ଷୋଡ଼ଶ ବିଧାନସଭା : ଏପାଖ ସେପାଖ

ତାରା ହେଲେ ପ୍ରଥମ ପ୍ରଶ୍ନକର୍ତ୍ତା
ଷୋଡ଼ଶ ବିଧାନସଭାର ଆଜି ଥିଲା ପ୍ରଥମ ପ୍ରଶ୍ନକାଳ। ଆଉ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହୋଇଥିଲେ ପ୍ରଥମ ପ୍ରଶ୍ନକର୍ତ୍ତା। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ସେ ତାରକା ପ୍ରଶ୍ନ କରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତର ଦେଲା ବେଳେ ବି ତାରା ବାବୁ ପ୍ରଥମ ପ୍ରଶ୍ନକର୍ତ୍ତା ବୋଲି ଉଲ୍ଲେଖ କରିଥିଲେ ଏବଂ ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଥିଲେ। ତାରା ସେତେବେଳେ ନିଜ ଆସନରେ ବସି ହସୁଥିବା ଦେଖା ଯାଇଥିଲା।

ତୁ ଚାଷୀ ମୁଁ ଚାଷୀ
ପ୍ରଶ୍ନକାଳରେ ଚାଷ ସମ୍ପର୍କରେ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ପ୍ରଶ୍ନ କରୁଥିଲେ। ସେତେବେଳେ ସେ ନିଜକୁ ଚାଷୀ ବୋଲି କହିବା ସହ ମହାରଥୀଙ୍କ ଉଦ୍ଦେଶ୍ୟରେ କହିଥିଲେ ତୁ ଚାଷୀ ମୁଁ ଚାଷୀ। ପୁଣି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଲକ୍ଷ୍ୟ କରି କହିଲେ, ରାଜା ବାବୁ ତୁମେ ବି ଚାଷୀ। ତାରା ବି କଥା ପ୍ରସଙ୍ଗରେ କହି‌େଲ, ‌ମୁଁ ସମ୍ପୂର୍ଣ୍ଣ ଚାଷୀ। ମୋର ଚାଷ ବାଦ୍ ଆଉ କିଛି ବୃତ୍ତି ନାହିଁ।

କୃଷି ମନ୍ତ୍ରୀ କୋରାପୁଟ ଯିବେ
କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ତାରା ବାହିନୀପତି ପ୍ରଶ୍ନ କରୁଥିଲେ। ନିଜ ନିର୍ବାଚନମଣ୍ଡଳୀରେ କୃଷି କ୍ଷେତ୍ର କିପରି ପ୍ରଭାବିତ ହୋଇଛି ସେ ସମ୍ପର୍କ‌େର ବାହିନୀପତି ବର୍ଣ୍ଣନା କରି ଉଦ୍‌ବେଗ ପ୍ରକାଶ କରିଥିଲେ। ମନ୍ତ୍ରୀ କହିଥିଲେ, ମୁଁ କୋରାପୁଟ ଗସ୍ତ କରି ସବୁ ସମସ୍ୟା ଅନୁଧ୍ୟାନ କରିବି ଓ ସମାଧାନ ପାଇଁ ପଦକ୍ଷେପ ନେବି। ବାଚସ୍ପତି ବି ମନ୍ତ୍ରୀଙ୍କୁ କହିଥିଲେ, ବିଧାନସଭା ସରିଲା ପରେ ବିଧାୟକଙ୍କୁ ନେଇ କୋରାପୁଟ ଯାଆନ୍ତୁ।

ସୌଭିକ ପଚାରିଲେ ପ୍ରଥମ ପ୍ରଶ୍ନ
ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୟସରେ ମଧ୍ୟ ସେ ବହୁତ ସାନ। ଆଜି ଯୋଗାଣ ବିଭାଗ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ ସୌଭିକ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନ ପଚାରିବା ପୂର୍ବରୁ ତାଙ୍କୁ ନିର୍ବାଚନରେ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ପିତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦ କଥା ମଧ୍ୟ କହିଥିଲେ। ଗଣତନ୍ତ୍ରର ମନ୍ଦିରରେ ସେ ବସିଥିବାରୁ ଓ ପ୍ରଥମ ଥର ପାଇଁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ପ୍ରଥମ ଥର ପ୍ରଶ୍ନ କରିଥିବାରୁ ଅଭିନନ୍ଦନ ବି ଜଣାଇଥିଲେ।

ଅଧା ରହିଗଲା ସମୀରଙ୍କ ଉତ୍ତର
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଶିକ୍ଷା ବିଭାଗର ଅବ୍ୟବସ୍ଥା ନେଇ ନିଜ ଜିଲ୍ଲାର ଦୁଇ ବିଧାୟକ ପ୍ରଦୀପ ମହାରଥୀ ଓ ଉମାକାନ୍ତ ସାମନ୍ତରାୟ ପ୍ରଶ୍ନ କରିଥିଲେ। ମହାରଥୀଙ୍କ ତିନିଟି ପ୍ରଶ୍ନ ମଧ୍ୟରୁ ଗୋଟିଏ ଥିଲା ୧୫/୨୦ ବର୍ଷ ଧରି ଗୋଟିଏ ସ୍କୁଲରେ ରହୁଥିବା ଶିକ୍ଷକଙ୍କୁ କାହିଁକି ବଦଳି କରାଯାଉନି ? ମନ୍ତ୍ରୀ ପ୍ରଥମ ଦୁଇଟି ପ୍ରଶ୍ନର ଟିକେ ଲମ୍ବା ଉତ୍ତର ଦେଉଥିଲେ। ମହାରଥୀ ପାଟି କଲେ, ଶିକ୍ଷକଙ୍କ ବଦଳି କଥା ଜଲ୍‌ଦି କୁହ। କିନ୍ତୁ ମନ୍ତ୍ରୀ ତାହାର ଉତ୍ତର ଦେବା ପୂର୍ବରୁ ବାଚସ୍ପତି ପ୍ରଶ୍ନକାଳ ‌ଶେଷ ବୋଲି ଘୋଷଣା କଲେ।

ଆଲୋଚନାରେ ଭାଗ ନେଲେ ନୂଆ ବିଧାୟକ
ଆଜି ବିଧାନସଭାର ପ୍ରଥମାର୍ଦ୍ଧ‌େର ୬ ଜଣ ନୂଆ ବିଧାୟକ ଆଲୋଚନାରେ ଭାଗ ନେବାର ସୁଯୋଗ ପାଇଥିଲେ। ପ୍ରଶ୍ନକାଳରେ ବିଜେଡି ସଭ୍ୟ ପ୍ରଶାନ୍ତ ବେହେରା ଓ ସୌଭିକ ବିଶ୍ବାଳ ଅତିରିକ୍ତ ପ୍ରଶ୍ନ କରିଥିଲେ। ସେହିପରି ଶୂନ୍ୟକାଳରେ ସୁଯୋଗ ପାଇଥିଲେ ବିଜେପି ସଭ୍ୟ ମଦନ ମୋହନ ଦତ୍ତ। ମୁଲତବୀ ଆଲୋଚନାରେ ଭାଗ ନେଇଥିଲେ ବିଜେପିର ମୁକେଶ ମହାଲିଙ୍ଗ ଓ କଂଗ୍ରେସର ଅଧିରାଜ ମୋହନ ପାଣିଗ୍ରାହୀ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଜେଡି ସଦସ୍ୟା ଲତିକା ପ୍ରଧାନ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର