମଣ ଶରୀରକୁ ଅଧିକ ପ୍ରଭାବିତ କରିଥାଏ। ଏପରିକି ଆଇସିୟୁରେ ଅଧିକ ଦିନ ରହିବାକୁ ପଡିଥାଏ। ଏବଂ ରୋଗୀ ଗୁରୁତର ହେବାର ମଧ୍ୟ ଆଶଙ୍କା ରହିଥାଏ। ଏଭଳି ତଥ୍ୟ ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜି ପତ୍ରିକାରୁ ଜଣାପଡ଼ିଛି। ଅଧିକମାତ୍ରାରେ ବଡି ମାସ ଇଣ୍ଡେକ୍ସ ବା ବିଏମ୍‌ଆଇ ସହିତ କୋଭିଡ୍‌-୧୯ର ପ୍ରଭାବକୁ ନେଇ ବ୍ରିଟେନସ୍ଥିିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏହା ପ୍ରଥମ ବୃହତ ଅଧ୍ୟୟନ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।

ବିଏମ୍‌ଆଇ ହେଉଛି ଶରୀରର ଚର୍ବିର ଏକ ମାପ। ଜଣେ ବ୍ୟକ୍ତିଙ୍କ ଓଜନକୁ ଉଚ୍ଚତା ଦ୍ୱାରା ବିଭକ୍ତ କରି ଏହାକୁ ଗଣନା କରାଯାଏ। ଇଂଲଣ୍ଡରେ ରହୁଥିବା ୬.୯ ନିୟୁତରୁ ଅଧିକ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି ଏବଂ ଯେଉଁମାନେ ମହାମାରୀର ପ୍ରଥମ ଲହର ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିମ୍ବା ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରୁ ୨୦ହଜାରରୁ ଅଧିକ କୋଭିଡ୍‌-୧୯ ରୋଗୀଙ୍କ ତଥ୍ୟ ଏହି ଗବେଷଣାରେ ଅନ୍ତର୍ଭୁକ୍ତ ହୋଇଛି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଜଣେ ବ୍ୟକ୍ତିର ବିଏମ୍‌ଆଇ ପ୍ରତି ବର୍ଗ ମିଟର ପିଛା ୨୩ କିଲୋଗ୍ରାମରୁ ଅଧିକ ରହିଲେ ତାହାକୁ ସୁସ୍ଥ ପରିସର ମଧ୍ୟରେ ବିବେଚନା କରାଯାଏ।

ହେଲେ ବିଏମ୍‌ଆଇରେ ପ୍ରତ୍ୟେକ ୟୁନିଟ୍ ବୃଦ୍ଧି ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ୫ ପ୍ରତିଶତ ଅଧିକ ଏବଂ ପ୍ରତ୍ୟେକ ୟୁନିଟ୍ ବୃଦ୍ଧି ପାଇଁ ଆଇସିୟୁରେ ଭର୍ତ୍ତି ହେବାର ଆଶଙ୍କା ୧୦ ପ୍ରତିଶତ ଅଧିକ ବୋଲି ଗବେଷକମାନେ କହିଛନ୍ତି। ଯେଉଁମାନଙ୍କର କମ୍ ଓଜନ ଥାଏ ଅର୍ଥାତ୍‌ ବିଏମ୍‌ଆଇ ୧୮.୫ରୁ କମ୍‌ ଥାଏ ସେମାନଙ୍କ ଉପରେ ମଧ୍ୟ କୋଭିଡ୍‌-୧୯ର ଅଧିକ କୁପ୍ରଭାବ ପଡିଥାଏ। ଗବେଷଣା ଅନୁଯାୟୀ, ୨୦ ରୁ ୩୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ କୋଭିଡ୍‌-୧୯ର ବିପଦ ଉପରେ ଅତ୍ୟଧିକ ଓଜନର ପ୍ରଭାବ ସର୍ବାଧିକ ଥିଲା ଏବଂ ୬୦ ବର୍ଷ ବୟସ ପରେ ଏହା ହ୍ରାସ ପାଇଥିଲା। ଗବେଷକମାନେ କହିଛନ୍ତି ଯେ, ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କ ବିଏମ୍‌ଆଇ ବୃଦ୍ଧି ହେଲେ ମଧ୍ୟ କୋଭିଡ୍‌-୧୯ ବହୁତ କମ୍ ପ୍ରଭାବ ପକାଇଥିଲା। ତେବେ ୨୦ ରୁ ୩୯ ବର୍ଷ ବୟସର ଲୋକଙ୍କ ମଧ୍ୟରେ କୋଭିଡ୍‌ର କୁ ପ୍ରଭାବ ବୟସ୍କମାନଙ୍କ ତୁଳନାରେ କମ୍ ହୋଇଥାଏ ବୋଲି ସେମାନେ କହିଛନ୍ତି।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ଏହି ଗବେଷଣାର ମୁଖ୍ୟ କାର୍ମେନ ପିଅରନାସଙ୍କ ମତରେ ଅତ୍ୟଧିକ ଓଜନ ସହିତ କୋଭିଡ୍‌-୧୯ ଜଟିଳତା ଜଡିତ। ଏବଂ ବିଏମ୍‌ଆଇ ବଢିଲେ ବିପଦ ଅଧିକ ବଢୁଥିବା ଦେଖାଯାଇଛି। ପିଅରନାସ କହିଛନ୍ତି ଯେ, ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ଅଧିକ ଓଜନ ସହିତ ଜଡିତ ବିପଦ ସବୁଠୁ ଅଧିକ। କିନ୍ତୁ ୮୦ ବର୍ଷ ପରେ କୋଭିଡ୍‌ ଗୁରୁତର ହେବାର ସମ୍ଭାବନା ଉପରେ ଓଜନର କୌଣସି ପ୍ରଭାବ ପଡ଼ିବ ନାହିଁ। ତେଣୁ ମେଦବହୁଳ ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଇଂଲଣ୍ଡରେ କ୍ୟୁରିସର୍ଚ୍ଚ ଡାଟାବେସ୍‌ରରୁ ନିୟମିତ ଭାବେ ୬୯ଲକ୍ଷ ୧୦ ହଜାର ୬୮୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ରେକର୍ଡ ତଥ୍ୟ ଉପରେ ଏହି ଗବେଷଣା ଆଧାରିତ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର