ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ଓଡ଼ିଆ ଶିକ୍ଷା

ନବେ ଦଶକରେ ଓଡ଼ିଶାରେ ଇଂରାଜି ମାଧ୍ୟମ ସ୍କୁଲ ଅଧିକ ପରିମାଣରେ ଗଢ଼ିବା ଆରମ୍ଭ ହେଲା। ଧୀରେ ଧୀରେ ସହରାଞ୍ଚଳର ଅଭିଭାବକମାନେ ନଜ ପିଲାଙ୍କୁ ଇଂରାଜି ମାଧ୍ୟମ ସ୍କୁଲରେ ପଢାଇବା ପାଇଁ ଆଗ୍ରହ ପ୍ରକାଶ କଲେ। ତେବେ ଏହି ସ୍କୁଲ୍‌ଗୁଡ଼ିକରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେେଲେ। ୧୯୯୬ ସେପ୍ଟମ୍ବର ୨୩ ତାରିଖରେ ସରକାର ଏ ନେଇ ବିଜ୍ଞପ୍ତି ଜାରି କଲେ। ତେବେ ପରବର୍ତ୍ତୀ ସମୟରେ ଏ କ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେଲା। ଅଣଓଡ଼ିଆ ଛାତ୍ରଛାତ୍ରୀ ଓ ସର୍ବଭାରତୀୟ ଚାକିରିରେ ଥିବା ଅଭିଭାବକମାନଙ୍କ ବାରମ୍ବାର ବଦଳି ଯୋଗୁଁ ସେହି ଛାତ୍ରଛାତ୍ରୀମାନଙ୍କ ଓଡ଼ିଆ ଶିକ୍ଷାରେ ସମସ୍ୟା ଦେଖାଦେଲା। ଏହା ପରେ ୨୦୦୪ରେ ସରକାର ପୂର୍ବ ବିଜ୍ଞପ୍ତିରେ ସଂଶୋଧନ କଲେ। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆକୁ ବାଧ୍ୟତାମୂଳକ କରାଗଲା। ତେବେ ଅଣଓଡ଼ିଆ ଛାତ୍ରଛାତ୍ରୀ ଓ ବାରମ୍ବାର ବଦଳିର ସାମ୍ନା କରୁଥିବା ସର୍ବଭାରତୀୟ ଚାକିରି କରିଥିବା ଅଭିଭାବକଙ୍କ ପିଲାଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯାଇଥିଲା।

ଯେହେତୁ ଆଇନ୍‌ରେ ବ୍ୟବସ୍ଥା ଅଛି, ତେଣୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପଢ଼ିବାକୁ ସମସ୍ତେ ବାଧ୍ୟ ହେଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଆ ଏକ ଇଚ୍ଛାଧୀନ ବିଷୟ ହୋଇଯାଇଥିବାରୁ କିଛି ସ୍କୁଲ୍‌ରେ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆ ବିଷୟ ନେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏପରିକି ଏ ଦିଗରେ ସ୍କୁଲ୍‌ କର୍ତ୍ତୃପକ୍ଷ ମଧ୍ୟ ଆବଶ୍ୟକ ସଚେତନତା ସୃଷ୍ଟି କରୁ ନ ଥିବା ଅଭିଯୋଗ ଆସୁଛି। ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ହୋଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ ବୋଲି ସେମାନେ ଯୁକ୍ତି ଦେଖାଉଛନ୍ତି। ଅଭିଭାବକମାନ ମଧ୍ୟ ଓଡ଼ିଆ ଭାଷା ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରାଉ ନାହାନ୍ତି। ଉଭୟ ସ୍କୁଲ୍‌ କର୍ତ୍ତୃପକ୍ଷ ଓ ଅଭିଭାବକ ଏ ଦିଗରେ ଯତ୍ନବାନ ହେବାକୁ ବୁଦ୍ଧିଜୀବୀ ଓ ଭାଷାପ୍ରେମୀମାନେ ମତ ଦେଇଛନ୍ତି।

ମୁଁ ଓଡ଼ିଆ ହୋଇଥିବାରୁ ସବୁବେଳେ ଚାହିଁବି ମୋ ଭାଷାର ଆଦର ବ୍ୟବହାର ସବୁବେଳେ ଅଧିକ ରହୁ। ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଉଛନ୍ତି ଓ ସ୍କୁଲ ମାନଙ୍କରେ ଓଡ଼ିଆ ବିଷୟ ଶିକ୍ଷା ଦିଆଯାଉଛି। ଅଣଓଡ଼ିଆ ପିଲାଙ୍କୁ ଛାଡ଼ି ଦେଲେ ଡିଏଭି ସ୍କୁଲ୍‌ରେ ଅଷ୍ଟମ ଶେଣ୍ରୀରେ ଇଚ୍ଛାଧୀନ ଥିବା ଓଡ଼ିଆ ବିଷୟକୁ ପ୍ରାୟ ୯୫ ପ୍ରତିଶତ ପିଲା ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ପିଲାମାନଙ୍କର ଓଡ଼ିଆ ଭାଷା ପ୍ରତି ଆଗ୍ରହ ବଢାଇବା ପାଇଁ ସ୍କୁଲରେ ଓଡ଼ିଆ ଦିବସ ପାଳନ କରାଯାଉଛି। ଓଡ଼ିଆରେ ରଚନା ଓ ବକ୍ତତା ପ୍ରତିଯୋଗିତା କରାଯାଉଛି। ସପ୍ତାହରେ ଗୋଟିଏ ଥର ଓଡ଼ିଆରେ ପିଲାମାନେ ପ୍ରାର୍ଥନା ଗାନ କରନ୍ତି।

କେଶବ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ, ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ

ଓଡ଼ିଆ ଭାଷାରେ ଦକ୍ଷତା ବୃଦ୍ଧି କରିବା ପାଇଁ ଆମ ବିଦ୍ୟାଳୟରେ କବିତା, ଗଳ୍ପ, ପ୍ରବନ୍ଧ ଓ ବକ୍ତତା ପ୍ରତିଯୋଗିତା ନିୟମିତ ଭାବେ ଆୟୋଜନ କରାଯାଏ। ଏହାସହିତ ପ୍ରତିବର୍ଷ ପିଲାମାନେ ଓଡ଼ିଆ ଦିବସ ମହାସମାରୋହରେ ପାଳନ କରନ୍ତି। ଅନ୍ୟ ବିଷୟ ପରି ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାକୁ ଆମ ସ୍କୁଲରେ ଗୁରୁତ୍ୱ ଦିଆଯାଏ।। ଏଠାରେ ପ୍ରଥମରୁ ଦଶମ ଯାଏଁ ପିଲାମାନଙ୍କୁ ଓଡ଼ିଆ ଭାଷା ଚୟନ କରି ପଢିବାର ସୁଯୋଗ ଦିଆଯାଏ। ଆମେ ସମସ୍ତେ ଓଡ଼ିଶାର ଉନ୍ନତି ସହିତ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାୟମନୋବାକ୍ୟରେ ଚେଷ୍ଟା କରିବା ଉଚିତ।
ବିଜୟ କୁମାର ସାହୁ, ଚେୟାରମ୍ୟାନ୍‌, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ

ପ୍ରସ୍ତୁତ ସରିଛି ନିୟମାବଳୀ : ଅନୁମୋଦନକୁ ଅପେକ୍ଷା

ଜାଗ୍ରତ ପ୍ରହରୀ ସାଜିବ ‘ଓଡ଼ିଶା ଭାଷା ଆୟୋଗ’

୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ କ୍ୟାବିନେଟ୍‌ର ବୈଠକରେ ହୋଇଥିବା ଏକାଧିକ ଐତିହାସିକ ଘୋଷଣା ମଧ୍ୟରୁ ‘ଓଡ଼ିଆ ଭାଷା ଆୟୋଗ’ ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଥିଲା ଅନ୍ୟତମ। ବର୍ତମାନ ସୁଦ୍ଧା ଏହି ଆୟୋଗ ପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ସ୍ତରୀୟ ନିୟମାବଳୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। ଅନୁମୋଦନ ପରେ ହିଁ ଆୟୋଗ ଗଠନ କରାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ। ଆୟୋଗ ଜରିଆରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ବ୍ୟାପକ ହେବା ସହ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଏହା ଜାଗ୍ରତ ପ୍ରହରି ଭାବେ କାର୍ଯ୍ୟ କରିବ। ଓଡ଼ିଶା ବାହାରେ ପ୍ରଚାର ପ୍ରସାର ସହ ଓଡ଼ିଆ ଭାଷାର ଗୁଣାତ୍ମକ ମାନ ବୃଦ୍ଧିରେ ମଧ୍ୟ ଆୟୋଗ ପ୍ରମୁଖ ଭୂମିକା ବହନ କରିବ। ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ଅନ୍ୟ ଭାଷାରୁ ଓଡ଼ିଆ ଭାଷାରୁ ଅନୁବାଦ ସମ୍ବନ୍ଧୀୟ କାର୍ଯ୍ୟକାରିତା ଉପରେ ମଧ୍ୟ ଆୟୋଗ ନଜର ରଖିବ।

ଓଡ଼ିଶା ବାହାରେ ଜମିବ ଓଡ଼ିଶା ଦିବସ

କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆ ଓ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସକୁ ବ୍ୟାପକ ଆକାରରେ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଦିଲ୍ଲୀ, କୋଲକାତା, ବମ୍ବେ, ସୁରଟ, ଚଣ୍ଡିଗଡ଼, ତ୍ରିପୁରା, ବାରଣାସୀକୁ ଓଡ଼ିଶାର ସାଂସ୍କୃତିକ ଦଳ ପ୍ରେରଣ କରାଯାଇଛି। ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ପାରମ୍ପରିକ ମହକକୁ ଓଡ଼ିଶା ବାହାରେ ପରିପ୍ରକାଶ କରିବାରେ ଏହା କେବଳ ସହାୟକ ହେବ ନାହିଁ ବରଂ ଓଡ଼ିଶାର ସାଂସ୍କୃତିକ ଗାରିମାକୁ ଦେଶରେ ପରିଚିତି ଦେବାର ଏହା ଏକ ସୁଯୋଗ ବୋଲି ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି।

 

ସମ୍ବନ୍ଧିତ ଖବର