ଭୁବନେଶ୍ବର : ସ୍ମାର୍ଟଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା ବ୍ୟବହାରକାରୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ଆଣିଥାଏ। ଏଥିଲାଗି ଅନେକ ଜରୁରୀ ଯୋଗାଯୋଗ ମଧ୍ୟ ମଝିରେ ଅଟକିଯିବାର ଆଶଙ୍କା ରହିଛି। ସେଥିଲାଗି ମୋବାଇଲଠାରୁ ଅନେକଗୁଣ ଓଜନିଆ ପାୱାରବ୍ୟାଙ୍କ୍କୁ କିଛି ଲୋକ ସାଙ୍ଗରେ ଧରି ବୁଲନ୍ତି ନହେଲେ ଚାର୍ଜର ଧରି କେଉଁଠି ବିଜୁଳି ସଂଯୁକ୍ତ ସକେଟ୍ ରହିଛି ଖୋଜନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଆ ଯୁବ ବିଜ୍ଞାନୀ ତଥା ଗବେଷକ ସୁଶାନ୍ତ ପଟ୍ଟନାୟକ ଏକ ଅଭିନବ ଉଦ୍ୟମ କରିଛନ୍ତି। ଏହାଦ୍ବାରା ସେ ତିଆରି କରିପାରିଛନ୍ତି ‘କ୍ୟାପାଟେରୀ’। ଏହି କ୍ୟାପାଟେରୀ ହେଉଛି ଏମିତି ଏକ ବ୍ୟାଟେରୀ ଯାହାକୁ ଚାର୍ଜ କରିବା ପାଇଁ ମାତ୍ର କିଛି କ୍ଷଣ ଲାଗେ ଏବଂ ଏହା ବ୍ୟାଟେରୀ ତୁଳନାରେ ଯଥେଷ୍ଟ ଲମ୍ବା ସମୟ ଚାଲିପାରେ ।
କ୍ୟାପାଟେରୀ ସମ୍ପର୍କରେ ନିଜର ବୟାନ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି କ୍ୟାପାଟେରୀ ଅନେକ ଲୋକଙ୍କୁ ମୋବାଇଲ୍ ଫୋନ୍ ବଦଳାଇବା ସମସ୍ୟାରୁ ବଞ୍ଚାଇପାରିବ । କାରଣ ସାଧାରଣ ବ୍ୟାଟେରୀ ବଦଳରେ ଲୋକେ ଏହି କାପାଟେରୀ ବ୍ୟବହାର କରିପାରିବେ ।
ଏହି କ୍ୟାପାଟେରୀ ହେଉଛି ଏକ ଅଭିନବ ଟେକ୍ନୋଲୋଜି ସମ୍ପନ୍ନ ବ୍ୟାଟେରୀ ଯେଉଁଥିରେ ଉଚ୍ଚ କ୍ଷମତାସମ୍ପନ୍ନ ସୁପର କ୍ୟାପାସିଟର, ଗ୍ରାଫିନ୍ ଏବଂ ଲିଥିୟମ୍ ପଲିମର ବ୍ୟବହାର କରାଯାଇଛି । ୭ଟି ଭିନ୍ନ ଭିନ୍ନ ଭାଗରେ ଏହା କାର୍ଯ୍ୟ କରିଥାଏ। ଏହା ଖୁବ୍ ଶୀଘ୍ର ଚାର୍ଜ ହୁଏ ଏବଂ ସାଧାରଣ ବ୍ୟାଟେରୀ ଭଳି କାର୍ଯ୍ୟ କରେ ବୋଲି ସେ କହିଛନ୍ତି ।
ଗ୍ରାହକ ଭୋଗୁଥିବା ସମସ୍ୟାକୁ ଦୂର କରିବା ଲାଗି ବ୍ୟାଟେରୀ ନିର୍ମାତାମାନେ ମୋବାଇଲ ବ୍ୟାଟେରୀର ଭୋଲ୍ଟେଜ୍ ବୃଦ୍ଧି କରୁଛନ୍ତି ହେଲେ ଏହା ସମସ୍ୟା ସମାଧାନ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଏଣୁ କ୍ୟାପାଟେରୀ ଭଳି ଅଭିନବ ଚିନ୍ତା କରାଯାଇଛି ।
ସୁଶାନ୍ତ ଏ ଭିତରେ ନିଜର ଅଭିନବ ଜ୍ଞାନ କୌଶଳ ପ୍ରୟାସ ଓ ନିର୍ମାଣ ଲାଗି ୬ ଥର ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି। ନାସା ଦ୍ବାରା ସମ୍ମାନିତ ହେବା ସହ ଗୋଲ୍ଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ପୁରସ୍କାର ପାଇଛନ୍ତି। ତାଙ୍କ ନାଁରେ ୩ଟି ଟେକ୍ନୋଲୋଜି ପ୍ୟାଟେଣ୍ଟ ବି ରହିଛି । ଏହି କ୍ୟାପାଟେରୀକୁ ବ୍ୟାଟେରୀ ନିର୍ମାତାମାନେ ଗ୍ରହଣ କରି ଆବଶ୍ୟକ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ ଚାଲିଛି ।