ଦୀର୍ଘ ଗୌରବ ଓ ଐଶ୍ବର୍ଯ୍ୟମୟ ଇତିହାସ ଥିବା ଓଡ଼ିଶାର ଭୌଗଳିକ ସୀମା ଏକଦା ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ଅମରକଣ୍ଟକ ଓ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ମାତ୍ର ଓଡିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ପରାଜୟ ଓ ନିଧନ ପରେ ସ୍ଥିତି ଏମିତି ବଦଳିଗଲା, ଯାହା କେହି ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲା। ଓଡ଼ିଶା ଉପରେ ପର ପର ହୋଇ ଆଫ୍ଗାନ୍, ମୋଗଲ ଓ ମରହଟ୍ଟାମାନେ ଶାସନ କଲେ। ସେମାନେ କେବଳ ଓଡ଼ିଆଙ୍କ ସୁଦୃଢ଼ ରାଜନୈତିକ, ସାମାଜିକ, ଅର୍ଥନୈତିକ ଭିତ୍ତିଭୂଇଁକୁ ଧ୍ବଂସ କରି ଦେଲେନି, ମାନସିକତାକୁ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ କରିଥିଲେ। ଓଡ଼ିଶା ଓ ଓଡ଼ିଆ ନିଜର ଅସ୍ତିତ୍ୱ ହରାଇବା ଆରମ୍ଭ କରିଦେଲେ। ତଥାପି କିଛି ଗୌରବ ଓ ସ୍ବାଭିମାନ ବାକିଥିଲା! କିନ୍ତୁ ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ନିଜ ଅଧୀନକୁ ନେଇ ନିଜର ଲମ୍ବା ରାଜନୈତିକ କୁଅଭିସନ୍ଧି ସାକାର କରିବାଲାଗି ବୀର ଓଡିଆ ଜାତିକୁ ବିଭାଜିତ କରିବାର ଯୋଜନା କଲେ। ଓଡିଶାର ଦକ୍ଷିଣାଞ୍ଚଳକୁ ମାନ୍ଦ୍ରାଜ ପ୍ରଦେଶର, ପଶ୍ଚିମାଞ୍ଚଳକୁ ମଧ୍ୟପ୍ରଦେଶ ଓ ଉତ୍ତରାଞ୍ଚଳକୁ ବଙ୍ଗପ୍ରଦେଶରେ ମିଶାଇ ଦିଆଗଲା। ସେ ପ୍ରଦେଶର ଭାଷା ମଧ୍ୟ ସଂପୃକ୍ତ ଓଡ଼ିଆ ଅଞ୍ଚଳଗୁଡ଼ିକରେ ପ୍ରଚଳନ କରାଗଲା। ଓଡ଼ିଆ ଭାଷାର ମୃତ୍ୟୁ ଆଖି ଆଗରେ ଜଳଜଳ ହୋଇ ଦିଶିଲା। ସେହି ସମୟରେ ୧୮୬୬ ମସିହାରେ ଓଡ଼ିଶାରେ ପଡ଼ିଲା ନଅଙ୍କ ଦୁର୍ଭିକ୍ଷ। ଏହି ଦୁର୍ଭିକ୍ଷ ପୂର୍ବରୁ ଦୁର୍ବଳ ହୋଇ ପଡ଼ିଥିବା ଓଡ଼ିଆଙ୍କ ଅଣ୍ଟା ଭାଙ୍ଗିଦେଲା। କିନ୍ତୁ ଗୋଟିଏ ଦୃଷ୍ଟିରୁ ତାହା ଏକ ଆଶୀର୍ବାଦ ସାବ୍ୟସ୍ତ ହେଲା। ବଙ୍ଗପ୍ରଦେଶ ପ୍ରଶାସନର ଉଦାସୀନତା ଓ ଅପାରଗତା ପାଇଁ ଓଡ଼ିଶା ନଅଙ୍କ ଦୁର୍ଭିକ୍ଷର ଶିକାର ହେଲାବୋଲି ବ୍ରିଟିସ ପାର୍ଲିଆମେଣ୍ଟରେ ଏମିତି ଆଲୋଚନା ହେଲା ଯେ ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ୍ ଷ୍ଟାଫୋର୍ଡ ନର୍ଥକୋଟ୍ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାକୁ ପ୍ରସ୍ତାବ ଦେଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନି।
ତେବେ ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଓଡିଶା ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କଲେ। ଶିକ୍ଷାର ପ୍ରସାର ପାଇଁ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଗଲା। ତାହାଦ୍ବାରା ଓଡ଼ିଆ ଭାଷା ମଧ୍ୟ ଲାଭବାନ ହେଲା। ଏହାକୁ କେତେକ ବଙ୍ଗୀୟ ନାପସନ୍ଦ କଲେ। କୋଲକାତାରେ ଉପଲବ୍ଧ ସ୍କୁଲ ଓ କଲେଜର ସୁବିଧା କାରଣରୁ ବଙ୍ଗୀୟମାନେ ଶିକ୍ଷିତ ହେବା ସହିତ ଓଡ଼ିଶାର ଅଧିକାଂଶ ବଡ଼ ସରକାରୀ ପଦରେ ନିଯୁକ୍ତ ହୋଇଥିଲେ। ପ୍ରଶାସନକୁ ପ୍ରଭାବିତ କରିବାର ସୁଯୋଗ ମଧ୍ୟ ଥିଲା ତାଙ୍କ ପାଖରେ। ସେମାନେ ନିଜ ଭାଷାକୁ ଏଠାରେ ମଧ୍ୟ ସ୍ଥାୟୀ ରୂପେ ପ୍ରଚଳନ କରିବାକୁ ଚାହୁଥିଲେ। ଓଡ଼ିଆ ଭାଷା ବଙ୍ଗଳାରୁ ସୃଷ୍ଟି ହୋଇଛି ଓ ଏହା ଏକ ସ୍ବତନ୍ତ୍ର ଭାଷା ଆଦୌ ନୁହେଁ ବୋଲି ସେମାନେ ପ୍ରଚାର କଲେ। ଓଡ଼ିଆ ଭାଷାକୁ ବିଲୋପ କରିବାଲାଗି ଏ ଚକ୍ରାନ୍ତ ଶୀଖରରେ ପହଞ୍ଚିବାବେଳେ ସେହି ଭାଷା ଭିତ୍ତିରେ ଓଡ଼ିଆଙ୍କ ଭିତରେ ଏକ ନୂଆ ରାଜନୈତିକ ଚେତନା ଜନ୍ମ ନେଲା। ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ଓ ଏହାକୁ ଉପଯୁକ୍ତ ଭାବେ ସରକାରଙ୍କ ଆଗରେ ଉପସ୍ଥାପିନ କରିବା ପାଇଁ ଏକାଧିକ ପତ୍ରିକା ଓ ସଂଗଠନ ଜନ୍ମନେଲା। ଅନେକ ଶିକ୍ଷିତ ଓ ପ୍ରଭାବଶାଳୀ ଓଡ଼ିଆ ଏହାର ନେତୃତ୍ବ ନେଲେ।
ମୂଳରୁ ଏକ ଭାଷା ନୁହେଁ ବୋଲି ଉପହସିତ ଓ ନିନ୍ଦିତ ହେଉଥିବା ଓଡ଼ିଆ ଭାଷା ଲମ୍ବା ସଂଘର୍ଷ ଓ ଅନେକ ବଳିଦାନ ପରେ ଓଡ଼ିଶା ରାଜ୍ୟ ଗଠନର ଭିତ୍ତି ପାଲଟିବା ତଥା ସେ ବାବଦରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସ୍ବୀକୃତି ପାଇବା ଏବଂ ତା’ର ପ୍ରାୟ ୮୦ ବର୍ଷ ପରେ ୨୦୧୪ ମସିହାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିବା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଭାଷା କେତେ ଗୁରୁତ୍ବପୂର୍ଣ୍ଣ, ତାହା ବିଶ୍ବ ଆଗରେ ପ୍ରମାଣିତ ହୋଇ ସାରିଛି।
ମଧୁସୂଦନ ଦାସ ଆସିବାପରେ ଏହି ଦାବି ଏକ ନୂଆ ସୋପାନରେ ପହଞ୍ଚିଲା। ସେ ଓଡ଼ିଆଙ୍କ ଭିତରେ ଅଦ୍ଭୁତପୂର୍ବ ଜାଗରଣ ସୃଷ୍ଟି କରିଥିଲେ। ଅନ୍ୟ ଜଣେ ସ୍ମରଣୀୟ ବ୍ୟକ୍ତି ଥିଲେ ପାରଳାଖେମୁଣ୍ଡି ରାଜ ପରିବାରର ପଦ୍ମନାଭ ନାରାୟଣ ଦେବ। ସେ ପାରଳାଖେମୁଣ୍ଡିଠାରେ ‘ଉତ୍କଳ ହିତୈଷିଣୀ ସମାଜ’ ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ। ଗଞ୍ଜାମକୁ ଓଡ଼ିଶା ସହ ମିଶ୍ରଣ କରିବା ଥିଲା ଏହାର ଲକ୍ଷ୍ୟ। ସେହିପରି ୧୯୦୧ରେ ସମ୍ବଲପୁରର ଅଧିବାସୀ ସମ୍ବଲପୁରକୁ ଓଡ଼ିଶାରେ ମିଶାଇବା ପାଇଁ ତତ୍କାଳୀନ ସେଣ୍ଟ୍ରାଲ୍ ପ୍ରୋଭିନ୍ସର ମୁଖ୍ୟ କମିଶନରଙ୍କୁ ଦାବିପତ୍ର ଦେଇଥିଲେ। ପୁଣି ଗଞ୍ଜାମ ଅଧିବାସୀ ମଧ୍ୟ ତତ୍କାଳୀନ ଭାଇସ୍ରାୟ ଲର୍ଡ କର୍ଜନଙ୍କ ନିକଟରେ ସମାନ ନିବେଦନ କରିଥିଲେ। ରମ୍ଭା ରାଜପ୍ରାସାଦରେ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ସମେତ ମଧୁସୂଦନ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ମୟୂରଭଂଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ପରଶୁରାମ ମହାପାତ୍ର, ଗଦାଧର ବିଦ୍ୟାଭୂଷଣ, ସଦାଶିବ ବିଦ୍ୟାଭୂଷଣ, ବଳରାମ ମହାରଣା ପ୍ରମୁଖ ଏକ ସଭାରେ ଯୋଗ ଦେଇ ଓଡିଶାର ଏକତ୍ରୀକରଣ ନିମନ୍ତେ ସଂକଳ୍ପ ନେଇଥିଲେ। ଲର୍ଡ କର୍ଜନ ମଧ୍ୟ ଏହାକୁ ବିଚାରକରି ଓଡିଆ ଭାଷା କହୁଥିବା ଅଧିବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାର ପ୍ରସ୍ତାବ ଦେଇଥିଲେ। ମାତ୍ର ମାଡ୍ରାସ ସରକାର ଗଞ୍ଜାମ ମିଶ୍ରଣକୁ ଘୋର ବିରୋଧ କରିଥିଲେ। ସେଥିପାଇଁ ବଙ୍ଗ ବିଭାଜନ ସମୟରେ ସମ୍ବଲପୁରର କିଛିଅଂଶ ଓଡିଶାରେ ମିଶିଥିଲେ ହେଁ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିର ଶାସନାଧୀନ ହୋଇ ରହିଥିଲା। ମଧୁସୂଦନ ଦାସ ଓ ତାଙ୍କର ସହଯୋଗୀ ଓଡିଶାର ଏକତ୍ରୀକରଣ ଲକ୍ଷ୍ୟ ନେଇ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ ଗଠନ କଲେ। ସମ୍ମିଳନୀ ଜରିଆରେ ଓଡିଆଙ୍କୁ ଜାତୀୟତାରେ ଉଦ୍ବୁଦ୍ଧ କରାଗଲା। ଓଡିଆ କବି, ଲେଖକ ଓ ବୁଦ୍ଧିଜୀବୀ ଓଡ଼ିଆଙ୍କ ଭିତରେ ସ୍ବାଭିମାନ ଓ ଏକତାଭାବ ସୃଷ୍ଟି କରିବାରେ ଲାଗି ପଡ଼ିଲେ। କ୍ରମେ ସ୍ୱତନ୍ତ୍ର ଓଡିଶା ଗଠନର ଆନ୍ଦୋଳନ ଓ ଜନ ଜାଗରଣ ତୀବ୍ର ହେଲା। କିନ୍ତୁ ଇଂରେଜ ସରକାର ଦାବି ଗ୍ରହଣ କରିବା ବଦଳରେ ୧୯୧୨ ମସିହା ଅଗଷ୍ଟ ୧ ତାରିଖରେ ‘ବିହାର ଓ ଓଡିଶା’ ନାମରେ ଏକ ନୂତନ ପ୍ରଦେଶ ଗଠନ କରିବା ସହ ଓଡ଼ିଶାକୁ ବିହାର ପ୍ରଶାସନ ଅଧୀନରେ ରଖିଲେ।
ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୧୪ ମସିହା ଡିସେମ୍ବରରେ ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ଆୟୋଜନ କରିଥିଲେ। ୧୯୧୭ରେ ମଣ୍ଟେଗୁ-ଚେମସ୍ଫୋର୍ଡ କମିଶନ ‘ପ୍ରାଦେଶିକ ସ୍ୱାତନ୍ତ୍ର୍ୟ’ ସପକ୍ଷରେ ପ୍ରସ୍ତାବ ଦେବା ଫଳରେ ଲୋକଙ୍କ ଉତ୍ସାହ ବଢ଼ିଥିଲା। ଉତ୍କଳ ସମ୍ମିଳନୀର ପ୍ରବଳ ଚାପ ଫଳରେ ବିଚ୍ଛିନ୍ନାଞ୍ଚଳରେ ବାସ କରୁଥିବା ଓଡିଆଙ୍କ ମତ ଜାଣିବା ପାଇଁ ୧୯୨୪ରେ ଫିଲିପ୍-ଡଫ୍ କମିଟି ବସାଗଲା। ୧୯୨୮ ମସିହାରେ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳ ସାଇମନ୍ କମିଶନକୁ ବିରୋଧ କରିଥିବା ସ୍ଥଳେ କୃଷ୍ଣଚନ୍ଦ୍ର ଗଜପତି ଏହି କମିଶନ ଆଗରେ ସ୍ୱତନ୍ତ୍ର ଓଡିଶା ଗଠନ ଦାବି ଦୋହରାଇଥିଲେ ଓ ତାଙ୍କୁ ସହଯୋଗ କରିବାଲାଗି ଓଡିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ। ୧୯୩୦ରେ ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲ୍ଟେବୁଲ୍ ବୈଠକରେ କଂଗ୍ରେସ ଯୋଗ ଦେଇନଥିଲେ ମଧ୍ୟ ଗଜପତି କୃଷ୍ଣଚନ୍ଦ୍ର ଏଥିରେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। କେବଳ ସେତିକି ନୁହେଁ, ଇଂଲଣ୍ଡର ଭାରତ ସଚିବ ସାର୍ ସାମୁଏଲ୍ ହୋର୍ ଓ ଗୋଲ ଟେବୁଲ୍ର ଅନ୍ୟାନ୍ୟ ସଦସ୍ୟଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ଓଡ଼ିଆଙ୍କର ସମସ୍ୟା ଜଣାଇଥିଲେ। ଏହାର ଫଳ ମିଳିଲା ଓ ଓଡିଶା ପ୍ରଦେଶର ସୀମା ନିର୍ଦ୍ଧାରଣ ନିମନ୍ତେ ଓ’ଡନେଲ୍ କମିଟି ଗଠନ କରାଗଲା। ୧୯୩୨ରେ ଅନୁଷ୍ଠିତ ଗୋଲଟେବୁଲ୍ ବୈଠକରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ଘୋଷଣା ହେଲା। କିନ୍ତୁ ତଥାପି ପାରଳାଖେମୁଣ୍ଡି ଓ ଜୟପୁର ଏଥିରେ ମିଶିବ ନାହିଁ ବୋଲି କୁହାଗଲା। କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପାରଳା ଓ ଜୟପୁରକୁ ଓଡିଶା ସହ ମିଶାଇବା ପାଇଁ ଚେଷ୍ଟା ଅବ୍ୟାହତ ରହିବ ବୋଲି ଘୋଷଣା କରାଗଲା। ତେବେ ଘଟଣାକ୍ରମେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଗଠିତ କମିଟି ଆଗରେ ସାକ୍ଷ୍ୟ ଦେବା ପାଇଁ ଓଡିଶାରୁ ଏକ ପ୍ରତିନିଧି ଦଳ ଇଂଲଣ୍ଡ ଯାତ୍ରା କଲେ। ସେମାନେ ୧୯୩୩ ମସିହାରେ ଭାରତ ସଚିବଙ୍କୁ ସାକ୍ଷାତ କରି ଓଡିଆମାନଙ୍କ ଦାବି ଉପସ୍ଥାପନ କଲେ। ସେହି ପ୍ରତିନିଧି ଦଳରେ ଯାଇଥିବା କୃଷ୍ଣଚନ୍ଦ୍ର ଗଜପତି ସେତେବେଳେ କ୍ଳେମେଣ୍ଟ୍ ଅଟ୍ଲୀ ଓ ଜଏଣ୍ଟ କମିଟିର ଅଧ୍ୟକ୍ଷ ଲର୍ଡ ଲିନଲିଥ୍ଗୋଙ୍କୁ ସାକ୍ଷାତ କରି ପ୍ରଭାବିତ କରିଥିଲେ। ଏପରିକି ସେ ଇଂଲଣ୍ଡର ତତ୍କାଳୀନ ରାଜା ପଞ୍ଚମ ଜର୍ଜଙ୍କୁ ମଧ୍ୟ ସାକ୍ଷାତ କରି ମାମଲା ଜଣାଇଥିଲେ। ଶେଷରେ ଜଏଣ୍ଟ କମିଟି ପାରଳାଖେମୁଣ୍ଡି ଓ ଜୟପୁରକୁ ପ୍ରସ୍ତାବିତ ଓଡିଶାରେ ମିଶାଇବାକୁ ସମ୍ମତ ହେଲା। ତେବେ ସିଂହଭୂମ, ମେଦିନାପୁର, ଚାଇଁବସା, ଛୋଟନାଗପୁର, ଚକ୍ରଧରପୁର, ବସ୍ତର, ରାୟପୁର, ମଞ୍ଜୁଷା, ଟିକାଲି, ଜଳନ୍ତର, ଷଢେଇକଳା ଓ ଖରସୁଆଁ ଭଳି ଓଡ଼ିଆ ଅଞ୍ଚଳ ଓଡ଼ିଶାକୁ ଫେରି ପାରିଲାନି। ସେ ସ୍ଥିତି ଆଜିଯାଏ ଅପରିବର୍ତ୍ତିତ ରହିଛି। ୧୯୩୩ ମାର୍ଚ୍ଚ ୧୮ରେ ସରକାରଙ୍କ ପକ୍ଷରୁ ଏକ ଶ୍ବେତପତ୍ର ପ୍ରକାଶ କରାଗଲା। ସେଥିରେ ଓ’ଡନେଲ୍ କମିଟିର ରିପୋର୍ଟ ଅନୁସାରେ ପୁରୀ, କଟକ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ ଜୟପୁରକୁ ମିଶାଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ କରା ଯିବାକୁ ଘୋଷଣା ହେଲା। ସେହି ଅନୁସାରେ ୧୯୩୬ ଏପ୍ରିଲ ୧ ତାରିଖରେ ଜନ୍ମ ନେଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ମୂଳରୁ ଏକ ଭାଷା ନୁହେଁ ବୋଲି ଉପହସିତ ଓ ନିନ୍ଦିତ ହେଉଥିବା ଓଡ଼ିଆ ଭାଷା ଲମ୍ବା ସଂଘର୍ଷ ଓ ଅନେକ ବଳିଦାନ ପରେ ଓଡ଼ିଶା ରାଜ୍ୟ ଗଠନର ଭିତ୍ତି ପାଲଟିବା ତଥା ସେ ବାବଦରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସ୍ବୀକୃତି ପାଇବା ଏବଂ ତା’ର ପ୍ରାୟ ୮୦ ବର୍ଷ ପରେ ୨୦୧୪ ମସିହାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିବା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଭାଷା କେତେ ଗୁରୁତ୍ବପୂର୍ଣ୍ଣ, ତାହା ବିଶ୍ବ ଆଗରେ ପ୍ରମାଣିତ ହୋଇ ସାରିଛି।