ଭାରତର ଓଡ଼ିଶା: ଓଡ଼ିଶାର ଭାରତ

କୁମାର ପ୍ରଶାନ୍ତ

ଆଜି ‘ସମ୍ବାଦ’ ୩୮ ବର୍ଷ ବୟସ ଅତିକ୍ରମ କରି ୩୯ ବର୍ଷରେ ପଦାର୍ପଣ କରିଛି। ଏହି ସମୟ ଖଣ୍ଡ ମଧ୍ୟରେ ଏକ ସତର୍କ ଏବଂ ସମ୍ବେଦନଶୀଳ ଗଣମାଧ୍ୟମ ରୂପେ ‘ସମ୍ବାଦ’ ତାର ଦାୟିତ୍ବ ନିର୍ବାହ କରି ଚାଲିଥିବା ବେଳେ ଏବେ ଦେଖୁଛି କିଭଳି ବିବିଧତା ମଧ୍ୟରେ ଏକତାର ଆତ୍ମା ବହନ କରିଥିବା ଆମ ଦେଶ ଭାରତବର୍ଷ ଏକ ସାଂପ୍ରଦାୟିକ ସଂକୀର୍ଣ୍ଣତାର ଗଳି ମଧ୍ୟ ଦେଇ ଗତି କରୁଛି। ଏହି କାରଣରୁ ସୃଷ୍ଟ ସାମାଜିକ ଏବଂ ରାଜନୈତିକ ଧ୍ରୁବୀକରଣ କିଭଳି ଆମ ରାଷ୍ଟ୍ରର ଶିକ୍ଷା, ସଂସ୍କୃତି, ଇତିହାସ, ଅନ୍ତରୀଣ ସୁରକ୍ଷା, ଅର୍ଥନୀତି, ଗଣମାଧ୍ୟମ, ଜୀବନର ଛନ୍ଦ, ସାମାଜିକ ଏବଂ ବୟକ୍ତିକ ମୂଲ୍ୟବୋଧ ଆଦିକୁ ଗଭୀର ଭାବେ ପ୍ରଭାବିତ କରି ଚାଲିଛି। କହିବା ବାହୁଲ୍ୟ ଏହା ଏକ ଚିନ୍ତନର ସଂଦର୍ଭ ରୂପେ ବିଦ୍ୟମାନ, ଯାହାକୁ ନେଇ ଆମର ଏହି ୩୯ତମ ସ୍ବନକ୍ଷତ୍ର ଦିବସର ବିଶେଷ ଉପସ୍ଥାପନା।

ଇତିହାସ ହେଉଛି ଏକ ଦର୍ପଣ ସଦୃଶ। ତାହାର ସାମନାକୁ ଗଲେ ସେ କିଛି ନ କହିଲେ ବି ସେଥିରେ ନିଜର ଅସଲ ଚେହେରା ଦେଖାଯାଇଥାଏ। ଯିଏ ସତ ଦେଖାଏ ନାହିଁ, ସେ ଆଇନା ନୁହେଁ।

ଆମେ ଯେତେବେଳେ ଭାରତର ଆଇନାରେ ଓଡ଼ିଶାକୁ ଦେଖୁଛେ, ସେତେବେଳେ କ’ଣ ଦେଖାଯାଉଛି? ଉତ୍କଳ କି ଉଡ୍ର କି କଳିଙ୍ଗ- ଭାରତ ଇତିହାସରେ ଏମିତି କେତେ ଯେ ନାମରେ ଓଡ଼ିଶା ଦେଖାଯାଇଥାଏ। ସର୍ବଦା ଏକ ମଜଭୁତ ରାଜନୈତିକ ଶକ୍ତି ରୂପରେ ଏହା ଆମକୁ ମିଳିଥାଏ। ଭଗବାନ ବୁଦ୍ଧଙ୍କ ମୃତ୍ୟୁ ଅବସରରେ କଳିଙ୍ଗରେ ରାଜା ବ୍ରହ୍ମଦତ୍ତଙ୍କର ଓଡ଼ିଶା ଆମକୁ ମିଳିଥାଏ। ପୁଣି ଆମେ ଓଡ଼ିଶାକୁ ନନ୍ଦବଂଶ ହାତରେ ପାଇଥାଉ। ମୌର୍ଯ୍ୟବଂଶର ଚକ୍ରବର୍ତ୍ତୀ ରାଜା ଅଶୋକ କଳିଙ୍ଗ ଜିତିବା ଲାଗି ଯୋଉ ଲଢ଼େଇ କରିଥିଲେ ତାହା ତ ଆମ ଇତିହାସର କଥା-କିଂବଦନ୍ତିରେ ଅମର ଗାଥା ହୋଇ ରହିଛି। କୁହାଯାଏ, ଭାରତ ଇତିହାସରେ ସେପରି ଲୋମହର୍ଷକ ଯୁଦ୍ଧ ଆଉ ଦେଖିବାକୁ ମିଳେନି। ସମ୍ରାଟ ଅଶୋକ ତ କଳିଙ୍ଗ ବିଜୟ କଲେ, ମାତ୍ର ସେଥିପାଇଁ ଯେପରି ରକ୍ତସ୍ନାନରେ ତାଙ୍କୁ ଭିଜିବାକୁ ପଡ଼ିଥିଲା, ସେଥିରେ ତାଙ୍କ ଅନ୍ତରାତ୍ମା ଦୋହଲି ଯାଇଥିଲା। ସମ୍ରାଟ ଅଶୋକଙ୍କ ମନ-ମସ୍ତିଷ୍କକୁ ଏଇ ସନାତନ ପ୍ରଶ୍ନ ମନ୍ଥନ କରିବାକୁ ଲାଗିଲା କି କେମିତି ଓ କାହା ବିନିମୟରେ ଏଇ ସଫଳତା? ସମ୍ରାଟ ଅଶୋକଙ୍କ ଆଗରେ ସେତେବେଳେ ଏମିତି ବିଜୟ ଆସି ଛିଡ଼ା ହୋଇଥିଲା ଯେଉଁଥିରେ ବିଜିତର ହାହାକାର ଖାଲି ଶୁଭୁଥିଲା। ତାହା ଯେପରି ମହାଭାରତ ଯୁଦ୍ଧ ପରେ ସମ୍ରାଟ ଯୁଧିଷ୍ଠିରଙ୍କ ଆଗକୁ ଆସିଥିବା ମୁହୂର୍ତ୍ତ ପରି ରହିଥିଲା।

କେଉଁ ମୂଲ୍ୟ ଦେଇ ଏଇ ସଫଳତା? ଯେଉଁ ସଫଳତାରେ ସନ୍ତୋଷ ଛପି ରହିନାହିଁ, ଯେଉଁ ଉପଲବ୍‌ଧିରେ ଶାନ୍ତି ମିଳେନାହିଁ, ତାହାର ଅନ୍ୟ ନାମ ବିଫଳତା। ସମ୍ରାଟ ଅଶୋକ କଳିଙ୍ଗ ବିଜୟ ପରେ ନିଜକୁ ପରାଜିତ ମନେ କରିଥିଲେ ଏବଂ ସେ ସବୁଦିନ ପାଇଁ ଯୁଦ୍ଧ ପ୍ରତି ବିମୁଖ ହୋଇପଡ଼ିଥିଲେ। ତାଙ୍କୁ ବୁଦ୍ଧତ୍ବପ୍ରାପ୍ତ ହୋଇଥିଲା। ସମ୍ରାଟ ଅଶୋକଙ୍କୁ କଳିଙ୍ଗ ମହାନ୍‌ ଅଶୋକରେ ପରିଣତ କରିଦେଇଥିଲା, ଯିଏ ବୌଦ୍ଧଧର୍ମର ପ୍ରଚାର-ପ୍ରସାର ପାଇଁ ଭାରତ ସମେତ ଦେଶ ବାହାରେ ବି ଅକ୍ଳାନ୍ତ ପ୍ରଚେଷ୍ଟା କରିଥିଲେ। ପରେ ସେହି କଳିଙ୍ଗ ସାମୁଦ୍ରିକ ଯୁଦ୍ଧ ଓ ବଣିଜର କେନ୍ଦ୍ର ରୂପେ ଉଭା ହୋଇଥିଲା। ଏସୀୟ ଦ୍ବୀପ ଜାଭା ପର୍ଯ୍ୟନ୍ତ ଏହା ପହଞ୍ଚି ଯାଇଥିଲା। ପୁଣି ଓଡ଼ିଶା ମୋଗଲଙ୍କ ହାତରେ ପଡ଼ିଲା। ସମ୍ରାଟ ଆକବର ୧୫୯୦ରୁ ୧୫୯୨ ଭିତରେ ଓଡ଼ିଶାକୁ ଆଫଗାନୀମାନଙ୍କ ହାତରୁ ଛଡ଼ାଇନେଇ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ। ଅଷ୍ଟବିଂଶ ଶତାବ୍ଦୀର ମଧ୍ୟଭାଗରେ ଯେବେ ମୋଗଲ ସାମ୍ରାଜ୍ୟ ଏଣେତେଣେ ବିକ୍ଷିପ୍ତ ହୋଇପଡ଼ିଥିଲା, ସେତେବେଳେ ଓଡ଼ିଶାର କିଛି ଅଂଶ ବଙ୍ଗଳାର ନବାବଙ୍କ ମାଲିକାନାରେ ରହିଥିଲା, ମାତ୍ର ଓଡ଼ିଶାର ସିଂହଭାଗ ମରାଠାଙ୍କ ପାଖରେ ଥିଲା। ୧୯୫୭ରେ ପଲାସୀ ଯୁଦ୍ଧ ପରେ ବଙ୍ଗଳା ଅଧୀନରେ ଥିବା ଓଡ଼ିଶାର ଅଂଶ ତକ ବ୍ରିଟିସ ରାଜର ହସ୍ତଗତ ହୋଇଥିଲା। ସେହିପରି ମରାଠାଙ୍କ ହାତରେ ଥିବା ଓଡ଼ିଶାର ଅଞ୍ଚଳକୁ ୧୮୦୩ ମସିହାରେ ବ୍ରିଟିସମାନେ ଅକ୍ତିଆର କରିନେଇଥିଲେ। ଏପରି ଭାବେ ଓଡ଼ିଆଭାଷୀ ଓଡ଼ିଶା ଇଂରେଜ ସାମ୍ରାଜ୍ୟ ଅଧୀନକୁ ଚାଲି ଆସିଥିଲା।

ମାତ୍ର ଓଡ଼ିଶାର ଅନ୍ୟ ଅଞ୍ଚଳଗୁଡ଼ିକ ଭାଗ ଭାଗ ହୋଇ ରହିଥିଲା ଯାହାକୁ ଯୋଡ଼ିବା ଲାଗି ଦାବି ହୋଇ ଚାଲିଥିଲା। କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ତାହାକୁ ପ୍ରତ୍ୟାଖ୍ୟାନ କରି ଚାଲିଥିଲେ। ୧୯୩୬ ଏପ୍ରିଲ ୧ରେ ଇଂରେଜମାନେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଦେଲେ। ମାତ୍ର ଓଡ଼ିଶା ନାମକ ସେହି ରାଜ୍ୟରେ ଓଡ଼ିଶାର ୨୬ଟି ଅଞ୍ଚଳ ସାମିଲ ହୋଇନଥିଲା ଯାହା ମରାଠା ଅଧୀନକୁ ଚାଲିଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେଲା ଏବଂ ଓଡ଼ିଶା ତାହାର ସମସ୍ତ ଅଞ୍ଚଳ ସହ ଏକ ସଂପୂର୍ଣ୍ଣ ରାଜ୍ୟ ରୂପେ ବିବେଚିତ ହେଲା। ତେବେ ପ୍ରାଶାସନିକ ସୁବିଧା ଦୃଷ୍ଟିରୁ ଷଢ଼େଇକଳା ଓ ଖରସୁଆଁକୁ ବିହାର ସହ ମିଶାଇ ଦିଆଗଲା। ୧୯୫୦ରେ ଆମକୁ ଆଧୁନିକ ଓଡ଼ିଶା ମିଳିଥିଲା। ଇତିହାସର ଏଇ କ୍ଷୁଦ୍ର ସାଂକେତିକ ଯାତ୍ରାର ଅବଧାରଣା କରିବାର ଉଦ୍ଦେଶ୍ୟ ହେଉଛି, ଆମେ ଜାଣି ପାରିବା କି ଭାରତ ଇତିହାସର ପରିବର୍ତ୍ତନ ସହ ଓଡ଼ିଶା ଇତିହାସ ମଧ୍ୟ ବଦଳିବାରେ ଲାଗିଛି। ଯଦି କେବେ ଭାରତର ଆଇନାରେ ଓଡ଼ିଶାକୁ ଆବିଷ୍କାର କରିବା, ତେବେ ତାହାର ସାରା ଇତିହାସ ମିଳିଯିବ। ମାତ୍ର ଯେବେ ଆମେ ଓଡ଼ିଶାର ଆଇନାରେ ଭାରତକୁ ଖୋଜିବା, ସେତେବେଳେ କ’ଣ ମିଳିବ?

ଏପରି ଆବିଷ୍କାର ପୂର୍ବରୁ ଆମକୁ ଦେଖିବାକୁ ପଡ଼ିବ କି କେଉଁ କେଉଁ ବାଟରେ ଗାଣତାନ୍ତ୍ରିକ ଓଡ଼ିଶାର ଯାତ୍ରା ସଂପନ୍ନ ହୋଇଛି। ନିଜର ଆଧୁନିକ ସ୍ବରୂପ ଆସିବା ପରେ ୧୯୫୦-୫୧ରୁ ୨୦୧୪ ମଧ୍ୟସ୍ଥ ଏଇ ୬୩ ବର୍ଷ ଭିତରେ ଓଡ଼ିଶା ତାହାର ୧୪ଟି ବିଧାନସଭାରେ ୨୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି। ୧୯୫୯, ୧୯୬୭, ୧୯୭୧, ୨୦୦୦ ଓ ୨୦୦୪ରେ ଓଡ଼ିଶା ମିଳିତ ସରକାରଙ୍କ ଶାସନ ବି ଦେଖିଛି। ଓଡ଼ିଶାର ରାଜନୈତିକ ଇତିହାସରେ ୧୯୯୭ରେ ଏକ ଭୀଷଣ ପରିବର୍ତ୍ତନ ଆସିଲା ଯେବେ ରାଷ୍ଟ୍ରୀୟ ସ୍ତରର ଗୁରୁତ୍ବ ବହନ କରୁଥିବା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହେଲା। ବିଜୁ ବାବୁ ଜଣେ ବିଚକ୍ଷଣ ରାଜନେତା ଥିଲେ। ସାହସ, ଲୋକପ୍ରିୟତା ଏବଂ ରାଜନୈତିକ ସମ୍ପର୍କ-ସମ୍ବନ୍ଧରେ ତାଙ୍କର ସମକକ୍ଷ କେହି ନଥିଲେ। ସେ ଯେତିକି ଲୋକପ୍ରିୟ ଥିଲେ, ସେତିକି ବିବାଦାସ୍ପଦ ମଧ୍ୟ ଥିଲେ। ଏଭଳି ବ୍ୟକ୍ତିତ୍ବଙ୍କ ମୃତ୍ୟୁ ସର୍ବଦା ବିରାଟ ରାଜନୈତିକ ଶୂନ୍ୟତା ଆଣିଥାଏ। ଓଡ଼ିଶାରେ ମଧ୍ୟ ସେଇଆ ଘଟିଥିଲା। ତାଙ୍କ ପରେ ଅନ୍ୟ ଅଣକଂଗ୍ରେସ ରାଜନୈତିକ ଶକ୍ତିଗୁଡ଼ିକ ସେହି ଶୂନ୍ୟତା ପୂରଣ କରିବାକୁ ଚାହିଁଲେ। ଦୀର୍ଘ ଟଣାଓଟରା ପରେ ବିଜୁ ବାବୁଙ୍କ ଅଭିଜ୍ଞତାହୀନ ପୁତ୍ର ନବୀନ ପଟ୍ଟନାୟକ ନିଜର ରାଜନୈତିକ ପାଳି ଆରମ୍ଭ କରିଥିଲେ ଏବଂ ବିଜୁ ଜନତା ଦଳ ନାମରେ ଏକ ନୂଆ ଦଳ ଓଡ଼ିଶା ନକ୍ସାରେ ଉଭା ହେଲା। ସେହିଠାରୁ ହିଁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମେଣ୍ଟର କାହାଣୀ ଆରମ୍ଭ ହେଲା। ନବୀନ ପଟ୍ଟନାୟକ ନିଜ ପିତାଙ୍କ ଉତ୍ତରଦାନକୁ କେବଳ ସମ୍ଭାଳିନଥିଲେ, ସେ ତାଙ୍କ ଛବିରେ ନିଜକୁ ଥାପିବା ଆରମ୍ଭ କରିଦେଲେ।

ସେତେବେଳକୁ ରାଷ୍ଟ୍ରୀୟ ରାଜନୀତିରେ ଅଟଳ ବିହାରୀ ବାଜପେୟୀଙ୍କ ସର୍ବସମାବେଶୀ ରାଜନୀତି ପାଳି ଆରମ୍ଭ ହୋଇ ସାରିଥିଲା। ଏଠି ଚିନ୍ତା କରିବାର ବିଷୟ, ଯଦି ସେହି ସମୟରେ ରାଷ୍ଟ୍ରୀୟ ରାଜନୀତି ଅଟଳ ବିହାରୀଙ୍କୁ ପରିକ୍ରମା କରୁନଥା’ନ୍ତା, ତେବେ କ’ଣ ଭାରତୀୟ ରାଜନୀତିରେ ବହୁବିଧ ସମୀକରଣ ସମ୍ଭବ ହୋଇଥା’ନ୍ତା? ନବୀନ ପଟ୍ଟନାୟକ, ଫାରୁକ ଅବଦୁଲ୍ଲା, ଜର୍ଜ ଫର୍ଣ୍ଣାଣ୍ଡିଜ୍‌, ରାମବିଳାସ ପାଶଵାନ ଓ ନୀତୀଶ କୁମାର ଆଦି ସମସ୍ତେ ବାଜପେୟୀ ମାର୍କା ରାଜନୀତିରେ ସାମିଲ ହେବାରୁ ଏପରି ଏକ ମେଣ୍ଟ ସରକାରର ନୂଆ ଅଧ୍ୟାୟ ଲେଖାହେଲା। ସେହି ସମୟର ଗଭୀର ରାଜନୈତିକ ବିଶ୍ଳେଷଣ ଅଦ୍ୟାବଧି ହୋଇନାହିଁ। ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରୀ ହୋଇଥିଲେ, କେବେ ସେଇ ମନ୍ତ୍ରଣାଳୟକୁ ତାଙ୍କ ପିତା ସମ୍ଭାଳିଥିଲେ।
ଏହି ଅବସରରେ ଦେଶ ୫ ବର୍ଷ, ୧୩ ମାସ ଓ ୧୩ ଦିନ ଭଳି ତିନି ପାଳିର ବାଜପେୟୀ ଶୈଳୀର ରାଜନୀତି ଦେଖିଲା। ୨୦୦୦ରେ ନବୀନ ପଟ୍ଟନାୟକ କେନ୍ଦ୍ର ରାଜନୀତି ଛାଡ଼ି ଓଡ଼ିଶାକୁ ଫେରିଲେ ଏବଂ ଏଠାରେ ବିଜେପି ସହ ପ୍ରଥମ ମେଣ୍ଟ ସରକାର ଗଢ଼ିଲେ। ସେହି ମେଣ୍ଟ ୨୦୦୪ରେ ମଧ୍ୟ ଜାରି ରହିଲା। ମାତ୍ର ନବୀନ ବାବୁଙ୍କୁ ସେଇ ଗୈରିକ ରଙ୍ଗ ଓ ସାମ୍ପ୍ରଦାୟିକ ଢଙ୍ଗର ରାଜନୀତି ପସନ୍ଦ ଆସିଲାନି। ୨୦୦୯ରେ ଏକ ବିରାଟ ରାଜନୈତିକ ସାହସ ଦେଖାଇବାକୁ ଯାଇ ସେ ନିଜକୁ ବିଜେପି ମେଣ୍ଟରୁ ଅଲଗା କରିଦେଲେ। ତାଙ୍କ ବିଚକ୍ଷଣତା, ଦୂରଦୃଷ୍ଟି ତଥା ରାଜନୈତିକ କୁଶଳତା ଉପରେ ଯେପରି ୨୦୦୯ ନିର୍ବାଚନ ପରିଣାମ ମୋହର ମାରିଦେଲା! ସେହି ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶା ବିଧାନସଭାର ୧୪୭ରୁ ୧୦୩ ଆସନ ଓ ୨୧ ଲୋକସଭା ଆସନରୁ ୧୪ଟିରେ ବିଜୟ ହାସଲ କରିଥିଲା। ଅଚାନକ ଦେଶ ଚିହ୍ନିପାରିଲା କି ଓଡ଼ିଶାର ଏକ ଆଞ୍ଚଳିକ ଦଳ ରାଷ୍ଟ୍ରୀୟ ଭୂମିକା ନିର୍ବାହ କରିପାରିଛି।

ତାହା ପରଠାରୁ କୌଣସି ରାଜନୈତିକ କାହାଣୀ ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ। ତାହା କୋଉଠୁ ବି ପଢ଼ାଯାଇପାରିବ। ଆଗକୁ ଯାହା କହିବାକୁ ପଡ଼ିବ, ତାହା ହେଲା ଓଡ଼ିଶା ନକ୍ସାରେ ଆଜି ଭାରତ କୋଉଠି ଦେଖାଯାଉଛି। ଓଡ଼ିଶା କ’ଣ ଏମିତି ଏକ ରାଜ୍ୟ ଯାହାର ନିଜସ୍ବ ମେରୁଦଣ୍ଡ ନାହିଁ? ଏହା କ’ଣ ଦେଶର ଅନ୍ୟ ରାଜ୍ୟମାନଙ୍କ ପରି, ଯାହାର ଲଗାମ ଅନ୍ୟ କାହା ହାତରେ ରହିଛି? ନା, ଓଡ଼ିଶା ଓ ଅନ୍ୟ ରାଜ୍ୟମାନଙ୍କ ଭିତରେ ଫରକ ରହିଛି। ଭାରତୀୟ ରାଜନୀତିରେ ନିଜସ୍ବ ମତାନୁକୂଳ କମ୍ପନ ରଖୁଥିବା ନବୀନ ପଟ୍ଟନାୟକ ଆଜି ଦେଶର ସବୁଠୁ ସ୍ଥିର ରାଜନୈତିକ ନେତୃତ୍ବର ପ୍ରତୀକ। ୨୦୧୪ରୁ ଦେଶରେ ଯେଉଁ ନୂତନ ରାଜନୈତିକ ଶୈଳୀ ଆରମ୍ଭ ହେଲା, ଓଡ଼ିଶା ଉପରେ ତାହାର ଯାବତୀୟ ଆକ୍ରମଣକୁ ସେ ପ୍ରତିହତ କରିଦେଇଛନ୍ତି। ଓଡ଼ିଶାରେ ଏ ଯାବତ୍‌ ଭୟ-ଧୋକା-କିଣାବିକାର କୌଣସି ବି କୌଶଳ କାମଦେଇନି। ସେ ରାଜନୀତିର ପ୍ରତିଟି ରଙ୍ଗକୁ ପରଖିବା ଓ ବୁଝିବାର ରଭୀର ଅନୁଭବ ରଖିଛନ୍ତି। ସେ ମଧ୍ୟ କେନ୍ଦ୍ର ରାଜନୀତି କରୁଛନ୍ତି, ଦେଖୁଛନ୍ତି ଏବଂ ବୁଝୁଛନ୍ତି ମଧ୍ୟ। ମେଣ୍ଟ ସରକାରର କେନ୍ଦ୍ରୀୟ ଓ ଆଞ୍ଚଳିକ ଅନୁଭବ ତାଙ୍କର ରହିଛି ଏବଂ ତାହାର ଘାତ ପ୍ରତିଘାତକୁ ମଧ୍ୟ ସେ ସହିଛନ୍ତି। ଦେଶରେ ଆଜି ଯେପରି ରାଜନୀତି ଚାଲିଛି, ସେଥିରେ କୁହାଯାଇପାରିବ କି ଓଡ଼ିଶା ଏକ ସୁରକ୍ଷିତ ସାମ୍ପ୍ରଦାୟିକତାମୁକ୍ତ ସ୍ବାୟତ୍ତ ରାଜ୍ୟ।

ନବୀନ ପଟ୍ଟନାୟକଙ୍କର ଏକାଙ୍ଗୀ ରାଜନୈତିକ ଶୈଳୀ, ତାଙ୍କ ସରକାରର ଦିଶା ଓ ଦଶା, ବିକାଶକୁ ବୁଝିବାର ଦକ୍ଷତା ତଥା ଅସହମତି ପ୍ରତି ତାଙ୍କ ଅସହିଷ୍ଣୁତା ବଖାଣିବାକୁ ମୋ’ ଭଳି ଅନେକ ଆଲୋଚକ ମିଳିଯିବେ। ପୁଲିସ ଅତ୍ୟାଚାରର ଉଦାହରଣ ଯେମିତି ଦେଶରେ ଚାଲିଛି, ଓଡ଼ିଶାରେ ମଧ୍ୟ କିଛି କମ୍‌ ନାହିଁ। ତେଣୁ ଏହା କହିବା ସମ୍ଭବ ନୁହେଁ କି, ଓଡ଼ିଶା କିଛି ନୂଆ କରୁଛି। ମାତ୍ର ବୟସ ଓ ଅନୁଭବର ଶୀର୍ଷରେ ପହଞ୍ଚି ନବୀନ ବାବୁ ଚାହିଁଲେ ଏବଂ ସାହସ ଦେଖାଇଲେ, ଦେଶରେ ଓଡ଼ିଶା ଏକ ନୂଆ ସମ୍ଭାବନା ସୃଷ୍ଟି କରିପାରିବ, ନିଜକୁ ସୁଦୃଢ଼ କରିପାରିବ।

ସେଇ ନୂଆ ସମ୍ଭାବନା କ’ଣ ହୋଇପାରେ? ସାମ୍ପ୍ରତିକ ସ୍ଥିତିରେ ଏକମାତ୍ର ସମ୍ଭାବନା ହେଉଛି, ଭାରତୀୟ ରାଜନୀତିର ଲୋକତାନ୍ତ୍ରିକ ଭୂମିକାରେ ଉତ୍‌ଥାନ ଆଣି ତାହାକୁ ସୁଦୃଢ଼ କରିବା। ସେଥିପାଇଁ ଏକମାତ୍ର ଅସ୍ତ୍ର ହେଉଛି ଆମର ସମ୍ବିଧାନ। ସଂଘୀୟ ଭାରତରେ ଆମର ସମ୍ବିଧାନ ଯେଉଁ ପ୍ରୟୋଗ ଦ୍ବାରା ମଜଭୁତ ହେବାକୁ ଚାହୁଁଛି, ନିଜର ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଯେଉଁ ସଂଘୀୟ ଢାଞ୍ଚାକୁ ସଂରକ୍ଷିତ କରିବାକୁ ଚାହୁଁଛନ୍ତି, ଆମର ସମ୍ବିଧାନ ଯେଉଁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦେଉଛି, ସେହି ସମ୍ବିଧାନ ଓ ସାମ୍ବିଧାନିକ ନିଷ୍ଠା ଆଜି ବିପଦରେ ପଡ଼ିନାହିଁ, ମାତ୍ର ରାଜନୀତିକ ପରିସ୍ଥିତି ଏପରି ହୋଇଛି ଯେ ତାହାକୁ ଉପହାସ କରାଯାଉଛି। ଏହି ଉପହାସ ଏକ ରାଜନୈତିକ ସଂସ୍କୃତି ହେବାକୁ ଯାଉଛି। ସ୍ବାଧୀନତାର ରଙ୍ଗ ସେତିକି ବଦରଙ୍ଗ ହୋଇଯାଉଛି।

କୁହାଯାଉଛି କି, ଆମେ ବିଶ୍ବର ଦ୍ବିତୀୟ ବୃହତ୍ତମ ତଥା ଦ୍ରୁତ ଅର୍ଥଶକ୍ତି ହେବାକୁ ଯାଉଛେ। ମାତ୍ର ପ୍ରଖ୍ୟାତ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୦୫ରେ ଅର୍ଥଶକ୍ତି ଓ ଅଭିବୃଦ୍ଧି ହାର ଦୃଷ୍ଟିରୁ ଆମେ ବିଶ୍ବର ଦଶମ ବୃହତ୍ତମ ଅର୍ଥବ୍ୟବସ୍ଥା ଥିଲେ ଏବଂ ୨୦୧୧ରେ ହିଁ ଆମେ ନିଜର ଦ୍ରୁତ ତଥା ମଜଭୁତ ପଦକ୍ଷେପ ପାଇଁ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରିଥିଲେ। ଯଦି ବିଶ୍ବ ବ୍ୟାଙ୍କ ରିପୋର୍ଟ ସତ, ତେବେ ଏ ପ୍ରଶ୍ନ ପଚରାଯିବା ଉଚିତ କି ତୃତୀୟରୁ ଦ୍ବିତୀୟ ସ୍ଥାନରେ ପହଞ୍ଚିବାକୁ ଯଦି ୧୨ ବର୍ଷ ଲାଗିଗଲା, ଏ ସରକାର କ’ଣ ଶ୍ରେୟର ହକଦାର? ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଲଜ୍ଜାର କଥା କି ଆମର କୌଣସି ପରିସଂଖ୍ୟାନକୁ କେହି ବିଶ୍ବାସ କରୁନାହାନ୍ତି। ‘ଭାରତୀୟ ସମୟ’ ପରି ରୁଢ଼ିପ୍ରୟୋଗ ଯେପରି ଆମକୁ ପରିହାସ କରୁଛି, ଭାରତୀୟ ପରିସଂଖ୍ୟାନ ମଧ୍ୟ ଆମକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସେପରି ଲଜ୍ଜିତ କରୁଛି। ବେକାରି ସଂକ୍ରାନ୍ତ ତଥ୍ୟକୁ ଲୁଚାଇ କ’ଣ ବେକାରି ଦୂର କରିହେବ? କୋଭିଡ୍‌ରେ ମରିଥିବା ଲୋକଙ୍କ ସଂଖ୍ୟାକୁ ଲୁଚାଇ କ’ଣ ଆମ ଘରମାନଙ୍କରେ ମୃତ୍ୟୁଦୁଃଖକୁ ଦୂରେଇ ଦିଆଯାଇପାରିବ? ଗଣମାଧ୍ୟମ ଉପରେ ଏକାଧିକାର ଚଳାଇ କ’ଣ ଇତିହାସକୁ ବଦଳେଇହେବ? ନା ନାଜି ଜର୍ମାନୀ ଏପରି କରିଥିଲା ନା ସାମ୍ୟବାଦୀର ବର୍ବରତା। ପୁଞ୍ଜିବାଦୀ ଦେଶ ବୈଭବର ଚମକ ପଛରେ ଯଦି ନିଜର କ୍ରନ୍ଦନରତ ଦାରିତ୍ର୍ୟକୁ ଲୁଚାଇ ପାରିନାହାନ୍ତି, ଆମେ କ’ଣ ନୂଆ ନୁଆ ଶବ୍ଦଜାଲରେ ଆମର ଦୁରବସ୍ଥାକୁ ଛପାଇପାରିବା? ଏଠି ଓଡ଼ିଶାର ଏକ ନୂତନ ଭୂମିକା ଅପେକ୍ଷା ରଖୁଛି। ଆଜି ସେହି ରାଜଶକ୍ତି ବିରୋଧରେ ଅସ୍ବୀକୃତିର ସଂଗଠିତ ତଥା ମଜଭୁତ ସ୍ବର ଉଠାଇ ତାହାର ନେତୃତ୍ବ ଦେବା ଜରୁରୀ। ୭୫ ବର୍ଷର ଅଭିଜ୍ଞ ନବୀନ ପଟ୍ଟନାୟକଙ୍କ ଠାରୁ ଦେଶ ଏକ ନୂତନ ରାଜନୈତିକ ଭୂମିକା ଆଶା କରୁଛି। ସେଇ ଭୂମିକା ଶାସନ କ୍ଷମତା ଲୋଭରେ ଆରମ୍ଭ ହେବା ଉଚିତ ନୁହେଁ। ଏପରିକି ତାହା ମଧ୍ୟ କ୍ଷମତାର ଅଳିନ୍ଦରେ ଯାତାୟାତ ବି କରିବା ଠିକ୍‌ ହେବନି। ଏପରିକି ନିଜକୁ ଶାସନଗାଦିର ଶୀର୍ଷରେ ବସାଇବାର ଆକାଂକ୍ଷା ଦ୍ବାରା ମଧ୍ୟ ଏହା ପ୍ରେରିତ ହେବା ଉଚିତ ନୁହେଁ। ଏକ ନୈତିକ ଭୂମିକା ହିଁ ଜଣକୁ ଆବଶ୍ୟକ ଦକ୍ଷତା ପ୍ରଦାନ ପୂର୍ବକ ଠିକଣା ରାସ୍ତାରେ ଯିବାକୁ ଦିଗ୍‌ଦର୍ଶନ କରିବ। ଓଡ଼ିଶା ହେଉଛି ଏପରି ଏକ ନେତୃତ୍ବ ସମ୍ଭାବନାର ନାମ। ଆଜି ଭାରତର ନକ୍ସାରେ ଓଡ଼ିଶାର ସେଭଳି ଏକ ଚେହେରା ଦେଖାଯାଉଛି। ଓଡ଼ିଶାକୁ କ’ଣ ଏପରି ନିଜର ଚେହେରା ଦେଖାଯାଉଛି? ଇତିହାସର ଏଭଳି ମୋଡ଼ରେ ଓଡ଼ିଶା କ’ଣ ସେଭଳି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ହେବ?

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର