ମହାକାଶରୁ ଠାବ ହେବ ମହାସାଗର ବର୍ଜ୍ୟ

ସମୁଦ୍ରରେ ଭାସୁଥିବା ପାହାଡ଼ ସଦୃଶ ପ୍ଲାଷ୍ଟିକ୍ ବର୍ଜ୍ୟ ସବୁକୁ ମହାକାଶରୁ ନିରୀକ୍ଷଣ କରିହେବ। ସୁପର୍‌କମ୍ପ୍ୟୁଟର୍‌ର ସାହାଯ୍ୟ ନେଇ ଉପଗ୍ରହ ମାଧ୍ୟମରେ ଅନୁଧ୍ୟାନ ଦ୍ବାରା ଏହା ସମ୍ଭବ ବୋଲି ସ୍ପେନର କାଡିଜ୍ ବିଶ୍ବବିଦ୍ୟାଳୟ ଓ ଅନ୍ୟାନ୍ୟ ଗବେଷଣା ସଂସ୍ଥାର ଅନୁସନ୍ଧାନକାରୀମାନେ ଆଶା ପୋଷଣ କରିଛନ୍ତି। ପୃଥିବୀର ମହାସାଗରଗୁଡ଼ିକୁ ପ୍ରଦୂଷିତ କରି ଚାଲିଥିବା ପ୍ଳାଷ୍ଟିକ ପଦାର୍ଥଗୁଡ଼ିକର ସିଂହଭାଗ ସମୁଦ୍ର ଉପରିଭାଗରେ ଭାସିବା ଅପେକ୍ଷା ପାଣି ଭିତରେ ଠୁଳ ହେଉଛନ୍ତି। ନାନା ସମସ୍ୟା ସୃଷ୍ଟି କରୁଥିବା ଏହି ବର୍ଜ୍ୟ ପଦାର୍ଥଗୁଡ଼ିକର ସଠିକ୍‌ ପରିଚାଳନା ପାଇଁ ଆକାଶ ମାର୍ଗରୁ ଉପଗ୍ରହରୁ ତାହାକୁ ନିରୀକ୍ଷଣ କରିବା ହିଁ ଗବେଷକମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଆସିଛି। ତେବେ ଏକ ନୂତନ ସୁପର୍‌କମ୍ପ୍ୟୁଟର୍‌ ପ୍ରଣାଳୀ ଦ୍ବାରା ସେହି କାର୍ଯ୍ୟ ଏଣିକି ଅନାୟାସରେ ହୋଇପାରିବ ବୋଲି ଜଣାଯାଇଛି। ଏହାଦ୍ବାରା ସମୁଦ୍ର ପ୍ରଦୂଷଣ ପରି ବୈଶ୍ବିକ ସମସ୍ୟାର ଆଶାନୁରୂପ ସମାଧାନ ହୋଇପାରିବ। ୟୁରୋପୀୟ ମହାକାଶ ସଂସ୍ଥା ଦ୍ବାରା ପ୍ରେରିତ ‘କୋପର୍‌ନିକସ୍‌ ସେଣ୍ଟିନେଲ୍‌-୨’ ଉପଗ୍ରହ ବିଗତ ୬ ବର୍ଷରେ ଉଠାଇଥିବା ଭୂମଧ୍ୟସାଗରର ୩,୦୦,୦୦୦ଟି ଫଟୋକୁ ବିଶ୍ଳେଷଣ କରି ଏଭଳି ଆଶା ଉଜ୍ଜୀବିତ ହୋଇଛି। ସମୁଦ୍ର ଉପରେ ଭାସି ବୁଲୁଥିବା ‘ଵିଣ୍ଡ୍ରୋ’ ବା କ୍ଷଣସ୍ଥାୟୀ ବର୍ଜ୍ୟ ଟୁକୁଡ଼ାଗୁଡ଼ିକ ପାଣି ଭିତରେ ଛପିଯିବା ଆଗରୁ ମାଇଲ ମାଇଲ ଧରି ଭାସି ବୁଲୁଥା’ନ୍ତି।

ଅନୁସନ୍ଧାନକାରୀମାନେ ୨୦୧୫ ଜୁଲାଇ ଓ ୨୦୨୧ ସେପ୍‌ଟେମ୍ବର ମଧ୍ୟରେ ଏପରି ୧୪,୩୭୪ଟି ‘ଵିଣ୍ଡ୍ରୋ’ ଉପରେ ନିଘା ରଖି ଏହି ନିର୍ଯାସରେ ପହଞ୍ଚି ପାରିଛନ୍ତି। ପ୍ରାୟ ୯୪.୫ ବର୍ଗ କି.ମି. ପରିମିତ ସମୁଦ୍ର ଜଳରାଶିକୁ ପ୍ରଦୂଷିତ କରିଥିବା ‘ଵିଣ୍ଡ୍ରୋ’ ଭିତରୁ ଅଧିକାଂଶ ଯୋଡ଼ି ହୋଇ ୧ କି.ମି. ଯାଏ ଲମ୍ବିଥିବା ବେଳେ ୨୭ଟି ୧୦ରୁ ୨୩ କି.ମି. ଲମ୍ବର ହୋଇଥିଲେ। ବିଭିନ୍ନ ଜଳସ୍ରୋତରେ ଭାସି ଆସି ସମୁଦ୍ରରେ ମିଶୁଥିବା ଏହି ବର୍ଜ୍ୟବସ୍ତୁଗୁଡ଼ିକ ସାଧାରଣତଃ ସମୁଦ୍ର କୂଳଠାରୁ ୧୫ କି.ମି. ଭିତରେ ହିଁ ରହିଥା’ନ୍ତି। ଗବେଷକମାନଙ୍କ ଏହି ସୁପର୍‌କମ୍ପ୍ୟୁଟର୍‌ ପ୍ରସୂତ ନୂତନ ପଦ୍ଧତି ବିଭିନ୍ନ ପ୍ରଦୂଷିତ ଇଲାକା ଠାବ କରି ସମୁଦ୍ର ପରିମଳ ପ୍ରକଳ୍ପଗୁଡ଼ିକ ଲାଗି ସହାୟକ ହେବା ସହ ଜାହାଜର ତୈଳ କ୍ଷରଣ ଚିହ୍ନଟ କରିବା ସମେତ ଅନ୍ବେଷଣ ଓ ଉଦ୍ଧାର ସ୍ଥିତିକୁ ସୁହାଇବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର