ଜଣାଅଜଣା ଓଡ଼ିଶା: ଶିକ୍ଷାମନ୍ତ୍ରୀଙ୍କ ପୁଅ ଚଳଚ୍ଚିତ୍ରର ନାୟକ

ବାପା ତାଙ୍କର ଥିଲେ ଜଣେ ପ୍ରଖ୍ୟାତ ସାହିତ୍ୟିକ ଓ ଓଡ଼ିଶାର ଶିକ୍ଷା ମନ୍ତ୍ରୀ। ଦୁଇ ଭାଇଙ୍କ ଭିତରୁ ଜଣେ ହୋଇଥିଲେ ବିଧାୟକ ଓ ଅନ୍ୟ ଜଣେ ମଣ୍ଡନ କରିଥିଲେ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଆସନ। ସେ ନିଜେ ମଧ୍ୟ ତିନି ତିନି ଥର ରାଜ୍ୟସଭାର ସଦସ୍ୟ ହୋଇଥିଲେ ଏବଂ ଆସାମର ରାଜ୍ୟପାଳ ପଦ ମଧ୍ୟ ସମ୍ଭାଳିଥିଲେ। ହେଲେ ଖୁବ୍ କମ୍‌ ଲୋକ ଜାଣନ୍ତି ଯେ ସେ ଆଦ୍ୟଯୌବନରେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ତା’ ପୁଣି ନାୟକ ଭୂମିକାରେ। ସେ ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ମଝିଆପୁଅ ଲୋକନାଥ ମିଶ୍ର।

ଓଡ଼ିଶାର ଘରେ ଘରେ ପରିଚିତ ‘କାଳିଜାଈ’ ଗାଥାକବିତାର ରଚୟିତା ତଥା ସତ୍ୟବାଦୀ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ କିଏ ବା ନ ଜାଣେ! ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୪୧ରୁ ୧୯୪୪ ପର୍ଯ୍ୟନ୍ତ ସେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶିକ୍ଷାମନ୍ତ୍ରୀ ପଦରେ ଥିଲେ। ତାଙ୍କ ପରିବାର ଓଡ଼ିଶାର ଅନ୍ୟତମ ଯଶସ୍ବୀ ପରିବାର। କାରଣ ତାଙ୍କର ପୁଅମାନେ ବିଭିନ୍ନ କ୍ଷେତ୍ରରେ ନିଜର ଯଶ ରଖିଯାଇଛନ୍ତି। ବଡ଼ପୁଅ ରଘୁନାଥ ମିଶ୍ର ୧୯୬୧ ଓ ୬୭ରେ ଦୁଇଥର ବାଣପୁରର ବିଧାୟକ ଥିଲେ। ସାନପୁଅ ରଙ୍ଗନାଥ ମିଶ୍ର ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିଥିଲେ। କିନ୍ତୁ ମଝିଆପୁଅ ଥିଲେ ସବୁଠାରୁ ନିଆରା। ସେ ତିନି ତିନିଥର ରାଜ୍ୟସଭା ସାଂସଦ ହେବା ପରେ ଆସାମର ରାଜ୍ୟପାଳ ପଦ ମଧ୍ୟ ସମ୍ଭାଳିଛନ୍ତି। କିନ୍ତୁ ତା’ର ବହୁପୂର୍ବରୁ ମାତ୍ର ୨୫ ବର୍ଷ ବୟସରେ ସେ ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ରେ ଅଭିନୟ କରିଥିଲେ। ତା’ ପୁଣି ନାୟକ ଭୂମିକାରେ।

ପଣ୍ଡିତ ଗୋଦାବରୀଶଙ୍କୁ କିନ୍ତୁ ଏକଥା ଆଦୌ ପସନ୍ଦ ଆସି ନଥିଲା। ସେ କହିଥିଲେ, ‘‘ତତେ କ’ଣ କିଛି କାମ ମିଳୁନାହିଁ ଯେ ତୁ ନାଚପିଲାଙ୍କ ସହ ଯାଇ ନାଚିବୁ?’’। ବାପାଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ତାଙ୍କୁ କୌଣସି ପ୍ରକାରେ ରାଜି କରାଇ ଥରେ ସୁଟିଂ ଦେଖାଇବାକୁ ସାଙ୍ଗରେ କଲିକତା ନେଇଯାଇଥିଲେ ଲୋକନାଥ। ସେଠାରେ ତାଙ୍କର ହୃଦ୍‌ବୋଧ ହୋଇଥିଲା ‌ଯେ ଏହା କିଛି ଖରାପ ନୁହେଁ।

ସର୍ବପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା ୧୯୩୬ରେ। ତା’ର ୧୨ ବର୍ଷ ପରେ ୧୯୪୮ ଅକ୍‌ଟୋବର ୧୨ ତାରିଖରେ କଟକର କ୍ୟାପିଟାଲ୍ ସିନେମାରେ ମୁକ୍ତିଲାଭ କରିଥିଲା ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’। ଢେଙ୍କାନାଳର ରାଜକୁମାର ଟିକାୟତ ଗୌରେନ୍ଦ୍ର ପ୍ରତାପ ସିଂହଦେଓ ଓରଫ ଟିକି ସାହେବଙ୍କ ଦ୍ବାରା ପ୍ରତିଷ୍ଠିତ ‘ଗ୍ରେଟ୍ ଇଷ୍ଟର୍ଣ୍ଣ ମୁଭିଟୋନ୍’ ବ୍ୟାନର୍‌ରେ ସିନେମାଟି ନିର୍ମିତ ହୋଇଥିଲା । ‘ନୀଳମାଧବ’ଙ୍କ କିଂବଦନ୍ତି ଉପରେ ଆଧାରିତ ଏଇ ଚଳଚ୍ଚିତ୍ରରେ ‘ବିଦ୍ୟାପତି’ ଭୂମିକାରେ ଅଭିନୟ କରିଥିଲେ ଗୋଦାବରୀଶଙ୍କ ମଝିଆପୁଅ ଲୋକନାଥ ଏବଂ ତାଙ୍କ ବିପକ୍ଷରେ ‘ଲଳିତା’ ଭୂମିକାରେ ଥିଲେ ‘ସୀତା ବିବାହ’ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ମାଖନଲାଲ ବାନାର୍ଜୀଙ୍କ ସହଧର୍ମିଣୀ ଉମା ଦେବୀ। ‘ସୀତାବିବାହ’ ନିର୍ମାଣ ହେବାବେଳକୁ ଉମାଦେବୀଙ୍କର ମାଖନଲାଲଙ୍କ ସହ ବିବାହ ହୋଇ ସାରିଥିଲେ ମଧ୍ୟ ସେ ସେହି ଚଳଚ୍ଚିତ୍ରରେ ଅଭିନୟ କରି ନଥିଲେ। ମାତ୍ର ‘ଲଳିତା’ ନିର୍ମାଣ ହେବାବେଳକୁ ମାଖନଲାଲ ବାନାର୍ଜୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଆର୍ଥିକ ସମସ୍ୟା ଦୃଷ୍ଟିରୁ ନିଜର ତିନି ଛୁଆଙ୍କୁ ଧରି ଉମା କଲିକତା ଯାଇ ସେଠାରେ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତ୍‌କାରରେ ଉମା କହିଛନ୍ତି ଯେ ସେହି ସମୟରେ ଟିକାୟତ ସାହେବ ତାଙ୍କୁ ଭେଟି ଲଳିତାରେ ଅଭିନୟ ପାଇଁ ଅନୁରୋଧ କରିଥିଲେ। ସେତେବେଳକୁ ତାଙ୍କ ବୟସ ଅପେକ୍ଷାକୃତ ଅଧିକ ଥିଲେ ମଧ୍ୟ ସେ ଲୋକନାଥଙ୍କ ବିପକ୍ଷରେ ନାୟିକା ହେବାକୁ ରାଜି ହୋଇଯାଇଥିଲେ। ଏହି ଚଳଚ୍ଚିତ୍ରର ସବୁ ସୁଟିଂ କଲିକତାର ବେଙ୍ଗଲ୍ ନ୍ୟାସନାଲ୍ ଷ୍ଟୁଡିଓରେ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ କଲ୍ୟାଣ ଗୁପ୍ତ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ପୁଅ ଗୌର ଗୋସ୍ବାମୀ ଓ ସୁରେନ୍‌ ପାଲ୍‌।

୧୯୯୧ରେ ଆସାମ ରାଜ୍ୟପାଳ ପଦବିରେ ଯୋଗଦେବାକୁ ଯିବାର ଠିକ୍ ପୂର୍ବରୁ ଏକ ସାକ୍ଷାତ୍‌କାରରେ ଲୋକନାଥ ମିଶ୍ର କହିଥିଲେ ଯେ ସେ ଉମାଦେବୀଙ୍କ ଠାରୁ ଥିଲେ ୧୦ ବର୍ଷ ସାନ। ପୁଣି ଉମାଙ୍କ ତୁଳନାରେ ତାଙ୍କ ଚେହେରା ଥିଲା ବେଶ୍ ଦୁର୍ବଳ। ମାତ୍ର ଚଳଚ୍ଚିତ୍ରର କାହାଣୀ, ସଂଳାପ ଓ ଗୀତ ରଚନା ଦାୟିତ୍ବରେ ଥିବା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଆଗ୍ରହକ୍ରମେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରିବାକୁ ଆଗେଇ ଆସିଥିଲେ। ପଣ୍ଡିତ ଗୋଦାବରୀଶଙ୍କୁ କିନ୍ତୁ ଏକଥା ଆଦୌ ପସନ୍ଦ ଆସି ନଥିଲା। ସେ କହିଥିଲେ, ‘‘ତତେ କ’ଣ କିଛି କାମ ମିଳୁନାହିଁ ଯେ ତୁ ନାଚପିଲାଙ୍କ ସହ ଯାଇ ନାଚିବୁ?’’। ବାପାଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ତାଙ୍କୁ କୌଣସି ପ୍ରକାରେ ରାଜି କରାଇ ଥରେ ସୁଟିଂ ଦେଖାଇବାକୁ ସାଙ୍ଗରେ କଲିକତା ନେଇଯାଇଥିଲେ ଲୋକନାଥ। ସେଠାରେ ତାଙ୍କର ହୃଦ୍‌ବୋଧ ହୋଇଥିଲା ‌ଯେ ଏହା କିଛି ଖରାପ ନୁହେଁ।

‘କିଛି ବୈଷୟିକ ତ୍ରୁଟି ସାଙ୍ଗକୁ ବଙ୍ଗୀୟ କଳାକାରମାନଙ୍କର ଦୁର୍ବଳ ଓଡ଼ିଆ ସଂଳାପ ଉଚ୍ଚାରଣ ହେତୁ ଲଳିତା’ ବିଶେଷ ବ୍ୟାବସାୟିକ ସଫଳତା ପାଇ ନ ଥିଲା ବୋଲି କୁହାଯାଏ। ଏଇ ଚଳଚ୍ଚିତ୍ର ପରେ ତାଙ୍କ ପାଖକୁ କିଛି ଓଡ଼ିଆ ଓ ହିନ୍ଦୀ ସିନେମାରେ ଅଭିନୟର ପ୍ରସ୍ତାବ ଆସିଥିଲେ ମଧ୍ୟ ଲୋକନାଥ ତାହା ଗ୍ରହଣ କରି ନଥିଲେ। ଲଳିତା ତାଙ୍କର ପ୍ରଥମ ଓ ଶେଷ ଚଳଚ୍ଚିତ୍ର। ୧୯୫୬ରେ ବାପା ଗୋଦାବରୀଶଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ଯୋଗଦେବା ପାଇଁ ସ୍ଥିର କଲେ ଏବଂ ୧୯୫୭ରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ‘ଗଣତନ୍ତ୍ର ପରିଷଦ’ ଦଳରେ ଯୋଗଦେଲେ। ସେହି ସମୟରେ ସେ ୧୯୬୦ରେ ରାଜ୍ୟସଭାକୁ ଗଲେ ଏବଂ ଲଗାତାର ତିନି ଥର ନିର୍ବାଚିତ ହୋଇ ୧୯୭୮ ପର୍ଯ୍ୟନ୍ତ ସଂସଦରେ ରହିଲେ। ଏହା ପରେ ସେ ରାଜନୀତିରୁ ଦୂରେଇ ଯାଇ ପ୍ରାକୃତିକ ଚିକିତ୍ସା ଓ ଜନସେବାରେ ମନୋନିବେଶ କରୁଥିବା ବେଳେ ୧୯୯୧ରେ ଆସାମର ରାଜ୍ୟପାଳ ପଦରେ ଅବସ୍ଥାପିତ ହେଲେ ଏବଂ ୧୯୯୭ ପର୍ଯ୍ୟନ୍ତ ଏହି ପଦରେ ରହିଲେ। ୨୦୦୯ ମସିହା ମେ ୨୭ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର