ଓଡ଼ିଶା ନିର୍ମାଣ କନକ୍ଲେଭ୍‌ : ଦୁର୍ନୀତି ହଟାଇବା ନେତାମାନଙ୍କ କାମ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌ର ତୃତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ମୋ ସରକାର ଆଣିବ ନୂଆ ଓଡ଼ିଶା?’। ଏଥିରେ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଅଂଶଗ୍ରହଣ କରିଥିଲେ। କନକ ନ୍ୟୁଜ୍‌ର ଇନପୁଟ୍‌ ଏଡିଟର ସ୍ବୟଂପ୍ରକାଶ ମହାପାତ୍ରଙ୍କ ସହିତ ଆଲୋଚନା ସମୟରେ ୩ ଜଣ ଖୋଲାଖୋଲି ଭାବେ ନିଜର ମତ ପୋଷଣ କରିଥିଲେ।

ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ କହିଲେ, ପୂର୍ବରୁ ରାଜ୍ୟରେ ଲୋକସେବା ଅଧିକାର ଆଇନ ଆଣିଥିଲେ ରାଜ୍ୟ ସରକାର। ରାସ୍ତାରେ ହୋର୍ଡିଂ ଲଗାଇଥିଲେ ଯେ ଏହି କାମ ଏତିକି ଦିନେ ଭିତରେ ସରିବ। ଯଦି ଏଥିରେ କୌଣସି ସରକାରୀ କର୍ମଚାରୀ ବିଫଳ ହୁଅନ୍ତି ତାଙ୍କୁ ଦଣ୍ଡ ଦିଆଯିବ। ୫/୬ବର୍ଷ ପରେ ନୂଆ ରୂପରେ ‘ମୋ ସରକାର’କୁ ଅଣାଯାଇଛି। ଏହା ହେଉଛି ଏକ ରାଜନୈତିକ ଧୂର୍ତତା। ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଯେହେତୁ ରାଜ୍ୟ ସରକାର କିଛି କରନ୍ତି ନାହିଁ ତେଣୁ ଲୋକମାନଙ୍କୁ ଏହା ଅସାଧାରଣ ଭଳି ଲାଗୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ପାଇଖାନା ପାଇଁ ବିନା ଲାଞ୍ଚରେ କୌଣସି କାମ ହେଉନାହିଁ। ସବୁ ନିର୍ବାଚନ ମଣ୍ଡଳୀରେ ଯେଉଁ କାମ ହେଉଛି ତାହାର ୩୦ ପ୍ରତିଶତ ଲାଞ୍ଚ ଆକାରରେ ନିଆଯାଉଛି। ରାଜ୍ୟରେ ହୋଇଥିବା ଖଣି ଲୁଟ୍ ଓ ଚିଟଫଣ୍ଡ ସରକାରଙ୍କ ଜାଣତରେ ହୋଇଛି। ଆଇନ ଶୃ୍ଙ୍ଖଳା ବଜାୟ ରଖିବା ସରକାରଙ୍କ କାର୍ଯ୍ୟ। ଏଥିରେ ଅସାଧାରଣ ବୋଲି କିଛି ନାହିଁ। ଯେଉଁ ଭୁଲ ହେଉଛି ତାହାକୁ ସୁଧାରିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ବିଧାୟକ ଓ ମନ୍ତ୍ରୀମାନେ କାହିଁକି ନିର୍ବାଚିତ ହୋଇଛନ୍ତି? ଦୁର୍ନୀତି ହଟାଇବା ନେତାମାନଙ୍କର କାମ। ଯେଉଁ ରାଜ୍ୟରେ ପ୍ରଶାସକ ଯେତେ ଶକ୍ତିଶାଳୀ ସେ ରାଜ୍ୟ ସେତେ ଦୁର୍ନୀତିଗ୍ରସ୍ତ। ସରକାରୀ କର୍ମଚାରୀମାନେ ଠିକ୍‌ରେ କାମ କରିପାରୁଛନ୍ତି କି ନାହିଁ ଏହାକୁ ଦେଖିବା ରାଜନେତାଙ୍କ କାମ। ମାତ୍ର ଓଡ଼ିଶାରେ ତାହା ଓଲଟା ବୋଲି ସେ ସମାଲୋଚନା କରିଥିଲେ।

ପୂର୍ବତନ ସାଂସଦ ଶ୍ରୀ ମାଝୀ କହିଲେ, ‘ମୋ ସରକାର’ ଏକ ‌ପ୍ରଶଂସନୀୟ ପଦକ୍ଷେପ। ୧୯ବର୍ଷ ଶାସନ ପରେ ୨୦ବର୍ଷରେ ସରକାର ଲୋକଙ୍କ ସହିତ ସିଧାସଳଖ ସଂପର୍କ ଯୋଡ଼ିବା ଓ ସୁବିଧା ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛିନ୍ତି। ତେବେ ଆଦିବାସୀମାନେ ସମସ୍ତ ଭୂସଂପତ୍ତିର ମାଲିକ ବୋଲି ପ୍ରମାଣିତ ହୋଇଥିଲେ ହେଁ, ଲାଞ୍ଚ ନ ଦେଲେ ସେମାନଙ୍କୁ ନିଜର ପଟ୍ଟା ମିଳିପାରୁ ନାହିଁ। ଦୁଷ୍କର୍ମ ପୀଡ଼ିତାଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରୁନାହିଁ। ଏଥିପାଇଁ ଲୋକମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି। ୫-ଟି ଜରିଆରେ କିଛି ବ୍ୟକ୍ତବିଶେଷଙ୍କୁ ସଶକ୍ତ କରାଯାଉଛି। ମନ୍ଦ ଉଦ୍ଦେଶ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଫଳରେ ସରକାରଙ୍କ ଯେଉଁସବୁ ବିଭାଗ ରହିଛି ଓ ତାହାର ମୁଖ୍ୟମାନେ ସ୍ବଚ୍ଛତା ଆଣିପାରୁ ନ ଥିବା ଏଥିରୁ ପ୍ରମାଣିତ ହେଉଛି। ରାଜ୍ୟରେ ୩ହଜାରରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ଆମ୍ବୁଲାନ୍‌ସରେ ଚାଲିଛି। ୫-ଟି ଓ ‘ମୋ ସରକାର’ ନେଇ ହୋହଲ୍ଲା କଲେ କୌଣସି ସମସ୍ୟାର ସମାଧାନ ହୋଇପାରିବନି। ଅବକାରୀ ରାଜସ୍ବ ସଂଗ୍ରହ ୩୯ଶହ କୋଟି ଟଙ୍କାରେ ପହଞ୍ଚିଲାଣି। ସରକାର ଏହାକୁ ୫ହଜାର କୋଟିରେ ପହଞ୍ଚାଇବାକୁ ଟାର୍ଗେଟ୍ ରଖିଛନ୍ତି। ଏହା ହେଉଛି ସରକାରଙ୍କ ସଫଳତା ବୋଲି ଶ୍ରୀ ମାଝୀ କଟାକ୍ଷ କରିଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମା କହିଲେ, ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳୁଥିବା ବେଳେ ଗାନ୍ଧୀଜୀଙ୍କ ସ୍ବପ୍ନ ଥିଲା ଗ୍ରାମ ସ୍ବରାଜ। ସେହି ମୂଳମନ୍ତ୍ରକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ୫-ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟୀ ସରକାର ଓ ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ସରକାର ଏଭଳି ପଦ‌କ୍ଷେପ ଗ୍ରହଣ କରିଛନ୍ତି। ୭୦ବର୍ଷ ଭିତରେ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିବା ବେଳେ ଏବେ ଆଉ ୭ଟି ନୂତନ ମେଡିକାଲ କଲେଜ ଖୋ‌ଲିଛି। ୫-ଟି ଜରିଆରେ ଉତ୍ତରଦାୟିତ୍ବ ଆଣିବା ହେଉଛି ମୂଳଲକ୍ଷ୍ୟ। ପୁଲିସ ଓ ସ୍ବାସ୍ଥ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏଥିରେ ଶତ ପ୍ରତିଶତ ସଫଳତା ଆଣିବା ପାଇଁ ପ୍ରଚେଷ୍ଟା କରାଯାଉଛି। ଆଜି ଜଣେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ଜଣାଇପାରୁଛି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସଙ୍ଗେ ସଙ୍ଗେ ଏହାର ଜବାବ ରଖୁଛନ୍ତି। ତହସିଲ ଓ ଆର୍‌ଆଇଙ୍କ ପାଖକୁ ନ ଯାଇ ଘରେ ପଟ୍ଟା ପାଇବାର ବ୍ୟବସ୍ଥା କରାଯାଇଛି। ପ୍ରଶାସନକୁ ଦେଖିବାକୁ ଚାହୁଁଥିଲେ ଓଡ଼ିଶାକୁ ଦେଖ ବୋଲି ପ୍ରଧାନମନ୍ତ୍ରୀ ସ୍ବୀକାର କରିଛନ୍ତି। ରାଜ୍ୟରେ ଏକ ସ୍ଥିର ନେତୃତ୍ବ, ଉତ୍ତରଦାୟୀ ସରକାର ଯୋଗୁଁ ପୂର୍ବ ଭାରତରେ ଓଡ଼ିଶା ଏବେ ସମସ୍ତଙ୍କ ନଜରରେ ରହିଛି। ନିବେଶକମାନେ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଧାନ କିଣାରେ ଓଡ଼ିଶା ଏବେ ଦେଶର ଦ୍ବିତୀୟ ରାଜ୍ୟ ହୋଇପାରିଛି। ବନ୍ୟା, ବାତ୍ୟାକୁ ବର୍ଷ ବର୍ଷ ଧରି ରାଜ୍ୟ ସାମ୍ନା କରିବା ସହ ନିଜ ଗୋଡ଼ରେ ବାତ୍ୟାକୁ ମୁକାବିଲା କରିପାରିଛି। ବାତ୍ୟା ଓ ବନ୍ୟା ନିୟନ୍ତ୍ରଣରେ ମିଳିତ ଜାତିସଂଘ ଦ୍ବାରା ଓଡ଼ିଶା ପୁରସ୍କୃତ ହୋଇଛି। ନବୀନ ବାବୁ ଯାହା କରନ୍ତି, ତାହା କରିକି ଦେଖାନ୍ତି। ସେଥିପାଇଁ ଓଡ଼ିଶାର ଲୋକମାନେ ତାଙ୍କୁ ୫ମ ଥର ଲାଗି ଶାସନକୁ ଆଣିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ।

ସମ୍ବନ୍ଧିତ ଖବର