ଲୋକପ୍ରିୟ ରାଜନୀତି ବନାମ ସୁସ୍ଥ ଅର୍ଥନୀତି

ଭୁବନେଶ୍ୱର : କନକ ନ୍ୟୁଜ୍‌ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ର ତୃତୀୟ ଅଧିବେଶନର ବିଷୟବସ୍ତୁ ଥିଲା ‘ଲୋକପ୍ରିୟ ହେବା ପାଇଁ ରାଜନୀତି ସୁସ୍ଥ ଅର୍ଥନୀତିର ପରିପନ୍ଥୀ କି?’। ଏହି ଆଲୋଚନାଚକ୍ରରେ ବିରୋଧୀ ଦଳ ନେତା ନିରସିଂହ ମିଶ୍ର, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଅଂଶଗ୍ରହଣ କରିଥିଲେ। ଏହାକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ର।

ଲୋକପ୍ରିୟ ରାଜନୀତିରେ ଅର୍ଥନୀତି ଭୁଶୁଡ଼ି ପଡ଼ିବ କହିବା ଠିକ୍‌ ନୁହେଁ: ନରସିଂହ ମିଶ୍ର

ଜଣେ ରାଜନେତା ବିଭିନ୍ନ ଉପାୟରେ ଲୋକପ୍ରିୟ ହୋଇପାରିବ। ଲୋକଙ୍କ ସମସ୍ୟାର ସମାଧାନ କରି ଜଣେ ଲୋକପ୍ରିୟତା ଅର୍ଜନ କରିପାରିବ। ତେବେ ଲୋକପ୍ରିୟ ରାଜନୀତିରେ ଅର୍ଥନୀତି ଭୁଶୁଡ଼ି ପଡ଼ିବ କହିବା କଥା ଠିକ୍‌ ନୁହେଁ। ଆଜିର ସମୟରେ ଲୋକପ୍ରିୟ ହେବା ପାଇଁ ବେଆଇନ ପନ୍ଥା ଅବଲମ୍ବନ କରିବାକୁ ପଡ଼ୁଛି। ସାଂସଦ କିମ୍ବା ବିଧାୟକଙ୍କ ରହିଥିବା ପାଣ୍ଠିକୁ ଲୋକଙ୍କ ହିତରେ ଖର୍ଚ କରିବାକୁ ଥିଲେ ହେଁ ଏହାକୁ ବିଭିନ୍ନ ପ୍ରକଳ୍ପ ଜରିଆରେ ଖର୍ଚ କରାଯାଉଛି। ଯାହା ଫଳରେ କିଛି ଲୋକ ଏହାର ସୁବିଧା ନେଉଛନ୍ତି। ତେବେ ସାମଗ୍ରିକ ଭାବେ ଲୋକଙ୍କର ଉନ୍ନତି ନ ହେଲେ ମଧ୍ୟ ଜଣେ ରାଜନେତା ଲୋକପ୍ରିୟ ହୋଇପାରୁଛି। ସାମ୍ବିଧାନର ମୌଳିକ ବ୍ୟବସ୍ଥାରେ ଅଗ୍ରାଧିକାର ଦେଇ କାମ କଲେ ଦେଶର ବିକାଶ ସହିତ ସାମଗ୍ରିକ ବିକାଶ ହୋଇପାରିବ। ମାତ୍ର ଏହାକୁ ପାସୋରି ଦେଇ ମିଛ କଥା କହି ଲୋକଙ୍କୁ ବିଭ୍ରାନ୍ତି କରି ମଧ୍ୟ ଜଣେ ଭୋଟ ନେଇ ପାରୁଛି। ଜଣେ ରାଜନେତା ଲୋକପ୍ରିୟ ହେବା ପାଇଁ ଟିଭି କିମ୍ବା ସୁନା ଗହଣା ବାଣ୍ଟିବା ଠିକ୍‌ ନୁହେଁ ବୋଲି ନରସିଂହ ମିଶ୍ର କହିଥିଲେ।

ରାଜନେତା ନର୍ସ ନା ଡାକ୍ତର ହେବେ, ନିଷ୍ପତ୍ତି ନିଅନ୍ତୁ: ସୁରେଶ ପୂଜାରୀ

ଜଣେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେବାରେ କୌଣସି ଅସୁବିଧା ନାହିଁ। ତେବେ ଗରିବ ଲୋକଟିଏ ସବୁଦିନ ପାଇଁ କିପରି ଗରିବ ହୋଇ ନ ରହି ଦାରିଦ୍ର୍ୟରୁ ମୁକ୍ତି ପାଇପାରିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଲକ୍ଷ୍ୟ ପବିତ୍ର ଥିଲେ, ମାଧ୍ୟମ ପବିତ୍ର ଥାଉ କି ନ ଥାଉ ତାହା ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଥାଏ। ଏବେ ରାଜନୀତିର ପରିଭାଷା ବଦଳୁଥିବା ବେଳେ ଲୋକଙ୍କ ଚରିତ୍ର ମଧ୍ୟ ବଦଳୁଛି। ଦେଶରେ ପିଢ଼ି ପରେ ପିଢ଼ି ଦେଇ ଅବକ୍ଷୟ ବଢ଼ିବାରେ ଲାଗିଛି। ହିତାଧିକାରୀ ହେଉଛନ୍ତି ରୋଗୀ। ତେଣୁ ରାଜନେତାମାନେ ସେମାନଙ୍କୁ ଭଲ କରିବା ପାଇଁ ନର୍ସ ହେବେ ନା ଡାକ୍ତର ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ। ନର୍ସ ହେଲେ ରୋଗ ସବୁବେଳେ ରହିଥିବ ଓ କେବଳ ରୋଗୀମାନଙ୍କୁ ସେବା ଚାଲିବ। ମାତ୍ର ଡାକ୍ତର ହେଲେ ରୋଗ କିଭଳି ଭଲ ହେବ ସେ ବିଷୟରେ ଜଣେ ଚିନ୍ତା କରିବାକୁ ଆଗେଇ ଆସିବ। ବ୍ୟକ୍ତି ନୁହେଁ, ସମସ୍ୟାର ସମାଧାନ କରାଯିବ ଜରୁରୀ ବୋଲି ସୁରେଶ ପୂଜାରୀ କହିଥିଲେ।

ଲୋକପ୍ରିୟ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଢଙ୍ଗରେ କରାଯାଉ: ପ୍ରଶାନ୍ତ ନନ୍ଦ

ଲୋକପ୍ରିୟ ରାଜନୀତି କଲେ ଅର୍ଥନୀତିରେ ବାଧା ସୃଷ୍ଟି ହେବ। ଏହା କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସାରା ପୃଥିବୀରେ ପ୍ରତିଯୋଗିତାମୂଳକ ଲୋକପ୍ରିୟତାରେ ଦେଖିବାକୁ ମିଳୁଛି। ରାଜ୍ୟର ୫୮ଲକ୍ଷ ଲୋକ ଦ୍ରାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି। ସେମାନଙ୍କୁ ସାହାଯ୍ୟ ଓ ବଞ୍ଚିବାର ଅଧିକାର ଯୋଗାଇଦେବା ହେଉଛି ଆବଶ୍ୟକତା। ତେଣୁ ଏହାକୁ ଲୋକପ୍ରିୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଇପାରିବ ନାହିଁ। ତେବେ ଏହା ସହିତ ଅନ୍ୟ ବିକାଶମୂଳକ କାର୍ଯ୍ୟ ମଧ୍ୟ ରାଜ୍ୟରେ ଜାରି ରହିଛି। ବୁଣାକାରମାନଙ୍କ ପାଇଁ ଉନ୍ନୟନ ପରିଷଦ ଗଠନ କରାଯାଇଛି। ଲୋକପ୍ରିୟ କାର୍ଯ୍ୟକ୍ରମ କରିବାକୁ ହେଲେ ଅର୍ଥ ଖର୍ଚ କରିବାକୁ ପଡ଼ିଥାଏ। ଯଦି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କରାଯାଏ, ତେବେ ଅନ୍ୟ ବର୍ଗର ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ସାଂସଦ ପ୍ରଶାନ୍ତ ନନ୍ଦ କହିଥିଲେ।

ସମ୍ବନ୍ଧିତ ଖବର