କେବେ ଖାଇବା ପରେ ଏହା ମୁଖବାସ ପାଲଟେ ତ ପୁଣି କେବେ ପାନଗୁଆ ଆକାରରେ ବିବାହର ନିମନ୍ତ୍ରଣ। ‌କେବେ ପାନ ବିନା ପୂଜା ଅଧୁରା। ପୁଣି କେବେ ଏହା ଯୁବତୀ ଅଧରର ଲାଲିମା। ଘରଠୁ ବାହାର, ଗାଁରୁ ସହର, ଅତିଥି ଚର୍ଚ୍ଚା ହେଉ କି ଖୁସିର ଅବସର; କାହିଁ କେତେ କାଳରୁ ପାନ ପାଲଟିଛି ଆମ ଲୋକପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ। ଆଗକୁ ରଜ ଆସୁଛି। ସଜବାଜ, ଦୋଳିଖେଳ, ପୋଡ଼ପିଠା ସହ ପାନଖିଆ ବିନା ରଜ ଅଧୁରା । ଏହି ଅବସରରେ ଓଡ଼ିଶାରେ ପାନର ଉତ୍ପତ୍ତି, ସଂସ୍କୃତି ସହ ଏହାର ସମ୍ପର୍କ, ଓଡ଼ିଶାରେ ପାନଚାଷ ଏବଂ ଶ୍ରୀମନ୍ଦିରର ପାନ ପରମ୍ପରାକୁ ନେଇ ବିଶେଷ ଉପସ୍ଥାପନା...

Advertisment

ଓଡ଼ିଶାରେ ଗଞ୍ଜାମର ହିଞ୍ଜିଳିକାଟୁରୁ
ପାନର ଉତ୍ପତ୍ତି
ଇତିହାସ କହେ, ଖ୍ରୀଷ୍ଟପୂର୍ବ ୩୪୦ରେ ପ୍ରଥମେ ଦକ୍ଷିଣ ପୂର୍ବ ଏସିଆରେ ପାନକୁ ଠାବ କରାଯାଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। କିନ୍ତୁ ଏହାର ବହୁ ପୂର୍ବରୁ ମହାଭାରତ ଯୁଗରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି। ଓଡ଼ିଶା କଥା ବିଚାରକୁ ନେଲେ ଗଞ୍ଜାମର ହିଞ୍ଜିଳିକାଟୁ ହେଉଛି ପାନର ଉତ୍ପତ୍ତିସ୍ଥଳ ବୋଲି ଉଦ୍ଭିଦବିତ୍ ମତପୋଷଣ କରିଥାନ୍ତି। ଆମ ନୌବାଣିଜ୍ୟ ପରମ୍ପରାରେ ମଧ୍ୟ ପାନର ବର୍ଣ୍ଣନା‌ ରହିଛି। ଓଡ଼ିଶାରେ ଭଲ ପାନଚାଷ ହେଉଥିବାରୁ ନୌବାଣିଜ୍ୟ ଦ୍ବାରା ଚୀନ୍‌, ବ୍ରହ୍ମଦେଶ, ଜାଭା, ସୁମାତ୍ରାରେ ଓଡ଼ିଆ ସାଧବ ପୁଅମାନେ ପାନ ବିକ୍ରି କରୁଥିଲେ। ଆଗ କାଳରେ ବିବାହ ନିମନ୍ତ୍ରଣରେ ପାନ ବ୍ୟବହାର ହେଉଥିବା ବେଳେ ପ୍ରେମ ନିବେଦନ ‌ପାଇଁ ବି ପ୍ରେମିକଟିଏ ପାନ ଦେଇ ପ୍ରେମିକାର ମନତୋଷ କରୁଥି‌ଲା।

ଓଡ଼ିଶାର ଜଳବାୟୁ ପାନଚାଷ ପାଇଁ ଉପଯୁକ୍ତ
କଥାରେ ଅଛି, ‘ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।’ ଅର୍ଥାତ୍‌ ପାନଗଛ ଆପେ ବଢ଼େ। ପୂର୍ବରୁ ଗଛ ଛାଇରେ, ଜଙ୍ଗଲର ଉଷ୍ମ-ଆର୍ଦ୍ର ଜଳବାୟୁରେ ଉର୍ବର ଆର୍ଦ୍ର ମାଟିରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆଯାଉଥିଲା। ଏହାର କଫ ଓ ଶ୍ଳେଷ୍ମାନାଶକ ଗୁଣ କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।
ବିଶିଷ୍ଟ କୃଷି ବିଶେଷଜ୍ଞ ଏକାଦଶୀ ନନ୍ଦୀଙ୍କ ଅନୁସାରେ ଓଡ଼ିଶାର ଜଳବାୟୁ ପାନଚାଷ ପାଇଁ ବେଶ୍‌ ଉପଯୋଗୀ। ବିଶେଷକରି ଉପକୂଳ ଓଡ଼ିଶାର କଟକ, ପୁରୀ ଓ ବାଲେଶ୍ବର ଆଦି ଜିଲ୍ଲା ସବୁଠାରୁ ଉତ୍କୃଷ୍ଟ ଅଞ୍ଚଳ। ଏହି ସବୁ ସ୍ଥାନରେ ବରଜରେ ପାନଚାଷ ହୋଇଥାଏ। ଗଞ୍ଜାମ ଅଞ୍ଚଳରେ ପାନବରଜ ନ କରି ଅଗସ୍ତିଗଛରେ ପାନ ଗଛକୁ ମଡ଼ାଯାଇ ଚାଷ କରାଯାଇଥାଏ। ଏବେ କିନ୍ତୁ ଏହି ପ୍ରକ୍ରିୟା ବନ୍ଦ ହୋଇଗଲାଣି। ଉପକୂଳ ଓଡ଼ିଶାର ପାନ ମୁମ୍ବାଇ ଓ ବନାରସ ଆଦି ସହରକୁ ରପ୍ତାନୀ ହେଉଥିଲା। କିନ୍ତୁ ଏବେ ସେଠାରେ ପାନର ଚାହିଦା କମୁଥିବାରୁ ରପ୍ତାନୀ ମଧ୍ୟ କମିଗଲାଣି। ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ପାନକୁ ଭାଟିରେ ପଚାଇ, ହଳଦିଆ ପାନ ପ୍ରସ୍ତୁତ କରି ବାହାରକୁ ରପ୍ତାନୀ କରାଯାଉଥିଲା। କିନ୍ତୁ ଏସବୁ ମଧ୍ୟ ଏବେ ପ୍ରାୟ ବନ୍ଦ ହୋଇଗଲାଣି। ଓଡ଼ିଶାରେ ପାନଚାଷ ଉତ୍ସାହଜନକ ଭାବେ ବଢ଼ିପାରୁ ନଥିବା ‌ଶ୍ରୀ ନନ୍ଦୀ କହିଛନ୍ତି।

ପୁରାଣ କହୁଛି ନାଗଲୋକରୁ ମର୍ତ୍ତ୍ୟକୁ ଆସିଥିଲା ‘ପ‌ାନ’
ବିଶ୍ବାସ ରହିଛି, ସ୍ବର୍ଗରେ କୁଆଡ଼େ ପାନ ମିଳେନାହିଁ। ଏଣୁ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଯଜ୍ଞ ସମୟରେ ମୁନିଋଷିମାନେ ମୁଖବାସ ଭାବେ ପାନ ଅର୍ପଣ କରୁଥି‌ଲେ। ଅନ୍ୟପଟେ ପୁରାଣରେ ଉଲ୍ଲେଖ ରହିଛି, ମର୍ତ୍ତ୍ୟରେ ପୂର୍ବରୁ ପାନ ନଥିଲା, ଏହା ପାତାଳଲୋକରୁ ଅଣାଯାଇଛି। ନାଗରାଜ ବାସୁକୀଙ୍କ କନ୍ୟା ବସୁଦତ୍ତିକାଙ୍କର ବିବାହ ମର୍ତ୍ତ୍ୟର ରାଜା ଉଦୟନଙ୍କ ସହ ହୋଇଥିଲା। ସେହି ବିବାହରେ ନାଗରାଜ ଯୌତୁକ ରୂପେ ୪ଟି ଜିନିଷ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ‘ନାଗବଲ୍ଲୀ’ ବା ପାନଲତା। ଏହିପରି ପାନ ସର୍ବପ୍ରଥମେ ନାଗଲୋକରୁ ମର୍ତ୍ତ୍ୟକୁ ଆସିଲା ବୋଲି ରାଜଶେଖରଙ୍କର ‘ପ୍ରବନ୍ଧକୋଷ’ରେ ଉଲ୍ଲେଖ ରହିଛି। ସେହିପରି ମହାଭାରତ ଓ ରାମାୟଣରେ ମଧ୍ୟ ପାନର ବର୍ଣ୍ଣନା ରହିଛି।

ଓଡ଼ିଆ ପାନ ପରମ୍ପରାରେ ମହିଳା
ଓଡ଼ିଆ ଘରେ ବିଶ୍ବାସ ରହିଛି, ପାନ ଖଣ୍ଡେ ଖାଇ ଘରୁ ବାହାରିଗଲେ ସକଳ କାର୍ଯ୍ୟ ସିଦ୍ଧିହୁଏ। ଖାଲି ବିବାହ ନିମନ୍ତ୍ରଣରେ ନୁହେଁ, ପାନ ଦିଅଁମଙ୍ଗୁଳା ସମୟରେ ବି ଲାଗେ। ଦିଅଁମଙ୍ଗୁଳା ସମୟରେ ୭ଟି ଗୋଟା ପାନକୁ ସାତ ଜଣ ବିବାହିତା ନେଇ ଗ୍ରାମର ଆରାଧ୍ୟ ଦେବତାଙ୍କୁ ଅର୍ପଣ କରିଥାନ୍ତି। ପରେ ବିବାହ ବେଦିରେ ଏହି ପାନକୁ ଝିଅଜ୍ବାଇଁଙ୍କ ଶରୀର ସ୍ପର୍ଶ କରାଇଥାନ୍ତି। ଏତିକି ନୁହେଁ, ବୋହୂ ଭାରସଜରେ ପାନବଟୁଆ ସହ ପାନଡାଲା, ଗୁଆ ଓ ଖଇର ନେବାର ପରମ୍ପରା ରହିଛି। ଏପରିକି ଯୌତୁକରେ ପିକଦାନି ନେବାର ମଧ୍ୟ ବିଧି ରହିଛି। କଂସା ପିତ୍ତଳର ପିକଦାନି ନ ନେଇପାରିଲେ ବୋହୂ ବାଉଁଶର ପାନ ଚାଙ୍ଗୁଡ଼ିଟିଏ ବାପଘରୁ ଶାଶୂଘରକୁ ଆଣୁଥିଲା। ରୋଷେଇ ପରି ନୂଆବୋହୂର ପାନ ଭାଙ୍ଗିବାର କଳାକୌଶଳର ପରୀକ୍ଷା ମଧ୍ୟ କରାଯାଉଥିଲା। କନ୍ୟା ଦେଖାବେଳେ ଲବଙ୍ଗଗୁଞ୍ଜା ଭଙ୍ଗାପାନ ମେଞ୍ଚାଏ ଧରି ଝିଅଟିଏ ଯିବାର ପରମ୍ପରା ବି ଓଡ଼ିଆ ଘରେ ରହିଛି। ପୂର୍ବରୁ ପାନ ଥିଲା ମହିଳାଙ୍କ ପାଇଁ ଏକ ପ୍ରସାଧନ ସାମଗ୍ରୀ। ପାନରେ ପଡ଼ିଥିବା ଖଇର ଓଠକୁ ଲାଲ୍ କରିଦେଉଥିଲା।

ନିଆରା ‘ରଜ ପାନ’
ରଜରେ ପାନ ଖଣ୍ଡେ ନ ଖାଇଲେ ପର୍ବ କ’ଣ ଜମେ! ଏଣୁ ବରଷକଯାକ ପାନ ଖାଉ ନଥିବା ଲୋକ ବି ରଜରେ ପାନ ଖଣ୍ତେ ନିହାତି ଖାଆନ୍ତି ଏବଂ ପ୍ରିୟଜନଙ୍କୁ ପାନ ବାଣ୍ଟି ଶୁଭେଚ୍ଛା ଜଣାଇଥାନ୍ତି। ଏବେ ଯୁବପିଢ଼ିଙ୍କୁ ପାନ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ସ୍ଥାନରେ ‘ଆଇସ୍‌ ପାନ’, ‘ଫାୟାର୍‌ ପାନ’, ‘ଦିଲ୍‌ ବାହାର‌୍‌’, ‘ଦିଲ୍‌ ଦିଵାନା’, ‘ଦିଲ୍‌ଵାଲା’, ‘ଲଡୁ ପାନ’, ‘ପାନ ସଟ୍‌ସ୍‌’, ‘ପାନ ଲସି’, ‘ପାନ ସେକ୍‌’, ‘ରସ୍‌ମଲାଇ ପାନ’ ଓ ‘ରାବିଡ଼ି ପାନ’ମିଳୁଛି। ବିିଭିନ୍ନ ପ୍ରକାର ଡ୍ରାଏଫ୍ରୁଟ୍ ସହ ଗ୍ବାଭା ଜେଲି, ଚେରି ସୁପାରି, ଚନ୍ଦନ କସ୍ତୁରୀ, ଖଜୁରି ମକା, ଚିକେନ୍‌ ସୁପାରି, ଲିଚୁ ଜେଲି, ବ୍ଲାକ୍‌ବେରି ଜେଲି, ଅରେଞ୍ଜ୍ ଜେଲି, ମସ୍ତୁରି ଗୁଆ, କଳାମାଣିକ, ମଲ୍ଲୀରାଇସ୍‌, ଅନାସି ଫୁଲ, ଜାଇଫଳ, କାଦମ୍ବରୀ ଆଦି ମସଲା ପାନରେ ବ୍ୟବହାର କରାଯାଉଥିବା ସହିଦନଗର ବନାରସୀ ପାନ ଭଣ୍ତାରର ରମାକାନ୍ତ ସେନାପତି କହନ୍ତି।