ଲାଭ ଓ ସାମାଜିକ ପ୍ରତିଷ୍ଠା ମିଳିଲେ କୃଷି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବ: କୃଷିମନ୍ତ୍ରୀ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌

ରାଜ୍ୟରେ ଚାଷୀମାନେ ପାରମ୍ପରିକ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଚାଷରେ ସାମାଜିକ ପ୍ରତିଷ୍ଠା ମିଳୁ ନ ଥିବାରୁ ଅନେକ ଯୁବପିଢ଼ି ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଚାଷୀଟିଏ ନିଜର ଚାଷକୁ ଛାଡ଼ି ନାହିଁ। ଅପରପକ୍ଷରେ ଚାଷୀମାନେ ମଧ୍ୟ ଏଥିପାଇଁ କିଛିଅଂଶରେ ଦାୟୀ। ଆଜିର ସମୟରେ ବି ଚାଷୀ ପାରମ୍ପରିକ ଚାଷଠାରୁ ମୁହଁ ଫେରାଇବାକୁ ପ୍ରସ୍ତୁତ ନୁହନ୍ତି। ଏଥିପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତେବେ ଗତ ୨/୩ବର୍ଷ ହେବ ବହୁ ଶିକ୍ଷିତ ଯୁବକ ଚାଷପ୍ରତି ଆକୃଷ୍ଟ ହେଉଥିବା ନଜରକୁ ଆସୁଛି। କୃଷିଜାତ ଦ୍ରବ୍ୟର ଅମଳ ପରିବର୍ତେ ମାର୍କେଟ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି। ଗ୍ରାମାଞ୍ଚଳରେ ଚାଷ ପାଇଁ ରହିଥିବା ସମସ୍ୟାକୁ ଦୂର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଚାଷରେ ଲାଭ ଓ ସାମାଜିକ ପ୍ରତିଷ୍ଠା ମିଳିଲେ ଅଧିକରୁ ଅଧିକ ଯୁବପିଢ଼ି ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ଓଡ଼ିଶା ନିର୍ମାଣ କନକ୍ଲେଭ୍‌ର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଚାଷୀର ଆୟ ବଢ଼ିବ କେମିତି?’ କନକ ନ୍ୟୁଜ୍‌ର ସଂପାଦକ ମ‌ନୋରଂଜନ ମିଶ୍ରଙ୍କ ସହିତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ନାବାର୍ଡ ରିପୋର୍ଟରେ ୨୦୦୩/୦୪ ମସିହାରେ ରାଜ୍ୟରେ ଚାଷୀଙ୍କ ଆୟ ୧୦୬୨ଟଙ୍କା ଥିବା ବେଳେ ୨୦୧୫/୧୬ରେ ଏହା ୭୭୩୧ଟଙ୍କାରେ ପହଞ୍ଚିଛି। କର୍ଣ୍ଣାଟକ ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟଭାବେ ସ୍ବତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରିଛି। ସ୍ବତନ୍ତ୍ର ଭାବେ କୃଷି ନୀତି ସହିତ ଚାଷୀର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଷୀଙ୍କ ଆୟକୁ ବଢ଼ାଇବାକୁ ହେଲେ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ତେବେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ କ୍ଷେତ୍ରରେ ଅନେକ ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଆର୍‌ବିଆଇ ‌ସମେତ ସମସ୍ତ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟମାନଙ୍କ ସହିତ ବୈଠକ ଡକାଯାଇଥିଲା। ଚାଷୀମାନେ କିଭଳି ସହଜରେ ଋଣ ପାଇପାରିବେ ତାହା ସଂପର୍କରେ ସେମାନଙ୍କ ସହ ଆଲୋଚନା ହୋଇଛି। ଏହାସହ କୃଷି କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ମଧ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଦେଶରେ ମାଣ୍ଡିଆ ମଣ୍ଡି ଖୋଲିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ପ୍ରତିଦିନ ୨ଶହ ଟନ୍‌ ମାଣ୍ଡିଆ ନେବା ପାଇଁ ଏକ କମ୍ପାନି ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଓମ୍‌ଫେଡ୍‌ରେ ଏବେ ୪/୫ଲକ୍ଷ ଲିଟରର ପ୍ରକ୍ରିୟାକରଣ ୟୁନିଟ୍‌ ରହିଛି, ୨୦୨୧ସୁଦ୍ଧା ଆହୁରି ୫ଲକ୍ଷ ଲିଟରର ପ୍ରକ୍ରିୟାକରଣ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ। ଏହାସହ କୃଷି କ୍ଷେତ୍ରରେ ଗବେଷଣାକୁ ମଧ୍ୟ ବଢ଼ାଇବାକୁ ହେବ। ପ୍ରତି ୧୦ବର୍ଷରେ ଥରେ ଚାଷୀମାନେ ବିହନରେ ପରିବର୍ତନ କରିବା ଦରକାର। ଓୟୁଏଟି ଗବେଷଣା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି; ତେବେ ଅଧିକ ଗବେଷଣା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ସାହୁ କହିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଚକବନ୍ଦୀ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ ଶ୍ରୀ ସାହୁ ଏ ସଂପର୍କିତ ପ୍ରସ୍ତାବକୁ ସେ ରାଜସ୍ବ ବିଭାଗ ଆଗରେ ଉପସ୍ଥାପନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର