ସ୍ବରାଜ ମିଶ୍ର

Advertisment

ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ କିଏ ବା ନ ଜାଣେ! ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିବା ଏଇ ମହାନ୍‌ ଲେଖକଙ୍କ ସ୍ମୃତିରେ ସାରା ଓଡ଼ିଶା ଆଜି ଭକ୍ତିଅର୍ଘ୍ୟ ଅର୍ପଣ କରୁଛି ତାଙ୍କ ପାଦତଳେ। କିନ୍ତୁ ଅନେକେ ଜାଣନ୍ତି ନାହିଁ ଯେ ଫକୀରମୋହନଙ୍କର ଯେଉଁ ଛବିଟି ଆଜି ସବୁଠାରୁ ବେଶୀ ବ୍ୟବହୃତ ଏବଂ ଓଡ଼ିଶାର ଘରେ ଘରେ ଶୋଭିତ, ତାହାର ମୂଳ ତୈଳଚିତ୍ରଟି ଆଙ୍କିଥିଲେ ତାଙ୍କ ସାନଝିଅ ସରୋଜିନୀଙ୍କର ଭିନ୍ନକ୍ଷମ ପୁଅ- ବିପିନ। ବିଶ୍ବାସ କରିବା କଷ୍ଟ, ମାତ୍ର ଅତି ଛୋଟ ବୟସରୁ ଶୁଣିବା ଓ କହିବା ଶକ୍ତି ହରାଇଥିବା ସେନାପତିଙ୍କର ଏଇ ନାତିଟୋକାଟି ନିଜର ପ୍ରଚଣ୍ଡ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଜଣେ ବିଶ୍ବବିଦିତ ଚିତ୍ରକର ପାଲଟିଥିଲା। ଲଣ୍ଡନ୍‌ର ସମ୍ମାନଜନକ ରୟାଲ୍ କଲେଜ୍ ଅଫ୍ ଆର୍ଟରୁ ଡିଗ୍ରି ହାସଲ କରିଥିବା ଏହି  ଚିତ୍ରଶିଳ୍ପୀ ହେଲେ ଶ୍ରୁତି ଓ ବାକ୍‌ବାଧିତ ଭିନ୍ନକ୍ଷମଙ୍କ ପାଇଁ ଓଡ଼ିଶାର ସର୍ବପ୍ରଥମ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା- ବିପିନବିହାରୀ ଚୌଧୁରୀ। ତାଙ୍କର ଜୀବନକାହାଣୀ ଯେତିକି ରୋମାଞ୍ଚକର, ସେତିକି ପ୍ରେରଣାପ୍ରଦ।

ଫକୀରମୋହନଙ୍କ ଆତ୍ମଚରିତରୁ ଆମେ ଜାଣୁ କେମିତି ତାଙ୍କ ପୂର୍ବପୁରୁଷ ହନୁ ମଲ୍ଲଙ୍କ ପରିବାର କେନ୍ଦ୍ରାପଡ଼ା ଅଞ୍ଚଳରୁ ଉଠିଆସି ରହିଥିଲେ ବାଲେଶ୍ବରରେ। ତାଙ୍କର ମରହଟ୍ଟାଦତ୍ତ ପଦବୀ ହେଲା ‘ସେନାପତି’। ଠିକ୍ ସେମିତି ଆଉ ଏକ ମଲ୍ଲ ପରିବାର  ମଧ୍ୟ ବାଲେଶ୍ବରକୁ ଉଠି ଆସିଥିଲେ, ଯେଉଁମାନେ ‘ଚୌଧୁରୀ’ ଉପାଧି ପାଇଥିଲେ। ସେହି ଚୌଧୁରୀ ପରିବାରରେ ଫକୀରମୋହନ  ବାହା ଦେଇଥିଲେ ତାଙ୍କର ଦୁଇ ଝିଅଙ୍କୁ। ଫକୀରମୋହନଙ୍କର ପ୍ରଥମ ସ୍ତ୍ରୀ ଲୀଳାବତୀ ଦେବୀଙ୍କ ଝିଅ ମହିଳାମଣି, ଗଙ୍ଗାପ୍ରସାଦ ଚୌଧୁରୀଙ୍କ ବଡ଼ପୁଅ ରଘୁନାଥଙ୍କୁ ବିବାହ କରିଥିବା ବେଳେ ଦ୍ବିତୀୟ ସ୍ତ୍ରୀ କୃଷ୍ଣକୁମାରୀଙ୍କ ଝିଅ ସରୋଜିନୀ ବିବାହ କରିଥିଲେ ରଘୁନାଥଙ୍କ ସାନଭାଇ ଗଗନବିହାରୀଙ୍କୁ। ଗଗନବିହାରୀ କଲିକତା ବିଶ୍ବବିଦ୍ୟାଳୟରୁ ଓକିଲାତି ପଢ଼ାସାରି ବିଚାର ବିଭାଗରେ ଯୋଗ ଦେଇଥିଲେ। ସେ କଲିକତା ନିକଟସ୍ଥ ଉଲୁବେଡ଼ିଆରେ ମୁନ୍‌ସିଫ୍ ପଦରେ ଥିବାବେଳେ ୧୯୦୫ ସେପ୍ଟେମ୍ବର ୨୨ତାରିଖରେ ବିପିନଙ୍କ ଜନ୍ମ।

ପିଲାଦିନୁ ବିପିନ ଥିଲେ ବେଶ୍ ସୁନ୍ଦର ଓ ସ୍ବାସ୍ଥ୍ୟବାନ୍‌। ଦୁଇବର୍ଷ ବୟସ ହେବା ବେଳକୁ ସେ କଥା କହିବା ଆରମ୍ଭ କରି ସୁନ୍ଦର ପ୍ରାର୍ଥନା ମଧ୍ୟ ଗାଉଥିଲେ। ମାତ୍ର ଦୁର୍ଭାଗ୍ୟ, ସେତିକିବେଳେ ସେ ଦୁଇଥର ଭୟଙ୍କର ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ଶ୍ରବଣ ଓ ବାକ୍ ଶକ୍ତି ହରାଇ ବସିଲେ। ଶୈଶବରୁ ହିଁ ବିପିନଙ୍କ ଜୀବନରେ ଛାଇଗଲା ଅଖଣ୍ଡ ନିରବତା।  ତାଙ୍କର ପାଠପଢ଼ା ପାଇଁ ଖୁବ୍ ଚିନ୍ତିତ ଥିଲେ ଗଗନବିହାରୀ। ଓଡ଼ିଶାକୁ ବଦଳି ହୋଇ ସାରିଥିଲେ ମଧ୍ୟ ସେ କଲିକତାରେ ଥିବା ମୂକବଧିର ବିଦ୍ୟାଳୟରେ ୯ ବର୍ଷର ପୁଅ ବିପିନଙ୍କୁ ହଷ୍ଟେଲ୍‌ରେ ରଖାଇ ପାଠ ପଢ଼ାଇଲେ। ବିପିନ ମଧ୍ୟ ଖୁବ୍‌ ନିଷ୍ଠା ଓ ଆଗ୍ରହରେ ଲେଖାପଢ଼ା ସହିତ ଧୀରେ ଧୀରେ କଥା କହିବା ଶିଖିଲେ। ଯେହେତୁ ସେ ଶ୍ରବଣଶକ୍ତି ହରାଇବା ପୂର୍ବରୁ ଶବ୍ଦ ଉଚ୍ଚାରଣ ଶିଖି ସାରିଥିଲେ, ଶିକ୍ଷକମାନଙ୍କ ସହାୟତାରେ ଅନ୍ୟମାନଙ୍କ ଓଠକୁ ଲକ୍ଷ୍ୟ କରି ସେ ବଙ୍ଗଳା ସହ କିଛି କିଛି ଇଂରାଜୀ ମଧ୍ୟ କହିପାରିଲେ। ଛୁଟିରେ ଘରକୁ ଆସିଲାବେଳେ ସେ  ଶିଖୁଥିଲେ ଓଡ଼ିଆ। କଟକରେ ଫକୀରମୋହନଙ୍କ ଘର ତାଙ୍କ ଘରଠାରୁ ଅଳ୍ପଦୂରରେ ଥିବାରୁ ଟିକିଏ ସୁବିଧା ପାଇଲେ ସେ ଅଜାଙ୍କ ପାଖକୁ ଧାଇଁ ଯାଉଥିଲେ। ତାଙ୍କରି କୋଳରେ ବସି  ମୁହଁକୁ ଚାହିଁ ଚାହିଁ ସେ ଶିଖୁଥିଲେ ଓଡ଼ିଆ। ବିପିନଙ୍କ ଝିଅ ନିବେଦିତା ମହାନ୍ତି ଓ ନାତି ଶୁଭଞ୍ଜୟ ମହାନ୍ତିଙ୍କ ଦ୍ବାରା ରଚିତ ଜୀବନୀ ପୁସ୍ତକ ‘ଦ ଇଲୋକ୍ବେଣ୍ଟ୍‌ ସାଇଲେନ୍ସ୍‌’ରେ ବିପିନବିହାରୀଙ୍କ ଜୀବନର ଅନେକ କୌତୂହଳପୂର୍ଣ୍ଣ କଥା ବର୍ଣ୍ଣିତ। ସେଥିରେ ଲେଖାଅଛି- ସେ ଅଜାଙ୍କଠାରୁ ଶିଖି ଗୋଟିଏ ଶବ୍ଦ ଖୁବ୍ ସ୍ପଷ୍ଟ ଉଚ୍ଚାରଣ କରିପାରୁଥିଲେ - ‘ପ ଦ୍ମ ଫୁ ଲ’। ୧୯୨୨ ମସିହାରେ କଲିକତା ମୂକବଧିର ବିଦ୍ୟାଳୟରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଫେରିଲେ ବିପିନ। ସେତେବେଳକୁ ଅଜା ଫକୀରମୋହନଙ୍କର ଦେହାନ୍ତ ହୋଇସାରିଥାଏ। କିନ୍ତୁ ସେହିବର୍ଷ  ହଠାତ୍ ବାପା ଗଗନବିହାରୀଙ୍କ ତିରୋଧାନ ସବୁକିଛି ଓଲଟପାଲଟ କରିଦେଲା। ବଡ଼ଭାଇ ପୁଳିନଙ୍କର ମଧ୍ୟ ତିନିବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିବାରୁ ବଡ଼ପୁଅର ଦାୟିତ୍ବ ଏବେ ତାଙ୍କ ଉପରେ। ଘରେ ପୁଣି ଆହୁରି ତିନିଜଣ ସାନ ଭାଇଭଉଣୀ। ପିଲାଟିଦିନରୁ ଚିତ୍ର ଆଙ୍କିବାରେ ପ୍ରବଳ ଆଗ୍ରହ ଥିବାରୁ ସେ ଭାବିଚିନ୍ତି ନିଷ୍ପତ୍ତିନେଲେ ଚିତ୍ରକଳା ଶିକ୍ଷାକରି ସେଇଥିରୁ ରୋଜଗାର କରିବାର ଚେଷ୍ଟା କରିବେ। ସେଇ ବିଶ୍ବାସରେ ୧୯୨୩ରେ ସେ ଯୋଗଦେଲେ କଲିକତା ଆର୍ଟ ସ୍କୁଲ୍‌ରେ ଏବଂ ତାହା ହିଁ ତାଙ୍କ ଜୀବନର ମୋଡ଼ ବଦଳାଇଦେଲା।

ଚିତ୍ରକଳାରେ, ବିଶେଷକରି ପୋଟ୍ରେଟ୍ ଆଙ୍କିବାରେ ସେ ଏତେ ଦକ୍ଷ ଥିଲେ ଯେ ତାଙ୍କ ପ୍ରତିଭା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କଲା। ୧୯୨୯ରେ କଲିକତା ଆର୍ଟ ସ୍କୁଲ୍‌ରୁ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେବା ପରେ ସେ ସ୍ବପ୍ନ ଦେଖିଲେ ବିଶ୍ବର ସର୍ବଶ୍ରେଷ୍ଠ ଚିତ୍ରକଳା ଅନୁଷ୍ଠାନ ଲଣ୍ଡନ୍‌ର ‘ରୟାଲ୍ କଲେଜ୍ ଅଫ୍ ଆର୍ଟ’ରୁ ଶିକ୍ଷାଲାଭ କରିବା ପାଇଁ। ମାତ୍ର ସେଥିପାଇଁ ସମ୍ବଳ ଅଭାବ ଥିଲା ସବୁଠାରୁ ବଡ଼ ବାଧକ। ତାହା ଥିଲା ସ୍ବାଧୀନତା ଆନ୍ଦୋଳନ ସମୟ। କଟକର ଅନ୍ୟ ନାରୀନେତ୍ରୀଙ୍କ ସହ ବିପିନଙ୍କ ମା’ ସରୋଜିନୀ ମଧ୍ୟ ସାମିଲ ହୋଇଥାନ୍ତି ଆନ୍ଦୋଳନରେ। ସେ ଥିଲେ ଜଣେ ବିଦୁଷୀ ମହିଳା ଓ ସଫଳ ସଂଗଠିକା। ତାଙ୍କରି ଉଦ୍ୟମରେ ନେତାଜୀ ସୁଭାଷ ଓ ସରୋଜିନୀ ନାଇଡୁଙ୍କ ଭଳି ବହୁ ବଡ଼ ବଡ଼ ନେତା ଆଗେଇ ଆସିଥିଲେ ବିପିନଙ୍କୁ ସାହାଯ୍ୟ କରିବା ପାଇଁ। ସେମାନଙ୍କ ସହାୟତାରେ ସେ ୧୯୩୨ରେ ଲଣ୍ଡନ୍‌ରେ ପହଞ୍ଚିଲେ ଏବଂ ବହୁ ପ୍ରତିବନ୍ଧକ ସତ୍ତ୍ବେ ପ୍ରବେଶିକା ପରୀକ୍ଷାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଥମ ମୂକବଧିର ଛାତ୍ର ହିସାବରେ ରୟାଲ୍ କଲେଜ୍ ଅଫ୍ ଆର୍ଟରେ ଯୋଗଦେବାର ସୁଯୋଗ ପାଇଲେ। ତିନିବର୍ଷର ପାଠ୍ୟକ୍ରମ ଶେଷରେ ସେ ଯେତେବେଳେ ଶ୍ରେଷ୍ଠ ଚାରିଜଣଙ୍କ ମଧ୍ୟରେ ରହି ସମ୍ମାନଜନକ ଏ.ଆର୍.ସି.ଏ. (ଆସୋସିଏଟ୍ ଅଫ୍ ରୟାଲ୍ କଲେଜ୍ ଅଫ୍ ଆର୍ଟ) ଡିଗ୍ରି ହାସଲ କଲେ, ତାହା ଥିଲା ଓଡ଼ିଶାରେ ଜନ୍ମିତ ଜଣେ ଭିନ୍ନକ୍ଷମ ଚିତ୍ରଶିଳ୍ପୀ  ପାଇଁ ଏକ ଅଭୂତପୂର୍ବ ସଫଳତା।

୧୯୩୫ରେ ଓଡ଼ିଶା ଫେରି ସେ ଭିନ୍ନକ୍ଷମଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କଲେ। ତାଙ୍କ ଆପ୍ରାଣ ଉଦ୍ୟମ ବଳରେ ୧୯୩୮ରେ କଟକଠାରେ ଶ୍ରୁତିବାଧିତଙ୍କ ପାଇଁ ଓଡ଼ିଶାର ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠିତ ହେଲା, ଯାହା ଆଜି ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇ ତାଙ୍କରି ନାମରେ ନାମିତ ହୋଇଛି। ୧୯୪୯ରେ ଆମେରିକା ଗସ୍ତ କରି ସେ ହେଲେନ୍‌ କେଲର୍‌ଙ୍କୁ ଭେଟିଛନ୍ତି ଏବଂ ତାଙ୍କୁ ନିମନ୍ତ୍ରଣ କରି ୧୯୫୧ରେ ଭାରତ ଅଣାଇଛନ୍ତି। ଏସବୁ ଭିତରେ କିନ୍ତୁ ତାଙ୍କର ଚିତ୍ର ଅଙ୍କା ଜାରି ରହିଛି ଶେଷଜୀବନ ପର୍ଯ୍ୟନ୍ତ।

୧୯୩୮ ମସିହାର କଥା। ଫକୀରମୋହନଙ୍କ ମୃତ୍ୟୁର କୋଡ଼ିଏ ବର୍ଷ ପୂରି ସାରିଥାଏ। ବିଲାତରୁ ଫେରି କଟକ‌େର ନିଜ ଘରେ ରହି ବିଦ୍ୟାଳୟ ପ୍ରତିଷ୍ଠା କାମରେ ଲାଗିଥାନ୍ତି ବିପିନ। ସେତିକିବେଳେ ହଠାତ୍ ଦିନେ ମାମୁ ମୋହିନୀମୋହନ ସେନାପତି ତାଙ୍କୁ ଅନୁରୋଧ କଲେ ଫକୀରମୋହନଙ୍କ ଚିତ୍ରଟିଏ ଆଙ୍କିଦେବା ପାଇଁ। ପୂର୍ବରୁ ତ ଅନେକ ପୋଟ୍ରେଟ୍ ଆଙ୍କିଛନ୍ତି ସେ। ମାତ୍ର ଅଜାଙ୍କ ଛବି ଆଙ୍କିବା ଥିଲା ତାଙ୍କ ପାଇଁ ଭିନ୍ନ ଏକ ଆହ୍ବାନ। ଏଥିପାଇଁ ସେ ବାଖରାବାଦ୍‌ ମାମୁଘରକୁ ପ୍ରତିଦିନ ଧାଇଁ ଯାଉଥିଲେ ସେଇଠି ବସି ଅଜାଙ୍କ ସ୍ମୃତିରେ ଭିଜିବାକୁ, ତାଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଛୁଇଁ ସେହି ବ୍ୟକ୍ତିତ୍ୱର ଆତ୍ମିକ ଅନୁଭବ ନେବାକୁ ଏବଂ ପିଲାଦିନର ମୁଗ୍ଧ ଆଖିରେ ପୁଣିଥରେ ନିରେଖିବାକୁ ଅଜାଙ୍କର ମୁହଁ। ସେଇ ତନ୍ମୟ ଭାବାବେଶ‌େର ସେ ଫକୀରମୋହନଙ୍କର ଯେଉଁ ତୈଳଚିତ୍ରଟି ଆଙ୍କି ଦେଇଛନ୍ତି, ତାହା ଆଜି ସର୍ବତ୍ର ବ୍ୟବହୃତ। ସମ୍ଭବତଃ ବିପିନବିହାରୀଙ୍କର ତାହା ହିଁ  ସର୍ବଶ୍ରେଷ୍ଠ କୃତି। କାରଣ ସେ କେବଳ ଚିତ୍ର ଆଙ୍କି ନାହାନ୍ତି, ବରଂ ସେଥିରେ ମଣ୍ଡି ଦେଇଛନ୍ତି ଅଜାଙ୍କ ପାଇଁ ତାଙ୍କ ହୃଦୟର ଗଭୀରତମ ଶ୍ରଦ୍ଧାର ‘ପଦ୍ମଫୁଲ’।