ଫ୍ରଟି, ସ୍ପ୍ରାଇଟ୍, ମାଜା କି ରସ୍ନା ନୁହେଁ, ପୂର୍ବରୁ ଖରାଦିନେ ଘରକୁ ଅତିଥି ଆସିଲେ ମା’, ଆଈ ବା ଜେଜେମା’ ବଢ଼ାଇ ଦେଉଥିଲେ ଖାଣ୍ଟି ଓଡ଼ିଆ ‘ସର୍ବତ’ ବା ‘ପଣା’। କେବେ ଲେମ୍ବୁ ମିଶ୍ରି ପଣା ତ କେବେ ପୁଣି ବେଲପଣା। ପର୍ବପର୍ବାଣି ଦିନରେ ଦହି ଗୁଡ଼ ପଣା ଏବଂ ନଡ଼ିଆ, କଦଳୀ ଆଦି ବିଭିନ୍ନ ଫଳ ସହ ଚିନି ଓ ଗୋଲମରିଚ ଗୁଣ୍ଡ ପଡ଼ି ପ୍ରସ୍ତୁତ ଖାଣ୍ଟି ଘରୋଇ ପଣା ଓଡ଼ିଆଙ୍କ ଖାଦ୍ୟ ପରମ୍ପରାର ନିଆରା ନିଦର୍ଶନ। ଏବେ ସମୟ ବଦଳିଲା ଓ ଅତିଥି ଅଭ୍ୟର୍ଥନା ପାଇଁ ଉଭା ହେଲା ଶସ୍ତା, ସୁନ୍ଦର ଓ ସୁସ୍ବାଦୁ ମୃଦୁପାନୀୟ। ଏହା ଆମ ସମୟ ବଞ୍ଚାଇଲା ସତ, କିନ୍ତୁ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଲା। ଏବେ ସ୍ବାସ୍ଥ୍ୟ ସଚେତନ ଯୁଗରେ ଲୋକେ ପୁରୁଣା କଥାକୁ ଫେରୁଥିବା ବେଳେ ସବୁଆଡ଼େ ପାରମ୍ପରିକ ପାନୀୟର ଚାହିଦା ବଢ଼ିଛି। ଆଗକୁ ପଣାସଂକ୍ରାନ୍ତି ଆସୁଥିବାରୁ ‘ପଣା’କୁ ନେଇ ଉପସ୍ଥାପନା।
‘ପ୍ରପାନକ’ରୁ ‘ପଣା’
ଶ୍ରୀମନ୍ଦିରର ଛପନ ଭୋଗ ମଧ୍ୟରେ ‘ପଣା’ ଭୋଗ ଅନ୍ୟତମ। ପଣା ଭୋଗ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ସମେତ ବିଶେଷ ପର୍ବମାନଙ୍କରେ ମଧ୍ୟ ଲାଗି ହୋଇଥାଏ। ପଣାର ସଂସ୍କୃତ ନାମ ହେଉଛି ‘ପ୍ରପାନକ’ ଅର୍ଥାତ ‘ଗୁଡ଼ ବା ନବାତ ମିଶ୍ରିତ ପାନୀୟ’। ଏହି ନାମ ଅପଭ୍ରଂଶ ହୋଇ ପରେ ଓଡ଼ିଆମାନଙ୍କ ପାଖରେ ‘ପଣା’ ନାମରେ ପରିଚିତ ହୋଇଛି। ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ ନାମରେ ଅଭିହିତ କରାଯାଉଥିଲା।
ଭୌମକର ରାଜବଂଶଠାରୁ
ପଣା ପ୍ରଚଳନ!
ଜଗନ୍ନାଥ ସଂସ୍କୃତି ଗବେଷକ କୃଷ୍ଣକେଶବ ଷଡ଼ଙ୍ଗୀ କହନ୍ତି, ଶ୍ରୀମନ୍ଦିରରେ ପଣା କେବେଠାରୁ ପ୍ରଚଳିତ ହେଲା, ସେ ନେଇ କୌଣସି ଲିଖିତ ଇତିହାସ ନାହିଁ। ଚୈତ୍ର ସଂକ୍ରାନ୍ତିରୁ ବୈଶାଖ ସଂକ୍ରାନ୍ତିଯାଏ ଏକ ମାସ ସମଗ୍ର ଦେଶରେ ବିିଭନ୍ନ ପର୍ବପର୍ବାଣି ପାଳନ ସହ ପଣାପାନ ପରମ୍ପରା ରହିଛି। ଗ୍ରୀଷ୍ମ ଉତ୍ତାପ ବଢୁଥିବାରୁ ଜଳଶୁଷ୍କତାରୁ ରକ୍ଷା ପାଇବା ପାଇଁ ‘ପଣାପାନ’ ହେଉଛି ଏକ ବୈଜ୍ଞାନିକ ଚିନ୍ତନ, ଯାହାକୁ ସାଂସ୍କୃତିକ ଜୀବନ ଭିତରେ ମିଶାଇ ଦିଆଯାଇଛି। ବିଶ୍ବାସ କରାଯାଏ, ୮ମ ଓ ୯ମ ଶତାବ୍ଦୀ ଆଡ଼କୁ ବୌଦ୍ଧ ଧର୍ମର ବିଲୁପ୍ତି ସହ ‘ଦେବୀ ଉପାସନା’ ଜନଜୀବନକୁ ପ୍ରବେଶ କରିଥିଲା। ସେ ସମୟରେ ପ୍ରଥମେ ‘ପଣା’ ପ୍ରଚଳନ ହୋଇଥିଲା। ସେତେବେଳେ ରାଜାରାଜୁଡ଼ାମାନେ ଇଷ୍ଟଦେବୀମାନଙ୍କ ଉଦ୍ଦେଶ୍ୟରେ ପଣା ଅର୍ପଣ କରୁଥିଲେ। ଓଡ଼ିଶାରେ ‘ଭୌମକର ରାଜବଂଶ’ଠାରୁ ପଣା ସଂସ୍କୃତି ଆରମ୍ଭ ହୋଇଥିବା ବିଶ୍ବାସ ରହିଛି।
ପଣାରେ ଛତୁଆ ଓ ବେଲ କାହିଁକି?
ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ। ଏହା ପହିଲା ବୈଶାଖ ଅର୍ଥାତ୍ ବୈଶାଖର ପ୍ରଥମ ଦିନରେ ପଡ଼େ। ଇଂରାଜୀ ମାସାନୁସାରେ ସାଧାରଣତଃ ଏପ୍ରିଲ ୧୩/୧୪ରେ ପଣା ସଂକ୍ରାନ୍ତି ପଡ଼ିଥାଏ। ଏହି ଦିନ ବସନ୍ତଋତୁ ଶେଷ ଓ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ। ଫଳରେ ସୂର୍ଯ୍ୟ ତାପ ବୃଦ୍ଧି ପାଏ। ଦେହର ଅତ୍ୟଧିକ ତାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ୟ ପରମ୍ପରାରେ ପଣାକୁ ଯୋଡ଼ି ଦିଆଯାଇଛି। ପେଟ ଥଣ୍ଡା ରଖିବା ଲାଗି ଏହି ସମୟରେ ପାଚୁଥିବା ବେଲ ପଣା କରି ପିଆଯାଏ। ବେଲ ପେଟ ଥଣ୍ଡା ରଖିବା ସହ ହଜମ ଶକ୍ତି ବି ବଢ଼ାଇଥାଏ। ସେହିଭଳି ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟ ଛତୁଆ କରି ଖାଇବାର ବି ଏ ଦିନ ନିୟମ ରହିଛି। ସେଥିଲାଗି ପଣାରେ ଛତୁଆ ମଧ୍ୟ ମିଶାଯାଏ। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରରେ ଛତୁଆ ଓ ପଣା ଭୋଗର ବିଧି ରହିଛି।
ଓଡ଼ିଶାରେ ପ୍ରଚଳିତ ପଣା
ଲେମ୍ବୁ ମିଶ୍ରି ପଣା:ମାଟି ପାତ୍ରର ଶୀତଳ ଜଳରେ ମିଶ୍ରି ମିଶାଇ, ସେଥିରେ ସାମାନ୍ୟ ଲେମ୍ବୁରସ ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ।
ବେଲପଣା:ଏହାକୁ ପ୍ରସ୍ତୁତ କରିବା ଲାଗି ପାଚିଲା ବେଲର ଶସ ବାହାର କରି ଭଲଭାବେ ଚକଟାଯାଏ। ପରେ ତାକୁ ଛାଣି ସେଥିରେ ଚିନି, ଦହି, ନଡ଼ିଆ ଓ ଗୋଲମରିଚ ଗୁଣ୍ଡ ପକାଯାଏ। ବେଲରେ ଥିବା ଆଣ୍ଟି ଇନ୍ଫ୍ଲାମେଣ୍ଟାରି ଓ ଆଣ୍ଟିଅକ୍ସିଡାଣ୍ଟ୍ ତତ୍ତ୍ୱ ଡାଇରିଆ ଓ ପରିସ୍ରାପୋଡ଼ା ଆଦି ସମସ୍ୟାରୁ ମୁକ୍ତିଦିଏ।
ଦହିପଣା:ଦହିରେ ଗୁଡ଼, ନଡ଼ିଆ କୋରା, କଦଳୀ ଚକଟି, ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଏହି ପଣା ପ୍ରସ୍ତୁତ କରାଯାଇଥାଏ।
ଗୁଡ଼ପଣା: ଶୀତଳ ଜଳରେ ଗୁଡ଼ ସହ ଆମ୍ବଖଣ୍ଡ, ଛେଚାଅଦା ଓ ଗୋଲମରିଚ ଗୁଣ୍ଡ ପକାଇ ଗୁଡ଼ପଣା ପ୍ରସ୍ତୁତ କରାଯାଏ। ଏହାକୁ ପିଇଲେ ଶରୀରରେ ଶୀତଳତା ଆସେ, ଶୁଷ୍କତା ଓ ଦୁର୍ବଳତା ଦୂର ହୁଏ। ଏହା ଅଂଶୁଘାତରୁ ରକ୍ଷା ଦେବା ସହ ସୁଖନିଦ୍ରା କରାଇଥାଏ।
ଗୁଲକନ୍ଦ ପଣା:ଗୋଲାପ ଫୁଲକୁ ବାଟି ମିଶ୍ରି ସହ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟ ଓ ଗୁଲକନ୍ଦ ମିଶାଇ ଏହି ପଣା ପ୍ରସ୍ତୁତ ହୁଏ। ଏହା ସୁସ୍ବାଦୁ ଓ ସ୍ବାସ୍ଥ୍ୟପ୍ରଦ। ଏହା ଶରୀରରେ ଶୀତଳତା ଆଣିବା ସହ ଶରୀରର ଦୁର୍ଗନ୍ଧ ନିୟନ୍ତ୍ରଣ କରିଥାଏ।
ଛେନାପଣା:ଏହି ପଣା ମହାପ୍ରଭୁ ଜଗନ୍ନାଥଙ୍କର ବେଶ୍ ପ୍ରିୟ। ଖାସ୍କରି ପଣାସଂକ୍ରାନ୍ତିରେ ଛେନାପଣା ପ୍ରସ୍ତୁତ ହୁଏ ଓ ମହାପ୍ରଭୁଙ୍କୁ ଲାଗି କରାଯାଏ। ଛେନାକୁ କଦଳୀ, କ୍ଷୀର ଓ ନଡ଼ିଆ କୋରା ସହ ଭଲରେ ଚକଟା ଯାଏ। ସେଥିରେ ସ୍ବାଦ ଅନୁସାରେ ଅଳେଇଚ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଛେଚାଅଦା ଆଦି ପକାଯାଏ। ଏହି ପଣା ତୃଷ୍ଣା ନିବାରକ, ବଳକାରକ ଓ ସୁନିଦ୍ରା ମଧ୍ୟ ପ୍ରଦାନ କରିଥାଏ।
ଝରପଣା: ପଶ୍ଚିମ ଓଡ଼ିଶାରେ ଏହି ପଣା ଲୋକପ୍ରିୟ। ‘ଝରପଣା’ ଔଷଧୀୟ ତତ୍ତ୍ବରେ ଭରପୂର। ସାଧାରଣତଃ ପାଳୁଅରେ ମିଶ୍ରି ଓ ପାନମହୁରି ପକାଇ ଏହା ପ୍ରସ୍ତୁତ ହୁଏ। ଏକ ପାତ୍ରରେ ପାଣି ରଖି ପାଳୁଅକୁ ୨୦ ମିନିଟ୍ ବୁଡ଼ାଇ ରଖିବାକୁ ହୁଏ। ଏହାପରେ ପାଣି ନିଗାଡ଼ି ଅଧଗ୍ଲାସ୍ ପାଣିରେ ସେହି ପାଳୁଅକୁ ଧିମା ଆଞ୍ଚରେ ସିଝାଯାଏ। ଏହା ସିଝିବା ପରେ ବହଳିଆ ମଣ୍ଡରେ ପରିଣତ ହୋଇଯାଏ। ସେହି ମଣ୍ଡ ସହ ଦହି, ଚିନି, ଲୁଣ, ଗୋଲମରିଚ ଗୁଜୁରାତି ଆଦି ଗୁଣ୍ଡ ପକାଇ ପଣା ପ୍ରସ୍ତୁତ କରାଯାଏ। ଏହାକୁ ଥଣ୍ଡା ଥଣ୍ଡା ପିଆଯାଏ।
ଆମ୍ବପଣା:ଆମ୍ବକୁ ସିଝାଇ ତା’ର ରସ ବାହାର କରି ପାଣିରେ ମିଶାଯାଏ। ସେଥିରେ ଚିନି ଅବା ମିଶ୍ରି ମିଶାଇ ଏହା ପ୍ରସ୍ତୁତ କରାଯାଏ। ସେହିପରି କଞ୍ଚା ଆମ୍ବରୁ ମଧ୍ୟ ସ୍ବାଦିଷ୍ଠ ସର୍ବତ ପ୍ରସ୍ତୁତ ହୁଏ।