ଥମୁନି ଆତ୍ମହତ୍ୟା : ଚାଷୀ ମୁଣ୍ଡରେ ‘ଚକଡ଼ା’ ଚଡ଼କ

କେତେବେଳେ ବନ୍ୟା, ମରୁଡ଼ି ତ କେତେବେଳେ ରୋଗ, ପୋକ ଓଡ଼ିଶା ଚାଷୀଙ୍କ ଉପରେ ଦାଉ ସାଧିବାରେ ଲାଗିଛନ୍ତିି। ଏସବୁ ଜନିତ ଫସଲ ନଷ୍ଟ କାରଣରୁ ମାନସିକ ଭାବେ ଭାଙ୍ଗି ପଡୁଛନ୍ତି ଚାଷୀ। ସାହୁକାର, ମହାଜନ, ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ସମିତି କି ବ୍ୟାଙ୍କ୍‌ରୁ ଚାଷ ପାଇଁ ନେଇଥିବା ଋଣ କେମିତି ପରିଶୋଧ କରିବେ, ସେ ଚିନ୍ତାରେ ବୁଡ଼ି ରହୁଛନ୍ତି। ଋଣବୋଝ ତଳେ ଚାପି ହୋଇ ଲାଞ୍ଛିତ, ଅପମାନିତ ହେବା ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ମନେ କରୁଛନ୍ତି ସ୍ୱାଭିମାନୀ ଚାଷୀ। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବି ପଛାଉନାହାନ୍ତି। ଆତ୍ମହତ୍ୟା ନ କରିବାକୁ ନେତା ଓ ବୁଦ୍ଧିଜୀବୀଙ୍କ ବାରମ୍ବାର ନିବେଦନ ତାଙ୍କ ଆଗରେ ନିଷ୍ପ୍ରଭ, ନିଷ୍ଫଳ ହୋଇଯାଉଛି।

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଏବେ ପୁଣି ଏଭଳି ଚାଷୀ ଆତ୍ମହତ୍ୟା ପାଇଁ ଚର୍ଚ୍ଚାରେ। ଗୋଟିଏ ପଟେ ବିଜେପୁର ନିର୍ବାଚନ ପାଇଁ ଏହି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଓ ପ୍ରକଳ୍ପର ବର୍ଷା ହେଉଥିବା ବେଳେ ଓ ସରକାରୀ କଳ ଓ ଦଳର ସମସ୍ତ ଫୋକସ୍‌ ଏହି ଜିଲ୍ଲା ଉପରେ ରହିଛି। ତଥାପି ଗତ ସପ୍ତାହକ ମଧ୍ୟରେ ୪ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି। ଏଥର ଚାଷୀ ଆତ୍ମହତ୍ୟାର ନୂଆ କାରଣ ହୋଇଛି ‘ଚକଡ଼ା’। ପ୍ରତିବର୍ଷ ଅକ୍ଟୋବର ମାସରେ ଧାନ ଫସଲରେ ଦେଖା ଦେଉଥିବା ଏହି ସାଧାରଣ ରୋଗପୋକ ଚଳିତ ବର୍ଷ ଅସାଧାରଣ ଭାବେ ଶକ୍ତିଶାଳୀ ହେବା ସହ ଚାଷୀ ମୁଣ୍ଡରେ ଚଡ଼କ ପକାଇଛନ୍ତି। ନା ସରକାରୀ, ନା ବେସରକାରୀ- କିଛି ବି କୀଟନାଶକ କାମ ଦେଉନି। ଫସଲରେ ନିଆଁ ଲଗାଇ ପୋଡ଼ୁଛନ୍ତି ଚାଷୀମାନେ। ଋଣ ଚିନ୍ତାରେ ବିଷ ପିଉଛନ୍ତି।

ଚାଷୀ ଆତ୍ମହତ୍ୟାରୁ ଉତ୍ତେଜନା, ରାଜପଥ ଅବରୋଧ

ବରଗଡ଼ : ଗତକାଲି ଫସଲରେ ନିଆଁ ଲଗାଇବା ପରେ ବିଷ ପିଇଥିବା ବୃନ୍ଦାବନଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରଠୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଚାଷୀମାନେ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ। ବ୍ୟବଚ୍ଛେଦ ପରେ ଶବକୁ ଆମ୍ବୁଲାନ୍ସରେ କଳାପାଣି ପଠାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରାଜପଥ ଅବରୋଧ। ସ୍ଥାନୀୟ ବାସିନ୍ଦା ଏବଂ ଚାଷୀମାନେ ଶବକୁ ୫୩ ନମ୍ବର ଜାତୀୟ ରାଜପଥର କଳାପାଣି ଛକରେ ରଖି ଅବରୋଧ କରିଥିଲେ। ଫଳରେ ହଜାର ହଜାର ଗାଡ଼ି ଅଟକି ରହିଥିଲା।

ଚାଷୀ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଏକାଦଶିଆ ସାହୁ, ସୁରେଶୁ ନିକେଣ୍ଡି, ସିଏଚ୍‌ ବାବି, ସରୋଜ ଭୋଇ, ମହାଦେବ ପ୍ରଧାନ, ବୁଠି ପଧାନ, ଗୋବର୍ଦ୍ଧନ ସାହୁ, ବିକାଶ ସାହୁ, ସୁଜିତ୍‌ ପ୍ରଧାନ ଏବଂ ଉତ୍ତ୍ୟକ୍ତ ଚାଷୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଚକଡ଼ା ପୋକ ନିରାକରଣ ପାଇଁ ବାରମ୍ବାର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ପଦକ୍ଷେପ ନିଆଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଖୋଦ୍‌ କୃଷିମନ୍ତ୍ରୀ ଘଟଣାସ୍ଥଳକୁ ଆସି ସମସ୍ୟା ଦେଖନ୍ତୁ ବୋଲି କିଛି ଚାଷୀ ଜିଦ୍‌ କରିଥିଲେ।

ରାଜପଥ ଅବରୋଧ ସଂପର୍କରେ ଖବର ପାଇ ଜିଲ୍ଲାପାଳ ଖଗେନ୍ଦ୍ର ପାଢୀ, ଏସ୍‌ପି ଯୁଗଳ କିଶୋର ଏବଂ ବରିଷ୍ଠ ପ୍ରଶାସନିକ ଓ ପୁଲିସ୍‌ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ସହ ଆଲୋଚନା ପରେ ହିଁ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଚାଷୀମାନେ ରୋକଠୋକ୍‌ ଶୁଣାଇ ଦେଇଥିଲେ। ୪୮ ଘଣ୍ଟା ମଧ୍ୟରେ ସଠିକ୍‌ ଯାଂଚ ପରେ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଢୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ରିପୋର୍ଟ ପ୍ରସ୍ତୁତ ନହେବା ଯାଏଁ ୪୮ ଘଣ୍ଟା ଧରି ଧାରଣା ଜାରି ରହିବ ବୋଲି ଚାଷୀନେତା ଲିଙ୍ଗରାଜ କହିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି।

ସପ୍ତାହକ ମଧ୍ୟରେ ୪ ଚାଷୀ

ଗତବର୍ଷ ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟଣା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଝଡ଼ ସୃଷ୍ଟି କରି ଦେଇଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ସ୍ଥିତି ଏଭଳି ହେଲା ଯେ, ବିଧାନସଭା କାର୍ଯ୍ୟ ମଧ୍ୟ ଠପ୍‌ ରହିଥିଲା। ଗତବର୍ଷ ପ୍ରାୟ ୫୦ ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଘୋଷଣା କରିଛନ୍ତି। ଚାଷୀ ଆତ୍ମହତ୍ୟା ଘଟଣା ପ୍ରଶମିତ ହେବା ବଦଳରେ ଆହୁରି ବଢି ଯାଇଛି। ଏଥର ମାତ୍ର ସପ୍ତାହକ ମଧ୍ୟରେ ଜିଲ୍ଲାରେ ୪ଟି ଚାଷୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି।
୨୫.୧୦.୨୦୧୭ (ବୁଧବାର): ଏହି ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଗାଇସିଲାଟ ବ୍ଲକ ମଲମଣ୍ଡା ଗାଁର ଚାଷୀ ଇନ୍ଦ୍ର ବରିହା (୩୨)ଙ୍କ ମୃତ୍ୟୁ ଘଟିଥିଲା। ସେ ୨୨ ତାରିଖ ରାତିରେ ଋଣବୋଝ ଏବଂ ଉଜୁଡି ଯାଇଥିବା ଫସଲ ଯୋଗୁଁ ଅତିଷ୍ଠ ହୋଇ କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
୨୭.୧୦.୨୦୧୭ (ଶୁକ୍ରବାର): ପାଇକମାଳ ଥାନା ଅନ୍ତର୍ଗତ ଜଳଗଡ଼ ଗାଁର ଚାଷୀ ଜଗଦୀଶ ବୁଡେକ (୪୫) ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।
୩୦.୧୦.୨୦୧୭ (ସୋମବାର): ବରଗଡ଼ ସଦର ବ୍ଲକ ତୋରା ଗ୍ରାମର ଅକ୍ଷୟ ଧରେଇ (୫୮) ଚକଡା ପୋକ ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇଯିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ ୯ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଚାଷ ପାଇଁ ବିଭିନ୍ନ ସୋସାଇଟି ଓ ବ୍ୟାଙ୍କ ଋଣ ଏବଂ ହାତ ଉଧାରୀ ବାବଦକୁ ୩ ଲକ୍ଷ ଟଙ୍କା ଋଣ କରିଥିବା ପରିବାର ଲୋକେ କହିଛନ୍ତି।

ସାମୂହିକ ଆତ୍ମହତ୍ୟା ଚେତାବନୀ

ସରକାର କ୍ଷତିପୂରଣ ନ ଦେଲେ କିମ୍ବା ଏହାକୁ ଚାଷୀ ଆତ୍ମହତ୍ୟା ଘଟଣା ବୋଲି ସ୍ୱୀକାର ନକଲେ ସାମୂହିକ ଆତ୍ମହତ୍ୟା କରିବୁ ବୋଲି ମୃତ ଭାଗଚାଷୀ ବୃନ୍ଦାବନଙ୍କ ପରିବାର ଲୋକେ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସ୍ତ୍ରୀ ସୁବାସିନୀ ସାହୁ, ଦୁଇ ଝିଅ ପୁଷ୍ପା ଓ ପ୍ରୀତି, ପୁଅ ରାଜେଶଙ୍କୁ ନେଇ ବୃନ୍ଦାବନଙ୍କ ପରିବାର। ପୁଷ୍ପା କିଛି ମାସ ପୂର୍ବେ ବାହା ହୋଇଥିବା ବେଳେ ପ୍ରୀତି ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରୀ। ପୁଅ ରାଜେଶ ପାଠପଢା ପରେ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ବୃନ୍ଦାବନଙ୍କ ପରଲୋକ ପରେ ସାରା ପରିବାର ଏବେ ବେସାହାର ହୋଇପଡିଛନ୍ତି। ତେଣୁ ସରକାରୀ ସହାୟତା ନମିଳିଲେ ସାମୁହିକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ପରିବାରବର୍ଗ କହିଛନ୍ତି।

ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ବ୍ଳକ ସୁଲେଇ ଗ୍ରାମର ଚାଷୀ ଖଗେଶ୍ୱର ଦାଶ ବୁଧବାର ପୋକମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ବଡ଼ ଭାଇ ଗଙ୍ଗା ଦାଶଙ୍କ ଠାରୁ ପ୍ରକାଶ ଖଗେଶ୍ୱର ୫ଏକର ଜମିରେ ସନ୍ନା ଧାନ କରିଥିଲେ। ସବୁ ଫସଲରେ ଚକଡ଼ା ରୋଗ ଲାଗିଥିବାରୁ ଆଉ ମାଣେ ମଧ୍ୟ ଧାନ ପାଇବେ କି ନାହିଁ ଆଶଙ୍କା ଦେଖାଦେଇଛି। ବୁଧବାର ସକାଳେ ନିଜ ଚାଷ ଜମିରେ ଚକଡ଼ା ରୋଗର ପ୍ରତିକାର ପାଇଁ ଔଷଧ ସିଞ୍ଚନ କରିବାକୁ ବିଲକୁ ଯାଇଥିଲେ। ଫସଲ ଦେଖି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ବ୍ୟାଙ୍କ ଋଣ ଥିବା ଯୋଗୁଁ ଭାଙ୍ଗି ପଡ଼ିଥିଲେ ଖଗେଶ୍ୱର। ଔଷଧ ସିଞ୍ଚନ ପାଇଁ ନେଇଥିବା ପୋକମରା ଔଷଧକୁ ସେ ପିଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ତୁରନ୍ତ ତାଙ୍କୁ ଏକ ଆମ୍ବୁଲାନ୍ସରେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତରଙ୍କ ପ୍ରଚେଷ୍ଟାରେ ତାଙ୍କୁ ଔଷଧ ଦେଇ ବାନ୍ତି କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତରଙ୍କ ଠାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର