ଭୁବନେଶ୍ବର : ନିର୍ମାଣ କନକ୍ଲେଭ୍‌ର ତୃତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଓଡ଼ିଶା ନିର୍ମାଣ: କାହାର ଦାୟିତ୍ବ କେତେ’। କନକ ନ୍ୟୁଜ୍‌ର ସମ୍ପାଦକ ମନୋରଂଜନ ମିଶ୍ରଙ୍କ ସହ ଆଲୋଚନା ସମୟରେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ କହିଲେ, କୃଷିକୁ ଅଗ୍ରାଧିକାର ଦେବାକୁ ହେବ। ରାଜ୍ୟର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାଜ୍ୟରେ ୩୨ ପ୍ରତିଶତ ଜମି ଜଳସେଚିତ ହୋଇପାରିଛି। ୨୦୦୦ ମସିହାରେ ରାଜ୍ୟରେ ୮ଟି ନୂତନ ବନ୍ଧ ନିର୍ମାଣ ପାଇଁ ଯୋଜନା ହୋଇଥିଲା, ମାତ୍ର ତାହା ହୋଇପାରି ନାହିଁ। ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିୟୋଜନ କାର୍ଯ୍ୟାଳୟ ୬୨ଲକ୍ଷ ବେକାର ପଞ୍ଜୀକୃତ ହୋଇଥିବା ବେଳେ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ମିଳିପାରିଛି। ତେଣୁ ରାଜ୍ୟର ବିକାଶ ପାଇଁ କୃଷି ସହିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କ୍ଷୁଦ୍ରଶିଳ୍ପ ଓ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ ହେବ। କେବଳ ଭୋଟ ପାଇଁ ‘କାଳିଆ’ ଯୋଜନା ଆରମ୍ଭ ହୋଇଛି। ରାଜ୍ୟରେ ଭାଗ ଚାଷୀ ଚିହ୍ନଟ ହୋଇ ନ ଥିବା ବେଳେ ସେମାନେ କିଭଳି ଏହି ଯୋଜନାରେ ଲାଭବାନ ହେବେ ‌ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଥିଲେ।

Advertisment

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟର ବିକାଶ କାର୍ଯ୍ୟକୁ କୋଣାର୍କ ମନ୍ଦିର ସହ ତୁଳନା କରିଥିଲେ। କହିଥିଲେ, କୋଣାର୍କ ମନ୍ଦିର ଇତିହାସ ବାବଦରେ ଆମେ ଯାହା ଶୁଣି ଆସୁଛି, ସେସବୁ ମିଛ। ମନ୍ଦିର ମୂଳଦୁଆ ସୁଦୃଢ଼ ରହିଛି, ହେଲେ ଉପର ଭାଗରେ ଠିକ୍‌ରେ କାମ ହୋଇ ନ ଥିବାରୁ ତହିଁରେ ଫାଟ ସୃଷ୍ଟି ହେଉଛି। ଭୁଲ ଡିଜାଇନ୍ ଓ ତରବରିଆ ଭାବେ କାର୍ଯ୍ୟ ହୋଇଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି। ରାଜ୍ୟରେ ମଧ୍ୟ ସମାନ ଅବସ୍ଥା। କେବଳ ଲୋକାର୍ପଣ କରିବା ପାଇଁ ତରବରିଆ ଭାବେ କାର୍ଯ୍ୟ କରାଯାଉଥିବାରୁ କ୍ଷତି ହେଉଛି। ଉତ୍କଳ ନୌବାଣିଜ୍ୟର ବେଶ୍ ଗୌରବ ରହିଥିଲା। ମାତ୍ର ଧୀରେ ଧୀରେ ତାହା ବନ୍ଦ ହୋଇଗଲା। ସେ ସମୟର ରାଜା ଜନତାଙ୍କ ଉପରେ ଅଧିକ ଟିକସ ଲଦିବାରୁ ନୌବାଣିଜ୍ୟ ବନ୍ଦ ହୋଇଗଲା। ବର୍ତମାନ ଓଡ଼ିଶାରେ ଠିକ୍ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ କେବଳ ଧାନ ଚାଷରେ ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିବ ନାହିଁ। ଓଡ଼ିଶାରେ ଧାନକୁ ଛାଡ଼ି ଦେଲେ ଅନ୍ୟ କୌଣସି ଚାଷ ହେଉନାହିଁ। ବିଶ୍ବର ସିଙ୍ଗାପୁରକୁ ବାଦ୍ ଦେଲେ ସମସ୍ତ ରାଷ୍ଟ୍ରର ଅର୍ଥନୀତି କୃଷି ଅର୍ଥନୀତି ଉପରେ ପର୍ଯ୍ୟବସିତ। ତେଣୁ କୃଷକମାନଙ୍କ ବିକାଶକୁ ଗୁରୁତ୍ବ ଦେବାକୁ ହେବ। ୧୨ ମାସ ଜମିକୁ ପାଣି ଯୋଗାଇବା ପାଇଁ ଚାଷୀଙ୍କୁ ସୋଲାର ପମ୍ପ ଦେବା ସହ ଅତି କମ୍‌ରେ ୫ ବର୍ଷ ସେମାନଙ୍କୁ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି। ରାଜ୍ୟ‌େର ବୃହତ ଶିଳ୍ପକୁ ଗୁରୁତ୍ବ ଦିଆଯିବା ସହ ଯେଉଁ ଶିଳ୍ପ ପ୍ରତିଷ୍ଠା ହେଉଛି, ସେମାନଙ୍କର ୩୦ ପ୍ରତିଶତ ଆନୁଷଙ୍ଗିକ ଶିଳ୍ପକୁ ବାଧ୍ୟତାମୂଳକ କରାଗଲେ ‌ରାଜ୍ୟର ବେକାର ଯୁବକ/ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ଉତ୍କଳ ପ୍ରଦେଶ ଗଠନ ସମୟରେ ରାଜ୍ୟ ପାଇଁ ସ୍ବତନ୍ତ୍ର ବଜେଟ୍‌ ନ ଥିଲା। ସେ ସମୟରେ ରାଜ୍ୟ ଖର୍ଚର ଆୟ/ବ୍ୟୟ ୮୭ କୋଟି ଟଙ୍କା ଥିବା ବେଳେ ଏବେ ରାଜ୍ୟର ବଜେଟ୍ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଓଡ଼ିଶାର ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧିଠାରୁ ମଧ୍ୟ ଅଧିକ ରହିଛି। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅହରହ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଚାଷ ସହ ସ୍ବତନ୍ତ୍ର କୃଷି ବଜେଟ, କୃଷି ନୀତି ଘୋଷଣା କରିଛନ୍ତି। କୃଷକଙ୍କ ଆୟ ବୃଦ୍ଧି କେବଳ ଧାନ ଚାଷ କଲେ ହେବ ନାହିଁ। ପ୍ରୟୋଗାତ୍ମକ କୃଷି ଜରିଆରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇପାରିଛି। ଏତିକିରେ ଅଟକି ନ ଯାଇ ଚାଷୀଙ୍କ ଆୟ କିଭଳି ବହୁଗୁଣିତ ହେବ, ସେଥିପାଇଁ ଉଦ୍ୟମ ଜାରି ରହିଛି। ପଞ୍ଚଦଶ ଅର୍ଥ କମିସନ ‘କାଳିଆ’ ଯୋଜନାକୁ ବହୁ ପ୍ରଶଂସା କରିଛନ୍ତି। ଜନସଂଖ୍ୟାର ସ୍ଥିତି ଓ ବୃତ୍ତିର ସ୍ଥିତି ନ ପରଖିଲେ ଓଡ଼ିଶାର ନିର୍ମାଣ ସମ୍ଭବ ‌ହୋଇପାରିବ ନାହିଁ ବୋଲି ଶ୍ରୀ ବେହେରା କହିଥିଲେ।