ଆଉ ଶୁଭିବନି ‘ନିଃସଙ୍ଗ ପଦାତିକ’ଙ୍କ ପଦଧ୍ୱନି

‘ଆଇନ ପିଠିରୁ ଚମଡ଼ା ଉତାରି କରିବାକୁ ହବ ଜୋତା.., ବେଆଇନ ଭାବେ ଆଣିବାକୁ ହେବ ମଣିଷର ସ୍ବାଧୀନତା.. ଭଳି କବିତା ପଙ୍‌କ୍ତିରେ ସେ ସୃଷ୍ଟି କରିଥିଲେ ବିପ୍ଳବର ବହ୍ନି। ‘ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ.., ଆଗାମୀ କାଲିର ଏଇ ପ୍ରଭାତରେ ଖାଲିକର ତମେ ଗୋଲକ ସିଂହାସନ.. ପଙ୍‌କ୍ତିରେ ସେ ଭଗବାନଙ୍କୁ ଅହ୍ବାନ ଦେବାର ସତ୍‌ସାହସ ବି କରିଥିଲେ। ଖାସ୍‌ ଏଇଥିପାଇଁ କବିତା ସାମ୍ରାଜ୍ୟ ଭିତରେ ବାରି ହୋଇପଡ଼ୁଥିଲେ ରବି ସିଂ। ଜେଲ୍‌, ଜରିମାନା, ଲାଠି, ଗୁଳି ଭିତରେ ଜୀବନ କାଟିଥିaବା ରବି ସିଂ ସ୍କୁଲ୍‌ ମାଟି ମାଡ଼ିନଥିଲେ। ବରଂ ଯାହା ପଢ଼ିଥିଲେ, ଆପେଆପେ। ସେ ଏକ ସାକ୍ଷାତକାରରେ କହିଥିଲେ, ଜୀବନରେ ଯନ୍ତ୍ରଣା ନଥିଲେ କି ସଂଗ୍ରାମ କରିନଥିଲେ କବିତାରେ କେବେ ବି ବିପ୍ଳବର ସ୍ବର ଫୁଟିବ ନାହିଁ। ବୋଧେ ସେଇଥିପାଇଁ ସେ ଯେଉଁଠି ଭୋକିଲା ଲୋକଟେ ଦେଖୁଥିଲେ ସେଇଠି ତା’ର ଯନ୍ତ୍ରଣା ଦେଖି ଅଟକି ଯାଉଥିଲେ, ଆଉ ଲେଖୁଥିଲେ। ଆଜି ସେଇ ଅଗ୍ନିବର୍ଷୀ କବିଙ୍କ କଲମ ନିରବ ହୋଇଯାଇଛି। ଯନ୍ତ୍ରଣାରେ ଜର୍ଜ୍ଜରିତ ତାଙ୍କ କବିପ୍ରାଣ ଶାନ୍ତ ପଡ଼ିଛି। ସବୁ ବନ୍ଧନ ଶିଥିଳ କରିଦେଇ କବିତାରେ କହିଯାଇଛନ୍ତି, ‘ମୃତ୍ୟୁଠାରୁ ଜୀବନଟା ଅତୀବ ଭୀଷଣ…, ମୃତ୍ୟୁର ଶିବିରେ ଅଛି ଅପାର ଆନନ୍ଦ…

କାହିଁକି ବହିଥିଲା ବିପ୍ଳବର ଧାରା
ସ୍ବାଧୀନତା ସଂଗ୍ରାମୀ ରାମଚନ୍ଦ୍ର ସିଂ ପାଟନା କ୍ୟାମ୍ପ ଜେଲ୍‌ରେ ବନ୍ଦୀ ହୋଇଥିବା ବେଳେ ଏଣେ ଜନ୍ମ ନେଇଥିଲେ ରବି ସିଂହ। ସେତେବେଳ ତାଙ୍କର ସମସ୍ତ ଜମିବାଡ଼ି ବ୍ରିଟିସ କମ୍ପାନି ବାଜ୍ୟାପ୍ତି କରିଦେଲା। ତେଣୁ ତାଙ୍କ ମା’ ଖତଗଦା ନିକଟରେ ରବିଙ୍କୁ ଜନ୍ମ ଦେଇଥିଲେ। ଇଂରେଜ ସରକାର ତାଙ୍କ ଘରକୁ ଘେରାଉ କରି ରଖିବାରୁ ତାଙ୍କ ପରିବାରକୁ ପଡ଼ିଶା ଘରେ ଆଶ୍ରା ନେବାକୁ ପଡ଼ିଲା। ନିଜ ମା’ଙ୍କୁ ଭୋକ ଉପାସରେ ମରିଯିବା ଦେଖିଥିଲେ। ଏସବୁ ଘଟଣା ଦେଖିବା ପରେ ତାଙ୍କ ଭିତରେ ବିପ୍ଳବର ଶବ୍ଦମାନେ ଜମାଟ ବାନ୍ଧିଥିଲେ। ପ୍ରଥମେ ‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ଭଳି ଗଳ୍ପ ପୁସ୍ତକ ଲେଖିଲେ। କିନ୍ତୁ ହଠାତ୍‌ ଗଦ୍ୟର ମରୁବାଲି ଭିତରୁ କବିତାର ଧ୍ବନି ଶୁଭିଲା। ‘ନିଆଁଖୁଣ୍ଟା’ର ସମ୍ପାଦକ ଗୋଦାବରୀଶ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ବିପ୍ଳବ କବିତାର ଧାରା ବହିବା ଆରମ୍ଭ ହୋଇଥିଲା।

ନବକୃଷ୍ଣ ଚୌଧୁରୀ ମନେଇଥିଲେ, ରାଜନୀତିକୁ ଆସିଲେନି
ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ବାରିପଦା ଜେଲ୍‌ରୁ ଖଲାସ ହେବା ପରେ ତାଙ୍କ କଟକ ବାଖରାବାଦସ୍ଥିତ ବାସଗୃହରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସିତ ହୋଇଥିଲେ। ଭଲ ହୋଇଗଲା ପରେ ସେ ଯାଇ ପହଞ୍ଚିଥିଲେ ରବି ସିଂଙ୍କ ଘରେ। କହିଲେ ଦେଖ୍‌, କଂଗ୍ରେସ ରାଜୁତି ଶେଷ ହୋଇଗଲା। ଏଥର ଅଣ କଂଗ୍ରେସ ସରକାର ନିଶ୍ଚିତ। ତେଣୁ ଆସୁଥିବା ସାଧାରଣ ନିର୍ବାଚନରେ ତୁ ଗୋଟିଏ ନିର୍ବାଚନର ମଣ୍ଡଳୀରୁ ନୋମିନେସନ୍‌ ଫାଇଲ୍‌ କର। ଏହା ଶୁଣି ଶ୍ରୀ ସିଂ ହସିଦେଇ କହିଲେ, ‘ବାପି, ଆପଣ ଏ ଭୋଟ୍‌ ହେଙ୍ଗୁ କେବେଠୁ ଶୁଙ୍ଘିଲେ? ନବକୃଷ୍ଣ ଚୌଧୁରୀ ଏହା ଶୁଣି ବିଗିଡ଼ି ଯାଇଥିଲେ। ଶ୍ରୀ ସିଂ କହିଲେ, ମୋ ପାଖରେ ପଇସା କାହିଁ, ମୋତେ କିଏ କାହିଁକି ଭୋଟ୍‌ ଦବ? ଶ୍ରୀ ଚୌଧୁରୀ କହିଥିଲେ, ତୁ ଜନତା ଦଳ ଟିକେଟ୍‌ରେ ଠିଆ ହେବୁ। ଦଳ ତୋ ପାଇଁ ପଇସା ଖର୍ଚ୍ଚ କରିବ। ତୋ’ର ବିପ୍ଳବୀ ଭାବମୂର୍ତି ଓ କବି ହିସାବରେ ଲୋକପ୍ରିୟତା ତ କାହିଁରେ କ’ଣ। ତେଣୁ ତୁ ଜିତିବୁ ଓ ଅଣ କଂଗ୍ରେସ ସରକାରରେ ‌ତତେ ସଂସ୍କୃତି ବିଭାଗର ଦାୟିତ୍ବ ଦିଆଯିବ। ମାତ୍ର ଶ୍ରୀ ସିଂ ସ୍ପଷ୍ଟ କହିଲେ, ନା ବାପି ‌ମୁଁ ଏ ଭୋଟ୍‌ ବାଟରେ ବିଶ୍ବାସ କରେ ନାହିଁ।

ସମ୍ବନ୍ଧିତ ଖବର