ଗୋଟିଏ ଜୀବନ ଏକାଧିକ ବୃତ୍ତି: ବାଗ୍‌ଚୀ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌

ଭୁବନେଶ୍ବର : କନକ ନ୍ୟୁଜ୍ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ର ତୃତୀୟ ଅଧିବେଶନରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଚାକିରି କେମିତି ମିଳିବ’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିବା ଅବସରରେ ଚାକିରି ପାଇବା ପାଇଁ ୧୪ ସୂତ୍ରୀ ମନ୍ତ୍ର ଦେଇଥିଲେ। ଶ୍ରୀ ବାଗ୍‌ଚୀ କହିଥିଲେ, ଦକ୍ଷତା ଥିଲେ ଜଣକୁ ଚାକିରିର ଅଭାବ ରହିବ ନାହିଁ। ପୂର୍ବରୁ ପେଷାକୁ ନେଇ ବର୍ଣ୍ଣବୈଷମ୍ୟ ଥିଲା। କିଛି ନିର୍ଦ୍ଦିଷ୍ଟ ଚାକିରିକୁ ଛାଡ଼ି ଦେଲେ ଅନ୍ୟ ଚାକିରିକୁ ନିମ୍ନ ଦୃଷ୍ଟିରେ ଦେଖା ଯାଉଥିଲା। ମାତ୍ର ଏବେ ଏଥିରୁ ବାହାରିବାକୁ ପଡ଼ିବ। ଛୋଟ ଚାକିରି ଯେ ଛୋଟ ନୁହେଁ, ତାହାକୁ ମନ ଭିତରେ ଆଣିବାକୁ ହେବ। ଯାହା ମିଳୁଛି ତାହାକୁ ହାତକୁ ନେବା ସହିତ ଏହାକୁ ଚାକିରି ଜୀବନର ପ୍ରଥମ ସୋପାନ ବୋଲି ଧରିବାକୁ ହେବ। ପୂର୍ବରୁ ଗୋଟିଏ ଚାକିରି ଗୋଟିଏ ଜୀବନ ବୋଲି ଧରି ନିଆଯାଉଥିଲା। କିନ୍ତୁ ଏବେ ସମୟ ବଦଳିଛି, ନୂଆ ପୃଥିବୀର ନୂଆ ମନ୍ତ୍ର ହେଉଛି, ‘ଗୋଟିଏ ଜୀବନ ଏକାଧିକ ବୃତ୍ତି’।

ବେକାରି ସମସ୍ୟା ନେଇ ସେ କହିଥିଲେ, ଯାହାର କାମ କରିବାର ଇଚ୍ଛା ନାହିଁ ସେ ବେକାର ବୁଲୁଛି। ଏକ ସର୍ବେକ୍ଷଣ ଅନୁସାରେ ଦେଶରେ ୯୦ ପ୍ରତିଶତ ଇଞ୍ଜିନିୟର ଚାକିରିର ଯୋଗ୍ୟ ନୁହନ୍ତି। ତେଣୁ ଚାକିରି ପାଇବାକୁ ହେଲେ ନିଜେ ନିଜକୁ ନ ଠକିବା ସହ ପରୀକ୍ଷାରେ କପି ନ କରିବା ପାଇଁ ପ୍ରତିଜ୍ଞା କରିବା ଉଚିତ। ଧାନବିଲ ଇଞ୍ଜିନିୟରିଂ କଲେଜରେ ପଢ଼ିବା ଅପେକ୍ଷା ଆଇଟିଆଇ କିମ୍ବା ପଲିଟେକନିକ୍ କଲେଜରେ ଭଲ ପାଠ ପଢ଼ିବା ବହୁତ ଭଲ। ପୋଥିଗତ ଶିକ୍ଷାକୁ ବାଦ୍ ଦେଲେ, ଏକାଧିକ ଭାଷାରେ ଦଖଲ ଓ ଡିଜିଟାଲ ଦକ୍ଷତା ବୃଦ୍ଧି କରିବାକୁ ହେବ। ଇଣ୍ଟରନେଟ୍ ସହାୟତାରେ ବିଭିନ୍ନ ଶିକ୍ଷାଭିତ୍ତିକ ଭିଡିଓ ଜରିଆରେ ଜଣେ ଅଧିକ ଜ୍ଞାନ ହାସଲ କରିପାରିବ। ତେଣୁ ଚାକିରି ରହିଛି, ଏଥିପାଇଁ ଜଣକୁ ଯୋଗ୍ୟ ହେବାକୁ ହେବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। କନକ ନ୍ୟୁଜ୍‌ର ସମ୍ପାଦକ ମନୋରଂଜନ ମିଶ୍ର ଏହାକୁ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର