ଭୁବନେଶ୍ୱର : ସଫଳ ହେବା ପାଇଁ ପ୍ରଥମେ ନିଜକୁ ଚିହ୍ନ। ଉତ୍କର୍ଷର ଉପାସକ ହୁଅ। ନିଜେ ସଫଳ ହେବା ପାଇଁ ଅନ୍ୟକୁ ବିଫଳତା ଆଡ଼କୁ ଠେଲି ଦେବାକୁ ଚକ୍ରାନ୍ତ କର ନାହିଁ। ଅନ୍ୟକୁ ଖୁସି ବାଣ୍ଟି ନିଜକୁ ଖୁସି କରିବାକୁ ଚେଷ୍ଟା କର। ଏହା ୧୦ ଗୁଣ ଅଧିକ ଆନନ୍ଦ ଦେବ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ‘କନକ ନ୍ୟୁଜ୍‌’ ପକ୍ଷରୁ ହୋଟେଲ୍‌ ମାରିଅନ୍‌ରେ ଅନୁଷ୍ଠିତ ଓଡ଼ିଶା ଏଜୁକେସନ୍‌ କନ୍‌କ୍ଲେଭ୍‌ ‘ଉତ୍କର୍ଷ’କୁ ଉଦ୍‌ଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମନ ଅନୁକୂଳ ବୃତ୍ତି ଚୟନ କରିବା ସହ ମିଳୁଥିବା ସୁଯୋଗର ଉଚିତ ବିନିଯୋଗ କରିବାକୁ କହିଥିଲେ।

Advertisment

୨୦୦୪ ମସିହାର ଆଇଏଏସ୍‌ ଟପର ତଥା ପରିମଳ ଓ ପାନୀୟ ଜଳ ନିର୍ଦେଶିକା ରୁପା ମିଶ୍ର କହିଲେ, ଜୀବନଟା ଗୋଟେ ମାରାଥନ୍‌। ଛାତ୍ରଛାତ୍ରୀ ଯେତେ ମେଧାବୀ ହେଲେ ବି କଠିନ ପରିଶ୍ରମ ବିନା ସେମାନେ ଲମ୍ବା ରେସ୍‌ ଦୌଡ଼ି ପାରିବେନି। ଆଉ ଯଦି ଅନ୍ଧ ଭଳି କଠିନ ପରିଶ୍ରମ କରନ୍ତି ତେବେ ବି ସେ ମାରାଥନ ଦୌଡ଼ରେ ସଫଳ ହୋଇପାରିବେନି। ତେଣୁ ସଫଳ ହେବା ପାଇଁ ପ୍ରଥମେ ନିଜ ସାମର୍ଥ୍ୟକୁ ଚିହ୍ନି ଲକ୍ଷ୍ୟ ସ୍ଥିର କର ବୋଲି କହିଥିଲେ। ‘କନକ ନ୍ୟୁଜ୍‌’ର ସମ୍ପାଦକ ମନୋରଂଜନ ମିଶ୍ରଙ୍କ ସହ ଶ୍ରୀମତୀ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

publive-image

‘ପ୍ରତିଯୋଗିତା ମୂଳକ ମନୋଭାବ ଆମ ସୃଜନତାକୁ ନଷ୍ଟ କରୁଛି କି?’ ଶୀର୍ଷକ କଥାବସ୍ତୁକୁ ନେଇ ଆୟୋଜିତ ହୋଇଥିଲା ଦ୍ୱିତୀୟ ଅଧିବେଶନ। ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ସଂଜୀବ ରାଉତ, ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଡ.ବିଜୟ କୁମାର ସାହୁ ଏବଂ ଭୁବନେଶ୍ୱର ଓ କଟକ ‘ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌’ର କେନ୍ଦ୍ରୀୟ ଅଧ୍ୟକ୍ଷ ଏ. ବି. ସିଂହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ କହିଲେ, କେବେ ନିଜକୁ ନିଜେ ସଫଳ ବ୍ୟକ୍ତି ବୋଲି ଭାବ ନାହିଁ। ବରଂ ଯେବେ ଅନ୍ୟମାନେ କହିବେ ଇଏ ଜଣେ ସଫଳ ବ୍ୟକ୍ତି ସେତେବେଳେ ଜାଣିବେ ଆପଣ ଜୀବନରେ ସଫଳ ହୋଇଛନ୍ତି। ପ୍ରତିଭାମାନଙ୍କ ସହ ଆଲୋଚନା କରିଥିଲେ ଅଭିନ୍ନ ଆଶୁତୋଷ ଶତପଥୀ। ‘ଶିକ୍ଷା ଓ ପ୍ରଯୁକ୍ତି: ନୂଆ ପିଢ଼ିର ପାଠ’ ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୪ର୍ଥ ଅଧିବେଶନରେ ‘ଓଡିଏମ୍‌ ଏଜୁକେସନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଏବଂ ଉପାଧ୍ୟକ୍ଷ ସ୍ୱୟନ୍‌ ସତ୍ୟେନ୍ଦୁ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

୫ମ ଅଧିବେଶନରେ ବିଭିନ୍ନ ପାଠ୍ୟକ୍ରମରେ ଟପର ହୋଇଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିଲା ‘ସଫଳତାରେ ପହଞ୍ଚାଏ କିଏ? ସାଧନା ନା ଅଧ୍ୟବସାୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସିବିଏସ୍‌ଇ ୧୦ମ ପରୀକ୍ଷାର ଟପର ସ୍ଥିତିପ୍ରଜ୍ଞା ସାହୁ , +୨ କଳାରେ ଟପର ହୋଇଥିବା ଅଭିପ୍ସା ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ନାତକ ସ୍ଥିତିପ୍ରଜ୍ଞା ନାଥଶର୍ମା, ୧୦ମ ବୋର୍ଡ ପରୀକ୍ଷାରେ ଟପର ହୋଇଥିବା ଗୁରୁ ନିଗମ ଓ ସୌମ୍ୟରଂଜନ ମିଶ୍ର, +୨ ବାଣିଜ୍ୟ ଟପର ଅନିଶ ପଟ୍ଟନାୟକପ୍ରମୁଖ ଅଂଶଗ୍ରହଣ କରି ମତ ରଖିଥିଲେ। ଏହି ଦୁଇ ଅଧିବେଶନକୁ ସଂଗ୍ରାମ ଷଡ଼ଙ୍ଗୀ ପରିଚାଳନା କରିଥିଲେ। ସମସ୍ତ ଅଧିବେଶନକୁ ସ୍ୱସ୍ତିକା ପଣ୍ଡା ସଂଚାଳନ କରିଥିଲେ।