୭୬ବର୍ଷରେ ନବୀନ : କ୍ଷମତାରେ ଦୁଇ ଦଶନ୍ଧି ପରେ ବି ‘ଚମକ’ ଅମଳିନ

 

ଆଜି ଅକ୍ଟୋବର ୧୬ ତାରିଖ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ଆଜିଠାରୁ ତାଙ୍କୁ ପଞ୍ଚସ୍ତରି ପୂରି ଛଅସ୍ତରି ବର୍ଷ ଚାଲିଲା। ଏ ବର୍ଷ ସେ ତାଙ୍କର ଜନ୍ମଦିନ ପାଳନ କରୁନାହାନ୍ତି। କୋଭିଡ୍ ମହାମାରୀ ସମୟରେ ରାଜ୍ୟବାସୀ ହତାଶା ଓ ଆଶଙ୍କାର ଘନଘଟା ଭିତରେ ଜୀବନ କାଟୁଥିବା ବେଳେ ତାଙ୍କ ଭଳି ଜଣେ ସମ୍ବେଦନଶୀଳ ଜନନେତା କିପରି ବା ଜନ୍ମଦିନ ପାଳନ କରିପାରିଥାଆନ୍ତେ! ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବି ସେ ଜନ୍ମଦିନ ପାଳି ନଥିଲେ। ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଜଣେ ଚକମପ୍ରଦ ବ୍ୟକ୍ତିତ୍ବ। ସିଏ ପ୍ରତିଷ୍ଠା କରିଥିବା ରେକର୍ଡ ଅନେକ ବର୍ଷ ପର୍ଯ୍ୟନ୍ତ ସେହିପରି ଅମଳିନ ରହିବ, ଆଉ କେହି ଭାଙ୍ଗିବାର ସମ୍ଭାବନା ମଧ୍ୟ କ୍ଷୀଣ। ଆନନ୍ଦର କଥା ଲଗାତାର ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ସତ୍ତ୍ବେ ଆଜି ବି ସେ ତାଙ୍କ ରାଜ୍ୟର ସବୁଠାରୁ ପ୍ରିୟ ଜନ‌ନେତା। ଏହା କେବଳ ଉଲ୍ଲେଖନୀୟ ନୁହେଁ, ଈର୍ଷଣୀୟ ମଧ୍ୟ। ନବୀନ ପଟ୍ଟନାୟକଙ୍କୁ ଯାହା ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଆକର୍ଷଣୀୟ କରିଛି, ତାହା ହେଉଛି ତାଙ୍କ ବ୍ୟକ୍ତିତ୍ବର କୋମଳ ଦିଗ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ ଗାଦିରେ ରହିଥିବା ସତ୍ତ୍ବେ ତାଙ୍କ ସାଧୁତା ଏ ଯାବତ୍‌ ପ୍ରଶ୍ନାତୀତ ହୋଇ ରହିଛି। ସାଧାରଣ ନାଗରିକଙ୍କ ପ୍ରତି ତାଙ୍କର ମନୋଭାବ ବିଭିନ୍ନ ସମୟରେ ଜନ ପ୍ରତିନିଧି ବା ପ୍ରଶାସକମାନଙ୍କୁ ସେ ପ୍ରଦାନ କରୁଥିବା ଉପଦେଶ ବା ମାର୍ଗଦର୍ଶନରେ ପ୍ରତିଫଳିତ ହୋଇ ତାଙ୍କ ସମ୍ବେଦନଶୀଳତାକୁ ସାବ୍ୟସ୍ତ କରିଛି। କେବଳ ସେତିକି ନୁହେଁ, ତାଙ୍କର ଅଦ୍ଭୁତ ସଫଳତା କେବଳ ତାଙ୍କ ରାଜ୍ୟ ଲାଗି ନୁହେଁ, ସମଗ୍ର ଦେଶ ପାଇଁ ନେତୃତ୍ବ ପ୍ରଦାନର ସାମର୍ଥ୍ୟକୁ ନୂତନ ଭାବେ ପରିଭାଷିତ କରିଛି।

mudhimixture.com

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୭୫ ପୂରି ଆଜିଠାରୁ ୭୬ ଚାଲିଲା। ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍‌ଲିଂ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ଦେଶର ତୃତୀୟ, ଯିଏ କ୍ରମାଗତ ଭାବେ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡ଼ିଶା ରାଜନୀତିକୁ ପାଖାପାଖି ୨୦ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣ ଭିତରେ ରଖିଥିବା ନବୀନଙ୍କ ପାଇଁ ଏହି ବର୍ଷଟି ବ୍ୟକ୍ତିଗତ ଭାବେ ଯେତିକି ମହତ୍ତ୍ବପୂର୍ଣ୍ଣ, ରାଜନୈତିକ ଦୃଷ୍ଟିକୋଣରୁ ସେତିକି ଗୁରୁତ୍ବପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ନେତାଙ୍କ ପାଇଁ ୭୫ବର୍ଷ ବୟସର ଏକ ଅଲିଖିତ ଅବସର କଟକଣା ଜାରି କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଗୁ ହେବ କି ନାହିଁ, ଅନ୍ୟ ରାଜନୈତିକ ଦଳ ଏହାର ସପକ୍ଷରେ ନା ବିପକ୍ଷରେ ତାହା ପ୍ରସଙ୍ଗ ନୁହେଁ। ଏଠାର ଆଲୋଚନାର ବିଷୟ ହେଲା, ଗୋଟିଏ ପକ୍ଷ ଯୁକ୍ତି ରଖନ୍ତି ଯେ ଶୀର୍ଷସ୍ତରରେ ବୟସ କଟକଣା ନ ରହିଲେ, ପରପିଢିର ଭବିଷ୍ୟତ ରାସ୍ତା ଅବରୋଧ ନିଶ୍ଚିତ। ଅନ୍ୟ ଗୋଟିଏ ବର୍ଗଙ୍କ ମତ ହେଉଛି, ଏହି ବୟସ ନିଜ ପରିପକ୍ବତାର ପ୍ରଦର୍ଶନ ପାଇଁ ଉପଯୁକ୍ତ ସମୟ ବୋଲି କୁହାଯାଇପାରେ। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ଅପ୍ରାସଙ୍ଗିକ ବୋଲି କହି ଏଡ଼ାଇ ଦିଆଯାଇପାରିବ ନାହିଁ।

ବୋଧହୁଏ, ନବୀନ ପଟ୍ଟନାୟକ ଏଥିନିମନ୍ତେ ବେଶ୍‌ ସତର୍କ ଅଛନ୍ତି। ଢେର୍ ଆଗରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିଜର ଉତ୍ତରାଧିକାରୀ ସଂପର୍କରେ ସେ ଅତ୍ୟନ୍ତ ସ୍ପଷ୍ଟମତ ରଖି କହିଛନ୍ତି ନିଜ ପରିବାରରୁ କାହାକୁ ଆଣି ରାଜନୀତିରେ ଥଇଥାନ କରିବେ ନାହିଁ। ବରଂ ଓଡ଼ିଶାର ନେତା, ନିଜେ ଓଡ଼ିଶାବାସୀ ବାଛିବେ। ଅନ୍ୟପଟରେ ତାଙ୍କ ଦୃଷ୍ଟି ଓ ବିଚାରରେ ସେ ଓଡ଼ିଶାକୁ ନୂଆ ରୂପ ଦେବା ଲାଗି ‘‘ସର୍ବାନ୍ତରୀକୃତ ପରିବର୍ତ୍ତନ’’ (୫-ଟି) ଉପରେ ଜୋର ଦେଇଛନ୍ତି; ପଞ୍ଚମପାଳି ମୁଖ୍ୟମନ୍ତ୍ରୀତ୍ବର ଶପଥ ଗ୍ରହଣ ଦିନଠାରୁ।

ଏକଥା କାହାକୁ ଅଛପା ନାହିଁ ଯେ ନବୀନଙ୍କ ବ୍ୟକ୍ତିଗତ ଜୀବନଟି ଅତ୍ୟନ୍ତ ରହସ୍ୟପୂର୍ଣ୍ଣ। ବିଜୁ ପଟ୍ଟନାୟକଙ୍କ ପୁଅ, ଡୁନ୍ ସ୍କୁଲ ପାଠପଢା ଓ ତିନି ଖଣ୍ଡ ବହି ଛଡା ତାଙ୍କ ସଂପର୍କରେ ଆଉ ଯାହା ଅନ୍ୟମାନେ ଜାଣନ୍ତି, ତା’ ଆଧାର ହେଉଛି, ବିଭିନ୍ନ ପୁସ୍ତକରେ ତାଙ୍କୁ ନେଇ ଲେଖାଯାଇଥିବା କିଛି କଥା, ସମବୟସ୍କ ବା ତାଙ୍କ ନିଜ ମୁହଁରୁ ବାହାରିଥିବା ବେଳେ ବେଳେ କେଇ ପଦ ମତମନ୍ତବ୍ୟ ଭିତରେ ସୀମିତ।

ହେଲେ ଏୟା ବି ସତ ଯେ ନବୀନ ତାଙ୍କ ଜୀବନର ପ୍ରଥମ ପାଞ୍ଚ ଦଶନ୍ଧି ଭିତରେ ବିଶ୍ବକୁ ପଢିଛନ୍ତି, ଦେଖିଛନ୍ତି ଓ ଭାରତର ଶ୍ରେଷ୍ଠ ବ୍ୟକ୍ତିଙ୍କ ସାନିଧ୍ୟକୁ ଆଦୌ ହାତଛଡ଼ା କରିନାହାନ୍ତି। ଏଣୁ ତାଙ୍କର ସବୁ ଯୋଜନା ବା ପ୍ରକଳ୍ପ ବିଶ୍ବସ୍ତରର କିମ୍ବା ଜାତୀୟସ୍ତରରେ ପରିକଳ୍ପନା ଭିତରୁ ଉର୍ଦ୍ଧୃତ ବୋଲି କୁହାଯାଉଛି। ଏବେ ପଞ୍ଚମପାଳିରେ ଯେଉଁ ପରିବର୍ତ୍ତନର ଆହ୍ବାନ ସେ ଦେଉଛନ୍ତି, ତାହା ପ୍ରଥମ ପାଞ୍ଚଦଶନ୍ଧିର ଗାଢ ଅନୁଭୂତି ଓ ଗତ ଦୁଇ ଦଶନ୍ଧି ଶାସନକାଳରେ ଓଡ଼ିଶା ସଂପର୍କରେ ତାଙ୍କ ଅଭିଜ୍ଞତା ଉପରେ ପର୍ଯ୍ୟବେସିତ।

ସମ୍ଭବତଃ ଏଇଥିପାଇଁ ସେ ମହାବାତ୍ୟା ବିପର୍ଯ୍ୟୟ କୋଳରୁ ଓଡ଼ିଶାକୁ ଛଡ଼ାଇ ଶାସନ ଗାଦିର ଡୋରି ଧରିବା ବେଳଠାରୁ ଏକ ବିକଶିତ ରାଜ୍ୟର ସ୍ବପ୍ନରେ ବିଭୋର ଅଛନ୍ତି। ରାଜନୈତିକ ନେତାଙ୍କ ପତିଆରା ବୃଦ୍ଧି ଅପେକ୍ଷା, ସାଧାରଣ ଲୋକଙ୍କ ଆସ୍ଥାଭାଜନ ପାଇଁ ଯାହା ଯେତେବେଳେ କରଣୀୟ, ବିଜେଡି ଓ ନବୀନ ସରକାରରେ ତାକୁ ପ୍ରୟୋଗ କରାଯାଇଛି। ଏହି ଦୁଇ ଦଶନ୍ଧି ଭିତରେ କିଛି ହାସଲ ହୋଇଛି, ଅନେକ ବାକି ରହିଛି। କିଛି ପ୍ରକଳ୍ପ ବା ଯୋଜନାକୁ ସଫଳତା ମିଳିଛି, ଅଧିକାଂଶ ବିଫଳ ବା ଫାଇଲ ଭିତରେ ଆଜି ବି ନିଜ ଭାଗ୍ୟ ଦରାଣ୍ଡୁଛି। ସରକାର ଓ ନବୀନ ସମାଲୋଚିତ ହୋଇଛନ୍ତି।

ହେଲେ ଦୁଇ ଦଶନ୍ଧି ଭିତରେ ଆର୍ଥିକ ଦୁଃସ୍ଥିତି ପଞ୍ଝାରୁ ରାଜ୍ୟକୁ ମୁକୁଳାଇବା, ଅନାହାର ମୃତ୍ୟୁ ଅପବାଦ ଦୂର କରିବା, ସଫଳତାର ସହିତ ବିପର୍ଯ୍ୟୟ ମୁକାବିଲା, ଏକାଧିକ ଇସ୍ପାତ କାରଖାନା ସ୍ଥାପନ, ବନ୍ଦର ପ୍ରତିଷ୍ଠା ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ଅନ୍ୟରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଓ ଆନ୍ତର୍ଜାତିକ କ୍ଷେତ୍ରରେ ବି ଚର୍ଚ୍ଚାକୁ ଆସିଛି ଓଡ଼ିଶା।ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଟୋକିଓ ଅଲିମ୍ପିକ୍ସରେ ପଦକ ଜିଣିବା ପରେ ଭାରତୀୟ ହକିର ଯେଉଁ ପୁନରାବର୍ତ୍ତନ ଘଟିଛି, ସେଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଛି। କେବଳ ସେତିକି ନୁହେଁ, ତାଙ୍କର ଆଗ୍ରହ ହେତୁ ଓଡ଼ିଶା ଜାତୀୟ କ୍ରୀଡ଼ାର ଏକ ନୂଆ ପେଣ୍ଠସ୍ଥଳୀ ପାଲଟିଛି।

ସଂପ୍ରତି ପଞ୍ଚମ ପାଳିରେ ଯେଉଁ ପାଞ୍ଚଟି କଥାକୁ ରାଜନୀତି ଓ ସରକାରରେ ବିଶେଷ ଗୁରୁତ୍ବ ଦିଆଯାଉଛି ତାହା ନବୀନଙ୍କୁ ଢେର୍ ସମୟ ଯାଏ ଲୋକଙ୍କ ପାଖରେ ରଖିପାରେ। ଏଇ ଯେମିତି ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟସ୍ଥଳୀରେ ପରିବର୍ତ୍ତନ ଯୋଜନା, ସର୍ବୋତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଲକ୍ଷ୍ୟରେ କଟକ ବଡ଼ ମେଡିକାଲ କଲେଜକୁ ଏମ୍‌ସ ପ୍ଲସ ଶ୍ରେଣୀର ଏକ ବିଶ୍ବସ୍ତରୀୟ ପ୍ରକଳ୍ପରେ ପରିଣତ ସଂପର୍କିତ ସ୍ବପ୍ନ ଏବଂ ଦେଶର ପ୍ରଥମ ରାଜ୍ୟ ଭାବେ ଟ୍ୟାପ୍‌ରୁ ପିଇବା ପାଣି ପ୍ରକଳ୍ପ।

ନବୀନଙ୍କର ବଡ଼ ପୁଞ୍ଜି ହେଉଛି ତାଙ୍କର ‘ଭାବମୂର୍ତି’। ଏଥିରେ ସାମାନ୍ୟ ଆଞ୍ଚ ଆଣିବା ଲାଗି ସେ ସୁଯୋଗ ଦେଇନାହାନ୍ତି। ତାଙ୍କ ପ୍ରତି ଲୋକଙ୍କର ଭଲପାଇବା ପଛର ରହସ୍ୟ ହେଉଛି ସାଧାରଣ ଜୀବନ ଶୈଳୀ, ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ଏଣୁ ‘‘ସର୍ବାନ୍ତରୀକୃତ ପରିବର୍ତ୍ତନ’’ ପ୍ରକ୍ରିୟାର ଏକ ଅଂଶ ଭାବେ ପ୍ରଶାସନର ଚେହେରାକୁ ସ୍ବଚ୍ଛତାର କଷଟି ପଥରେ ମାଜିବା ଲାଗି ଗତ ବର୍ଷକ ଭିତରେ ବହୁ ସଂଖ୍ୟକ ଅଧିକାରୀଙ୍କୁ ‘ଦୁର୍ନୀତିଗ୍ରସ୍ତ’ ଆଖ୍ୟା ଦିଆଯାଇ ସରକାର ସେବାରୁ ତଡ଼ିଛନ୍ତି। ‘ଦଲାଲଙ୍କୁ ସାବାଡ୍‌’ ଲାଗି ରାଜସ୍ବ ପ୍ରଶାସନ, ଥାନା, ତହସିଲକୁ ବୈଷୟିକ ସହାୟତାରେ ଇ-ସେବା ଭୁକ୍ତ କରାଯାଇଛି। ଅଭିଯୋଗ ଲାଗି ଥାନାକୁ ଯିବା ଦରକାର ନାହିଁ କି ଖଜଣା ଲାଗି ଆର୍‌ଆଇ ଅଫିସ। ଜମି ମ୍ୟୁଟେସନ୍ ଠାରୁ ଆରମ୍ଭ କରି ବିଦ୍ୟୁତ ଶୁଳ୍କ ଆଦି ସାଧାରଣ ସେବାର କମ୍ପ୍ୟୁଟରୀକରଣ କରାଯାଇଛି। ଏହା ଦ୍ବାରା ନୂଆପିଢି ବିଶ୍ବର ଯେ କୌଣସି ସ୍ଥାନରେ ରହି ହାତପାହାନ୍ତାରେ ନିଜ ରାଜ୍ୟରୁ ସେବା ନେଇପାରିବ ଓ ଅସହାୟ, ନିଷ୍ପେସିତ ଶୋଷଣରୁ ମୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସରକାରରେ ମାଗଣା ସ୍ବାସ୍ଥ୍ୟ ବ୍ୟବସ୍ଥା ବର୍ତମାନ ସମୟର ଏକ ବଡ଼ ଆହ୍ବାନ ରଖୁଛି। କରୋନା ମହାମାରୀ କ୍ଷେତ୍ରରେ ଏହା ଦେଶ ସାମ୍ନାରେ ଏକ ବଡ଼ ଉଦାହରଣ।

ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଓ ବିଜୁ ବାବୁଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ମହିଳା ସଶକ୍ତିକରଣ ନବୀନଙ୍କ ଫୋକସରେ ଅଛି। ଗାଁର ଚେହେରା ଯଥେଷ୍ଟ ବଦଳିଛି। ମିସନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ସଶକ୍ତିକରଣ ଆଡକୁ ଅଗ୍ରସର ହେଉଛନ୍ତି। ମିସନ୍ ଶକ୍ତିକୁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ବିଭାଗରେ ପରିଣତ କରିଛନ୍ତି। ପଞ୍ଚାୟତିରାଜ ସଂସ୍ଥାରେ ୫୦ ପ୍ରତିଶତ, ଲୋକସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ (କେବଳ ବିଜେଡିର ନିଷ୍ପତ୍ତି) ଅନନ୍ୟ।

ସଂଯୋଗବଶତଃ ନବୀନ ଯେଉଁ ସମୟରେ ୭୪ତମ ଜନ୍ମଦିନ ପାଳନ କରୁଥିଲେ, ସେ ସମୟରେ ବିଜେଡି ବିଜେପୁରରେ ଉପନିର୍ବାଚନ ସାମ୍ନା କରୁଥିଲା ଓ ବିଜୟୀ ହୋଇଥିଲା। ୭୫ତମ ଜନ୍ମଦିନ ସମୟରେ ଉଭୟ ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଆହ୍ବାନ ଥିଲା, କିନ୍ତୁ ତାଙ୍କ ନେତୃତ୍ବ ପ୍ରତି ଆସ୍ଥା ପୁଣି ଥରେ ପ୍ରତିପାଦିତ ହେଲା ।  ଆଜି ୭୬ ବର୍ଷରେ ସେ ପଦାର୍ପଣ କରିଥିବା ବେଳେ ନିକଟ ଅତୀତରେ ପିପିଲି ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି, ଆଉ ନବୀନ ପ୍ରଚାରକୁ ନଯାଇ।

ବରଂ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳର ବିଶ୍ବସନୀୟତାକୁ ସଙ୍କଟ ଭିତରକୁ ଠେଲି ଦେଇଥିବା ନବୀନ କେନ୍ଦ୍ରରେ ଉଭୟ ଉପା ଏବଂ ଏନ୍‌ଡିଏ ସରକାର (ସମାନ ଦୂରତ୍ବ ଅବଲମ୍ବନ ଆଳ)କୁ ପ୍ରଭାବିତ କରିବାରେ ଦେଶରେ ଏକମାତ୍ର ନେତା। ଓଡ଼ିଶା ରାଜନୀତିରେ ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସକ୍ରିୟ ଅଛନ୍ତି, ସେମାନଙ୍କୁ ସାଙ୍ଗରେ ରଖି ସେ ରାଜ୍ୟ ବିକାଶର ଚିତ୍ର ଆଙ୍କିବାର ସାହସ ଦେଖାଇ ରାଜନୀତିରେ ନିଜର ବିଚକ୍ଷଣତା ପ୍ରତିପାଦିତ କରିଛନ୍ତି। ଅଧିକରୁ ଅଧିକ ଯୁବକଙ୍କୁ ନିଜ ଓ ଦଳ ଆଡକୁ ଆକର୍ଷିତ କରିବା, ସର୍ବୋପରି ବିଜେଡି ସଂଗଠନରେ ଦ୍ବିତୀୟ ପିଢୀକୁ ପ୍ରଥମ ଧାଡିକୁ ଆଣି ଆସନ୍ତା କେଇ ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିର ପ୍ରଚ୍ଛଦପଟରେ ନିଜର ସ୍ଥାନ ସୁରକ୍ଷିତ ରଖିବା ଲାଗି ନବୀନ ଯେଉଁ ସାହସ ଦେଖାଇଛନ୍ତି, ତାହା ରାଜନୈତିକ ପଣ୍ଡିତମାନଙ୍କୁ ବି ବିସ୍ମିତ କରୁଛି।

ନୂଆଦିଲ୍ଲୀରୁ ଭୁବନେଶ୍ବର ନିଜ ଘରକୁ ଫେରିଆସିବା ଇତିମଧ୍ୟରେ ଦୁଇ ଦଶନ୍ଧି ବିତିଗଲାଣି। ଏହି ସମୟ ଅତ୍ୟନ୍ତ ଘଟଣାବହୁଳ ଓ ପୁଣି ରହସ୍ୟାବୃତ୍ତ। ଆଜି ବି ତାଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟା, ଖାଦ୍ୟ, ରୁଚି, ଚାଲିଚଳନ ସଂପର୍କିତ ଅନେକ କଥା ଉପରୁ ରହସ୍ୟ ଉଠିପାରିନାହିଁ। ଅତ୍ୟନ୍ତ ସ୍ବଳ୍ପଭାଷୀ ନବୀନ ହେଉଛନ୍ତି, ସମ୍ଭବତଃ ହାତ ଗଣତି କେଇ ଜଣଙ୍କ ମଧ୍ୟରୁ ଜଣେ ହୋଇଥିବେ, ଯାହାର ମନ୍ତବ୍ୟରୁ ବିରୋଧୀ ରାଜନେତା ବା ଗଣମାଧ୍ୟମ ବିତର୍କ ପାଇଁ ଖିଅ ପାଇନାହାନ୍ତି।

ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା, ଓଡ଼ିଶା ରାଜନୀତି ଇତିହାସରେ ଏକ ରେକର୍ଡ। ସବୁ ବିରୋଧର ହାଵାକୁ ପ୍ରତିହତ କରି ସେ ନିଜର ପ୍ରତିଷ୍ଠା ଓ ପରକାଷ୍ଠା ତଥା ପତିଆରାକୁ ଅତୁଟ ରଖିଛନ୍ତି ଓ ଜାତୀୟ ନେତାଙ୍କ ଦୃଷ୍ଟିର କେନ୍ଦ୍ରରେ ବି ନିଶ୍ଚଳ ଅଛନ୍ତି।

Telegraph India

ନବୀନଙ୍କୁ କେନ୍ଦ୍ର କରି ଓଡ଼ିଶା ରାଜନୀତିର ଅନ୍ୟ ମଜାଦାର ଦିଗଟି ହେଲା, ତାଙ୍କ ରାଜନୈତିକ ଗୋଟିଚାଳନା ଆଜି ମଧ୍ୟ ପ୍ରତିପକ୍ଷ ଦଳମାନଙ୍କର ଆୟତ୍ତ ବାହାରେ। ସେମାନେ ବିଭ୍ରାନ୍ତିରେ ଅଛନ୍ତି ଯେ ନବୀନ କଂଗ୍ରେସ ନା ବିଜେପି କାହାର ଅଧିକ ଘନିଷ୍ଠ? କେବଳ ସେତିକି ନୁହେଁ, ନବୀନ ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟା ଭିତରେ ଯେଉଁ ସରଳତା, ସ୍ବଚ୍ଛତା ଓ ସାବଧାନତାକୁ ଗୁରୁତ୍ବ ଦେଇଛନ୍ତି, ତାହା ଯେତିକି ଈର୍ଷଣୀୟ, ସେତିକି ବିରୋଧୀ ଶକ୍ତିଙ୍କ ପାଇଁ ଅସହଜ। ରାଜନୈତିକ ପଟୁତା ପ୍ରଦର୍ଶନରେ ମାହିର୍ ନବୀନଙ୍କ ପାଖରୁ ଯିଏ ଯେତେବେଳେ ଦୂରେଇଛନ୍ତି, ତାଙ୍କ କ୍ୟାରିଅରରେ ଗ୍ରହଣ ଲାଗିଛି।

ଏସବୁ ସତ୍ତ୍ବେ ସମସ୍ୟା ବହୁଳ ଓଡ଼ିଶାକୁ ଦେଶର ସବୁଠାରୁ ବିକଶିତ ରାଜ୍ୟରେ ପରିଣତ କରିବା ରାସ୍ତାରେ ଟାଣିନେବା ଲାଗି ନବୀନଙ୍କ ପାଇଁ ଆହୁରି ଅନେକ ଆହ୍ବାନ ରହିଛି। ରାଜ୍ୟବାସୀଙ୍କ ପ୍ରତି ପ୍ରଶାସନର ନିଷ୍ଠା, ସଂକଳ୍ପ,ପ୍ରତିବଦ୍ଧତା, ସହନଶୀଳତା, ବିଚାରବୋଧ ଏବଂ ନବୀନଙ୍କ କ୍ୟାବିନେଟ୍ ସହଯୋଗୀଙ୍କର ଆଚରଣ ଏବଂ ଉଚ୍ଚାରଣ ଆକର୍ଷଣୀୟ ତଥା ନମନୀୟ ହେବା ଉଚିତ୍, ଠିକ୍ ତାଙ୍କ ପାଖାପାଖି। ତେବେ ଯାଇ ଓଡ଼ିଶା ଆଗକୁ ଯିବ, ଜାତୀୟସ୍ତରରେ ସାମାଜିକ ଆନ୍ଦୋଳନର ନେତୃତ୍ବ ନେବାର ସାମର୍ଥ୍ୟ ରଖିବ।

ସମ୍ବନ୍ଧିତ ଖବର