ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି ଭାରତର ସମ୍ବିଧାନ ପ୍ରଣେତା, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଅବହେଳିତ, ଦଳିତଙ୍କ ସ୍ୱାର୍ଥ ଓ ସମ୍ମାନ ତଥା ସାମାଜିକ ସମରସତାର ମୂର୍ତ୍ତିମନ୍ତ ପ୍ରତୀକ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି। ଗତ କିଛିଦିନ ତଳେ ଚଳିତ ଅପ୍ରେଲ ମାସ୧ ତାରିଖରେ ଆମେ ଓଡ଼ିଶା ଦିବସ ପାଳନ କରିଛନ୍ତି। ଅପ୍ରେଲ ୧ ଓଡ଼ିଶା ଦିବସରୁ ଅପ୍ରେଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାବରେ ଆମ ସ୍ୱାଭିମାନ, ପରିଚୟ ଓ ଅସ୍ମିତାରେ ଯୋଡ଼ି ହେବାପାଇଁ ଓ ଏଥିରୁ ପ୍ରେରଣା ନେବାପାଇଁ ପ୍ରତିଦିନ ଓଡ଼ିଆ ସ୍ୱତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ। ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୁତିକୁ ନେଇ ଗତ ୧୪ ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପୀଢ଼ି ପାଖକୁ ବାର୍ତ୍ତା ପହଁଞ୍ଚାଇବା ପାଇଁ ଚେଷ୍ଟା କରିଛେ। ଏହି ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀ ମହାପୁରୁଷ ଓ ମହୟସୀମାନଙ୍କୁ, ଯେଉଁମାନଙ୍କ ତ୍ୟାଗ, ବଳିଦାନ ଯୋଗୁଁ ସମ୍ଭବ ହୋଇଥିଲା ଖଣ୍ଡବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ, ସେମାନଙ୍କୁ ଯଥୋଚିତ ସମ୍ମାନ ଦେଉଛୁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୧ତମ ପ୍ରତିଷ୍ଠା ଦିବସରୁ ଆଜି ୧୪ ଅପ୍ରେଲ ମହାବିଷୁବ ପଣାସଂକ୍ରାନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂଆ ଅବସର ପାଇଁ ସୁଯୋଗ ସୃଷ୍ଟି କରୁ, ଆଜି ଦିନରେ ଏହା ହିଁ କାମନା। ଆସନ୍ତୁ ମନ, ପ୍ରାଣ, ହୃଦୟରୁ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମର ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ୱାଭିମାନୀ ଓଡ଼ିଆ ଗଠନ କରିବାକୁ ସଂକଳ୍ପ ନେବା। ଓଡ଼ିଆ ଆଜି ଯାହା ଚିନ୍ତା କରେ, ସାରା ଦେଶ ଆଗାମୀ ଦିନରେ ସେହି ରାସ୍ତାରେ ଯାଏ। ସ୍ୱାଧୀନତା ପୂର୍ବରୁ ଆମ ଜାତି ଭାଷା ଆଧାରିତ ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଧି ଧରି ଲଢ଼େଇ କରିଥିଲା। ସ୍ୱାଧୀନତା ପରେ ଆମ ଦେଶରେ ରାଜ୍ୟ ଗଠନର ଆଧାର ହେଲା ଭାଷା। ଉତ୍କଳଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର, ସ୍ୱଭାବକବି ଗଙ୍ଗାଧର, ବ୍ୟାସକବି ଫକୀର ମୋହନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏମିତି ଆହୁରି ଅନେକ ନେତୃତ୍ୱଙ୍କର ଦୂରଦୃଷ୍ଟିର ଓଡ଼ିଆ ଜାତି ହିଁ ଦାୟାଦ।
ଥରେ ଭାବନ୍ତୁ; ଆମେ କଳିଙ୍ଗ ଯୁଦ୍ଧ ହାରିନଥିଲୁ। ବୀର ଓଡ଼ିଆଙ୍କ ଶକ୍ତି, ସାମର୍ଥ୍ୟ ଓ ସାହାସ ଆଗରେ ସମ୍ରାଟ ଅଶୋକଙ୍କ ମଥାନତ ହୋଇଥିଲା। ସଂସ୍କୃତ ପରେ ମହାଭାରତ ଓଡ଼ିଆ ଭାଷାରେ ହିଁ ପ୍ରଥମେ ରଚିତ ହୋଇଥିଲା। କାଳିଦାସ ତାଙ୍କ କାବ୍ୟ ‘ମେଘଦୂତ’ରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ଭାବରେ ଅବିହିତ କରିଥିଲେ। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ନୂତନ ବାର୍ତା ଦେଇଥିଲା। ମା’ ଲକ୍ଷ୍ମୀ ତଥାକଥିତ ସମାଜର ପଛୁଆବର୍ଗର ମହିଳା ଶ୍ରୀୟା ଘରକୁ ଯାଇ ସ୍ୱଚ୍ଛତାର ବାର୍ତ୍ତା ଉପରେ ମୋହର ଲଗାଇଥିଲେ। କୋଣାର୍କର ସୂର୍ଯ୍ୟମନ୍ଦିର କେବଳ ଭାସ୍କର୍ଯ୍ୟର ପେଣ୍ଠସ୍ଥଳୀ ନୁହେଁ ବରଂ ବାଳସୂର୍ଯ୍ୟ, ଉଦିତ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ନିର୍ଦ୍ଦିଷ୍ଟ ସ୍ଥିତି ଓ ଅବସ୍ଥିତି ଓ ଗଣନା ଆଧାରରେ ଆଷ୍ଟ୍ରୋ ଫିଜିକ୍ସର ଓଡ଼ିଆଙ୍କ ପାରଙ୍ଗମତାର ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୮୦୦ ବର୍ଷ ପୁରୁଣା ମନ୍ଦିରର ଦୃଢ଼ତା ଓ ସ୍ଥାୟୀତ୍ୱ ଓଡ଼ିଆ ଜାତିର, ଷ୍ଟ୍ରକଚରାଲ ଇଂଜିନିୟରିଂ ଓ କେମିକାଲ ଇଂଜିନିୟରିଂ କ୍ଷେତ୍ରରେ ନୈପୁଣ୍ୟତାର ପ୍ରମାଣ। ଏହାକୁ ମାନିବାକୁ ହେବ। ଭୀମଭୋଇଙ୍କ ‘ପ୍ରାଣୀଙ୍କ ଆରଣ ଦୁଃଖ ଅପ୍ରମିତ’ କାଳଜୟୀ କବିତା ମହିମା ବିଚାର ଯେ, ବିଶ୍ୱର ସବୁଠୁ ବଡ଼ ଦର୍ଶନ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ହକଦାର୍, ଏଥିରେ କେହି ଦ୍ୱିମତ ହେବେ ନାହିଁ। ସମ୍ବଲପୁର, କୋଟପାଡ଼, ପଶାପାଲି, ମାଣିଆବନ୍ଧ ସମେତ ପ୍ରାୟ ସବୁ ଜିଲ୍ଲାର ବସ୍ତ୍ର ଓ ହସ୍ତକଳାର ପ୍ରାଚୁର୍ଯ୍ୟ ତଥା ଆମର କଳା ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ ବିଶ୍ୱକୁ ପ୍ରଭାବିତ କରିବା ପାଇଁ ବଡ଼ ସମ୍ଭାବନା ରଖିଛି। ଏହାକୁ କେହି ବି ସ୍ୱୀକାର କରିବ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗ ଦର୍ଶନରେ ଚାଲିଥିବା ସରକାର ସବୁବେଳେ ଲୋକଙ୍କ ସରକାର। ଯଦି ପ୍ରତି ଓଡ଼ିଆ ପାଦେପାଦେ ଆଗକୁ ଚାଲିବେ ତାହାହେଲେ ଓଡ଼ିଶା ସାଢ଼େ ଚାରି କୋଟି ପାଦ ଆଗକୁ ଯିବ। କହିବାର ଉଦ୍ଦେଶ୍ୟ ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟ ନିର୍ଧାରକ। ଯଦି ଏ ଜାତି ଆଗକୁ ବଢ଼ିବା ପାଇଁ ଦୃଢ଼ ନିଶ୍ଚିତ ହୁଏ, ଏହାର ପ୍ରଗତୀକୁ କେହି ରୋକି ପାରିବେ ନାହିଁ। ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ହିସାବରେ ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଯେତେବେଳେ ନୂଆ ଓଡ଼ିଶାର ନୂଆ ପୀଢ଼ି ସହ ମିଶିଛି ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତୀର ଶୀର୍ଷରେ ପହଁଞ୍ଚାଇବାର ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି। ଓଡ଼ିଶା ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜ ସମ୍ପଦ ଦେଇଛନ୍ତି। ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ୍, ମାଙ୍ଗାନିଜ, କୋଇଲା, ଚୂନପଥର, ଲାଇମଷ୍ଟୋନ୍, ଡୋଲମାଇଟ୍, ଗ୍ରାଫାଇଟ୍ର ଅମାପ ଭଣ୍ଡାର ଦେଇଛନ୍ତି। ଆମର ନଦନଦୀ, ଜଳଶକ୍ତିରେ ଓଡ଼ିଶାକୁ ବେଶ ସମୃଦ୍ଧ କରିଛି। ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ। ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ। ଜଙ୍ଗଲ ସହିତ ଜଡ଼ିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ଓ ଜଙ୍ଗଲ ସହିତ ଜଡ଼ିତ ଆର୍ଥିକ ବିକାଶର ଅନେକ ଦିଗ ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶା ଆଜି ଦିନରେ ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟରାଜ୍ୟମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ। ମାତ୍ର ଆମ ଯୁବପୀଢ଼ିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟଠାରୁ ପଛରେ ନୁହେଁ, ଏକଥା ମୁଁ ଦୃଢ଼ତାର ସହିତ କହିପାରିବି। ଭାରତର ବଡ଼ ବୁଦ୍ଧି ଆଧାରିତ ସୂଚନା ଓ ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ଓଡ଼ିଆ ନୂଆ ପୀଢ଼ିର ଯୋଗଦାନକୁ ଯେ କେହି ବି ସ୍ୱୀକାର କରିବ।
ଓଡ଼ିଆ ଜାତି ପରିଶ୍ରମୀ। ଏକଥା ସତ ଆମ ମାଟିରେ ଆମ ଲୋକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇ ଦିଆଯାଇ ପାରିନାହିଁ। ମାତ୍ର ଦଶନ୍ଧି ଦଶନ୍ଧି ଧରି ଆମ ଲୋକମାନଙ୍କର ଝାଳରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶ ମାନେ ଯେ, ଆର୍ଥିକ ପ୍ରଗତୀର ଶୀର୍ଷକୁ ଯିବାପାଇଁ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ। ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମର ଅପାର ସମ୍ଭାବନାକୁ ସଠିକ୍ ଉପଯୋଗ ନକରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ପ୍ରଗତୀର ମାପଦଣ୍ଡରେ ପଛରେ ପଡ଼ିଛେ। କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରିବ ପୃଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଁଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ। ଭଗବାନ ଆମକୁ ଖଣି ଦେଇଛନ୍ତି। ଗତ କିଛି ବର୍ଷରେ ମୋଦି ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଓ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡ଼ିଶାର ବଜେଟ୍ ଆକାରକୁ ବହୁତ ବଢ଼ାଇଛି। ସରକାରଙ୍କର ବଜେଟ୍ ସାଇଜ ବଡ଼ ହୋଇଛି ସତ କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ତାହା ବଢ଼ି ପାରିନାହିଁ। ଖଣି ଆଧାରିତ ରାଜ୍ୟ ରାଜସ୍ୱ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ପୁରୁଷାର୍ଥ କରିବାକୁ ପଡ଼ିବ। କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନାକୁ ମୋ ସରକାର ପ୍ରାଥମିକତା ଦେଇଛି। ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମୀ ହେବାପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ଆମେ ଉଦ୍ୟମରତ। ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡ଼ିଶାର ପାରମ୍ପରିକ ଶିଳ୍ପ ଯଥା ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଁଞ୍ଚାଇବାର ବଡ଼ ଯୋଜନାକୁ କ୍ରିୟାନ୍ୱିତ କରିବା ପ୍ରକ୍ରିୟାରେ ଆମେ ଲାଗି ପଡ଼ିଛୁ।
ଦେଶ ଏବେ ଅମୃତକାଳରେ। ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ। ମାତ୍ର ଏହାର ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଆମର ସଂକଳ୍ପ ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ, ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଖାଲି ଭାରତର ନୁହେଁ ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡ଼ିବ। ହାତରେ ମାତ୍ର ୧୧ ବର୍ଷ, ମାନେ ୧୧ X ୩୬୫ ମୋଟ ୪୦୧୫ ଦିନ। ଯୋଜନାବଦ୍ଧ କଠିନ ପରିଶ୍ରମ ହିଁ ଆମର ନିଷ୍ଠା ଆମ ଆତ୍ମବିଶ୍ୱାସ ଆମର ଶକ୍ତି। ଆମ ରାଜାଙ୍କ ବିଜୟ ପାଇଁ କଳା ଧଳା ଘୋଡ଼ାରେ ଚଢ଼ି ଆମ ବଡ଼ ଠାକୁର ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ଓଡ଼ିଆଙ୍କ ଲୋକବିଶ୍ୱାସ। ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଈ ଡେଇଁ ସମୁଦ୍ର ପଥରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରି ଓଡ଼ିଶାକୁ ପ୍ରଗତୀର ଶୀର୍ଷରେ ପହଁଞ୍ଚାଇବା ପାଇଁ ଆଜି ଓଡ଼ିଆ ନୂଆବର୍ଷରେ ଆସନ୍ତୁ ଦୃଢ଼ ସଂକଳ୍ପ ନେବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/05/PxI9hxlND2F5MHDpwy2I.png)