ମାର୍ଚରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏହାକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ କିଭଳି ମୁକାବିଲା କରାଯିବ, ସେଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଗୁଆ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ କରିଥିଲେ। ସାଧାରଣ ଓ କରୋନା ରୋଗୀ ଏକାଠି ଚିକିତ୍ସିତ ହେବା ଫଳରେ ସଂକ୍ରମଣ ବଢ଼ିଥିଲା। ଏହାକୁ ନଜରରେ ରଖି ଦେଶରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲା। ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଓଡ଼ିଶା। ଟେକ୍ନୋଲୋଜିର ବ୍ୟବହାର ନେଇ ସରକାର ବିଶେଷ ମୁହଁ ଖୋଲୁ ନଥିଲେ ହେଁ ଅବରୋଧ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଏହାସହ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନଠାରୁ ଆରମ୍ଭ କରି ବାହାର ଫେରନ୍ତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ନେଇ ଏକ ଅଗ୍ରଣୀ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ତେବେ କେତେକ ଅବ୍ୟବସ୍ଥା/ଦୁର୍ନୀତି ଅଭିଯୋଗ କରୋନା ମୁକାବିଲାକୁ ବିବାଦୀୟ କରି ଦେଇଛି। ସାମୂହିିକ ଭାବେ ଓଡ଼ିଶା କରୋନା ମୁକାବିଲା କରୁଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କୌଣସି ମଡେଲ ନାହିଁ।
କୋଭିଡ ହସ୍ପିଟାଲ: ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ତତ୍ପରତା ଦେଖାଇଥିଲେ। ରାଜ୍ୟରେ ଏବେ ୩୪ଟି କୋଭିଡ ହସ୍ପିଟାଲରେ ୫୪୬୩ ଶଯ୍ୟା ପ୍ରତିଷ୍ଠା କରାଯାଇଛି। ଏଥିରେ ୩୨୬ଟି ଆଇସିୟୁ ଶଯ୍ୟା ରହିଛି। ତେଣୁ ଗୁରୁତର ରୋଗୀଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲରେ ଭର୍ତି କରାଯିବା ସହ ଜୀବନ ରକ୍ଷା ହୋଇପାରୁଛି। ୧୭୪ କୋଭିଡ କେୟାର ଓ ୧୭୬୩୪ଟି ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇଛି।
ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା: ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରର ପରିଚାଳନା ଦାୟିତ୍ବ ସ୍ଥାନୀୟ ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିଛି। ଏଥିପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ଏହି କ୍ଷମତା ପ୍ରୟୋଗ କରି ସରପଞ୍ଚମାନେ କରୋନା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ପ୍ରୋତ୍ସାହନ ରାଶି: ପ୍ରାରମ୍ଭରେ ବିଦେଶଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଫଳରେ ସେମାନେ ନ ଲୁଚି ନିଜର ପରୀକ୍ଷା ପାଇଁ ଆଗେଇ ଆସିବେ। ଏହାବାଦ୍ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୨ହଜାର ଟଙ୍କାର ପ୍ରୋତ୍ସାହନ ମଧ୍ୟ ଘୋଷଣା କରାଯାଇଛି। ଯେଉଁମାନେ ସଙ୍ଗରୋଧ କେନ୍ଦ୍ରରୁ ଧାର୍ଯ୍ୟ ଅବଧି ପରେ ଘରକୁ ଫେରୁଛନ୍ତି, ସେମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି।
ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା: ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ମାତ୍ର ଏହାର ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। କେଉଁଠି ଖାଇବାକୁ ନେଇ ପ୍ରବାସୀମାନେ ଆନ୍ଦୋଳନ କଲେନି କେଉଁଠି ସାମାଜିକ ଦୂରତ୍ବ ବଜାୟ ରହିବା ଭଳି ବ୍ୟବସ୍ଥା ନାହିଁ।
କୋଭିଡ ପରୀକ୍ଷା କମୁଛି: ଗତ ଦୁଇମାସ ଧରି ଓଡ଼ିଶା ସରକାର ଜୋରଦାର କୋଭିଡ୍ ପରୀକ୍ଷା ଆରମ୍ଭ କରିଥିଲେ। ଏପରିକି ଦୈନିକ ୫ହଜାର ନମୁନା ପରୀକ୍ଷା କରାଯାଉଥିଲା। ମାତ୍ର ଏବେ ଏଥିରେ ଯଥେଷ୍ଟ ହ୍ରାସ ଘଟିଛି। ଯଦିଓ ରାଜ୍ୟ ଦିନକୁ ୧୫ ହଜାର ପରୀକ୍ଷା କରିବେ ବୋଲି ଘୋଷଣା କରିଥିଲେ, ମାତ୍ର ଦିନକୁ ଏବେ ୩/୩.୫ହଜାର ପରୀକ୍ଷା କରାଯାଉଛି। ଯାହା ରାଜ୍ୟ ସରକାରଙ୍କ ନମୁନା ପରୀକ୍ଷା କ୍ଷମତାଠାରୁ ଯଥେଷ୍ଟ କମ୍। ରାଜ୍ୟ ସରକାର ଆଇସିଏମ୍ଆର ନିର୍ଦେଶାବଳିକୁ ପାଳନ କରୁଥିବା କହୁଥିଲେ ହେଁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଯଥେଷ୍ଟ କମ୍ ପରୀକ୍ଷା ହେଉଛି।