କ୍ରିକେଟ୍ ଆମ ଦେଶର ଅଘୋଷିତ ଧର୍ମଭଳି। ଲୋକପ୍ରିୟତାର ଶୀର୍ଷରେ ଥିବାରୁ ଏହି ଖେଳ ପାଇଁ ପ୍ରଶଂସକ ପାଗଳପ୍ରାୟ ହୋଇଯାଆନ୍ତି, ଓଡ଼ିଶା ବି ଏଥରୁ ବାଦ୍ ନୁହେଁ। କିନ୍ତୁ ଓଡ଼ିଶା କ୍ରିକେଟ୍ ଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛି। ଦଳଗତ ହେଉ କି ବ୍ୟକ୍ତିଗତ ଭାବେ ଓଡ଼ିଶା କ୍ରିକେଟର୍ଙ୍କ ପ୍ରଦର୍ଶନ ସବୁବେଳେ ସମାଲୋଚିତ ହୋଇଆସୁଛି। ନୂଆ ପିଢ଼ିର କ୍ରିକେଟ୍ ପ୍ରଶାସକ ଭାବେ ସଂଜୟ ବେହେରା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଦାୟିତ୍ବ ନେବା ପରେ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ଇତିମଧ୍ୟରେ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଛି। କେତେ ବଦଳିଛି ଓଡ଼ିଶା କ୍ରିକେଟ୍ର ମାନଚିତ୍ର? ଏହାର ଉତ୍ତର ଖୋଜିବାକୁ ସଂଜୟ ବେହେରାଙ୍କୁ ଭେଟିଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ
ସୁରେଶ ସ୍ବାଇଁ
ଆପଣ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ସମ୍ପାଦକ ଦାୟିତ୍ବ ନେବା ୫ ବର୍ଷ ପୂର୍ଣ୍ଣ ହୋଇଛି। ଏହି ବର୍ଷଗୁଡ଼ିକ କେତେ ଆହ୍ବାନପୂର୍ଣ୍ଣ ଥିଲା?
ଦେଖନ୍ତୁ, ଲୋଧା କମିଟି ସୁପାରିସ ପରେ ଓସିଏର ଦାୟିତ୍ବ ନେବା ମୋ ପାଇଁ ବିଭିନ୍ନ କାରଣରୁ ବଡ଼ ଆହ୍ବାନପୂର୍ଣ୍ଣ ଥିଲା। ମୋ ପାଖରେ ବାପା ଆଶୀର୍ବାଦ ବେହେରାଙ୍କ ଭଳି ଅଭିଜ୍ଞତା ନଥିବାରୁ ଚାପର ବଶବର୍ତ୍ତୀ ହୋଇଥିଲି। ଦାୟିତ୍ବ ନେବାର ମାସକ ଭିତରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ (ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ, ୨୨ ଡିସେମ୍ବର ୨୦୧୯) ଆୟୋଜନର ବୋଝ ମୁଣ୍ଡ ଉପରକୁ ଆସିଥିଲା। ଏହା ମଧ୍ୟ ଅତିରିକ୍ତ ଆହ୍ବାନ ସୃଷ୍ଟି କରିଥିଲା। ଫନିରେ ବାରବାଟୀ ଷ୍ଟାଡିୟମ୍ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଲାଇଟ୍, ଏସି ବକ୍ସ ଆଦି ନଷ୍ଟ ହୋଇଯାଇଥିଲା। ମାସକ ଭିତରେ ଏସବୁକୁ ପ୍ରସ୍ତୁତ କରି ସୁନ୍ଦର ଭାବେ ଅନ୍ତର୍ଜାତୀୟ ମ୍ୟାଚ୍ ଶେଷ କରିଥିଲୁ। ସମସ୍ତଙ୍କ ସମର୍ଥନ କାରଣରୁ ଏହା ସମ୍ଭବ ହୋଇଥିଲା।
ରାଜ୍ୟ କ୍ରିକେଟ୍କୁ ସକ୍ରିୟ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇ ‘ଓସିଏ ଭିଜନ୍-୨୦୨୪’ ଘୋଷଣା କରିଥିଲେ। ଏହାର ଆଭିମୁଖ୍ୟ କ’ଣ ଥିଲା ଏବଂ ଏହା କେତେ ସଫଳ ହୋଇଛି ବୋଲି ଭାବୁଛନ୍ତି?
ଓଡ଼ିଶା କ୍ରିକେଟ୍ର ବିକାଶ ପାଇଁ ‘ଓସିଏ ଭିଜନ୍-୨୦୨୪’ ମୋ ଏଜେଣ୍ଡାର ଶୀର୍ଷରେ ରହିଥିଲା। ଓଡ଼ିଶା ସାରା ଭିତ୍ତିଭୂମି ଯୋଗାଇଦେବାକୁ ପରିକଳ୍ପନା କରାଯାଇଥିଲା। ରାଜ୍ୟ କ୍ରିକେଟ୍ କଟକ, ଭୁବନେଶ୍ବର ଓ ରାଉରକେଲା ଭଳି ବଡ଼ ସହରରେ ସୀମିତ ରହିଯାଉଥିବାରୁ ଏହାର ପରିସରକୁ ଅଧିକ ପରିବ୍ୟାପ୍ତ କରିବାକୁ ଯୋଜନା କରିଥିଲୁ। ଏଥିସହ କ୍ଲବ୍ କ୍ରିକେଟ୍କୁ ବଢ଼ାଇବା ଲକ୍ଷ୍ୟ ବି ରହିଥିଲା। କେଉଁ ଜିଲ୍ଲାରେ କେଉଁଭଳି ଖେଳାଳି ଅଛନ୍ତି ଆମେ ଜାଣିପାରୁ ନଥିଲୁ। ଏକ କର୍ମଶାଳା କରିବା ପରେ ଆମେ ୬୦ ଜଣଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇ ଖେଳାଳିଙ୍କ ପଞ୍ଜୀକରଣ କରିଥିଲୁ। ଜିଲ୍ଲାୱାରି କନିଷ୍ଠ ଓ ବରିଷ୍ଠ ବର୍ଗରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରିଥିଲୁ। ଏହାପରେ ୩୦ଟି ଜିଲ୍ଲାରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗ ଲାଗି ଅନ୍ତଃକ୍ଲବ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିଥିଲୁ। ଏହାଦ୍ବାରା ଖେଳାଳିଙ୍କ ପ୍ରଦର୍ଶନ ଓ ଚୟନରେ ସ୍ବଚ୍ଛତା ଆଣିବା ସହଜ ହୋଇଥିଲା। ଏବେ ଏହା ପ୍ରତି ଦୁଇ ବର୍ଷରେ ହେଉଛି। କୋଭିଡ୍ କାରଣରୁ ସ୍କୁଲ୍ କ୍ରିକେଟ୍କୁ ଗୁରୁତ୍ବ ଦେଇପାରି ନଥିଲୁ। ଗତବର୍ଷ କିନ୍ତୁ ଆମେ ଏକ ଅନ୍ତଃସ୍କୁଲ୍ ପ୍ରତିଯୋଗିତା କରି ୧୪ ବର୍ଷରୁ କମ୍ ବର୍ଗର ପ୍ରତିଭାଙ୍କୁ ଅନ୍ବେଷଣ କରିଥିଲୁ। ସେଠାରୁ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ନେଇ ନିକଟରେ ଆମେ ଅନ୍ତଃଜିଲ୍ଲା ସ୍କୁଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରି ସଫଳତା ପାଇଛୁ। ତୃଣମୂଳସ୍ତରରୁ କ୍ରିକେଟ୍ ପ୍ରତିଭାଙ୍କୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ ଥିଲା।
ରାଜ୍ୟର ଜିଲ୍ଲାଗୁଡ଼ିକରେ କ୍ରିକେଟ୍ ଭିତ୍ତିଭୂମି କେମିତି ସ୍ଥିତିରେ ଅଛି?
ପୂର୍ବରୁ ପ୍ରତି ଜିଲ୍ଲାରେ କ୍ରିକେଟ୍ ଭିତ୍ତିଭୂମି ନଥିଲା, ଏବେ ପ୍ରାୟ ସବୁ ଜିଲ୍ଲାରେ ଏହା ଉପଲବ୍ଧ। ଆଗରୁ ଖେଳାଳି ମ୍ୟାଟିଂ ୱିକେଟ୍ରେ ଖେଳୁଥିଲେ ଏବେ ଟର୍ଫ ୱିକେଟ୍ର ବ୍ୟବସ୍ଥା ପ୍ରାୟ ସର୍ବତ୍ର ହୋଇପାରିଛି। ଆଜିକା ତାରିଖରେ ୩୦ ଜିଲ୍ଲାରେ ୪୧ କ୍ରିକେଟ୍ ଏକାଡେମି ଓ ଟର୍ଫ ୱିକେଟ୍ ପ୍ରତିଷ୍ଠା ସହ ୧୯ ଜିଲ୍ଲାରେ ମେନ୍ ୱିକେଟ୍ ଯୋଗାଇ ପାରିଛୁ। ପୂର୍ବଭଳି ଆଉ ମ୍ୟାଚ୍ ମ୍ୟାଟିଂରେ ନୁହେଁ, ଟର୍ଫରେ ଖେଳାଯାଉଛି। ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା କ୍ରିକେଟ୍ ଖେଳିବା ପରେ ଖେଳାଳିଙ୍କ ପ୍ରତି ଯତ୍ନଶୀଳ ହେବାକୁ ଏକାଡେମି କାମ କରୁଛି। କୋଚ୍, କ୍ୟୁରେଟର୍, ସରଞ୍ଜାମ, ବଲ୍ ଆଦି ଯୋଗାଇ ଦେଉଛୁ। ମୁଖ୍ୟ ପ୍ରଶିକ୍ଷକ ଭେଙ୍କଟରାମ ପ୍ରତି ଜିଲ୍ଲା ବୁଲୁଛନ୍ତି। ପିଚ୍ ପରିଚାଳନା ଉପରେ ବି ଗୁରୁତ୍ବ ଦେଉଛୁ।
ଖେଳାଳି ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି କିଛି ପଦକ୍ଷେପ ନେଇଛନ୍ତି କି?
ପୂର୍ବରୁ ଓଡ଼ିଶା କ୍ରିକେଟ୍ ସବୁବେଳେ ଦଳ ଚୟନକୁ ନେଇ ବଦନାମ ହେଉଥିଲା। ଆଗରୁ ଏଥିଲାଗି କୌଣସି ଅନ୍ଲାଇନ୍ ବ୍ୟବସ୍ଥା ନଥିଲା। ଆମେ ଏକ ଆପ୍ ଲଞ୍ଚ୍ କଲୁ। ପ୍ରତିଟି ପ୍ରତିଯୋଗିତାର ସ୍କୋରିଂକୁ ଏହି ଆପ୍ ଜରିଆରେ ଅନ୍ଲାଇନ୍ ପ୍ଲାଟ୍ଫର୍ମକୁ ଆଣିଲୁ। ଆଜି ଖେଳାଳି, ସେମାନଙ୍କ ଅଭିଭାବକ, ପ୍ରଶିକ୍ଷକ, ପ୍ରଶାସକ, ପ୍ରଶଂସକ ସମସ୍ତଙ୍କ ପାଖରେ ସେ ଆପ୍ ଉପଲବ୍ଧ। ଆମ ପିଲା କିଭଳି ଖେଳୁଛନ୍ତି ସମସ୍ତଙ୍କୁ ଜଣାପଡ଼ିଯାଉଛି। ଏବେ କିଛି ଲୁଚାଇବାର ନାହିଁ, ପ୍ରଦର୍ଶନେର ସ୍ବଚ୍ଛତା ଆଣିପାରିଛୁ। ରାଜ୍ୟ ଶିବିର କି ରାଜ୍ୟ ଦଳରେ ଚୟନ ପାଇଁ ହକ୍ଦାର୍ ଥିବା ଖେଳାଳିଙ୍କ ପାଇଁ ବାଟ ଫିଟିଯାଉଛି। ମାଲକାନଗିରିରେ ଖେଳୁଥିଲେ ବି ରାଜ୍ୟ ଦଳ, ଅନ୍ତଃକ୍ଲବ୍, ଅନ୍ତଃଜିଲ୍ଲା ଦଳରେ ସ୍ଥାନ ପାଇବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ଏହା ଆମ ପାଇଁ ଏକ ବଡ଼ ସଫଳତା।
ଏସବୁ ସୁବିଧା ସୁଯୋଗ ପରେ ଏହା କେବେ ପ୍ରଦର୍ଶନରେ ରୂପାନ୍ତରିତ ହେବ?
ଏବେ ସିନିୟର୍, ଜୁନିୟର୍, ସ୍କୁଲ୍ସ୍ତରରେ ଆମର କେଉଁମାନେ ଭଲ ଖେଳାଳି, ତାହା ଆମେ ଜାଣିପାରିଛୁ। ସେମାନଙ୍କୁ ଗଢ଼ି ତୋଳିବା, ଦିଗ୍ଦର୍ଶନ ଦେବା, ଏକ୍ସପୋଜ୍ର୍ ଦେବା ଆମ କାର୍ଯ୍ୟ। ବର୍ତ୍ତମାନ ଶେଷ ହୋଇଥିବା ଅନ୍ତଃଜିଲ୍ଲା ସ୍କୁଲ୍ ପ୍ରତିଯୋଗିତାରୁ ୫୦ ଜଣ ଖେଳାଳିଙ୍କୁ ନେଇ ଏକ ଆବାସିକ କ୍ରିକେଟ୍ ଏକାଡେମି କରିବାକୁ ଯୋଜନା କରିଛୁ। ଏହାର ନାମ ରଖିଛୁ ‘ଫିଡର୍ ସେଣ୍ଟର୍’। ୧୪ ବର୍ଷରୁ କମ୍ ବୟସର ଖେଳାଳିଙ୍କୁ ନେଇ ଏହା ପରିଚାଳିତ ହେବ। ଖେଳାଳି ଯୋଗାଣର ଏହା ବଡ଼ କେନ୍ଦ୍ର ହେବ ବୋଲି ବିଶ୍ବାସ ରଖିଛି। ଏଠାରେ ୩/୪ ବର୍ଷ ରହିବା ପରେ ସେହିଠାରୁ ହିଁ ରାଜ୍ୟ ୧୬, ୧୯, ୨୫ ବର୍ଷରୁ କମ୍ ଦଳ ସହ ରଣଜୀ ଟ୍ରଫି ପାଇଁ ଖେଳାଳି ବାହାରିବେ। ଏହି ଏକାଡେମି କାର୍ଯ୍ୟ ୨/୩ ମାସ ଭିତରେ ଶେଷ ହୋଇଯିବ। ସଚିନ ତେନ୍ଦୁଲକର ହଲ୍ରେ ଖେଳାଳିଙ୍କ ରିହାବ୍ ପାଇଁ ବି ବ୍ୟବସ୍ଥା ହେଉଛି।
ଖେଳାଳିଙ୍କ ପ୍ରଦର୍ଶନ ବିକାଶ ଲାଗି ଓସିଏ ନିର୍ଦ୍ଦିଷ୍ଟ ଭାବେ କିଛି ପଦକ୍ଷେପ ନେଇଛି କି?
ଖେଳାଳିଙ୍କ ଭିତରେ ଘନିଷ୍ଠତା ବଢ଼ିଲେ ଓଡ଼ିଶାକୁ ଦଳଗତ ଭାବେ ଅଧିକ ସଫଳତା ମିଳିପାରିବ। ଏଥିପାଇଁ ମୋଟିଭେଟର୍ ବି ନିଯୁକ୍ତ ହେବେ। ଆମେ ଓଡ଼ିଶା ପାଇଁ ଖେଳି ସଫଳତା ପାଇଲେ ଭାରତ ପାଇଁ ଖେଳିବା, ତା’ପରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ଙ୍କୁ ଆକୃଷ୍ଟ କରିପାରିବା। ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। କିଛି ଖେଳାଳିଙ୍କ ଲକ୍ଷ୍ୟ ରଣଜୀ ଟ୍ରଫି ଖେଳିବା, ଅର୍ଥ ରୋଜଗାର କରିବାରେ ସୀମିତ ହୋଇଯାଇଛି। ଚାକିରିଟିଏ ମିଳିଗଲେ ସେମାନେ ଖୁସି ହୋଇଯାଉଛନ୍ତି। ଏହାପରେ ବି ଏକ ଦୁନିଆ ଅଛି। ଅନ୍ୟ ରାଜ୍ୟର ଖେଳାଳିଙ୍କ ଭଳି ଆମେ ଏହାକୁ ଅର୍ଜନ କରିପାରିବୁ ଏବଂ ଖେଳାଳିଙ୍କୁ ଏହି ସ୍ବପ୍ନ ଦେଖିବାର ଅଛି। ମୁଁ ଆଶା ରଖିଛି ଆଗାମୀ ୨/୩ ବର୍ଷ ଭିତରେ ଆମେ ସେ ଲକ୍ଷ୍ୟରେ ପହଞ୍ଚିପାରିବୁ।
ଆମ ମହିଳା ଦଳ ଆଗରୁ ଭଲ କରୁଥିଲା। ଏବେ କ’ଣ ହୋଇଛି?
ଠିକ୍ କହିଛନ୍ତି, ଆଗରୁ ୨/୩ ଜିଲ୍ଲାରେ ରାଜ୍ୟର ମହିଳା କ୍ରିକେଟ୍ ସୀମିତ ରହିଥିଲା। ଏବେ ସେଠାରେ ଖେଳାଳିଙ୍କ ସଂଖ୍ୟା କମିଯାଇଛି। ଏହା ଅନୁଭବ କରିବା ପରେ ଆମେ ଏହାକୁ ଜୋନ୍ସ୍ତରୀୟ କରିଛୁ ଓ ପ୍ରତିଭା ଅନ୍ବେଷଣ କରିଛୁ। ସ୍କୁଲ୍ ଓ କଲେଜ୍ସ୍ତରର ଖେଳାଳିଙ୍କୁ ଡାକି ଅନ୍ଲାଇନ୍ ଫର୍ମାଟ୍ରେ ସାମିଲ କରି ସମ୍ପୃକ୍ତ ଜିଲ୍ଲାରେ ପୁଅପିଲାଙ୍କ ସହ ମିଶି ଖେଳିବାକୁ ଉତ୍ସାହିତ କରୁଛୁ। କାରଣ ଆମର ପ୍ରତି ଜିଲ୍ଲାରେ ପ୍ରଶିକ୍ଷକ ରହିଛନ୍ତି। ଆଗରୁ ଆମ ମହିଳା ଦଳ ଭଲ ଥିବାବେଳେ ଅନ୍ୟ ରାଜ୍ୟର ଭଲ ନଥିଲା। ଏବେ ପରିସ୍ଥିତି ଓଲଟିଯାଇଛି। ପଛୁଆ ପଡ଼ିଯାଇଥିବାରୁ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଛୁ। ମହାରାଷ୍ଟ୍ର, ବମ୍ବେ, ବରୋଦା, କର୍ଣ୍ଣାଟକ ଦଳଗୁଡ଼ିକ ଭଲ ପ୍ରଦର୍ଶନ କରିବାର କାରଣ ହେଉଛି ସେଠାରେ ଶହ ଶହ ସଂଖ୍ୟାରେ ଘରୋଇ ଅନୁଷ୍ଠାନରେ ପିଲାମାନେ ପେସାଦାର ଭାବେ ଖେଳ ଶିଖୁଛନ୍ତି। ସେଠାକାର ରାଜ୍ୟ କ୍ରିକେଟ୍ ସଂଘ ଅତିରିକ୍ତ କିଛି କରୁନାହିଁ, କିନ୍ତୁ ପ୍ରତିଭାବାନ୍ ଖେଳାଳିଙ୍କୁ ପାଇଯାଉଛି। ଏ ଦିଗଟି ଆମ ପାଇଁ ମାଇନସ୍ ପଏଣ୍ଟ୍। ତଥାପି କିଛି ଶିକ୍ଷାନୁଷ୍ଠାନ ଏଭଳି ବ୍ୟବସ୍ଥା କରୁଥିବାରୁ ଖୁସି ଲାଗୁଛି।
ଓଡ଼ିଶାରେ ଭଲ ପ୍ରଶିକ୍ଷକ ଥାଇ ଆପଣ ରାଜ୍ୟ ବାହାରୁ ପ୍ରଶିକ୍ଷକ ଆଣୁଛନ୍ତି?
ଏବେ ବସନ୍ତ ମହାନ୍ତି ଓ ପ୍ରଭଞ୍ଜନ ମଲ୍ଲିକ କନିଷ୍ଠ ଦଳର ପ୍ରଶିକ୍ଷକ ଅଛନ୍ତି। ବରିଷ୍ଠ ଦଳ ପାଇଁ ମୁଁ ବ୍ୟକ୍ତିଗତ ଭାବେ ଦେବାଶିଷ ମହାନ୍ତିଙ୍କୁ ପ୍ରସ୍ତାବ ଦେଇଥିଲି, ସେ ମନା କରିଥିଲେ। ରଶ୍ମି ପରିଡ଼ାଙ୍କ ସହ କଥା ବି ହୋଇଥିଲି। ଓଡ଼ିଶା ଖେଳାଳିଙ୍କଠାରୁ ପରାମର୍ଶ ନେବାକୁ ମୁଁ କେବେ କୁଣ୍ଠିତ ହୋଇନାହିଁ। ସେମାନେ ମନାକଲା ପରେ ମୁଁ ଅନ୍ୟ ବିକଳ୍ପ ଦେଖେ।
ବାରବାଟୀ ଷ୍ଟାଡିୟମ୍ର ନବୀକରଣ ଏବେ କେଉଁ ସ୍ଥିତିରେ ରହିଛି?
ପୂର୍ବ ସରକାରଙ୍କ ସହ ଆଲୋଚନା କରିବା ପରେ ବାରବାଟୀ ଷ୍ଟାଡିୟମ୍ର ଲିଜ୍ ୧୯୮୯ରୁ ୪୦ ବର୍ଷ ପାଇଁ ବଢ଼ାଯାଇଥିଲା। ଏହା ୨୦୨୯ରେ ଶେଷ ହେଉଛି। ବର୍ତ୍ତମାନର ସରକାରଙ୍କୁ ଆଉ ୪୦ ବର୍ଷର ଲିଜ୍ ପ୍ରଦାନ କରିବାକୁ ଅନୁରୋଧ କରିବୁ। କାରଣ ଅନ୍ୟୂନ ୩୦ ବର୍ଷର ଲିଜ୍ କି ସତ୍ତ୍ବାଧିକାର ନଥିଲେ ବିସିସିଆଇର ସବ୍ସିଡି ମିଳିବନାହିଁ, କି ନବୀକରଣ କାମ ସମ୍ଭବ ହେବନାହିଁ। ମୁଁ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ଅନୁରୋଧ କରିଛି। ଏହାଛଡ଼ା ସବୁ ରାଜ୍ୟ ଭଳି ଓଡ଼ିଶାରେ ଦ୍ବିତୀୟ କ୍ରିକେଟ୍ ଷ୍ଟାଡିୟମ୍ ନାହିଁ। ମୋର ଇଚ୍ଛା ପୁରୀରେ ଦ୍ବିତୀୟ ଷ୍ଟାଡିୟମ୍ ନିର୍ମାଣ ହେଉ। ଏହା ଆଲୋଚନା ସ୍ତରରେ ଅଛି, ଏଜିଏମ୍ ଅନୁମୋଦନ ପରେ ଅଗ୍ରଗତି କରିବୁ। ସବୁ କିଛି ଠିକ୍ ଚାଲିଲେ ପୁରୀରେ ଦ୍ବିତୀୟ ଷ୍ଟାଡିୟମ୍ କରାଯିବା ସହ ବାରବାଟୀର ବି ନବୀକରଣ କରାଯିବ।