ଅକ୍ଷମକୁ କର୍ମକ୍ଷମ କରେ ଅକୁପେସନାଲ ଥେରାପି

ଅନୁରୂପା ସେନାପତି

ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ଅକ୍ଷୁଣ୍ଣ ରଖିବା ସହିତ ବିଭିନ୍ନ ରୋଗ ଓ ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ଜୀବନକୁ ସରଳ କରେ ‘ଅକୁପେସନାଲ୍‌ ଥେରାପି’। ବ୍ୟକ୍ତି ଜୀବନର ଅକ୍ଷମତା ଦୂର କରି ବିଭିନ୍ନ ଦୃଷ୍ଟିରୁ ସ୍ବାବଲମ୍ବୀ କରାଇବା ହେଉଛି ଏହି ଥେରାପିର ମୂଳଲକ୍ଷ୍ୟ। ଯେଉଁ ରୋଗଗ୍ରସ୍ତ ବା ଆଘାତପ୍ରାପ୍ତ ବ୍ୟକ୍ତିର କ୍ଷମତା ଫେରିବାର ଆଶା ନ ଥାଏ ବା କ୍ଷୀଣ ଆଶା ଥାଏ ଏହା ତା’ର ଅବଶିଷ୍ଟ କ୍ଷମତାକୁ ଉପଯୋଗ କରି ତା’ର କାର୍ଯ୍ୟଦକ୍ଷତା ବଢ଼ାଇଥାଏ।

ଚିକିତ୍ସା ବିଜ୍ଞାନ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ- ଔଷଧ ଚିକିତ୍ସା ଓ ଶଲ୍ୟ ଚିକିତ୍ସା। ସେହିଭଳି ପୁନର୍ବାସ ବିଜ୍ଞାନ ମଧ୍ୟ ଦୁଇ ଭାଗରେ ବିଭକ୍ତ- ଅକୁପେସନାଲ ଥେରାପି ବା ବୃତ୍ତିଗତ ଚିକିତ୍ସା ଏବଂ ଫିଜିଓଥେରାପି ବା ଭୌତିକ ଚିକିତ୍ସା। ଫିଜିଓଥେରାପି ମୁଖ୍ୟତଃ ରୋଗୀର ମାଂସପେଶୀକୁ ପୁନଃ କାର୍ଯ୍ୟକ୍ଷମ କରାଉଥିବା ବେଳେ ଅକୁପେସନାଲ ଥେରାପି ରୋଗୀର ଅବଶିଷ୍ଟ କ୍ଷମତାକୁ ଉପଯୋଗ କରି ତା’ର କାର୍ଯ୍ୟଦକ୍ଷତା ବଢ଼ାଇବା ସହ ଆତ୍ମବିଶ୍ବାସ ଫେରାଇ ଆଣିବାରେ ସାହାଯ୍ୟ କରିଥାଏ। ଅନ୍ୟଭାଷାରେ କହିଲେ ଫିଜିଓଥେରାପି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଥବା ଶରୀରରେ ହେଉଥିବା ବିଭିନ୍ନ ମାଂସପେଶୀ ଏବଂ ଅସ୍ଥି ସଂଯୋଗ ସ୍ଥାନର ଯନ୍ତ୍ରଣାକୁ ଉପଶମ କରିବା ସହିତ ତାକୁ କାର୍ଯ୍ୟକ୍ଷମ କରାଇବାରେ ସାହାଯ୍ୟ କରୁଥିବାବେଳେ ଅକୁପେସନାଲ୍‌ ଥେରାପି ସେହି କାର୍ଯ୍ୟକ୍ଷମ ମାଂସପେଶୀ ଏବଂ ଅସ୍ଥି ସଂଯୋଗକୁ କିଭଳି ଦୈନନ୍ଦିନ ଜୀବନର ବିଭିନ୍ନ କାର୍ଯ୍ୟରେ ଉପଯୋଗ କରାଯିବ ତାହା ଉପରେ ଗୁରୁତ୍ବ ଦେଇଥାଏ। ଅକୁପେସନାଲ୍‌ ଥେରାପି ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କ ଅବସାଦକୁ କିଛି ପରିମାଣରେ ପ୍ରଶମିତ କରିବା ସହିତ ଭିନ୍ନକ୍ଷମ ଶିଶୁମାନଙ୍କ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ।

ଅକୁପେସନାଲ ଥେରାପି ବ୍ୟକ୍ତିର ଶାରୀରିକ ତଥା ମାନସିକ ସ୍ଥିତି ଉପରେ ନିର୍ଭର କରିଥାଏ। ଏହି ଚିକିତ୍ସା ପଦ୍ଧତିରେ ଗୋଟିଏ ଜଟିଳ କାର୍ଯ୍ୟକୁ ବିଭିନ୍ନ ସୋପାନରେ ବିଭକ୍ତ କରାଯାଇଥାଏ ଏବଂ କାର୍ଯ୍ୟଟିକୁ ପର୍ଯ୍ୟାୟକ୍ରମେ କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥାଏ। ଫଳରେ ବ୍ୟକ୍ତି ତାହା ଅନାୟାସରେ କରିପାରେ ଓ ତା’ର ଆତ୍ମବିଶ୍ବାସ ବଢ଼ିଥାଏ। ଅନ୍ୟପକ୍ଷରେ କାର୍ଯ୍ୟକୁ ଜଟିଳତର କରାଯାଇ ବ୍ୟକ୍ତିର ଦକ୍ଷତା ବୃଦ୍ଧି କରାଯାଇଥାଏ। ଦୁର୍ବଳ ମାଂସପେଶୀକୁ ସବଳ କରିବା ପାଇଁ ପ୍ରତିରୋଧାତ୍ମକ ପ୍ରଶିକ୍ଷଣ ଏବଂ ସନ୍ତୁଳନ ଶିକ୍ଷା ଆଦି ଦିଆଯାଇଥାଏ।

ମାନସିକ ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ବିଭିନ୍ନ କୌଶଳ ଯଥା ସଂଜ୍ଞାନାତ୍ମକ ପ୍ରଶିକ୍ଷଣ ପରାମର୍ଶ, ସାମାଜିକ କୌଶଳ, ବ୍ୟାବହାରିକ ଚିକିତ୍ସା ଆଦିର ଉପଯୋଗ କରାଯାଇ ବ୍ୟକ୍ତିକୁ ସମାଜର ମୁଖ୍ୟଧାରାରେ ସାମିଲ କରାଯାଇଥାଏ। ଛୋଟ ପିଲାଙ୍କ ପାଇଁ ଖେଳ ମାଧ୍ୟମରେ ଚିକିତ୍ସା, ସେନ୍‌ସରି ଇଣ୍ଟିଗ୍ରେସନ୍‌, ବିକାଶ ସମ୍ବନ୍ଧୀୟ ଚିକିତ୍ସା ଆଦି ଉପଯୋଗ କରାଯାଇ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସମର୍ଥ କରାଯାଇଥାଏ। ଏହି କାରଣରୁ ଅକୁପ୍ରେସନାଲ ଥେରାପିଷ୍ଟମାନଙ୍କୁ ‘ଜୀବନଶୈଳୀ ପ୍ରବର୍ତ୍ତକ’ ଭାବେ ବିବେଚନା କରାଯାଇଥାଏ।

ଆସିଷ୍ଟାଣ୍ଟ ପ୍ରଫେସର ଓ ମୁଖ୍ୟ,
ଡିପାର୍ଟମେଣ୍ଟ ଅଫ୍‌ ଓଟି, ଏସ୍‌ଭିନିରତାର

ସମ୍ବନ୍ଧିତ ଖବର