ଦିଲ୍ଲୀରୁ ନିଖୋଜ ଓଡ଼ିଆ ଝିଅ ୮ ବର୍ଷ ପରେ ବରେଲିରୁ ଉଦ୍ଧାର

ମା ଓ ଭାଇଙ୍କୁ ଦେଖି ନିଜ କୋହକୁ ସମ୍ବରଣ କରି ପାରି ନ ଥିଲେ

ବରେଲି: ସେ ଓଡ଼ିଆ ବ୍ୟତିତ ଅନ୍ୟ କିଛି କହି ପାରୁ ନ ଥିଲେ। ଏପରିକି ତାଙ୍କ ମାନସିକ ସ୍ଥିତି ମଧ୍ୟ ଠିକ୍‌ ନ ଥିଲା। ସେ କେଉଁଠିକାର, କେମିତି ସେଠାକୁ ଆସିଲେ କିଛି କହି ପାରି ନ ଥିଲେ। ଶେଷରେ ତାଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସ୍ୱେଛାସେବୀ ଶୈଳେଶ ଶର୍ମା। ଶ୍ରୀ ଶର୍ମାଙ୍କ ସହଯୋଗରେ ନିଖୋଜ ହେବାର ୮ ବର୍ଷ ପରେ ଜଣେ ଓଡ଼ିଆ ଯୁବତୀ ତାଙ୍କ ଭାଇ ଓ ମାଆଙ୍କ ପାଖକୁ ଫେରିବାର ସୁଯୋଗ ପାଇଛନ୍ତି। କେବଳ ସେତିକି ନୁହେଁ, ଦୀର୍ଘ ୮ ବର୍ଷ ପରେ ମା ଓ ଭାଇଙ୍କୁ ନିଜ ସହର ଠାରୁ ୧୦୦୦ କିଲୋମିଟର ଦୂରରେ ଦେଖି ନିଜ କୋହକୁ ସମ୍ବରଣ କରି ପାରି ନ ଥିଲେ ଓଡ଼ିଶା ଢ଼େଙ୍କାନାଳ ଜିଲ୍ଲାର ଏହି ୩୦ ବର୍ଷୀୟା ଯୁବତୀ ରଞ୍ଜୁ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ମାଆଙ୍କୁ ଧରି କାନ୍ଦିବା ପରେ ପ୍ରକୃତିସ୍ଥ ହୋଇଥିଲେ ରଞ୍ଜୁ।

ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ନୂଆଗାଁର ଅନୁସୂଚିତ ଜନଜାତିର ଯୁବତୀ ରଞ୍ଜୁ( ୩୦ ବର୍ଷ)। ସ୍ୱାମୀ ସୁଧାଙ୍କ ପାଖରେ ଦିଲ୍ଲୀରେ ରହୁଥିବା ରଞ୍ଜୁ ୨୦୧୦ ମସିହାରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ। ସୁଧା ଜଣେ ଶ୍ରମିକଭାବେ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ତେବେ ରଞ୍ଜୁ ନିଖୋଜ ହେବାର କିଛି ଦିନ ପର୍ଯ୍ୟନ୍ତ ପରିବାର ଓ ସ୍ୱାମୀ ସୁଧା ଦିଲ୍ଲୀ ଓ ଓଡ଼ିଶାରେ ଖୋଜାଖୋଜି କରିଥିଲେ। ତାପରେ ସମସ୍ତେ ଚୁପ୍‌ ହୋଇଯାଇଥିଲେ। ଏପରିକି ସୁଧା ମଧ୍ୟ ଆଉ ରଞ୍ଜୁଙ୍କ ପରିବାର ସହିତ କୌଣସି ସମ୍ପର୍କ ରଖି ନ ଥିଲେ।
ତେବେ ୨୦୧୨ ମସିହାରେ ରଞ୍ଜୁ ନୋଇଡାର ସେକ୍ଟର ୫୮ରେ ଏଣେତେଣ ବୁଲୁଥିବା ବେଳେ ଗୌତମବୁଦ୍ଧ ନଗରର ମାଜିଷ୍ଟ୍ରେଟଙ୍କର ନଜର ତାଙ୍କ ପଡ଼ିଥିଲା।ମାଜିଷ୍ଟ୍ରେଟ୍‌ଙ୍କ ହସ୍ତକ୍ଷେପ ପରେ ରଞ୍ଜୁକୁ ମିରଟର ନାରୀ ନିକେତନରେ ରଖାଯାଇଥିଲା। ତେବେ ରଞ୍ଜୁଙ୍କର ମାନସିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ୨୦୧୫ ମସିହାରେ ତାଙ୍କର ଚିକିିସା ପାଇଁ ବରେଲିସ୍ଥିତ ଆଶ୍ରୟ ଗୃହକୁ ପଠାଯାଇଥିଳା। ତେବେ କାଉନ୍‌ସିଲିଂ ସମୟରେ ରଞ୍ଜୁଙ୍କୁ ଶୈଳଶ ଶର୍ମା ଭେଟିଥିଲେ। ରଞ୍ଜୁଙ୍କ ହିନ୍ଦି କହିବା ବେଶ ଦୁର୍ବଳ ଥିଲା।ତେଣୁ ସେ କେବଳ ଓଡ଼ିଆ ଭାଷା କହୁଥିଲେ। ଶୈଲେଶ ଶର୍ମା ଏ ନେଇ ଇଣ୍ଟନେଟରେ ଓଡ଼ିଆ ଭାଷା ଜାଣିବା ପରେ ଓ ରଞ୍ଜୁ ମାନସିକସ୍ତରରେ ଟିକେ ସୁସ୍ଥ ହେବା ପରେ ସେ ଢ଼େଙ୍କାନାଳର ନିଜ ଘର ଠିକଣା କହିଥିଲା। ଏହାକୁ ନେଇ ଶୈଲେଶ ଶର୍ମା ଢେଙ୍କାନାଳ ଆସି ରଞ୍ଜୁଙ୍କ ମାଆ କଣ୍ଢେଇ ବେହେରାଙ୍କୁ ଭେଟିଥିଲେ। ଗତ ମଙ୍ଗଳବାର ଦିନ ରଞ୍ଜୁଙ୍କ ମାଆ ଓ ସମ୍ପର୍କୀୟ ଭାଇ ଶୈଳେଶ ଶର୍ମାଙ୍କ ସହିତ ବରେଲିରେ ପହଞ୍ଚିବା ପରେ ଆଶ୍ରୟଗୃହରୁ ରଞ୍ଜୁକୁ ଧରି ଓଡ଼ିଶା ଫେରିଛନ୍ତି।

ସମ୍ବନ୍ଧିତ ଖବର