ଭୁବନେଶ୍ୱର (ସୁବ୍ରତ ଦାସ): ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ଆଜି ଅନେଶତ ବର୍ଷ ବୟସରେ ପରଲୋକ ଘଟିଛି। ଏଥି ସହ ଓଡ଼ିଶା ହରାଇଛି ଜଣେ ବରପୁତ୍ରଙ୍କୁ। ତାଙ୍କର ବିୟୋଗରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଦିବଂଗତ ବୈଦ୍ୟନାଥ ଥିଲେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଶିକ୍ଷାବିତ, ଯୋଜନାକାରୀ, ଲେଖକ ଓ ସ୍ତମ୍ଭକାର।
Sambad is now on WhatsApp
Join and get latest news updates delivered to you via WhatsApp
୧୯୨୦ ମସିହା ନଭେମ୍ବର ୨୨ରେ ଖୋର୍ଦ୍ଧା ଜିଲ୍ଲାର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ବୈଦ୍ୟନାଥ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସଫଳତାର ସିଡ଼ି ପରେ ସିଡ଼ି ଚଢିଥିଲେ। ପ୍ରଥମେ ରେଭେନ୍ସା କଲେଜ ଓ ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପରେ ସେ ୧୯୫୨ ମସିହାରେ ହ୍ଵାଟନ ବିଶ୍ୱବିଦ୍ୟାଳୟରେ ଗବେଷଣା କରିଥିଲେ। ଅଧ୍ୟାପନର ବୃତ୍ତିରେ ଜୀବନ ଆରମ୍ଭ କରିଥିବା ବୈଦ୍ୟନାଥ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। କିନ୍ତୁ ସେ ଏକ ସରଳ ଓ ନିରାଡମ୍ବର ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ବିତାଇଥିଲେ। ଯେ କେହି ତାଙ୍କର ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରେ ତାଙ୍କୁ ଭେଟିଥିବ, ତାଙ୍କୁ ଧୋତି ଓ ଫତେଇ ପିନ୍ଧିଥିବାର ଦେଖିଥିବ।
ଶ୍ରୀ ମିଶ୍ର ତାଙ୍କର ଶୈଶବ ଜୀବନ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ କଟାଇଥିବାର କହନ୍ତି। ବହୁ କଷ୍ଟରେ ସେ ସ୍କୁଲ ଦରମା ଯୋଗାଡ଼ କରି ପାଠ ପଢିଥିଲେ। ତେବେ ଦାରିଦ୍ର୍ୟ ଯୋଗୁଁ ସେ କେବେ ପଛେଇ ଯାଇ ନାହାନ୍ତି। ଦୃଢ ମନୋବଳ ଯୋଗୁଁ ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇପାରିଥିଲେ।
ଡ଼କ୍ଟର ମିଶ୍ର ରାଜ୍ୟରେ ଅର୍ଥନୀତି ସଂପର୍କିତ ବିଭିନ୍ନ ଅନୁଷ୍ଠାନ ଗଢ଼ିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ତାଙ୍କର ଉଦ୍ୟମ ଯୋଗୁଁ ଭୁବନେଶ୍ୱରରେ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର ଓ ଓଡ଼ିଶା ଅର୍ଥନୀତି ପରିଷଦ ସ୍ଥାପିତ ହୋଇଥିଲା।
ଡ଼କ୍ଟର ମିଶ୍ର ଅର୍ଥନୀତି ଉପରେ ବହୁ ଗବେଷଣାତ୍ମକ ନିବନ୍ଧ ଓ ପୁସ୍ତକ ଲେଖିବା ସଂଗେ ସଂଗେ ଓଡ଼ିଶା ସମ୍ବାଦପତ୍ରରେ ଅତି ସରଳ ଓ ସାବଲୀଳ ଭାଷାରେ ଓଡ଼ିଶା ଅର୍ଥନୀତି ଉପରେ ବହୁ ଲେଖା ଲେଖିଯାଇଛନ୍ତି। ଏହାଛଡା ତାଙ୍କର ଆତ୍ମଜୀବନୀ ‘ପରସ୍ୟୁଟ ଅଫ୍ ଡେଷ୍ଟିନି’ ବେଶ୍ ଆଦୃତ ହୋଇପାରିଛି।
‘ସମ୍ବାଦ’ ପରିବାର ସହିତ ଡ଼କ୍ଟର ମିଶ୍ରଙ୍କର ଘନିଷ୍ଠ ଲେଖକୀୟ ସଂପର୍କ ଥିଲା । ‘ସମ୍ବାଦ’ ଖବରକାଗଜ ଏବଂ ‘ପୌରୁଷ’ ପତ୍ରିକାରେ ନିୟମିତ ତାଙ୍କର ଲେଖା ପ୍ରକାଶ ପାଉଥିଲା । ‘ପୌରୁଷରେ’ ଜୀବନ ଦୃଷ୍ଟି ଶୀର୍ଷକ ଏକ ସ୍ତମ୍ଭ ସେ ଲେଖୁଥିଲେ । ‘ପୌରୁଷ’ର ଏଥର ସଂଖ୍ୟାରେ ତାଙ୍କର ଶେଷ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ସେ ସରକାରଙ୍କ କାର୍ଯ୍ୟରେ ସାଂସଦ ଓ ବିଧାୟକମାନେ କପିରି ସାହାଯ୍ୟ କରିପାରିବେ ସେ କଥା ଉପସ୍ଥାପନ କରିଛନ୍ତି।
ଏହି ସାମ୍ବାଦିକ ଗତ ୨୦୧୧ ମସିହା ଏପ୍ରିଲ ପହିଲା ଦିନ ଡକ୍ଟର ମିଶ୍ରଙ୍କର ଏକ ସାକ୍ଷାତକାର ନେଇଥିଲା। ଆଲୋଚନା ଛଳରେ ଡକ୍ଟର ମିଶ୍ର ସେଦିନ କହିଥିଲେ,‘ଅର୍ଥନୈତିକ ଉଦାରୀକରଣର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ। ସମଗ୍ର ଦେଶରେ ଘରୋଇ ଉଦ୍ୟୋଗର ପ୍ରଭୂତ ବିକାଶ ଘଟିଥିବା ବେଳେ ଓଡ଼ିଶାରେ ଘରୋଇ ଉଦ୍ୟୋଗର ବିଶେଷ ବିକାଶ ହୋଇନାହିଁ। ଆମେ ଉଦ୍ୟୋଗୀ ତିଆରି କରିବାରେ ସକ୍ଷମ ହୋଇପାରିନାହୁଁ, ଯିଏ ଓଡ଼ିଶାର ଅର୍ଥନୀତିରେ ପରିବର୍ତ୍ତନ ଆଣିପାରିବେ।’
ଜଣେ ଅର୍ଥନୀତିଜ୍ଞ ହିସାବରେ ଓଡ଼ିଶା ପାଇଁ ତାଙ୍କର ସ୍ୱପ୍ନ ବିଷୟରେ ଡକ୍ଟର ମିଶ୍ର କହିଥିଲେ, ‘କୃଷି ଉପରେ କମ୍ ଲୋକ ନିର୍ଭରଶୀଳ ହେବା ଉଚିତ୍। ତା’ସାଂଗକୁ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଏବଂ କୃଷି ଆଧୁନିକୀକରଣ ଦ୍ୱାରା କୃଷି ଉତ୍ପାଦକତାକୁ ବୃଦ୍ଧି ପାଇବା ଆବଶ୍ୟକ। ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରାଯିବା ଦରକାର। ରାଜ୍ୟରେ ବୈଷୟିକ ଶିକ୍ଷାର ଅଭିବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆମକୁ ଦୁର୍ନୀତି ଦୂର କରିବାକୁ ହେବ, ଅଧିକରୁ ଅଧିକ ଉତ୍ତର ଦାୟିତ୍ୱବୋଧ ସୃଷ୍ଟି କରିବାକୁ ପଡିବ।’
ଏହି ବରିଷ୍ଠ ଅର୍ଥନୀତିଜ୍ଞ ତ ଆମକୁ ଛାଡି ଚାଲିଗଲେ, ତେବେ ତାଙ୍କର ସ୍ୱପ୍ନ କେବେ ପୂରଣ ହେଉଛି ତାକୁ ହିଁ ଅପେକ୍ଷା।