ଓଡ଼ିଶା... ମୋ ଓଡ଼ିଶା। କେଡ଼େ ସୁନ୍ଦର ରାଇଜ ମୋର, କେଡ଼େ ‌ମିଠା ମୋ ଭାଷା... ଓଡ଼ିଶା... ମୋ ଓଡ଼ିଶା...। କେବଳ ଭାଷା ମିଠା ନୁହେଁ, ଆମ କଳା-ସାହିତ୍ୟ-ସଂସ୍କୃତି-ପରମ୍ପରା ଓ ଧର୍ମୀୟ ଚେତନା; ସବୁକିଛି ସୁନ୍ଦର, ସ୍ବତନ୍ତ୍ର। ୧୯୩୬ ମସିହା ଏପ୍ରିଲ ପହିଲାରେ ଆମକୁ ମିଳିଲା ନିଜସ୍ବ ପରିଚୟ। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଗଠିତ ହେଲା ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ‘ଓଡ଼ିଶା’। ରାତି ପାହିଲେ ଆମ ରାଜ୍ୟକୁ ୮୮ ବର୍ଷ ପୂରିବ। ଏହି ଅବସରରେ ଓଡ଼ିଶା ସଂପର୍କରେ ୮୮ଟି ଜଣାଅଜଣା କଥାକୁ ନେଇ ବିଶେଷ ଉପସ୍ଥାପନା...

Advertisment

> ଓଡ଼ିଶାରେ ବୈଷ୍ଣବ, ଶାକ୍ତ, ସୌର ଓ ଶୈବ ଉପାସନାର ସମାନ ଗୁରୁତ୍ବ ରହିଛି। ବର୍ଷକ ମଧ୍ୟରେ ତିନି ତିନି ମାସ ବ୍ୟବଧାନରେ ଓଡ଼ିଶାରେ ଏହି ଚାରିଟି ଧର୍ମର ଚାରିଟି ରଥଯାତ୍ରା ହୁଏ। ଆଷାଢ଼ ମାସରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଶ୍ବିନ ମାସରେ ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା, ପୌଷ ମାସରେ କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା ଓ ଚୈତ୍ର ମାସରେ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା (ଅଶୋକାଷ୍ଟମୀ) ହୋଇଥାଏ।
> ମହାଭାରତରେ ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ କଥା ଉଲ୍ଲେଖ ଅଛି। କଳିଙ୍ଗ ଅଧିପତି କୌରବଙ୍କ ପକ୍ଷରେ ମହାଭାରତ ଯୁଦ୍ଧ ଲଢ଼ିଥିଲେ।
> ନୌବାଣିଜ୍ୟ ମାଧ୍ୟମରେ ଓଡ଼ିଶା ଗ୍ରୀସ୍, ରୋମ୍, ଆଫ୍ରିକା, ପାରସ୍ୟ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରିଥିଲା। କୋଣାର୍କ ମନ୍ଦିରରେ ଖୋଦିତ ଆଫ୍ରିକୀୟ ପ୍ରାଣୀ ଜିରାଫର ପ୍ରତିକୃତି ଏକଥା ପ୍ରମାଣ କରେ।
> କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାଭସା ପରମ୍ପରା ରାଜ୍ୟର ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରେ। ଶ୍ରୀଲଙ୍କା, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ୍, କାମ୍ବୋଡ଼ିଆ, ଚୀନ୍ ଓ ଜାପାନ ଆଦି ଦେଶକୁ ଯାଇ ଓଡ଼ିଶାର ସାଧବମାନେ ବାଣିଜ୍ୟ କରୁଥିଲେ।
> ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’- ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଭୀମଭୋଇଙ୍କ କବିତାର ଏହି ପଙ୍‌କ୍ତି ଜାତିସଂଘ ମୁଖ୍ୟାଳୟରେ ସ୍ଥାନ ପାଇଛି।
> ‌େକୗଣସି ଆଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର ନ କରି ଓଡ଼ିଶାର ପଠାଣି ସାମନ୍ତ ଗ୍ରହ ନକ୍ଷତ୍ରର ଗତିବିଧି ଗଣନା କରି ‘ସିଦ୍ଧାନ୍ତ ଦର୍ପଣ’ ନାମରେ ଯେଉଁ‌ ଜ୍ୟୋତିଷ ଗ୍ରନ୍ଥ ପ୍ରସ୍ତୁତ କରିଯାଇଛନ୍ତି, ତାହା ଆଜି ମଧ୍ୟ ଶତ ପ୍ରତିଶତ ନିର୍ଭୁଲ୍ ପ୍ରମାଣିତ ହେଉଛି।
> ୧୮୫୭ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆଖ୍ୟା ଦିଆଯାଉଛି। କିନ୍ତୁ, ତା’ର ବହୁ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା।
> ୧୯୩୮‌େର ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ପ୍ରାଣ ହରାଇଥିବା ୧୨ ବର୍ଷର ବାଳକ ବାଜି ରାଉତ ଭାରତୀୟ ସ୍ବାଧୀନତା ସଂଗ୍ରାମର କନିଷ୍ଠତମ ସହିଦ।
> ‘ପଞ୍ଚପ୍ୟାରେ’ ନାମରେ ନାମିତ ଗୁରୁ ଗୋବିନ୍ଦ ସିଂହଙ୍କଦ୍ବାରା ମନୋନୀତ ପାଞ୍ଚଜଣ ଶ୍ରେଷ୍ଠ ଶିଷ୍ୟଙ୍କ ମଧ୍ୟରୁ ଅନ୍ୟତମ ଭାଇ ହିମ୍ମତ ସିଂହଜୀ ଓଡ଼ିଶାର ପୁରୀରେ ଜନ୍ମ ନେଇଥିଲେ।
> ପ୍ରଖ୍ୟାତ ବଙ୍ଗୀୟ ଉପନ୍ୟାସକାର ବଙ୍କିମ ଚନ୍ଦ୍ର ଚାକିରି କାଳରେ ଓଡ଼ିଶାର ଯାଜପୁରଠାରେ ୧୮୮୨ରୁ ୧୮୮୪, ଦୁଇବର୍ଷ ଅବସ୍ଥାପିତ ହୋଇଥିବା ବେଳେ ‌କେତୋଟି ଉପନ୍ୟାସ ମଧ୍ୟ ରଚନା କରିଥିଲେ।
> ଜଗନ୍ନାଥ ମନ୍ଦିରର ଭୋଗ ପରମ୍ପରା ଖୁବ୍ ସ୍ବତନ୍ତ୍ର। କାହିଁ କେତେ ଯୁଗରୁ ନୀଳାଦ୍ରିବିଜେ ସମୟରେ ଲାଗି ହେଉଥିବା ଓଡ଼ିଶାର ରସଗୋଲାକୁ ସମ୍ପ୍ରତି ଜି.ଆଇ. ମାନ୍ୟତା ମିଳିଛି।
> ବ୍ରହ୍ମପୁର ସହର ନିକଟ ପଞ୍ଚମା ଗ୍ରାମରେ ଥିବା ବର-ଅଶ୍ବତ୍‌ଥ ଯୁଗଳବୃକ୍ଷ କୋରଡ଼ରେ ସିଦ୍ଧଗଣେଶ ପୂଜା ପାଉଛନ୍ତି। କିଂବଦନ୍ତି କହେ, ଗଜପତି ପୁରୁଷୋତ୍ତମ ଦେବ ଦ୍ବିତୀୟଥର କାଞ୍ଚି ଅଭିଯାନ ସମୟରେ ଏଠାରେ ଉଠିଥିବା ଏକ ଉଇହୁଙ୍କାକୁ ଧୋଇ ଏହି ଗଣେଶ ମୂର୍ତ୍ତିଙ୍କୁ ଆବିଷ୍କାର କରିଥିଲେ।

publive-image
> ୧୯୨୪ ଜାନୁଆରି ୧ରେ ଭାରତରେ ପର୍ତ୍ତୃଗୀଜ୍ ଶାସକଙ୍କଦ୍ବାରା ପ୍ରଚଳିତ ଏକରୁପିଆ ଓ ଅଢ଼େଇରୁପିଆ ନୋଟ୍‌ରେ ବଡ଼ଦେଉଳର ସିଂହଦ୍ବାର‌ ଚିତ୍ର ସ୍ଥାନ ପାଇଥିଲା।
> ତିବ୍ବତ ଅଞ୍ଚଳରେ ଦ୍ବିତୀୟ ବୁଦ୍ଧ ନାମରେ ପରିଚିତ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ହୋଇଥିଲେ।
> ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭, ଜାନୁଆରି ୨୩ରେ କଟକ ସହରର ଓଡ଼ିଆବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ ରେଭେନ୍ସା କଲେଜିଏଟ୍ ସ୍କୁଲ୍‌ରେ ପାଠ ପଢ଼ିଥିଲେ।
> ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ବିଶ୍ବର ସର୍ବବୃହତ୍ ମୁକ୍ତ ରଙ୍ଗମଞ୍ଚର ମାନ୍ୟତା ପାଇଛି।
> ବାଘ-ମଣିଷ ସମ୍ପର୍କ ଓ ଗବେଷଣା କ୍ଷେତ୍ରରେ ଶିମିଳିପାଳର ଖଇରୀ ବାଘୁଣୀ ବିଶ୍ୱରେ ବିରଳ କୀର୍ତ୍ତି କରିଥିଲା। ମଣିଷ ସହିତ ବାଘ ଗୋଟିଏ ଘରେ ରହିବା ଓ ଗୋଟିଏ ଶେଯରେ ଶୋଇବା ଭଳି ଉଦାହରଣ ବିଶ୍ୱରେ କ୍ବଚିତ୍ ଦେଖାଯାଇଛି।

> କେନ୍ଦୁଝରର ଜିଲ୍ଲାର ଚମ୍ପୁଆ ନିକଟରୁ ବିଶ୍ବର ଅନ୍ୟତମ ପ୍ରାଚୀନତମ ଶିଳାର ସନ୍ଧାନ ମିଳିଛି, ଯାହା ପ୍ରାୟ ୩୭୭୫ ନିୟୁତ ବର୍ଷ ପୁରୁଣା।
> ଓଡ଼ିଶାରେ ସର୍ପପୂଜାର ପରମ୍ପରା ଅତି ପ୍ରାଚୀନ। ରାଜ୍ୟର ବିଭିନ୍ନ ମନ୍ଦିରରେ ନାଗକନ୍ୟା, ନାଗବନ୍ଧ, ଅର୍ଦ୍ଧନାଗ ଓ ସର୍ପଫଣାଯୁକ୍ତ ବଳରାମଙ୍କ ବିଗ୍ରହ ଦେଖିବାକୁ ମିଳେ। କାର୍ତ୍ତିକ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ନାଗଚତୁର୍ଥୀ ବ୍ରତରେ ଓଡ଼ିଶାର ପୁରପଲ୍ଲୀରେ ଲୋକେ ଉଇମାଟି ଆଣି ସେଥିରେ ସିନ୍ଦୂର, କଜ୍ଜ୍ବଳ, ଗନ୍ଧପୁଷ୍ପ ଦେଇ ଚାଙ୍ଗୁଡ଼ିରେ ନାଗନାଗୁଣୀର ପିତୁଳା ରୂପେ ଥାପି ପୂଜା କରନ୍ତି।
> ଆସାମରେ ‘ସାହିତ୍ୟରଥୀ’ ନାମରେ ପରିଚିତ ଅାଧୁନିକ ଅହମୀୟା ସାହିତ୍ୟର ଜନକ ଲକ୍ଷ୍ମୀନାଥ ‌ବେଜବରୁଆ ୧୯୧୭ରୁ ଦୀର୍ଘ ୨୦ ବର୍ଷ ସମ୍ବଲପୁର ସହରରେ ବାସ କରୁଥିଲେ।
> ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଓଡ଼ିଶାର ରେମୁଣାଠାରେ ଜନ୍ମିତ ଜଗଦ୍‌ଗୁରୁ ଶ୍ରୀଧରସ୍ବାମୀଙ୍କ ଶ୍ରୀମଦ୍‌ଭଗବତ୍ ଗୀତା ଓ ଶ୍ରୀମଦ୍‌ ଭାଗବତର ସଂସ୍କୃତ ଟୀକା ସର୍ବଜନବିଦିତ।
> କେନ୍ଦ୍ରାପଡ଼ା ଜିଲ୍ଲାର ବବକରପୁରରେ ମହାକବି କାଳିଦାସ ପୂଜା ପାଉଥିବା ଏକ ମନ୍ଦିର ରହିଛି।
> ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ପାଇଥିବା ବିଦେଶୀମାନଙ୍କ ମଧ୍ୟରେ ଅଛନ୍ତି ଏକମାତ୍ର ଓଡ଼ିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ।
> ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆଷ୍ଟ୍ରୋନୋମିକାଲ୍‌ ୟୁନିୟନ୍‌ର ଅନୁମୋଦନକ୍ରମେ ୨୦୦୧ରେ ମହାକାଶର ଏକ ଗ୍ରହାଣୁ (ନମ୍ବର ୨୬୨୧୪)କୁ ‘କଳିଙ୍ଗ’ ନାମରେ ନାମିତ କରାଯାଇଛି।
> ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଦ୍ବିତୀୟ ସର୍ବାଧିକ କାଳ ଶାସନ କରିଥିବା ମୁଖ୍ୟମନ୍ତ୍ରୀ। ସେ ୫ ମାର୍ଚ୍ଚ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି।
> ଲୋକବିଶ୍ବାସ ଅନୁସାରେ, ନିଃସନ୍ତାନ ମହିଳାମାନେ ସନ୍ତାନପ୍ରାପ୍ତି ଆଶାରେ ଅଶୋକାଷ୍ଟମୀ ଦିନ ପାହାନ୍ତାରେ ଭୁବନେଶ୍ବରର କେଦାରଗୌରୀସ୍ଥିତ ମରୀଚିକୁଣ୍ଡ ପାଣିରେ ସ୍ନାନ କରନ୍ତି। ପ୍ରତିବର୍ଷ ଏହିଦିନ ମରୀଚିକୁଣ୍ଡର ପାଣି ବହୁ ଦାମ୍‌ରେ ନିଲାମ ହୋଇଥାଏ।
> ଓଡ଼ିଶା ହେଉଛି ଏକମାତ୍ର ପ୍ରଦେଶ ଯେଉଁଠାରେ ୧୯୪୬ ମସିହାରେ ଓଡ଼ିଶା ପୁଲିସ କ୍ୟାରିଅର୍‌ ପିଜନ୍‌ ସର୍ଭିସ୍ ଆରମ୍ଭ ହୋଇଥିଲା। ୧୯୮୨ ବନ୍ୟା ଓ ୧୯୯୯ ମହାବାତ୍ୟା ସମୟରେ ଯୋଗାଯୋଗ ପାଇଁ ପାରାଙ୍କୁ ବ୍ୟବହାର କରାଯାଇଥିଲା।
> ଇଟାଲୀର ପିସାଠାରେ ଥିବା ଆନତ ଟାୱାର୍‌ ଭଳି ଓଡ଼ିଶାର ସମ୍ବଲପୁର ଅନ୍ତର୍ଗତ ହୁମାଠାରେ ଥିବା ଶିବ ମନ୍ଦିର ମଧ୍ୟ ଢଳି ରହିଛି। ସମ୍ପ୍ରତି ଏହା ଏକ ପର୍ଯ୍ୟଟନ ସ୍ଥଳୀ।
> ଓଡ଼ିଶାର ନନ୍ଦନକାନନରେ ବିଶ୍ବର ସର୍ବପ୍ରଥମ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା। ଏଠାରେ ଥିବା ଦୁଇଟି ସାଧାରଣ ମହାବଳ ବାଘ ଦୀପକ ଓ ଗଙ୍ଗାଙ୍କ ମିଳନରୁ ୧୯୮୦ରେ ତିନିଟି ଧଳା ଶାବକ ଜନ୍ମହେବା ପରେ କ୍ରମଶଃ ଧଳାବାଘ ସଂଖ୍ୟା ବୃଦ୍ଧି ପାଇଥିଲା।
> ଓଡ଼ିଶାର ବ୍ରାହ୍ମଣୀ ନଦୀଶଯ୍ୟାରେ ଅନନ୍ତଶୟନ ମୁଦ୍ରାରେ ଥିବା ବିରାଟକାୟ ବିଷ୍ଣୁମୂର୍ତ୍ତି ସାରା ଦେଶର ବିସ୍ମୟ।
> ୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାର ଜନସଂଖ୍ୟା ୪ କୋଟି ୨୦ ଲକ୍ଷ। ୨୦୨୩ ମସିହା ସୁଦ୍ଧା ରାଜ୍ୟର ଜନସଂଖ୍ୟା ୪ କୋଟି ୭୬ ଲକ୍ଷ ହୋଇଥିବା ବେଳେ ପ୍ରତି ବର୍ଗ କି.ମି.ରେ ୨୭୦ଜଣ ବାସ କରୁଛନ୍ତି।
> ଓଡ଼ିଶାରେ ଜନ୍ମିତ ମିହିର ସେନ୍ ୧୯୫୮ ସେପ୍ଟେମ୍ବର ୨୭ରେ ଇଂଲିଶ୍ ଚାନେଲ୍ ଅତିକ୍ରମ କରିବାରେ ପ୍ରଥମ ଏସୀୟ ସନ୍ତରଣକାରୀ ଭାବେ ମର୍ଯ୍ୟାଦା ପାଇଥିଲେ।
> ଇନ୍ଧନ ବଞ୍ଚାଇବା ପାଇଁ ଏଲ୍.ଡି ପଦ୍ଧତିରେ ଇସ୍ପାତ ଉତ୍ପାଦନ କରିବାରେ ରାଉରକେଲା ଇସ୍ପାତ କାରଖାନା ହେଉଛି ଭାରତରେ ସର୍ବପ୍ରଥମ।
> ରବୀନ୍ଦ୍ରନାଥ ଠାକୁରଙ୍କର ପ୍ରସିଦ୍ଧ ‘ଗୀତାଞ୍ଜଳି’ କବିତା ସଂକଳନ ଭଳି ଓଡ଼ିଶାର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀ’ କାବ୍ୟର ନାମାନୁସାରେ ମଧ୍ୟ ଏକ ଟ୍ରେନ୍‌ର ନାମକରଣ କରାଯାଇଛି। ‘ତପସ୍ବିନୀ ଏକ୍ସପ୍ରେସ୍’ ନାମକ ଏହି ଟ୍ରେନ୍‌ ପୁରୀ ଓ ହାତିଅା (ରାଞ୍ଚି) ମଧ୍ୟରେ ଯାତାୟାତ କରୁଛି।
> ସାଧାରଣ ମଣିଷ ପରି ଶ୍ରୀଜଗନ୍ନାଥ ମଧ୍ୟ ଶରୀର ତ୍ୟାଗ କରନ୍ତି ଏବଂ ନବକଳେବର ଗ୍ରହଣ କରନ୍ତି। ନବକଳେବର ସମୟରେ ପୁରାତନ ବିଗ୍ରହରୁ ବ୍ରହ୍ମ ଆଣି ନୂତନ ବିଗ୍ରହରେ ସ୍ଥାପନ କରାଯାଏ। ଏପରି ଅଭିନବ ପରମ୍ପରା କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ଦେଖିବାକୁ ମିଳେ।
> ଚାରିଟି ଦକ୍ଷିଣ ଭାରତୀୟ ଭାଷା ଓ ସଂସ୍କୃତକୁ ଛାଡ଼ିଦେଲେ ଓଡ଼ିଆ ହିଁ ଏକମାତ୍ର ଭାଷା ଯାହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି।
> ୧୯୭୬ରେ ମୁକ୍ତିଲାଭ କରିଥିବା ମୃଣାଳ ସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମୃଗୟା’ ଓଡ଼ିଆ ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀଙ୍କର ‘ଶିକାର’ ଗଳ୍ପ ଉପରେ ଆଧାରିତ।
> ଓଡ଼ିଶାର ରାଜଧାନୀ ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଛୋଟବଡ଼ ହୋଇ ୭୦୦ରୁ ଅଧିକ ମନ୍ଦିର ରହିଛି ।
> ୨୦୧୩ରେ କେରଳ ରାଜ୍ୟରେ ମଲୟାଲମ୍ ଭାଷାରେ ‘ଓଡ଼ିଶା’ ନାମରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ଯେଉଁଥିରେ ଓଡ଼ିଆ ଭାଷାରେ ଏକ ଗୀତ ସଂଯୋଜିତ ହୋଇଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏମ୍. ପଦ୍ମକୁମାର।
> ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ସମଗ୍ର ଏସିଆ ମହାଦେଶର ସର୍ବବୃହତ୍ ଗ୍ରାମ ଭାବେ ପରିଚିତ।
> ଓଡ଼ିଶାର ଦୁଇଟି ସ୍ଥାନ ହୀରାପୁର ଓ ରାଣୀପୁର ଝରିଆଲଠାରେ ଚଉଷଠି ଯୋଗିନୀ ମନ୍ଦିର ରହିଛି।
> ଏସିଆର ସର୍ବପ୍ରଥମ ଅତ୍ୟାଧୁନିକ ଚିନିକଳ ଗଞ୍ଜାମ ଜିଲ୍ଲାର ଆସିକାରେ ସ୍ଥାପିତ ହୋଇଥିଲା।
> ଗଜପତି ଜିଲ୍ଲାର ଜିରାଙ୍ଗରେ ଥିବା ପଦ୍ମସମ୍ଭବ ମହାବିହାର ଦକ୍ଷିଣ ଏସିଆର ସର୍ବବୃହତ୍ ବୌଦ୍ଧ ମନ୍ଦିର। ୨୦୧୦ ଜାନୁଆରିରେ ମହାମାନ୍ୟ ଦଲାଇଲାମା ଏହାକୁ ଉଦ୍‌ଘାଟନ କରିଥିଲେ।
> ଓଡ଼ିଶାର ଓଡ଼ିଶୀ ନୃତ୍ୟ ଦେଶର ଅନ୍ୟତମ ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ।
> ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ପ୍ରଥମ ଓଡ଼ିଆ ଭାବେ ହିନ୍ଦୀ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ରାଜଶ୍ରୀ ପ୍ରଡକ୍‌ସନ୍ସ ପ୍ରଯୋଜିତ ‘ପହେଲି’ ୧୯୭୭ରେ ମୁକ୍ତିଲାଭ କରିଥିଲା।
> ହିନ୍ଦୀ ଚଳଚ୍ଚିତ୍ର ‘ଅଙ୍କୁର’ରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ପ୍ରଥମ ଓଡ଼ିଆ ହେଉଛନ୍ତି ସାଧୁ ମେ‌େହର।
> ଖଣିଜ ସମ୍ପଦ ଦୃଷ୍ଟିରୁ ଝାଡ଼ଖଣ୍ଡ ପରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ। ଦେଶର ୯୨% ନିକେଲ୍, ୮୩% କ୍ରୋମାଇଟ୍, ୫୫% ବକ୍ସାଇଟ୍, ୩୮% ଲୁହାପଥର ଓ ୨୬% କୋଇଲା ରହିଛି ଓଡ଼ିଶାରେ।
> ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶା ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କଦ୍ବାରା ରଚିତ ‘ଚର୍ଯ୍ୟାପଦ’ ଓଡ଼ିଆ ଭାଷାର ଅନ୍ୟତମ ପ୍ରାଚୀନ ସାହିତ୍ୟକୃତି।
> ୨୦୨୧-୨୨ ଆର୍ଥିକ ବର୍ଷରେ ୨୯୫୨ କୋଟି ଲାଭ କରିଥିବା ଓଡ଼ିଶାର ନବରତ୍ନ କମ୍ପାନି ନାଲକୋ ଦେଶର ଅନ୍ୟତମ ସର୍ବବୃହତ୍ ଶିଳ୍ପାନୁଷ୍ଠାନ।
> ୨୦୧୧ ଜନଗଣନା ଅନୁସାରେ ଦେଶର ମୋଟ୍ ଆଦିବାସୀ ଜନସଂଖ୍ୟାର ୯.୭% ଓଡ଼ିଶାରେ ବାସ କରନ୍ତି। ରାଜ୍ୟ ଜନସଂଖ୍ୟାର ୨୨.୮୫% ହେଉଛନ୍ତି ଆଦିବାସୀ। ୬୨ଟି ଆଦିବାସୀ ସଂପ୍ରଦାୟ ଏଠାକାର ଅଧିବାସୀ।
> ଓଡ଼ିଶାର ପଖାଳ ଏବେ ସାରା ବିଶ୍ବରେ ଜନପ୍ରିୟ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପଖାଳ ଦିବସ ପାଳିତ ହେଉଛି।
ଓଡ଼ିଶାର କ୍ରୀଡ଼ା
> ୨୦୧୮ ଏବଂ ୨୦୨୩ ମସିହାରେ କ୍ରମାଗତ ଦୁଇ ସଂସ୍କରଣ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରି ଓଡ଼ିଶା ନୂଆ ରେକର୍ଡ ସୃଷ୍ଟି କରିଛି। ବିଶ୍ବ ହକିରେ ଏହା ଅପୂର୍ବ ଘଟଣା।
> ଏକଦା ସର୍ବାଧିକ ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ହକି କିଂବଦନ୍ତି ଦିଲ୍ଲୀପ ତିର୍କି ବିଶ୍ବରେକର୍ଡର ଅଧିକାରୀ ହୋଇଥିଲେ।
> ‘ବଚନ’ ନାମରେ ପରିଚିତ ଅବଦୁଲ ମଜିଦ୍ ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳିଥିଲେ। ମହିଳା ଫୁଟ୍‌ବଲ୍‌ରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ନାମରେ ରହିଛି ଏହି ରେକର୍ଡ।
> ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ଟେଷ୍ଟ୍ ଓ ଦିନିକିଆ କ୍ରିକେଟର୍‌ ଦେବାଶିଷ ମହାନ୍ତି। ସେ ୧୯୯୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେହିପରି ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ପ୍ରଥମ ମହିଳା ମାଧୁରୀ ମେହେଟ୍ଟା।
> ଉଭୟ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ପାଇଥିବା ରାଜ୍ୟର ଦୁଇ ବିରଳ ଖେଳାଳି ହେଲେ ଦିଲୀପ ତିର୍କି ଓ ଇଗ୍ନେସ ତିର୍କି।
> ପ୍ରଥମ ଦୁଇ ଓଡ଼ିଆ ଖେଳାଳି ଭାବେ ଅଲିମ୍ପିକ୍ସ ପଦକ ଜିତିବାର ଗୌରବ ପାଇଛନ୍ତି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକଡ଼ା। ଉଭୟ ୨୦୨୧ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।
> ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ହେଉଛି ଏଫ୍‌ଆଇଏଚ୍‌ ସ୍ୱୀକୃତିପ୍ରାପ୍ତ ବିଶ୍ବର ସର୍ବବୃହତ୍‌ ହକି ଷ୍ଟାଡିୟମ୍।

ଓଡ଼ିଶାର ନାରୀ

publive-image
> ଖ୍ରୀଷ୍ଟୀୟ ୮ମ ଓ ୯ମ ଶତାବ୍ଦୀରେ ଭୌମକର ବଂଶର ଶାସନ କାଳରେ ପ୍ରଥମ ତ୍ରିଭୁବନ ଦେବୀଙ୍କଠାରୁ ଆରମ୍ଭ କରି ସାତଜଣ ରାଣୀ ଓଡ଼ିଶା ରାଜ୍ୟ ଶାସନ କରିଥିଲେ।
> ଲକ୍ଷ୍ମୀ ପଣ୍ଡା ହେଉଛନ୍ତି ପ୍ରଥମ ଓ ଏକମାତ୍ର ଓଡ଼ିଆ ଝିଅ ଯେ କି ମାତ୍ର ୧୪ ବର୍ଷ ବୟସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍‌ ଫୌଜର ରାଣୀ ଝାନ୍‌ସୀ ମହିଳା ରେଜିମେଣ୍ଟ୍‌ରେ ଯୋଗ ଦେଇଥିଲେ।
> ନନ୍ଦିନୀ ଶତପଥୀ ସ୍ବାଧୀନ ଭାରତର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ। ୧୪ ଜୁନ୍‌ ୧୯୭୨ରେ ସେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ।
> ୧୯୮୦ ମସିହାରେ ପ୍ରଥମ ଓଡ଼ିଆ ଭାବେ ଅର୍ଜୁନ ପୁରସ୍କାର ଜିତିଥିଲେ ସାଇକ୍ଲିଷ୍ଟ୍ ମିନତି ମହାପାତ୍ର। ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇବାରେ ପ୍ରଥମ ପୁରୁଷ ଓଡ଼ିଆ ହେଉଛନ୍ତି ଭାରୋତ୍ତୋଳକ ବିଜୟ କୁମାର ଶତପଥୀ।
> ଜାତୀୟ ମହିଳା କମିସନ୍‌ର ପ୍ରଥମ ଅଧ୍ୟକ୍ଷା ଥିଲେ ସ୍ବର୍ଗତା ଜୟନ୍ତୀ ପଟ୍ଟନାୟକ।
> ଓଡ଼ିଶାର ପ୍ରଥମ ଲେଖିକା ଭାବେ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ‘ଜ୍ଞାନପୀଠ’ ପାଇଛନ୍ତି ଡ. ପ୍ରତିଭା ରାୟ।
> ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି।
> ଦୀର୍ଘ ଦୁଇ ଦଶନ୍ଧି (୨୦୦୨-୨୦୨୨) ଧରି ୧୦୦ ମିଟର୍ ମହିଳା ବାଧାଦୌଡ଼ ରେକର୍ଡ (୧୩. ୩୮ ସେକେଣ୍ଡ୍‌)କୁ ନିଜ ନାମରେ ରଖିଥିଲେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ।

ପଦ୍ମ ସମ୍ମାନ ଓ ଓଡ଼ିଶା
> ଜାତୀୟସ୍ତରରେ ଓଡ଼ିଶାର ପ୍ରତିଭାଶାଳୀ ବ୍ୟକ୍ତିତ୍ବମାନେ ନିଜ ଦକ୍ଷତା ବଳରେ ଓଡ଼ିଶାକୁ ଗୌରାବାନ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୯୧ ଜଣ ବ୍ୟକ୍ତିତ୍ବ କଳା, ସାହିତ୍ୟ, ଶିକ୍ଷା, କୃଷି, ସମାଜସେବା, ଚିକିତ୍ସା, କ୍ରୀଡ଼ା, ବିଜ୍ଞାନ ଓ ବାଣିଜ୍ୟ ଆଦି କ୍ଷେତ୍ରରେ ନିଜ ଅନନ୍ୟ ଅବଦାନ ପାଇଁ ଭାରତ ସରକାରଙ୍କଠାରୁ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। ସେହିଭଳି ପ୍ରତିଭା ରାୟ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରଘୁନାଥ ମହାପାତ୍ର, ତ୍ରିଲୋଚନ ପ୍ରଧାନ, ଗୋପୀନାଥ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ, ରାଧାନାଥ ରଥ, ନୀଳକଣ୍ଠ ଦାସ, ଡ. ପ୍ରାଣକୃଷ୍ଣ ପରିଜା ପ୍ରମୁଖ ‘ପଦ୍ମ ଭୂଷଣ’ର ଅଧିକାରୀ ହୋଇପାରିଛନ୍ତି। ଅନ୍ୟପଟେ ଭାରତର ଦ୍ବିତୀୟ ସବୋର୍ଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ବିଭୂଷଣ’ ପ୍ରସ୍ତରଶିଳ୍ପୀ ରଘୁନାଥ ମହାପାତ୍ର, କବି ସୀତାକାନ୍ତ ମହାପାତ୍ର, ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର ଓ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପ୍ରଦାନ କରାଯାଇଛି। ସେହିଭଳି, ଭ‌ାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ଭଳି କିଛି ପ୍ରତିଭାବାନ୍‌ ଓଡ଼ିଆ ବାହାର ରାଜ୍ୟରୁ ମଧ୍ୟ ପଦ୍ମ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି।

ଇତିହାସ ଆଇନାରେ
> ଓଡ଼ିଅା ରାଜାମାନଙ୍କର ରାଜତ୍ବର ଇତିହାସ ଓ ଶ୍ରୀମନ୍ଦିରର ଦୈନିକ ନୀତିର ବିବରଣୀ ବହୁ ପ୍ରାଚୀନ କାଳରୁ ‘ମାଦଳାପାଞ୍ଜି’ରେ ଲିପିବଦ୍ଧ ହୋଇ ରହିଛି। ଏହା ଓଡ଼ିଶା ଇତିହାସର ଅନ୍ୟତମ ସର୍ବପ୍ରାଚୀନ ଲିଖିତ ଦଲିଲ।
> ଧଉଳିଗିରିରେ ଥିବା ଅଶୋକଙ୍କ ଶିଳାଲେଖରୁ ଖ୍ରୀଷ୍ଟପୂର୍ବ ୨୬୧ରେ ହୋଇଥିବା କଳିଙ୍ଗ ଯୁଦ୍ଧର ପ୍ରମାଣ ମିଳେ। ଏହି ଯୁଦ୍ଧର ବ୍ୟାପକ ନରସଂହାର ଚଣ୍ଡାଶୋକଙ୍କୁ ଧର୍ମାଶୋକ କରିଥିଲା।
> ଚୀନ୍‌ର ପରିବ୍ରାଜକ ହୁଏନ୍‌ସାଂ ଖ୍ରୀଷ୍ଟୀୟ ୭ମ ଶତାବ୍ଦୀରେ ଓଡ଼ିଶା ଭୂଖଣ୍ଡର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଯେଉଁ ତଥ୍ୟ ଲିପିବଦ୍ଧ କରିଯାଇଛନ୍ତି ତାହା ତତ୍କାଳୀନ ଓଡ଼ିଶାର ସମୃଦ୍ଧିର ପ୍ରମାଣ ବହନ କରେ।
> ଓଡ଼ିଶା ଭାରତର ଶେଷ ରାଜ୍ୟ ଭାବେ ୧୮୦୩ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ୍ ଶାସନ କବଳକୁ ଆସିଥିଲା। ୧୮୦୪ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ବିଦ୍ରୋହର ରଣହୁଙ୍କାର ଶୁଭିଥିଲା।
> ମାର୍ଚ୍ଚ ୧୯୨୧ରେ ଗାନ୍ଧିଜୀ ପ୍ରଥମଥର ଓଡ଼ିଶା ଆସିବା ପରେ ଏଠାରେ ସ୍ବାଧୀନତା ସଂଗ୍ରାମ କ୍ଷେତ୍ରରେ ନୂଆ ଉତ୍ସାହର ଲହରି ଖେଳିଯାଇଥିଲା।
> ୧୯୩୧ରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ଗୋଲ୍‌ ଟେବୁଲ୍ ବୈଠକରେ ଯୋଗଦେଇ ପାରଳା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଯେଉଁ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ ତାହା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ମାର୍ଗ ଖୋଲି ଦେଇଥିଲା।
> ୧୯୪୨ରେ ଇରମ୍‌ଠାରେ ନିରସ୍ତ୍ର ଜନତା ଉପରେ ଗୁଳିବର୍ଷଣ କରାଯିବାରୁ ବହୁ ସତ୍ୟାଗ୍ରହୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଓଡ଼ିଶାର ଜାଲିୱାନାୱାଲାବାଗ୍‌ କହାଯାଏ।
> ୧୯୩୪ରେ ମହାତ୍ମା ଗାନ୍ଧୀ ପୁରୀରୁ ଐତିହାସିକ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ।
> ଓଡ଼ିଶା ଇତିହାସରେ ପ୍ରଜାମଣ୍ଡଳ ଆନ୍ଦୋଳନ କାଳରେ ଇଂରେଜ ପଲିଟିକାଲ୍ ଏଜେଣ୍ଟ୍ ବେଜେଲ୍‌ଗେଟ୍‌ଙ୍କୁ ରଣପୁର ଗଡ଼ଜାତର ଉତ୍ତ୍ୟକ୍ତ ଜନତା ୧୯୩୯ ମସିହା ଜାନୁଆରି ୫ ତାରିଖରେ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ହୋଇ ଫାଶୀ ପାଇଥିବା ଦୁଇ ସଂଗ୍ରାମୀ ଯୁବକ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ସହିଦ ରଘୁ-ଦିବାକର ନାମରେ ଖ୍ୟାତ।
> ‘ବାଘାଯତୀନ୍‌’ ନାମରେ ଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଯତୀନ୍ଦ୍ରନାଥ ମୁଖାର୍ଜୀ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଜଙ୍ଗଲରେ ଆତ୍ମଗୋପନ କରି ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଳାଇଥିଲେ। ଏହି ସଂଗ୍ରାମର ଶେଷ ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାର ଚଷାଖ‌ଣ୍ଡ ଗ୍ରାମ ନିକଟରେ ଘମାଘୋଟ ଲଢ଼େଇରେ ସେ ସହିଦ ହୋଇଥିଲେ।

ପ୍ରକୃତି ଓ ପରିବେଶ
> ଓଡ଼ିଶା ଉପକୂଳସ୍ଥ ୧୧୦୦ ବର୍ଗ କି.ମି. ପରିମିତ ଚିଲିକା ହ୍ରଦ ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ। ଶୀତଋତୁରେ ଏହି ହ୍ରଦରେ ଅସୁମାରି ବିଦେଶାଗତ ପକ୍ଷୀଙ୍କ ସମାଗମ ହୁଏ।
> ସମୂହ ଅଣ୍ଡାଦାନ ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଅସଂଖ୍ୟ ଅଲିଭ୍ ରିଡ୍‌ଲେ କଇଁଛ ଓଡ଼ିଶା ଉପକୂଳର ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସନ୍ତି।
> କୁମ୍ଭୀର ସଂରକ୍ଷଣ ଓ ଗବେଷଣାରେ ବିଶ୍ୱରେ ଓଡ଼ିଶା ଅନନ୍ୟ। ଓଡ଼ିଶା ହିଁ ଏକମାତ୍ର ରାଜ୍ୟ ଯେଉଁଠି ଘଡ଼ିଆଳ, ଗୋମୁହାଁ (ମଗର) ଓ ବଉଳା ଆଦି ତିନୋଟି ପ୍ରଜାତିର କୁମ୍ଭୀର ଅଛନ୍ତି।
> ଶିମିଳିପାଳ ଜଙ୍ଗଲ ବିରଳ ପ୍ରଜାତିର ଅର୍କିଡ୍‌ରେ ପରିପୂର୍ଣ୍ଣ। ଏଠାରେ ୧୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ଅର୍କିଡ୍‌ ଦେଖ‌ାଯାଏ। ଶିମିଳିପାଳର ତାପମାତ୍ରା ବିବିଧତା ମଧ୍ୟ ସ୍ୱତନ୍ତ୍ର, ଯାହା ଅନ୍ୟ କୌଣସି ଜଙ୍ଗଲରେ ଅନୁଭୂତ ହୁଏନାହିଁ।
> ବୌଦ୍ଧରୁ ନୟାଗଡ଼ ଜିଲ୍ଲା ମଧ୍ୟ‌େର ପୂର୍ବଘାଟ ପର୍ବତମାଳା ଅତିକ୍ରମ କରିବା ପାଇଁ ମହାନଦୀ ଏକ ସଂକୀର୍ଣ୍ଣ ଗିରିପଥରେ ପ୍ରବେଶ କରିଛି। ସେଠାରେ ସାତକୋଶ ବ୍ୟାପୀ ସୃଷ୍ଟି ହୋଇଥିବା ଗଭୀର ଗଣ୍ଡର ନାଁ ‘ସାତକୋଶିଆ’।
> ନାଲିକଙ୍କଡ଼ା ସମାଗମ ଲାଗି ବାଲେଶ୍ବର ଜିଲ୍ଲାର ତାଳସାରିସ୍ଥିତ ବେଳାଭୂମି ଦେଶରେ ପ୍ରସିଦ୍ଧ।
> ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା।
> ଦେଶର ଦ୍ବିତୀୟ ବୃହତ୍‌ ହେନ୍ତାଳ ବନ ହେଉଛି ଭିତରକନିକା।