ଏବେ ମହିଳାମାନଙ୍କ ଭାଗୀଦାରି ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ମହିଳାମାନେ ଚାଲୁଛନ୍ତି। ଘରକାମ ବ୍ୟତୀତ ମହିଳାମାନେ ଚାକିରି, ଉଡ଼ାଜାହଜ ଉଡ଼ାଣରେ ପୁରୁଷମାନଙ୍କୁ ପଛରେ ପକାଇବା ପୁରୁଣା ହୋଇଗଲାଣି। ଏବେ ବ୍ୟବସାୟ ତଥା କର୍ପୋରେଟ୍ କ୍ଷେତ୍ରେର ମହିଳାମାନଙ୍କ ଆଖିଦୃଶିଆ ଉପସ୍ଥାନ ଦେଖିବାକୁ ମିଳିଲାଣି। କେବଳ ସାଧାରଣ କର୍ମଚାରୀ ନୁହନ୍ତି ବରଂ ସବୁ ବର୍ଗର ମହିଳାଙ୍କ ସଂଖ୍ୟା ବଢୁଛି। ‘ହର୍କି’ ନାମକ ସଂସ୍ଥା ପକ୍ଷରୁ ହୋଇଥିବା ଏକ ଗବେଷଣା ଅନୁସାରେ, ୨୦୨୧ ପରଠାରୁ ଏହି ସଂଖ୍ୟାରେ ଉନ୍ନତି ଘଟିଛି। କର୍ପୋରେଟ୍ ଜଗତ ଶ୍ରମ ଶକ୍ତିରେ ମହିଳାମାନଙ୍କ ଅଂଶ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨-୨୩ ମଧ୍ୟରେ ପ୍ରାୟ ୩୦୦ କମ୍ପାନିରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାହୋଇଛି ବୋଲି ହର୍କି ପକ୍ଷରୁ କୁହାଯାଇଛି। ୨୦୨୧ ତୁଳନାରେ ଏଥିରେ ୧୭ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବରିଷ୍ଠ ତଥା ନେତୃତ୍ବ ବର୍ଗର ମହିଳାମାନଙ୍କର ୩୭ ପ୍ରତିଶତର ସବୁଠୁ ବଡ଼ ଭାଗ ରହିଛି।
ଅନେକ କମ୍ପାନିଙ୍କ ମତରେ, ସେମାନେ ଲିଙ୍ଗଗତ ବିବିଧତା ପାଇଁ ସ୍ବତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରି ନିଯୁକ୍ତି ଦେଉଛନ୍ତି। ସେହି ଆଧାରରେ ମହିଳା କର୍ମଚାରୀଙ୍କ ନିଯୁକ୍ତିରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଏହାସହିତ ମହିଳାମାନଙ୍କ ଅବସର ସମୟରେ ରୋଜଗାର ପାଇଁ ୫୭ ପ୍ରତିଶତ ବଡ଼ କମ୍ପାନି ଏବଂ ୪୩ ପ୍ରତିଶତ ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୫୧ ପ୍ରତିଶତ ସଂସ୍ଥା ମହିଳାମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ନିଯୁକ୍ତି ପ୍ଲାଟ୍ଫର୍ମ ସହିତ ଯୋଡ଼ି ହୋଇଛନ୍ତି। ତେବେ କଥା ହେଉଛି, କୋଭିଡ୍ ସମୟରେ ଘରୁ କାମ କରିବାର ଅଭ୍ୟାସ ଏବେ ପ୍ରାୟ କୌଣସି ମହିଳାଙ୍କ ପସନ୍ଦଯୋଗ୍ୟ ହୋଇରହିନାହିଁ। ୨୦୧୯ରେ ୱର୍କ ଫ୍ରମ୍ ହୋମ୍ ହାର ୫୯ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ସବୁଠାରୁ ନଗଣ୍ୟ ସ୍ତରରେ ରହିଛି। ତେବେ କର୍ପୋରେଟ୍ ଜଗତରେ ମହିଳାମାନଙ୍କ ଭାଗୀଦାରି ବଢ଼ିବା ନିଶ୍ଚିତ ପକ୍ଷେ ଅର୍ଥନୀତି ପାଇଁ ଶୁଭଙ୍କର।
କର୍ପୋରେଟ୍ରେ ମହିଳାଙ୍କ ଦଖଲ
/sambad/media/post_attachments/wp-content/uploads/2024/04/gdggdaadgadgadg.jpg)