ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କିର୍ତ୍ତୀରାଜିର ସୁରକ୍ଷା ଓ ଓଡ଼ିଆ ଭାଷାକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ୨୦୧୮ ମସିହାରେ ବିଧିବଦ୍ଧ ଭାବେ ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ୍। ଏହା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକାଧିକ ଥର ଐତିହ୍ୟ କ୍ୟାବିନେଟ୍ ବସି ସାରିଛି। ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ଷମ ମଧ୍ୟ କରାଯାଉଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’ ଓ ଆସନ୍ତାକାଲି ଫେବ୍ରୁଆରି ୩ରୁ ଜନତା ମଇଦାନରେ ଆରମ୍ଭ ହେଉଥିବା ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଐତିହ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଯାହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଲାଗି ପଡ଼ିଛନ୍ତି। ଐତିହ୍ୟ କ୍ୟାବିନେଟ୍ର ଏକ ରୂପରେଖ ପ୍ରସ୍ତୁତ ହୋଇଛି। ସଂସଦୀୟ ବ୍ୟାପାର ବିଭାଗର ଗେଜେଟ୍ ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଐତିହ୍ୟ କ୍ୟାବିନେଟ୍ରେ ମୋଟ୍ ୮ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଅର୍ଥ ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟ୍ର କ୍ୟାବିନେଟ୍ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଆବାହକ ଏବଂ ସଂପୃକ୍ତ ସମସ୍ତ ବିଭାଗର ସଚିବମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ କାର୍ଯ୍ୟ କରୁଛନ୍ତି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ଭାଷା, ସାହିତ୍ୟ, ଇତିହାସ ଓ ସଂସ୍କୃତିର ସଂରକ୍ଷଣ, ବିକାଶ ଓ ସମୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ସହ କ୍ୟାବିନେଟ୍ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। ଐତିହ୍ୟ କ୍ୟାବିନେଟ୍ ପରାମର୍ଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏ ସମ୍ପର୍କିତ ଅନ୍ୟ ବିଭାଗଗୁଡ଼ିକ ନୀତି ପ୍ରଣୟନ କରୁଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି ଉପରେ ଅଧିକ ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣ ଦିଗରେ କାମ କରୁଛି କ୍ୟାବିନେଟ୍। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି ଓ ମଞ୍ଜୁରି କରିବାରେ ଐତିହ୍ୟ କ୍ୟାବିନେଟ୍ ଗ୍ରହଣ କରିଛି ମୁଖ୍ୟ ଭୂମିକା।
ନିଷ୍ପତ୍ତି ହେଲା କାର୍ଯ୍ୟକାରୀ
ଭାଷା ଅତୀତର ଅସ୍ତିତ୍ବ। ଭାଷା ହିଁ ଭବିଷ୍ୟତ। ଭାଷା ଭାବର ବାହକ। ଓଡ଼ିଆ ଜାତିର ଆତ୍ମା, ଗର୍ବ ଓ ଗୌରବ। ଏହି କଥାକୁ ମର୍ମେ ମର୍ମେ ବୁଝି ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ ଓଡ଼ିଆ ଭାଷାର ବ୍ୟବହାର ଓ ପ୍ରସାର ବୃଦ୍ଧି ଦିଗରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ୧୯ ଡିସେମ୍ବର ୨୦୨୩ ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଅନୁଷ୍ଠିତ ହେବାକୁ ଯାଉଛି। ସମ୍ମିଳନୀର ଟ୍ୟାଗଲାଇନ୍ ରହିଛି ‘ଭାଷା ହିଁ ଭବିଷ୍ୟତ’। ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ମାଧ୍ୟମରେ ସରକାର ଆଣି ଦେଇଛନ୍ତି ଏକ ବୈଦ୍ଧିକ ମଞ୍ଚ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତିର ପ୍ରଦର୍ଶନର ଆୟୋଜନ ହୋଇଛି। ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା ବଖାଣୁଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା କରାଯାଇ ଆଗାମୀପିଢ଼ୀଙ୍କ ମଧ୍ୟରେ ଭାଷାପ୍ରେମ ଜାଗରଣ କରାଯାଉଛି। ପ୍ରତି ୫ ବର୍ଷକୁ ଥରେ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡ଼ିଆ ଭାଷା ସପ୍ତାହ ହେବ ପାଳନ କରାଯିବ। ଶହେ ବର୍ଷ ପୁରାତନ ବିଦ୍ୟାଳୟକୁ ଐତିହ୍ୟବିଦ୍ୟାଳୟ ମାନ୍ୟତା ମିଳିବା ଭଳି ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତାକାଲି ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମଳିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ।
ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ
ପ୍ରଥମ ଓଡ଼ିଆ ଭାଷା ସମ୍ମଳିନୀକୁ ସବୁ ଦିଗରୁ ନିଆରା କରିବାର ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାବ ଓ ଓଡ଼ିଆପଣ ଯେମିତି ବାରି ହୋଇ ପଡ଼ୁଛି। ଏହି ଧାରାରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ଅମର ଯୋଗଦାନ ଦେଇଥିବା ଓଡ଼ିଶାର ପାଞ୍ଚଜଣ ବରପୁତ୍ରଙ୍କ ନାମରେ ୫ଟି ସମ୍ମିଳନୀ କକ୍ଷକୁ ନାମିତ କରାଯାଇଛି। ଯେଉଁଠି ଭାଷାବିତ୍, ବିଦ୍ବାନ, ପଣ୍ଡିତମାନେ ଏକାଠି ହୋଇ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିବେ।
ଆଦିକବି ସାରଳା ଦାସ କକ୍ଷ
ଓଡ଼ିଆ ଭାଷାରେ ସାହିତ୍ୟ ରଚନାର ଭିତ୍ତିଭୂମି ସ୍ଥାପନ କରିଥିଲେ ଆଦି କବି ସାରଳା ଦାସ। ସରଳ କଥିତ ଭାଷାରେ ସେ ଓଡ଼ିଆରେ ମହାକାବ୍ୟ ମହାଭାରତ ରଚନା କରିଥିଲେ। ଏହି କକ୍ଷରେ ଆଧୁନିକ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଭାଷା ଓ ମହିଳା ସଶକ୍ତୀକରଣ, ଜଗନ୍ନାଥ ଚେତନା, ଓଡ଼ିଆର ନବଦିଗନ୍ତର ସମ୍ଭାବନା ଆଦି ବିଷୟରେ ଆଲୋଚନା କରାଯିବ। ପଦ୍ମଶ୍ରୀ ହରମାନ କୁଲଜେ, ପ୍ରଫେସର ଆର୍ଲୋ ଗ୍ରିଫିଥ୍ ଏହି କକ୍ଷରେ ଆଲୋଚନାରେ ସାମିଲ ହେବେ।
ଅତିବଡୀ ଜଗନ୍ନାଥ ଦାସ କକ୍ଷ
ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଭକ୍ତକବି ତଥା ଓଡ଼ିଆ ଭାଗବତ ପ୍ରଣେତା ଅତିବଡୀ ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀରେ ଆଦୃତ। ନବାକ୍ଷରୀ ଛନ୍ଦରେ ଶ୍ରୀକୃଷ୍ଣ ଚରିତକୁ ସେ ହୃଦୟସ୍ପର୍ଶୀ ପଦାବଳୀ ମାଧ୍ୟମରେ ପରିବେଷଣ କରିଛନ୍ତି। ଯାହାର ପଠନ ବା ଶ୍ରବଣରେ ମନପ୍ରାଣ ଭକ୍ତି ଓ ଆଧ୍ୟାତ୍ମିକତାରେ ଆହ୍ଲାଦିତ ହୋଇଉଠେ। ତାଙ୍କରି ନାମରେ ନାମିତ ଏହି କକ୍ଷରେ ଓଡ଼ିଆ ଭାଷାର ଉତ୍ପତ୍ତି ଏବଂ କ୍ରମବିକାଶ ସମ୍ପର୍କରେ ଆଲୋଚନା କରାଯିବ। ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ପ୍ରତ୍ନତତ୍ତ୍ବ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷାର ସୁଯୋଗ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ।
କବିସମ୍ରାଟ ଉପେନ୍ଦ୍ରଭଞ୍ଜ କକ୍ଷ
ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ ରୀତିଯୁଗର ସାହିତ୍ୟ ସାଧକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ। ନିଜର ଅଦମ୍ୟ ପ୍ରଚେଷ୍ଠା, ଅନନ୍ୟ ଲିଖନଶୈଳୀ, ଗଭୀର ଭାଷାଜ୍ଞାନ, ଉପମା-ଅଳଙ୍କାରର ଚାତୁରୀରେ ଅନବଦ୍ୟ କାବ୍ୟମାନ ରଚନା କରି ସେ କବିସମ୍ରାଟ ଉପାଧିରେ ଭୂଷିତ ହୋଇଥିଲେ। ତାଙ୍କ ନାମରେ ନାମିତ ଏହି କକ୍ଷରେ ପୁରାତନ ଏବଂ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଲୋକସଂସ୍କୃତି, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ସଂସ୍କୃତି ଏବଂ ଐତିହ୍ୟ ରାଜ୍ୟର ସୂକ୍ଷ୍ମଶକ୍ତି ସମ୍ପର୍କରେ ଆଲୋଚନା ହେବ।
ବ୍ୟାସକବି ଫକୀରମୋହନ ସେନାପତି କକ୍ଷ
ବ୍ୟାସକବି ଫକୀରମୋହନ ସେନାପତିଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଓଡ଼ିଆ ପ୍ରେସ୍ ସ୍ଥାପନ କରି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ଓଡ଼ିଆ ଭାଷାରେ ଛପାଇ ଥିଲେ। ତାଙ୍କ ପ୍ରଚେଷ୍ଟା ଯୋଗୁଁ ଓଡ଼ିଆ ଭାଷାର ଶିକ୍ଷାଦାନ ସମ୍ଭବ ହୋଇଥିଲା। ତାଙ୍କ ନାମରେ ନାମିତ କକ୍ଷରେ ଭାରତର ଶାସ୍ତ୍ରୀୟ ଭାଷା, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ, ଓଡ଼ିଆ ଭାଷା ବିବିଧତା ସମ୍ପର୍କରେ ଆଲୋଚନା କରାଯିବ।
ପ୍ରକୃତିକବି ଗଙ୍ଗାଧର ମେହେର କକ୍ଷ
ଗଙ୍ଗାଧର ମେହେର ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ଜଣେ ଶ୍ରେଷ୍ଠ କବି। ‘ଇନ୍ଦୁମତୀ’, ‘କୀଚକ ବଧ’, ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’ କବିଙ୍କ ଅନବଦ୍ୟ ସୃଷ୍ଟି। ତାଙ୍କ କବିତା, ନାଟକ ଏବଂ ଦାର୍ଶନିକ ଜ୍ଞାନ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ସହ ଅଗଣିତ ପାଠକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏହି କକ୍ଷରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା କରାଯିବ। ଓଡ଼ିଆ ଭାଷା କିପରି ଭାବେ ବିଜ୍ଞାନର ଭାଷା ହୋଇପାରିବ ସେ ନେଇ ଆଲୋଚନା କରାଯିବ।