ଇତି ଊଣେଇଶ (ରାଜଧାନୀ) : ସଚିବାଳୟ ହେଲା ଲୋକସେବା ଭବନ

ଜୁଲାଇ ୨୯ରେ ରାଜ୍ୟ ସରକାର ରାଜ୍ୟ ସଚିବାଳୟ ନାମ ବଦଳାଇ ଲୋକସେବା ଭବନ କରିଲେ। ଏହାପରଠାରୁ ସଚିବଙ୍କ ଆଳୟ କୁହାଯାଉଥିବା ଏହି ସଚିବାଳୟ ଲୋକଙ୍କ ସେବା ହେଉଥିବା ଭବନ ପାଲଟିଗଲା। ସେହିପରି ଦ୍ବିତୀୟ ଲୋକସେବା ଭବନ ଭଳି କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପାୱାରହାଉସ୍‌ ଛକ ନିକଟରେ ନିର୍ମାଣ ହୋଇଥିବା ନୂଆ ୯ତାଲା କୋଠାକୁ ଖାରବେଳ ଭବନ ନାମରେ ନାମିତ କରାଗଲା। ଏଠାକୁ ଲୋକସେବା ଭବନରୁ କିଛି କାର୍ଯ୍ୟାଳୟ ସ୍ଥାନାନ୍ତର ହେଲା। କିନ୍ତୁ ଏହି କେଠାର ନିର୍ମାଣ ପାଇଁ ଯେଉଁଭଳି ଭାବେ ୧୫୯କୋଟି ଟଙ୍କା ଖର୍ଚ୍ଚ ହେଲା ତାହାକୁ ନେଇ ବିବାଦ ସୃଷ୍ଟି ହେଲା।

ଆରମ୍ଭ ହେଲା ବିଏମ୍‌ସି ମୁଖ୍ୟାଳୟ ନିର୍ମାଣ
ବିଏମ୍‌ସି ତା’ର ନିଜସ୍ବ ମୁଖ୍ୟାଳୟ ନିର୍ମାଣ କରିବା ପାଇଁ ଦୀର୍ଘ ୫ବର୍ଷ ହେଲା ଜାଗା ଖୋଜିବା ପରେ ‌ଶେଷରେ ୟୁନିଟ-୯ସ୍ଥିତ କେନ୍ଦୀୟ ବିଦ୍ୟାଳୟ ନିକଟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମେ ବ୍ୟାଚଲର୍‌ସ ବାରାକ୍, ତା’ପରେ ୟୁନିଟ-୮ କଲ୍ୟାଣ ମଣ୍ଡପ, ପୁରୁଣା ଏଜି କଲୋନି ଏମିତି ବିଭିନ୍ନ ଜାଗାରେ ମୁଖ୍ୟାଳୟ ନିର୍ମାଣ କରିବାକୁ ଯୋଜନା କରିଥିଲା। କିନ୍ତୁ କେଉଁଠି କରିପାରିନଥିଲା। ଏପରିକି ଏବେ ଯେଉଁଠି ମୁଖ୍ୟାଳୟ ନିର୍ମାଣ ହେଉଛି ସେଠାରେ ଦୁଇଥର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ଜୁନ୍‌ ମାସରେ କାମ ଆରମ୍ଭ ହେଲା।

ଏମିତି ଦେଖାଯିବ ବରମୁଣ୍ଡା ବସଷ୍ଟାଣ୍ଡ

ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡକୁ ମୋହର
ବରମୁଣ୍ଡା ବସଷ୍ଟାଣ୍ଡକୁ ଉନ୍ନତୀକରଣ କରି ଏହାକୁ ଏକ ବିଶ୍ବସ୍ତରୀୟ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ୯ବର୍ଷ ହେଲା ଯୋଜନା କରୁଥିଲେ ହେଁ ଏହାର ରୂପରେଖ ପ୍ରସ୍ତୁତ ହୋଇପାରିନଥିଲା। ‌ବହୁ ଅଡ଼ୁଆ ତୁଟିବା ପରେ ବରମୁଣ୍ଡା ବସଷ୍ଟାଣ୍ଡକୁ ଏକ ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡରେ ପରିଣତ କରିବା ପାଇଁ ସରକାର ମୋହର ମାରିଲେ। ପ୍ରାୟ ୧୧ଏକର ଜମିରେ ୧୬୦କୋଟି ଟଙ୍କା‌ ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବିଆଣ୍ଡ୍‌ଆର୍‌ ସଂସ୍ଥା ସହ ରାଜ୍ୟ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡ ଅସ୍ଥାୟୀ ଭାବେ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର ହୋଇପାରିନଥିବାରୁ ଚୁକ୍ତି ସ୍ବାକ୍ଷରର ତିନି ମାସ ପରେ ବି କାମ ହୋଇପାରିନି।

mycitylinks.in

ଖୋଲିଲା ବମିଖାଲ ଓଭରବ୍ରିଜ୍, ଆରମ୍ଭ ହେଲା ଖଣ୍ଡଗିରି ଫ୍ଲାଏଓଭର
ଦୀର୍ଘ ୭ବର୍ଷ ଧରି ନିର୍ମାଣ ହେଉଥିବା ସହିଦନଗର-ବମିଖାଲ ରେଳ ଓଭରବ୍ରିଜ୍‌ ‌େଶଷରେ ଉଦ୍‌ଘାଟନ ହେଲା। ପ୍ରାୟ ୪୪କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଦୁଇଟି ମୁଣ୍ଡ ନେବା ପରେ ସିନା ଛିଡ଼ା ହେଲା, ହେଲେ ରାଜଧାନୀବାସୀଙ୍କ ସମସ୍ୟା ଦୂର କରିବାରେ ଏହା ସଫଳ ହେଲାନି। ଡେଥ୍ ଜୋନ୍ ପାଲଟିଥିବା ଖଣ୍ଡଗିରି ଫ୍ଲାଏଓଭର ନିର୍ମାଣ ପାଇଁ ବହୁ ବର୍ଷ ଧରି ଦାବି ହେବା ପରେ ଚଳିତବର୍ଷ ତା’ର କାମ ଆରମ୍ଭ ହେଲା। ପ୍ରାୟ ୭୩କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଫ୍ଲାଏଓଭର ୨୦୨୧ରେ କାର୍ଯ୍ୟକ୍ଷମ ହେବ ବୋଲି‌ ଯୋଜନା ଅଛି।

ସ୍ମାର୍ଟ ଜନପଥ ଦୁଃଖ ଗଲାନି
ଜନପଥକୁ ସ୍ମାର୍ଟ ଜନପଥ‌ରେ ପରିଣତ କରିବା ପାଇଁ ଦୁଇ ବର୍ଷ ହେଲା କାମ ଚାଲୁଥିଲେ ହେଁ ଏହା ଧାର୍ଯ୍ୟ ସମୟରେ ସରିଲାନି। ଫଳରେ ସ୍ମାର୍ଟ ଜନପଥ ଦୁଇ ବର୍ଷ ହେଲା ରାଜଧାନୀବାସୀଙ୍କୁ ଯେଉଁ ଦୁଃଖ ଦେଲା ତା’ର ଅନ୍ତ ହେଲାନି। ଏବେ ନଭେମ୍ବର, ୨୦୨୦ରେ ସ୍ମାର୍ଟ ଜନପଥ କାମ ସରିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ଏମିତି ଦେଖାଯିବ ଭୁବନେଶ୍ବର ରେଳ ଷ୍ଟେସନ

ରେଳ ଷ୍ଟେସନ ଭାଗ୍ୟ ଫିଟିଲା
ଭୁବନେଶ୍ବର ରେଳ ଷ୍ଟେସନ ମଲ୍ଟିମୋଡାଲ ହବ୍ ଏମ୍‌ଓୟୁ କେଉଁଠି ସ୍ବାକ୍ଷର ହେବ ସେନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଢ଼ବର୍ଷ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯ରେ ଏନେଇ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କ’ଣ କରିବେ, ଓଡ଼ିଶା ସରକାର କ’ଣ କରିବେ ତାହା ସ୍ଥିର ହୋଇଥିଲା। ଏଥିରେ ରେଳ ଷ୍ଟେସନକୁ ନୂଆ ରୂପ ଦେବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିବାବେଳେ ପ୍ରାୟ ୧୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଏଥିରେ ଓଡ଼ିଶା ସରକାର ୬୦କୋଟି, କେନ୍ଦ୍ର ସରକାର ୭୦କୋଟି ଖର୍ଚ୍ଚ କରିବାକୁ ‌ନିଷ୍ପତ୍ତି ହୋଇଛି। ହେଲେ ଏଠାରେ ଯେଉଁ ଆଇକନିକ୍ ବିଲଡିଂ ନିର୍ମାଣ ହେବ ତା’ର ଉଚ୍ଚତା ନେଇ ବିବାଦ ଲାଗି ରହିଥିବାରୁ ଏପର୍ଯ୍ୟନ୍ତ ରେଳ ଷ୍ଟେସନ୍ ମଲ୍ଟିମୋଡାଲ ହବ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି।

ସମ୍ବନ୍ଧିତ ଖବର