ଦେଶର ଯେଉଁ କେତେଜଣ କଣ୍ଠଶିଳ୍ପୀ ଗଜଲ୍ ଗାୟନରେ ନିଜକୁ ସମର୍ପିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଚନ୍ଦନ ଦାସ ଅନ୍ୟତମ। ଦେଶବିଦେଶର ସମ୍ମାନଜନକ ମଞ୍ଚରେ ଗଜଲ୍ ଗାଇ ସ୍ବକୀୟ ପରିଚୟ ସୃଷ୍ଟି କରିଥିବା ଏହି କୃତବିଦ୍ୟ କଳାକାର ନିକଟରେ ଭୁବନେଶ୍ବର ଆସିଥିବା ବେଳେ ‘ରବିବାର ସମ୍ବାଦ’କୁ ୪୦ ବର୍ଷର ଗଜଲ୍ ଗାୟନ ଯାତ୍ରାରେ ଉତ୍ଥାନପତନ, ଗଜଲ୍ର ସାମ୍ପ୍ରତିକ ସ୍ବରୂପ ଓ ଭବିଷ୍ୟତ ଏବଂ ଆଧୁନିକ ସଂଗୀତ-ନୃତ୍ୟରେ ଅଶ୍ଳୀଳତା ଓ ନଗ୍ନତା ପ୍ରସଙ୍ଗରେ ତାଙ୍କର ମତ ଉପସ୍ଥାପନ କରିଥିଲେ। ଗଜଲ୍ ସମ୍ରାଟ୍ ଚନ୍ଦନ ଦାସଙ୍କୁ ସାକ୍ଷାତ୍ କରିଥିଲେ ବରିଷ୍ଠ ପ୍ରତିନିଧି ବିଭୂତି ପତି
ଆପଣଙ୍କ ସଂଗୀତ ଶିକ୍ଷା କିପରି ଆରମ୍ଭ ହୋଇଥିଲା?
ମୋତେ ଆଠ ବର୍ଷ ହୋଇଥିଲା ବେଳେ ମୋ ଭଉଣୀ ସଂଗୀତ ଶିକ୍ଷା କରୁଥିଲା। ମୁଁ ସ୍କୁଲରୁ ଆସି ତା’ ପାଖରେ ବସି ଶୁଣୁଥିଲି। କାହିଁକି କେଜାଣି ସେବେଠାରୁ ମୋ ମନରେ ସଂଗୀତ ପ୍ରତି ଦୁର୍ବଳତା ଭରିଗଲା। ସ୍କୁଲ୍ ଛୁଟିହେଲେ ମୁଁ ଖେଳାଖେଳି ନକରି ଭଉଣୀ ପାଖକୁ ଚାଲିଯାଇ ସଂଗୀତ ଶୁଣୁଥିଲି। ଭଉଣୀ ଗାଇଲା ବେଳେ ମୁଁ ମଧ୍ୟ ଶୁଣି ଶୁଣି ଗାଇବା ଆରମ୍ଭ କଲି। ସଂଗୀତ ପ୍ରତି ଆକର୍ଷଣ ଏମିତି ନିଶା ପାଲଟିଗଲା ଯେ ପାଠପଢ଼ାରେ ମନ ଲାଗିଲାନି। ଏକଥା ଜାଣି ବାପା ମୋ ପ୍ରତି କଠୋର ହୋଇଗଲେ।
ସଂଗୀତ ନିଶା ପାଇଁ ଥରେ ବାପା କ୍ରୋଧାନ୍ବିତ ହୋଇ ଗାଳି ଦେବାରୁ ଆପଣ ଘର ଛାଡ଼ିଦେଇଥିଲେ। ଏହା କ’ଣ ସତ?
ହଁ, ଏହା ସତ। ଧୀରେ ଧୀରେ ମୁଁ ବଡ଼ ହେଲି। ପାଠ ପ୍ରତି ମୋର ଆଗ୍ରହ ରହିଲାନାହିଁ। ରେଡିଓରୁ ଗୀତ ଶୁଣିବା ମୋର ନିଶା ହୋଇଗଲା। ମୋ ଭଉଣୀ ମୁଖ୍ୟତଃ ରବୀନ୍ଦ୍ର ଓ ଶାସ୍ତ୍ରୀୟ ସଂଗୀତ ଶିଖୁଥିଲା। ମୁଁ ରେଡିଓରୁ ଶାସ୍ତ୍ରୀୟ ସଂଗୀତ ଶୁଣୁଥିଲି। ଦିନେ ତଲତ୍ ମେହମୁଦ୍ଙ୍କ ଗଜଲ୍ ଶୁଣିଲି। ପରେ ପ୍ରସିଦ୍ଧ ଗଜଲ୍ ଗାୟକ ମେହେନ୍ଦୀ ହସନ୍ଙ୍କୁ ମଧ୍ୟ ଶୁଣିବାର ସୁଯୋଗ ପାଇଲି। ସେଉଠୁ ଗଜଲ୍ ପ୍ରତି ମୋର ଆଗ୍ରହ ବଢ଼ିଲା ଏବଂ ମୁଁ ରେଡିଓ ଧରି ବସିଲି। ଏହାକୁ ମୋର ବ୍ୟବସାୟୀ ବାପା ଗ୍ରହଣ କରିପାରିଲେ ନାହିଁ। ଦିନେ ହଠାତ୍ ଉତ୍ୟକ୍ତ ହୋଇ ମୋତେ ଗାଳିଦେଲେ। ମୁଁ ରାଗରେ ଘର ଛାଡ଼ି ପାଟନା ଚାଲିଆସିଲି। ସେଠାରେ ବାପାଙ୍କର ଜଣେ ବନ୍ଧୁଙ୍କ ଘରେ ରହିଲି। ବାପା ଜାଣିବା ପରେ ତାଙ୍କୁ ମୋର ଯତ୍ନ ନେବାକୁ କହିଲେ। ସେ ମୋତେ ନେଇ ପାଟନା ରେଡିଓରେ ଅଡିସନ୍ ଦେବାକୁ ଗଲେ। ଥରକରେ ମୁଁ ଅଡିସନ୍ରେ ସଫଳ ହୋଇଥିଲି। ସେଇଠୁ ପ୍ରଥମେ ରେଡିଓରେ ବିଭିନ୍ନ ଗୀତ ଗାଇଲି ଓ ପ୍ରୋଗ୍ରାମ୍ କଲି।
ସୁପ୍ରସିଦ୍ଧ ସଂଗୀତଜ୍ଞ ଅରୁଣ ଭାଦୁରିଙ୍କ ଦ୍ବାରା ଆପଣ ପ୍ରେରିତ ହୋଇଥିଲେ। ତାଙ୍କ ସହିତ କେମିତି ସାକ୍ଷାତ୍ ହୋଇଥିଲା?
ଏକଦା ଅରୁଣ ଭାଦୁରି ପାଟନା ରେଡିଓରେ ଏକ କାର୍ଯ୍ୟକ୍ରମ ରେକର୍ଡ କରିବାକୁ ଆସିଥିଲେ। ସେ ମୋର ଗଜଲ୍ ଗାୟନ ଶୁଣି କହିଲେ, ‘ଚନ୍ଦନ ତୋ କଣ୍ଠରେ ଯାଦୁ ଅଛି। ତୁ ବମ୍ବେ ଚାଲିଆ’। ମୁଁ ସାହାଯ୍ୟ ସହଯୋଗ କରିବି। ତାଙ୍କ ପ୍ରେରଣା ଓ ଆର୍ଥିକ ସାହାଯ୍ୟ ପାଇ ମୁଁ ବମ୍ବେ ଆସିଲି। ଅଡିସନ୍ ଦେବାକୁ ସେ ମୋତେ ମହାରାଷ୍ଟ୍ର (ବମ୍ବେ) ରେଡିଓ ଷ୍ଟେସନ୍ ନେଲେ ଏବଂ ପ୍ରଥମ ଥରରେ ମୁଁ କୃତକାର୍ଯ୍ୟ ହେଲି। ପ୍ରାଥମିକ ଅବସ୍ଥାରେ ଅର୍ଥ ପାଇଁ ବିଭିନ୍ନ କ୍ଲବ୍ରେ ଗଜଲ୍ ପରିବେଷଣ କଲି। ଧୀରେ ଧୀରେ ବମ୍ବେ ଗଜଲ୍ ଗାୟକମାନଙ୍କ ମଧ୍ୟରେ ନିଜସ୍ବ ପରିଚୟ ସୃଷ୍ଟିକଲି। ଦିଲ୍ଲୀରେ ପଣ୍ଡିତ ମଣିପ୍ରସାଦଙ୍କ ଠାରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷାଲାଭ କଲି। ଏହି ସମୟରେ ମୋ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଗଲା। କିନ୍ତୁ, ମୋ ସ୍ତ୍ରୀ ଯାମିନୀଙ୍କ ପ୍ରେରଣା ଓ ସହଯୋଗରେ ମୁଁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ସଂପୂର୍ଣ୍ଣ କଲି।
ଗଜଲ୍ ଏକ କଷ୍ଟସାଧ୍ୟ ଗାୟନଶୈଳୀ। ଗଜଲ୍ ଗାଇବା ପାଇଁ କାହିଁକି ମନ ବଳାଇଲେ?
ମୁଁ ପ୍ରଥମରୁ କହିଛି, ଗଜଲ୍ ପ୍ରତି ମୋର ଦୁର୍ବଳତା ରହିଥିଲା। ସଂଗୀତ ଜଗତେର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗଜଲ୍ ଏକ ସ୍ବତନ୍ତ୍ର ଓ ସୁଦୃଢ଼ ସ୍ଥାନ ସୃଷ୍ଟି କରିସାରିଛି, ଯାହାର ବିକଳ୍ପ ନାହିଁ। କେତେକ କହନ୍ତି- ହାତଗଣତି ଶ୍ରୋତା ଗଜଲ୍ ଶୁଣନ୍ତି ଏବଂ ପସନ୍ଦ କରନ୍ତି। ଆଉ କେତେକ କହନ୍ତି, ଏହାର ସ୍ଥାୟିତ୍ବ ବେଶୀ ଦିନ ନୁହେଁ। କିନ୍ତୁ ମୁଁ କହିବି, ସେମାନଙ୍କର ସଂଗୀତ ଓ ଗଜଲ୍ ବିଷୟରେ ସାଧାରଣ ଜ୍ଞାନ ନାହିଁ। ଗଜଲ୍ର ସ୍ଥାୟିତ୍ବ ଯୁଗ ଯୁଗ ରହିଛି ଓ ରହିଥିବ। କାରଣ, ଗଜଲ୍ ହେଉଛି ଜୀବନର ପ୍ରେମପ୍ରତାରଣା, ସୁରାସାକି, ମିଳନବିଚ୍ଛେଦର ଅନ୍ତର୍ନିହିତ ଭାବନାର ଶାବ୍ଦିକ ପରିପ୍ରକାଶ। ଯେତେବେଳେ ଏହା ସ୍ବରରେ ସଜାଇ ହୋଇ ପରିବେଷଣ ହୁଏ, ଶ୍ରୋତାଙ୍କ ହୃଦୟକୁ ଛୁଇଁଯାଏ। ତେଣୁ ଏହାର ଅନ୍ତ ନାହିଁ। ଥରେ ମଜ୍ଜିଲେ ଗଜଲ୍ ପ୍ରେମରୁ ଶ୍ରୋତା ଆଉ ବାହାରିପାରି ନଥାନ୍ତି। ଆମେ ସମସ୍ତେ ଜାଣିଛେ ଶେରୋଶାୟରୀ ଜୀବନ ସହିତ ଛନ୍ଦି ହୋଇ ରହିଛି। ତେବେ କହନ୍ତୁ, ଗଜଲ୍ର ଶେଷ ହେବ କିପରି?
ଆଜିର ଗଜଲ୍ରେ ପାଶ୍ଚାତ୍ୟ ଶୈଳୀକୁ ମିଶାଇ ଫ୍ୟୁଜନ୍ କରାଯାଉଛି। ଏହା କେତେ ଯଥାର୍ଥ?
ଏହାଦ୍ବାରା ଗଜଲ୍ର ମୌଳିକତା ଓ ସ୍ବତନ୍ତ୍ରତା ନଷ୍ଟ ହୋଇ ଚାଲିଛି। ଏହା ନିଶ୍ଚିତ ଚିନ୍ତାଜନକ। କିନ୍ତୁ ଏଭଳି ମୌଳିକତା ଓ ସ୍ବତନ୍ତ୍ରତା ନଥିବା ଗଜଲ୍ ବେଶୀ ଦିନ ତିଷ୍ଠି ରହିପାରେ ନାହିଁ। ଆଜିକାଲି ବିଭିନ୍ନ ଆଞ୍ଚଳିକ ଭାଷାରେ, ଏପରିକି ହିନ୍ଦୀରେ ମଧ୍ୟ ବିଭିନ୍ନ ଗୀତ ଲେଖାଯାଇ ତାହାକୁ ଗଜଲ୍ ନାମ ଦିଆଯାଉଛି। ଏସବୁ ଗୀତରେ ଗଜଲ୍ର ସାମାନ୍ୟତମ ନୀତିନିୟମ ମଧ୍ୟ ରହୁନାହିଁ। କିନ୍ତୁ, ବିଭିନ୍ନ ଆଞ୍ଚଳିକ ଭାଷାରେ ଉର୍ଦ୍ଦୁ ଶବ୍ଦ ବିଶେଷ ପ୍ରୟୋଗ କରା ନଯାଇ ଗଜଲ୍ ଲେଖାଯିବା ଓ ଗାଇବା ଦ୍ବାରା ଗଜଲ୍ର ଲୋକପ୍ରିୟତା ବୃଦ୍ଧି ପାଇଥାଏ। ଏହାଦ୍ବାରା ମୂଳ ଗଜଲ୍ ପ୍ରତି ଅଧିକରୁ ଅଧିକ ଶ୍ରୋତା ଆକର୍ଷିତ ହୁଅନ୍ତି। ଗଜଲ୍ର ଯେଉଁ ମୌଳିକତା ରହିଛି ତାହା କେବଳ ଉର୍ଦ୍ଦୁରେ ପ୍ରତିଫଳିତ ହୁଏ। ଆରବୀୟ, ଉର୍ଦ୍ଦୁ ଓ ହିନ୍ଦୀ ଶବ୍ଦ ପ୍ରୟୋଗ ଯୋଗୁଁ ଗଜଲ୍ର ଯାତ୍ରା ଆଜି ଶୀର୍ଷ ସ୍ଥାନରେ ପହଞ୍ଚିଛି।
ଆପଣଙ୍କର ପ୍ରିୟ ଗଜଲ୍ କ’ଣ ଏବଂ ଶ୍ରେଷ୍ଠ ଗଜଲ୍ ଗାୟକ ଭାବେ ଆପଣ କାହାର ନଁା ନେବେ?
‘ଆଁଶୁ ଭରି ୟେ ଜୀବନ କି ରାହେଁ...’ -୧୯୫୮ର ଏହି ଚଳଚ୍ଚିତ୍ର ଗଜଲ୍ ମୋର ଅତ୍ୟନ୍ତ ପ୍ରିୟ ଏବଂ ମେହେନ୍ଦୀ ହସନ୍ ହେଉଛନ୍ତି ମୋର ପ୍ରିୟ ଗଜଲ୍ ଗାୟକ। ମୁଁ ତାଙ୍କୁ ମନେ ମନେ ଗୁରୁ କରି ଗଜଲ୍ ଶିକ୍ଷା କରିଛି। ମୁଁ ଏକଲବ୍ୟ ହେଲେ ସେ ଦ୍ରୋଣାଚାର୍ଯ୍ୟ। ପ୍ରିୟ ତଲତ୍ ଅଜିଜ୍ ମଧ୍ୟ ମୋ ଜୀବନରେ ପ୍ରଭାବ ପକାଇଛନ୍ତି।
ଆଜିର ସଂଗୀତ ଓ ନୃତ୍ୟରେ ଅଶ୍ଳୀଳତା ଓ ନଗ୍ନତାର ଯେଉଁ ଅପସଂସ୍କୃତି ମାଡ଼ିଚାଲିଛି, ତାକୁ ନେଇ ଆପଣଙ୍କର ମତ କ’ଣ?
ଆଧୁନିକତା ନଁାରେ ଆମେ ଅପସଂସ୍କୃତି ଆପଣାଇବା ଆଦୌ ଯୁକ୍ତିସଂଗତ ନୁହେଁ କିମ୍ବା ଏହାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦେବା ଉଚିତ ନୁହେଁ। ସଂଗୀତ ଓ ନୃତ୍ୟ ହେଉଛି ଭଗବାନଙ୍କ ପ୍ରତି ଆତ୍ମାର ସମର୍ପଣ ଭାବ। ତେଣୁ ଏହି ସଂସ୍କୃତିରେ ଅଶ୍ଳୀଳତା ଓ ନଗ୍ନତାକୁ କୌଣସି ପରିସ୍ଥିତିରେ ସ୍ଥାନ ଦେବା ଅନୁଚିତ।
ଅାପଣଙ୍କ ଗଜଲ୍ ଜୀବନର କିଛି ଅଭୁଲା ସ୍ମୃତି?
୧୯୮୨ରେ ମ୍ୟୁଜିକ୍ ଇଣ୍ଡିଆ ମୋର ପ୍ରଥମ ଗଜଲ୍ ଆଲ୍ବମ୍ ପ୍ରକାଶ କରିଥିଲା। ୧୦ ବର୍ଷ ମ୍ୟୁଜିକ୍ ଇଣ୍ଡିଆ ସହିତ କାମ କରିବା ପରେ ୧୯୯୩ରେ ଗୁଲ୍ସନ୍ କୁମାର ମୋତେ ତାଙ୍କ କଂପାନି ଟି-ସିରିଜ୍ରେ ଗଜଲ୍ ଗାଇବା ପାଇଁ ଅନୁବନ୍ଧିତ କଲେ। ଅନୁରାଧା ପୋଡ଼ୱାଲ୍ଙ୍କ ସହିତ ‘ଦିୱାଙ୍ଗୀ’ ଗଜଲ୍ ଆଲବମ୍ ବଜାରକୁ ଆସି ସଂଗୀତ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଉଭୟ ସ୍ମୃତି ମୋ ଜୀବନରେ ଅଭୁଲା ହୋଇ ରହିଯାଇଛି। ତେବେ, ମୁଁ ଦୁଇଟି ଚଳଚ୍ଚିତ୍ରେର ଯେଉଁ ଗଜଲ୍ ଗାଇଛି ତାହା ହେଉଛି ମୋ ଜୀବନର ସବୁଠାରୁ ମଧୁର ସ୍ମୃତି।
ସଂକ୍ଷେପରେ ଚନ୍ଦନ ଦାସ
ଆଜି ବି ୬୮ ବର୍ଷୀୟ ଚନ୍ଦନ ଦାସଙ୍କ ମଖମଲି ସ୍ବରର ଯାଦୁ ଏବଂ ଶବ୍ଦର ମିଠା ଉଚ୍ଚାରଣ ପ୍ରତିଟି ସଂଗୀତପ୍ରେମୀଙ୍କ ହୃଦୟକୁ ଛୁଇଁଯାଏ। ୧୯୫୬ ମସିହା ମାର୍ଚ ୧୨ ତାରିଖରେ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଜନ୍ମଗ୍ରହଣ କରିଥିବା ଚନ୍ଦନ ଦାସ ସଂଗୀତ ଶିକ୍ଷା ପାଇଁ ଦ୍ବାଦଶ ଶ୍ରେଣୀରୁ ପାଠରେ ଡୋରି ବାନ୍ଧିଥିଲେ। ସଂଗୀତ ଯାତ୍ରା କାଳରେ ସଂସ୍ପର୍ଶରେ ଆସିଥିବା ଶିଷ୍ୟା ଯାମିନୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ ସେ। ଚନ୍ଦନ ଦାସଙ୍କ ଶାଳକ ଜୟଦେବ କୁମାର ପଞ୍ଜାବୀ ସଂଗୀତର ଜଣେ ପରିଚିତ ନିର୍ଦ୍ଦେଶକ। ନେଦର୍ଲାଣ୍ଡସ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ରୁଷ୍ ଓ ଉଜ୍ବେକିସ୍ତାନ ପ୍ରଭୃତି ରାଷ୍ଟ୍ରରେ ଚନ୍ଦନ ଦାସ ଗଜଲ୍ ପରିବେଷଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୧୯୮୩ରେ ଗଜଲ୍ ଗାୟକମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ସୁମୁ’ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୯୯୩ରେ ‘ଦିୱାଙ୍ଗୀ’ ଗଜଲ୍ ଆଲବମ୍ ପାଇଁ ତାଙ୍କୁ ବଲିଉଡ୍ ସଂଗୀତ ଜଗତରେ ଶ୍ରେଷ୍ଠ ସମକାଳୀନ ଗଜଲ୍ ଗାୟକ ଭାବେ ସମ୍ମାନିତ କରାଯାଇଥିଲା। ଭାରତୀୟ କଳା, ସଂସ୍କୃତି ଓ ସଂଗୀତ ଜଗତରେ ସ୍ବକୀୟ ଗଜଲ୍ ଗାୟନ ଶୈଳୀ ପାଇଁ ସେ ଶ୍ରୋତାମାନସରେ ନିଆରା ଛାପ ସୃଷ୍ଟି କରିଛନ୍ତି।