ବିଶ୍ବରେ ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ବା ଶୁକ୍ରାଣୁ କ୍ଷରଣରେ ହ୍ରାସକୁ ‘ସ୍ପର୍ମୋକାଲିପ୍ସ’ ଭାବେ ବର୍ଣ୍ଣନା କରାଯାଏ। ପ୍ରଜନନ ସଂକଟ ପଛରେ ପ୍ରମୁଖ କାରଣ ଭାବେ ରହିଥିବା ଏହି ବ୍ୟାଧିର ଶିକାର ଏବେ ଭାରତୀୟମାନେ ମଧ୍ୟ ହୋଇ ଚାଲିଛନ୍ତି। ବିଭିନ୍ନ ପ୍ରକାର କୀଟନାଶକ, ଭାରୀ ଧାତୁ ଓ ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସିବା ଆଦି ଏଥି ପାଇଁ ଦାୟୀ ବୋଲି କୁହାଯାଉଥିବା ବେଳେ ମେଦବହୁଳତା ବି ଏହାର ଅନ୍ୟତମ କାରଣ। ଶୁକ୍ରାଣୁ ସଂଖ୍ୟା ହ୍ରାସର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ ମୋଟାପଣ ବା ମେଦବହୁଳତା ବୋଲି ଚୀନର ସୁନ୍ ୟାତ୍-ସେନ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିପାରିଛନ୍ତି। ଏକ ଅନୁଧ୍ୟାନରେ ୭୧ ହଜାର ପୁରୁଷ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଗବେଷକମାନେ ମାତ୍ରାଧିକ ଶରୀର ଓଜନ ସହ ଶୁକ୍ରରସର ଗୁଣବତ୍ତା ହ୍ରାସ ଜଡ଼ିତ ବୋଲି ସ୍ପଷ୍ଟ ହୋଇଛନ୍ତି।
ଶୁକ୍ରରସର ଗୁଣବତ୍ତା କହିଲେ ସାଧାରଣତଃ କ୍ଷରିତ ଶୁକ୍ରରସ ପରିମାଣ, ସେଥିରେ ଥିବା ଶୁକ୍ରାଣୁ ସଂଖ୍ୟା ଓ ଶୁକ୍ରାଣୁମାନଙ୍କର ସକ୍ରିୟତାକୁ ବୁଝାଯାଏ। ଜଣେ ସୁସ୍ଥ ସୁଠାମ ଶରୀରଧାରୀ ପୁରୁଷ ତୁଳନାରେ ଜଣେ ମେଦବହୁଳଙ୍କର ଶୁକ୍ରରସ କ୍ଷରଣ କମ୍ ହେବା ସହ ସେଥିରେ କମ୍ ସଂଖ୍ୟକ ଶୁକ୍ରାଣୁ ଥାଆନ୍ତି ଓ ସେମାନଙ୍କର ଗତିଶୀଳତା କମ୍ ରହିଥାଏ। ଏପରିକି ଜଣେ ମେଦବହୁଳ ନହୋଇ ବି ତାଙ୍କର ଓଜନ ଧାର୍ଯ୍ୟ ପରିମାଣଠାରୁ ସାମାନ୍ୟ ଅଧିକ ଥିଲେ, ତାଙ୍କ ଠାରେ ଶୁକ୍ରରସ ପରିମାଣ ଓ ଶୁକ୍ରାଣୁ ଗତିଶୀଳତାରେ ହ୍ରାସ ଦେଖାଯାଇଛି। ଯଦିଓ ନିମ୍ନମାନର ଶୁକ୍ରାଣୁ କ୍ଷରଣ ପାଇଁ ମେଦ ବହୁଳତା ଦାୟୀ ବୋଲି ସିଧାସଳଖ ପ୍ରମାଣ ମିଳିନାହିଁ, ତେବେ ସେମାନଙ୍କ ଭିତରେ କୌଣସି ଅଜଣା ସମ୍ପର୍କ ଥିବା ଗବେଷକମାନେ କହିଛନ୍ତି। ଅବଶ୍ୟ ଏଥିପାଇଁ ହରମୋନ ଅସନ୍ତୁଳନ, ଚର୍ବିଯୁକ୍ତ ତନ୍ତୁରେ ଗଚ୍ଛିତ ଥିବା ବିଷାକ୍ତ ପଦାର୍ଥ ଓ ତାପମାତ୍ରା ବୃଦ୍ଧି ପରି ଅନେକ କାରଣ ରହିଛି। ପୂର୍ବରୁ ସଂଘଟିତ ଅନ୍ୟାନ୍ୟ ଅନୁଧ୍ୟାନମାନଙ୍କରୁ ଜୀବନଶୈଳୀ ପରିବର୍ତ୍ତନ ଜନିତ ଓଜନହ୍ରାସ ଶୁକ୍ରରସର ଗୁଣବତ୍ତାରେ ଉନ୍ନତି ଆଣେ ବୋଲି ଜଣାପଡ଼ିଥିଲା। ସୁତରାଂ ଶୁକ୍ରାଣୁ ଗୁଣବତ୍ତା ହ୍ରାସ ସହ ମେଦବହୁଳତା ବା ମୋଟାପଣର ସମ୍ପର୍କ ରହିଥିବା କଥାକୁ ଅସ୍ବୀକାର କରାଯାଇ ନପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhsfhffhfh.jpg)