ନାଗରିକ କ୍ରାନ୍ତି ଜରୁରୀ: ବରୁଣ

ଓଡ଼ିଶା ନିର୍ମାଣ କନକ୍ଲେଭ୍‌

ଭୁବନେଶ୍ବର : କନକ୍ଲେଭ୍‌ର ଶେଷ ଅଧିବେଶନରେ ବିଜେପି ସାଂସଦ ବରୁଣ ଗାନ୍ଧୀ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ଗାନ୍ଧୀ କହିଥିଲେ, କେବଳ ରାଜନୀତିରେ ଦେଶରେ ସୁଧାର ଆସିବନି। ସମାଜ ହେଉ ବା ଦେଶରେ ପରିବର୍ତ୍ତନ କରିବାକୁ ହେଲେ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବା ଆବଶ୍ୟକ। ଦେଶରେ ସୂଚନା କ୍ରାନ୍ତି ଆସିସାରିଛି, ଏବେ ନାଗରିକ କ୍ରାନ୍ତି ଜରୁରି। ଏହି ଅବସରରେ ମୁମ୍ବାଇର ଭାର୍ସୋଭା ସମୁଦ୍ର କୂଳ ସଂପର୍କରେ କହିଥିଲେ ଯେ ଏକଦା ଭାର୍ସୋଭା ମଇଳାରେ ଭରପୂର ଥିଲା। ମାତ୍ର ୨ ଜଣ ବ୍ୟକ୍ତି ଏହାକୁ ସଫା କରିବା ପାଇଁ ସଂକଳ୍ପ ନେଇଥିଲେ। ପରେ ଏଥିରେ ଅନେକ ଲୋକ ଯୋଡ଼ି ହୋଇଥିଲେ। ଏବେ ଭାର୍ସୋଭା ସଂପୂର୍ଣ୍ଣ ପରିଷ୍କାର ହୋଇପାରିଛି। ସେହିପରି ଆନ୍ଧ୍ରର ଦୃଷ୍ଟିହୀନ ଛାତ୍ର ଶ୍ରୀକାନ୍ତ କଲେଜରେ ବିଜ୍ଞାନ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ତାଙ୍କୁ ମନା କରାଯାଇଥିଲା। ଏହା ବିରୋଧରେ ସେ କୋର୍ଟ ଯିବା ପରେ ତାଙ୍କୁ ଅନୁମତି ମିଳିଥିଲା। ବିଜ୍ଞାନରେ ବେଶ୍ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ଆଇଆଇଟି ପଢ଼ିଥିଲେ। ପରେ ଆମେରିକା ଏମ୍‌ଆଇଟିରେ ବୃତ୍ତି ପାଇବା ସହିତ ଏମ୍‌ଟେକ୍ ସଂପୂର୍ଣ୍ଣ କରିଥିଲେ। ଆମେରିକାର ବହୁ ବଡ଼ ବଡ଼ କମ୍ପାନି ତାଙ୍କୁ ଉଚ୍ଚ ଦରମାରେ ଚାକିରି କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସେସବୁ ପ୍ରତ୍ୟାଖ୍ୟାନ କରି ସେ ଭାରତ ଫେରି ଆସିଥିଲେ। ନିଜର କମ୍ପାନି ପ୍ରତିଷ୍ଠା କରିବା ସହିତ ୩ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ୧ ହଜାର ଦୃଷ୍ଟିହୀନ କାର୍ଯ୍ୟ କରୁଛନ୍ତି।

ଶ୍ରୀ ଗାନ୍ଧୀ କହିଥିଲେ, ସାଂସଦ ହେବା ପରଠାରୁ ମୁଁ ନିଜର ଦରମା ନେଉନାହିଁ। କିନ୍ତୁ ଯେଉଁ ୧୩୮ ଜଣ ନିର୍ବାଚିତ ସାଂସଦ ନିଜର ସଂପତ୍ତି ୨୫ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରିଛନ୍ତି, ସେମାନେ ନିଜର ଦରମା ଛାଡ଼ କରିବା ପାଇଁ ମୁଁ ଚିଠି ଲେଖିଥିଲି। ହେଲେ ୩/୪ବର୍ଷ ବିତିଗଲାଣି, ଜଣେ ହେଲେ ସାଂସଦ ଚିଠିର ଉତ୍ତର ଦେଇ ନାହାନ୍ତି। ଗତ ୨୦ ବର୍ଷ ମଧ୍ୟରେ ସଂସଦରେ ୬୪ ପ୍ରତିଶତ ଆଇନ ୧ ମିନିଟ୍‌ରୁ କମ୍ ସମୟ ମଧ୍ୟରେ ପାରିତ ହୋଇଥିବା ବେଳେ ୭୧ ପ୍ରତିଶତ ବିଲ୍ ଓ ଆଇନ ବିନା କନସୋ‌ଲିଡେସନ୍‌ରେ ପାରିତ ହୋଇଛି। ଯାହାକି ସଂସଦର ବିରୋଧୀ। ସଂସଦରେ କେବଳ ୫୪୫ ଜଣ ସାଂସଦଙ୍କ ସ୍ବର ନୁହେଁ ଲୋକଙ୍କ ସ୍ବର ଉଠିବା ଦରକାର। ସୂଚନାରେ ସ୍ବଚ୍ଛତା ଆସିଲେ ଦେଶରେ ଦୁର୍ନୀତି କମିପାରିବ। ୟୁରୋପୀୟ ସଂଘରେ ପୂର୍ତ ବିଭାଗର କୌଣସି କାମର ପ୍ରତ୍ୟେକ ଦିନର ହିସାବ ଓ କେଉଁ କେଉଁ ବ୍ୟକ୍ତି କାମ କରୁଛନ୍ତି, ତାହାର ତାଲିକା ପ୍ରକାଶ ପାଇଥାଏ। ଫଳରେ କାମରେ ସ୍ବଚ୍ଛତା ଆସିପାରିଛି। ଦେଶରେ ମଧ୍ୟ ଏଭଳି ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ହେବ। ବିଶ୍ବର ୭୦ଟି ଦେଶରେ ପିଟିସନ୍ ବ୍ୟବସ୍ଥା ରହିଛି। ଯଦି ୧୦ ହଜାର ଲୋକ କୌଣସି ଏକ ବିଷୟ ଉପରେ ପିଟିସନ ଦାଖଲ କରନ୍ତି, ତେବେ ସେଠାରେ ସଂସଦରେ ଏହା ଉପରେ ଆଲୋଚନା ହୋଇଥାଏ।

ଦେଶରେ ବଢ଼ି ଚାଲିଥିବା ଅସାମାନତା ସଂପର୍କରେ ସେ କହିଥିଲେ, ୧ ପ୍ରତିଶତ ଭାରତୀୟ ଦେଶର ୬୦ ପ୍ରତିଶତ ସଂପତ୍ତିର ମାଲିକ। ସେହିପରି ରାଜଧାନୀରେ ବସବାସ କରୁଥିବା ଧନୀକ ଶ୍ରେଣୀର ଲୋକମାନେ ପ୍ରତ୍ୟେକ ଦିନ ଗରିବ ଲୋକଙ୍କଠାରୁ ୪/୫ଗୁଣ ଅଧିକ ଜଳ ବ୍ୟବହାର କରୁଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏପରିକି ସେ କଂଗ୍ରେସରେ ମିଶୁଥିବାରୁ ଗଣମାଧ୍ୟମରେ ଯେଉଁ ଆଲୋଚନା ହେଉଛି, ତାହାର ଉତ୍ତରରେ ଶ୍ରୀ ଗାନ୍ଧୀ କହିଥିଲେ, ଦୀର୍ଘ ବର୍ଷ ପୂର୍ବରୁ ଗଣମାଧ୍ୟମକୁ ବିଶ୍ବାସ କରିବା ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର