ସାମୁଦ୍ରିକ ତାପମାତ୍ରା ବୃଦ୍ଧି ଯୋଗୁଁ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ଅଧିକାଂଶ ଅଣ୍ଡାଦାନକାରୀ ସାର୍କ ପ୍ରଜାତିର ଜଳଜୀବଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ଏହାଦ୍ବାରା ୧୦୦ରୁ ଅଧିକ ପ୍ରଜାତିର ସାର୍କ ପ୍ରଭାବିତ ହେବେ। ଭୂମଧ୍ୟସାଗର ଓ ଉତ୍ତର-ପୂର୍ବ ଆଟ୍ଲାଣ୍ଟିକ୍ରେ ଦେଖାଯାଉଥିବା ଛୋଟଛୋଟ ଦାଗଯୁକ୍ତ କ୍ୟାଟ୍ସାର୍କ (ସିଲିଓରାଇନସ୍ କାନିକୁଲା) ପ୍ରଜାତିର ଗତିବିଧିକୁ ଅନୁଧ୍ୟାନ କରି ଫ୍ରାନ୍ସର ପ୍ରାକୃତିକ ଇତିହାସ ଜାତୀୟ ସଂଗ୍ରହାଳୟର ଗବେଷକମାନେ ଏପରି ପୂର୍ବାନୁମାନ କରିଛନ୍ତି।
ଏହି ପ୍ରଜାତି ଶକ୍ତ ଚମଡ଼ା ଖୋଳଯୁକ୍ତ ଅଣ୍ଡା ଦେଉଥିବା ୪୦ ପ୍ରତିଶତ ସାର୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କର ଭ୍ରୂଣଗୁଡ଼ିକ ତାପମାତ୍ରା ଓ ଅମ୍ଳତା ପରି ସାମୁଦ୍ରିକ ପରିବେଶର ପରିବର୍ତ୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ସମୁଦ୍ର ଜଳ ବାୟୁମଣ୍ଡଳରୁ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ଶୋଷିନେଲେ ତାହା ଅଧିକ ଉଷ୍ମ ଓ ଅମ୍ଳୀୟ ହୋଇଥାଏ। ଗବେଷକମାନେ ଶିଳ୍ପାୟନ ପରବର୍ତ୍ତୀ ଚଳିତ ଶତାବ୍ଦୀର ଶେଷ ଯାଏ ସାମୁଦ୍ରିକ ତାପମାତ୍ରାକୁ ଆକଳନ କରି ତାହାକୁ ତିନି ଭାଗରେ ବିଭକ୍ତ କରିଥିଲେ। ଏଥି ସହ ଅନୁରୂପ ସାମୁଦ୍ରିକ ପରିବେଶରେ ଏହି ସାର୍କମାନଙ୍କର ଅଣ୍ଡାକୁ ଉଷୁମାଯାଇଥିଲା। ବିଭିନ୍ନ ସାମୁଦ୍ରିକ ପରିବେଶରେ ଚାରି ମାସ ଯାଏ ଅଣ୍ଡାରୁ ଛୁଆ ଫୁଟିବା ଯାଏ ଘଟଣାକୁ ନିରୀକ୍ଷଣ କରି ଗବେଷକମାନେ ନାଟକୀୟ ପରିବର୍ତ୍ତନ ଦେଖିବାକୁ ପାଇଥିଲେ। ପ୍ରାରମ୍ଭିକ ଓ ମଧ୍ୟମ ପରିବେଶରେ ପ୍ରାୟ ୮୨ ପ୍ରତିଶତ ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଚରମ ଉଷ୍ମ ପରିବେଶରେ ମାତ୍ର ୧୦ ପ୍ରତିଶତ ଭ୍ରୂଣ ବଞ୍ଚିଥିବା ଦେଖାଯାଇଥିଲା। ତେଣୁ ଚଳିତ ଶତାବ୍ଦୀର ଶେଷ ବେଳକୁ ଏହି ଶ୍ରେଣୀର ସାର୍କମାନଙ୍କ ସଂଖ୍ୟା ଉଦ୍ବେଗଜନକ ଭାବରେ କମିଯାଇଥିବ ବୋଲି ଅନୁମାନ କରାଯାଉଛି। ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରି ସେଲ୍ସିଅସ୍ ଭିତରେ ସୀମିତ ରଖିଲେ ଏହି ପ୍ରଜାତିର ସାର୍କଗୁଡ଼ିକୁ ରକ୍ଷା କରାଯାଇପାରିବ ବୋଲି ଗବେଷକମାନେ ଆଶା ପୋଷଣ କରିଛନ୍ତି।