ଗଡ଼ଜାତ ଗାନ୍ଧୀ ନାମରେ ପରିଚିତ ଢେଙ୍କାନାଳ ମାଟିର ସନ୍ତାନ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସାରଙ୍ଗଧର ଦାସଙ୍କ ନାମ ଅନେକେ ଶୁଣିଥିବେ। ଜଣେ ସ୍ବାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ଓ ପକ୍କା ଆଦର୍ଶବାଦୀ ମଣିଷ ହିସାବରେ ସେ ସର୍ବତ୍ର ପରିଚିତ। କିନ୍ତୁ ଅନେକେ ଜାଣନ୍ତି ନାହିଁ ଯେ ସେ ମୂଳତଃ ଥିଲେ ଜଣେ ଶିଳ୍ପୋଦ୍ୟୋଗୀ। ବିଂଶ ଶତାବ୍ଦୀର ଦ୍ବିତୀୟ ଦଶକରେ ନିଜ ଜନ୍ମଭୂମି ଢେଙ୍କାନାଳ ଗଡ଼ଜାତରେ ଚିନି କାରଖାନାଟିଏ ପ୍ରତିଷ୍ଠା କରିବାପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ। ତାଙ୍କର ଏହି ଦୁଃସାହସିକ ସ୍ବପ୍ନକୁ ସାକାର କରିବା ପାଇଁ ଯିଏ ତାଙ୍କ ପଛରେ ଖୁଣ୍ଟ ଭଳି ଠିଆ ହୋଇଥିଲେ, ସେ ଥିଲେ ତାଙ୍କର ବିଦେଶିନୀ ପତ୍ନୀ ତଥା ସ୍ବିଜର୍‌ଲାଣ୍ଡ୍‌ର ଝିଅ ଫ୍ରିଡା ହସ୍‌ୱିର୍ଥ। ସାରଙ୍ଗ ଓ ଫ୍ରିଡାଙ୍କ ପ୍ରେମକାହାଣୀ ଯେତିକି ରୋମାଞ୍ଚକର, ସେତିକି କରୁଣ।

Advertisment

ସ୍ବରାଜ ମିଶ୍ର

୧୮୮୬ ମସିହା ଅକ୍ଟୋବର ୧୭ ତାରିଖ କୁମାର ପୂର୍ଣ୍ଣମୀ ତିଥିରେ ଢେଙ୍କାନାଳ ଗଡ଼ଜାତର ହରେକୃଷ୍ଣପୁରରେ ଜନ୍ମିତ ସାରଙ୍ଗଧର ଥିଲେ ଜଣେ ବିଚକ୍ଷଣ ଛାତ୍ର। ୧୯୦୫ରେ ସେ ରେଭେନ୍ସା କଲେଜରେ ବିଜ୍ଞାନ ପଢୁଥିବା ବେଳେ ପଣ୍ଡିତ ନୀଳକଣ୍ଠ, ଉତ୍କଳମଣି ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହର ପ୍ରମୁଖଙ୍କ  ସଂସ୍ପର୍ଶରେ ଆସି ସ୍ବଦେଶୀ ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇଥିଲେ। ମାତ୍ର ତାଙ୍କର ସ୍ବପ୍ନ ଥିଲା କିଛି ଅଲଗା। ସାରଙ୍ଗଧର ଚାହୁଥିଲେ, ବିଶ୍ବର କୌଣସି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରୁ ବିଜ୍ଞାନ ଓ ପ୍ରଯୁକ୍ତିରେ ଉଚ୍ଚଶିକ୍ଷା ଲାଭକରି ଜନ୍ମମାଟି ଢେଙ୍କାନାଳରେ ଏକ ଶିଳ୍ପ ସ୍ଥାପନ କରିବେ, ଯାହା ସେ ଅଞ୍ଚଳର ଭାଗ୍ୟ ବଦଳାଇ ଦେବ।

୧୯୦୭ରେ ସାରଙ୍ଗଧର ଜାପାନର ଖ୍ୟାତିସଂପନ୍ନ ‘ଟୋକିଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି’ରେ ରସାୟନ ବିଜ୍ଞାନରେ ପାଠପଢ଼ା ଆରମ୍ଭ କରିଥିଲେ। ମାତ୍ର କିଛିଦିନ ପରେ ସେ ଆମେରିକା ଚାଲିଆସି କାଲିଫର୍ଣ୍ଣିଆର ପ୍ରଖ୍ୟାତ ବର୍କଲେ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଲେ। ସେଠାରେ ପଢୁଥିବା ସମୟରେ ତାଙ୍କର ସାକ୍ଷାତ୍‌ ହୋଇଥିଲା ସୁଇଜର୍‌ଲାଣ୍ଡ୍‌ର ଝିଅ ଫ୍ରିଡା ହସ୍‌ୱିର୍ଥଙ୍କ ସହ। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଛାତ୍ରୀ ଫ୍ରିଡା ଥିଲେ ଜଣେ ଉଚ୍ଚକୋଟୀର ଲେଖିକା ଓ ଚିତ୍ରଶିଳ୍ପୀ। ଭାରତୀୟ ସଭ୍ୟତା ଓ ସଂସ୍କୃତି ପ୍ରତି ତାଙ୍କର ଥିଲା ଗଭୀର ଶ୍ରଦ୍ଧା। ଭାରତର ଏକ ଛୋଟିଆ ସ୍ଥାନରୁ ଆସି ଆମେରିକାରେ ଶିଳ୍ପଶାସ୍ତ୍ର ଅଧ୍ୟୟନ କରୁଥିବା ପ୍ରତିଭାବାନ୍ ସାରଙ୍ଗଧରଙ୍କ ବ୍ୟକ୍ତିତ୍ବ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ବିଶେଷକରି ଜଣେ ଭାରତୀୟଙ୍କୁ ବିବାହ କରି ଭାରତବର୍ଷକୁ ଆସିବାର ସ୍ବପ୍ନ ତାଙ୍କୁ ରୋମାଞ୍ଚିତ କରୁଥିଲା। ଫ୍ରିଡା ସାରଙ୍ଗଙ୍କୁ ବିବାହ କରିଥିଲେ ୧୯୧୭ରେ। ବିବାହ ପରେ ବିଦେଶିନୀ ପତ୍ନୀଙ୍କୁ ସାଥିରେ ଧରି ୧୯୨୦ରେ  ଭାରତ ଫେରିଲେ ସାରଙ୍ଗ। କିଛିକାଳ ବମ୍ବେ, କଲିକତା ଆଦି ସହରରେ କଟାଇବା ପରେ ସେ ପହଞ୍ଚିଲେ ନିଜ ଜନ୍ମମାଟିରେ। ଚିନି କାରଖାନା ବସାଇବା ପାଇଁ ସେ ତତ୍କାଳୀନ ପଲିଟିକାଲ୍‌ ଏଜେଣ୍ଟଙ୍କୁ ଦରଖାସ୍ତ କରି ଢେଙ୍କାନାଳଗଡ଼ରୁ ପ୍ରାୟ ୫୬ କି.ମି. ଦୂର ବ୍ରହ୍ମକୁଣ୍ଡ ଅଞ୍ଚଳରେ କିଛି ନଈକୂଳିଆ ଜଙ୍ଗଲ ଜମି ଲିଜ୍ ନେଇଥିଲେ। ସେଠାରେ ଜଙ୍ଗଲ ସଫା କରି ଆଖୁଚାଷ କରିବା ସହିତ ସେ କାରଖାନା ତିଆରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ପାଖେ ପାଖେ ଥିଲେ ଫ୍ରିଡା। ଘନଜଙ୍ଗଲରେ ଚାଷଘରେ ରହିବାର ଅନୁଭୂତି ଫ୍ରିଡାଙ୍କ ପାଇଁ ଥିଲା ଯେତିକି ଆହ୍ବାନପୂର୍ଣ୍ଣ, ସେତିକି ରୋମାଞ୍ଚକର। ତେଣେ ହଳିଆ ମୂଲିଆଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ  ରାତିଦିନ କାମ କରୁଥିଲେ ସାରଙ୍ଗଧର। ବ୍ରହ୍ମକୁଣ୍ଡକୁ ଏକ କୃଷିଭିତ୍ତିକ ଶିଳ୍ପାଞ୍ଚଳରେ ପରିଣତ କରିବାର ସ୍ବପ୍ନ ଦେଖୁଥିଲେ ସେ। ଫ୍ରିଡା ତାଙ୍କୁ ଆଦରରେ ଡାକୁଥିଲେ ‘ସୁଗାର କିଙ୍ଗ୍’ ବା ଚିନିରାଜା।

ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ଢେଙ୍କାନାଳ ଭଳି ଏକ ଗଡ଼ଜାତରେ ଏତେ ବଡ଼ ସ୍ବପ୍ନ ଦେଖିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ରାଜା ସୁରପ୍ରତାପଙ୍କ ମୃତ୍ୟୁ ପରେ ୧୯୨୫ରେ ତାଙ୍କ ପୁଅ ଶଙ୍କରପ୍ରତାପ ସିଂହାସନ ଆରୋହଣ କଲାପରେ ପରିସ୍ଥିତି ବଦଳିଗଲା। ସେ ସାରଙ୍ଗଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଲେ। କାରଖାନା ପାଇଁ ସାରଙ୍ଗଧର ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଜମି ନେଇଛନ୍ତି ତଥା ହଳିଆ ମୂଲିଆଙ୍କୁ ଅତ୍ୟଧିକ ପାରିଶ୍ରମିକ ଦେଇ ବିଗାଡ଼ି ଦେଉଛନ୍ତି ବୋଲି ସେ ମନେକଲେ। ରାଜାଙ୍କ ଅସହଯୋଗ ତଥା ରାଜକର୍ମଚାରୀଙ୍କ ଆକ୍ରୋଶମୂଳକ ମନୋଭାବ ସାରଙ୍ଗଙ୍କ ପାଇଁ କାଳ ସାଜିଲା।

ଅନ୍ୟପକ୍ଷରେ ବିଦେଶିନୀ ଫ୍ରିଡାଙ୍କ ପାଇଁ ପରିସ୍ଥିତି ଆଦୌ ଅନୁକୂଳ ନଥିଲା। ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥା ଭିତରେ ସେ ପ୍ରାୟ ଶ୍ବାସରୁଦ୍ଧ ଅନୁଭବ କରୁଥିଲେ। ଖ୍ରୀଷ୍ଟିଆନ ହୋଇଥିବାରୁ ଶାଶୂଘରେ ଅସୁମାରି କଟକଣା। ପୁଣି ସେହି କାରଣରୁ ବ୍ରହ୍ମକୁଣ୍ଡ ଚାଷଘରେ ଘରୋଇ କାମରେ କର୍ମଚାରୀଙ୍କର ଅସହଯୋଗ ତାଙ୍କୁ ଅତିଷ୍ଠ କରିପକାଉଥିଲା। ଏଣେ ଦିନକୁ ଦିନ ବଢ଼ିଚାଲିଥିବା ଋଣଭାର ସଙ୍ଗକୁ  ରାଜାଙ୍କ ଆକ୍ରୋଶମୂଳକ ମନୋଭାବ ତଥା ରକ୍ଷଣଶୀଳ ସମାଜର ନିରନ୍ତର ଅସହଯୋଗ ହେତୁ ସାରଙ୍ଗ ଅଧିକରୁ ଅଧିକ ଛନ୍ଦି ହୋଇ ପଡୁଥିଲେ। 
ଫ୍ରିଡ‌ା ବୁଝି ପାରୁଥିଲେ, ଚିନି କାରଖାନା ବସାଇବାର ସ୍ବପ୍ନ ଧୀରେ ଧୀରେ ଅପହଞ୍ଚ ହୋଇପଡୁଛି। ତାଙ୍କର ଉପସ୍ଥିତି ସାରଙ୍ଗଧରଙ୍କ ପାଇଁ ଅଧିକ ଜଟିଳତା ସୃଷ୍ଟି କରୁଛି, ସେ କିଛି ବି କରିପାରୁନାହାନ୍ତି ତାଙ୍କ ପାଇଁ। ଏଭଳି ପରିସ୍ଥିତିରେ ସେ ଭାରତ ଛାଡ଼ି ଆମେରିକା ଫେରିଯିବା ପାଇଁ କଠୋର ନିଷ୍ପତ୍ତି ନେଲେ। ତାହା ଥିଲା ତାଙ୍କ ସୁନ୍ଦର ସ୍ବପ୍ନର ଏକ ଦୁଃଖଦ ଅନ୍ତ। ତେଣେ ସାରଙ୍ଗ କଲିକତା ଯାଇଥିବା ବେଳେ ବ୍ରହ୍ମକୁଣ୍ଡ କାରଖାନାରେ ଭଙ୍ଗାରୁଜା ଓ ଲୁଟ୍‌ ହେଲା। ଶେଷକୁ ସେଠାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଲେ ଏବଂ ସବୁକିଛି ଭସ୍ମୀଭୂତ ହୋଇଗଲା। ଏତେ ନିଷ୍ଠାପର ଉଦ୍ୟମ ସତ୍ତ୍ବେ ସାରଙ୍ଗଧରଙ୍କର ଜନ୍ମମାଟିରେ ଚିନି କାରଖାନାଟିଏ କରିବାର ସ୍ବପ୍ନ, ସ୍ବପ୍ନରେ ହିଁ ରହିଗଲା। 

ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମର କିନ୍ତୁ ଅନ୍ୟ ଏକ ସୁଫଳ ମିଳିଲା। ସାରଙ୍ଗଧର ଶିଳ୍ପାୟନ ଛାଡ଼ି ଜନତାଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଲେ ଏବଂ ଢେଙ୍କାନାଳ ଗଡ଼ଜାତ ସମେତ ସମଗ୍ର ରାଜ୍ୟରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ବ ନେଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ୧୯୪୬ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ପୂର୍ବ କଟକ ଆସନରୁ ଜିଣି ବିଧାନସଭାକୁ ଆସିଥିଲେ। ପରେ ଦେଶର ସଂବିଧାନ  ପ୍ରଣୟନ ସଭାର ସଦସ୍ୟ ମଧ୍ୟ ହୋଇଥିଲେ। କଂଗ୍ରେସରୁ ଅଲଗା ହୋଇ ସୋସାଲିଷ୍ଟ୍‌ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଏବଂ ୧୯୫୧ରେ ଢେଙ୍କାନାଳ-ପଶ୍ଚିମ କଟକ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୨୯ରେ ଫ୍ରିଡା ଚାଲିଯିବା ପରେ ସେ ପୁନର୍ବିବାହ କରି ନଥିଲେ। ନିଜର ସମସ୍ତ ସମ୍ପତ୍ତି ସେ ଉତ୍ସର୍ଗ କରିଯାଇଥିଲେ ଜନସାଧାରଣଙ୍କ ପାଇଁ। ସେପାଖେ ଫ୍ରିଡା ମଧ୍ୟ ପୁନର୍ବିବାହ କରି ନଥିଲେ। ଭାରତରେ ତାଙ୍କର ଅନୁଭୂତିକୁ ସେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ୧୯୩୦ରେ ପ୍ରକାଶିତ ତାଙ୍କର ଆତ୍ମଜୀବନୀମୂଳକ ପୁସ୍ତକ ‘ଏ ମ୍ୟାରେଜ୍‌ ଟୁ ଇଣ୍ଡିଆ’ରେ। ଶେଷ ପର୍ଯ୍ୟନ୍ତ ତାଙ୍କର ପ୍ରିୟ ଚିନିରାଜାଙ୍କ ସ୍ମୃତିରେ ବଞ୍ଚିଥିଲେ ସେ। ସାରଙ୍ଗଧର ମଧ୍ୟ ଭୁଲି ପାରି ନଥିଲେ ବିଦେଶିନୀ ପତ୍ନୀ ଫ୍ରିଡାଙ୍କ ସହ କଟାଇଥିବା ସେହି ସ୍ବପ୍ନ ଓ ସଂଘର୍ଷର ଦିନଗୁଡ଼ିକୁ।