ବିଶ୍ବରେ ସେମିକଣ୍ଡକ୍ଟର୍‌୍‌ ବିପ୍ଳବ ଆରମ୍ଭ ହୋଇଛି। ମଣିଷର ଦୈନନ୍ଦିନ ଚଳଣିରେ ସେମିକଣ୍ଡକ୍ଟର୍‌୍‌ ଓ ଚିପ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଯାଇଛି। ଅପରାଧ ନିୟନ୍ତ୍ରଣରୁ ନେଇ ସ୍ବାସ୍ଥ୍ୟସେବା ଏବଂ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସେମିକଣ୍ଡକ୍ଟର୍‌୍‌ ଓ ଚିପ୍ ସର୍ବତ୍ର ଆବଶ୍ୟକ। ଏହାକୁ ବାଦ୍‌ଦେଇ ଆଧୁନିକ ବିଜ୍ଞାନ କିମ୍ବା ଆଜିର ଜୀବନଶୈଳୀ ଅଗ୍ରଗତି କରିପାରିବ ନାହିଁ। ଏହାର ପ୍ରସ୍ତୁତି ପାଇଁ ବିଶ୍ବର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଭାରତ ମଧ୍ୟ ଏଥିରେ ପଛାଇ ଯାଇନାହିଁ। ଭାରତର ସେମିକଣ୍ଡକ୍ଟର୍‌୍‌ ଓ ଚିପ୍ ମାନଚିତ୍ରରେ ଓଡ଼ିଶାର ଯୋଗଦାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସଂପ୍ରତି ଅନୁଷ୍ଠିତ ‘ସେମିକନ୍ ଇଣ୍ଡିଆ ୨୦୨୫’ ସମ୍ମିଳନୀରେ ଓଡ଼ିଶାର ଗବେଷକମାନେ ପ୍ରସ୍ତୁତ କରିଥିବା ତିନିଟି ଅତ୍ୟାଧୁନିକ ଚିପ୍ ଭାରତୀୟ ସେମିକଣ୍ଡକ୍ଟର୍‌ ଇତିହାସରେ ଗୌରବର ନୂଆ ଅଧ୍ୟାୟ ଯୋଡ଼ିଛି। ଅବଶ୍ୟ ବ୍ୟାବସାୟିକ ସ୍ତରରେ ସେମିକଣ୍ଡକ୍ଟର୍‌ ଓ ଚିପ୍ ପ୍ରସ୍ତୁତି‌େର ଓଡ଼ିଶା ଆଖିଦୃଶିଆ ଅଗ୍ରଗତି କରିପାରିନାହିଁ। ଏହା କେବଳ ଶିକ୍ଷାନୁଷ୍ଠାନ ଭିତରେ ସୀମିତ ରହିଛି। ଗୁଜରାଟ ଏ କ୍ଷେତ୍ରରେ ଅଧିକ ବିକଶିତ ହୋଇସାରିଲାଣି। ଭବିଷ୍ୟତରେ ସେମିକଣ୍ଡକ୍ଟର୍‌ ଓ ଚିପ୍  ସଂକ୍ରାନ୍ତ ଗବେଷଣା ଓ ପ୍ରସ୍ତୁତିରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହେବାର ସମସ୍ତ ଦକ୍ଷତା ରଖିଛି ବୋଲି ଆଶା ରଖିଛନ୍ତି ଅନ୍ୟତମ ସଫଳକାମୀ ଗବେଷକ ପ୍ରଫେସର୍‌ ଡକ୍ଟର୍‌ କମଳାକାନ୍ତ ମହାପାତ୍ର। ଓଡ଼ିଶାରେ ସେମିକଣ୍ଡକ୍ଟର୍‌ ଓ ଚିପ୍‌ ପ୍ରସ୍ତୁତି ପାଇଁ ଆଗାମୀ ଦିନର ଆହ୍ବାନ କ’ଣ? ଏହାର ଗୁରୁତ୍ବ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି, ଭାରତ ଓ ଚୀନ୍ ଭିତରେ ସେମିକଣ୍ଡକ୍ଟର୍‌ ପ୍ରସ୍ତୁତି ପ୍ରତିଯୋଗିତା ଆଦି ପ୍ରସଙ୍ଗ ଉପରେ ‘ସମ୍ବାଦ ରବିବାର’ ସହିତ କଥା ହୋଇଛନ୍ତି ଗବେଷକ ଡକ୍ଟର୍‌ କମଳାକାନ୍ତ ମହାପାତ୍ର।

Advertisment

୨୦୦୧ ମସିହାରୁ ମୁଁ ଏହା ଉପ‌େର ଗବେଷଣା ଓ ଅନୁଧ୍ୟାନ ଆରମ୍ଭ କରିଥିଲି। ୨୦୦୬ରେ ମୋ ସହିତ ପ୍ରଫେସର୍‌ ଅୟସକାନ୍ତ ସ୍ବାଇଁ ଯୋଗଦେଲେ। ଆର୍ଥିକ ସହାୟତା ତଥା ପ୍ରୋତ୍ସାହନ ଅଭାବ ଭଳି ସମସ୍ୟା ଥାଇ ବି ଓଡ଼ିଶା ଏଥିରେ ସଫଳତା ହାସଲ କରିଛି। ଏନ୍‌ଆଇଟି ରାଉରକେଲାର ଅଧ୍ୟାପକମାନଙ୍କ ସାମୂହିକ ଶ୍ରମ ଏବଂ ଦୃଢ଼ ସଂକଳ୍ପ ପାଇଁ ଏହା ସାର୍ଥକ ହୋଇଛି।

ସେମିକଣ୍ଡକ୍ଟର୍‌ କ’ଣ ଏବଂ ଚିପ୍ ପ୍ରସ୍ତୁତିରେ ଏହାର କିଭଳି ଭୂମିକା ରହିଥାଏ?
ସେମିକଣ୍ଡକ୍ଟର୍‌ ହେଉଛି ସିଲିକନ୍ ଭଳି ଗୋଟାଏ ବିଶେଷଧରଣର ପଦାର୍ଥ। ଏହାର ବିଦ୍ୟୁତ୍ ପରିବାହୀ କ୍ଷମତା ତମ୍ବାଠାରୁ କମ୍ ଏବଂ ଇନ୍‌ସ୍ୟୁଲେଟର୍  ବା ବିଦ୍ୟୁତ୍‌ କୁପରିବାହୀ କ୍ଷମତା ରବରଠାରୁ ଅଧିକ। ଡୋପିଙ୍ଗ୍‌ କିମ୍ବା ଭୋଲ୍‌ଟେଜ୍‌ ଦେଇ ସୁଇଚ୍ ଅନ୍‌/ଅଫ୍‌ କରି ଏହାକୁ ନିୟନ୍ତ୍ରଣ କରାଯାଏ। ଏହି କାରଣରୁ ସେମିକଣ୍ଡକ୍ଟର୍‌ ହେଉଛି ଆଧୁନିକ ଇଲୋକ୍ଟ୍ରୋନିକ୍ସର ମୁଖ୍ୟ ଆଧାର। ଚିପ୍ ବ‌ା ‘ଇଣ୍ଟିଗ୍ରେଟେଡ୍ ସର୍କିଟ୍’ ହେଉଛି ଗୋଟିଏ କ୍ଷୁଦ୍ର ସିଲିକନ୍ ସେମିକଣ୍ଡକ୍ଟର୍‌। ଏଥିରେ ଅସଂଖ୍ୟ କ୍ଷୁଦ୍ର ଟ୍ରାଞ୍ଜିଷ୍ଟର୍‌ ଥାଏ। ଏହି ଟ୍ରାଞ୍ଜିଷ୍ଟର୍‌ଗୁଡ଼ିକ ମେମୋରି ଚିପ୍, ପ୍ରୋସେସର୍‌ ଚିପ୍, କମ୍ୟୁନିକେସନ୍‌ ଚିପ୍ ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ୍‌ ଉପକରଣରେ ବ୍ୟବହାର ହୋଇଥାଏ। ସେମିକଣ୍ଡକ୍ଟର୍‌ରୁ ସ୍ମାର୍ଟ ଚିପ୍‌ ପ୍ରସ୍ତୁତ ହୁଏ।

ସେମିକନ୍-୨୦୨୫ ସମ୍ମିଳନୀରେ ଓଡ଼ିଶା ପକ୍ଷରୁ ଯେଉଁ ତିନିଟି ଚିପ୍ ଉନ୍ମୋଚିତ ହୋଇଛି ସେଥିରେ ଆପଣଙ୍କର ଯଥେଷ୍ଟ ଭୂମିକା ରହିଛି। ଏନ୍‌ଆଇଟି ରାଉରକେଲା ପକ୍ଷରୁ ଚିପ୍ ପ୍ରସ୍ତୁତି ଲାଗି କରାଯାଇଥିବା ଗବେଷଣା ଓ ଏ ସଂପର୍କିତ ପରୀକ୍ଷାନିରୀକ୍ଷାର ଅନୁଭୂତି କିପରି ଥିଲା?
୨୦୦୧ ମସିହାରୁ ମୁଁ ଏହା ଉପ‌େର ଗବେଷଣା ଓ ଅନୁଧ୍ୟାନ ଆରମ୍ଭ କରିଥିଲି। ୨୦୦୬ରେ ମୋ ସହିତ ପ୍ରଫେସର୍‌ ଅୟସକାନ୍ତ ସ୍ବାଇଁ ଯୋଗଦେଲେ। ଆର୍ଥିକ ସହାୟତା ତଥା ପ୍ରୋତ୍ସାହନ ଅଭାବ ଆଦି ବହୁ ସମସ୍ୟା ଥାଇ ବି ଓଡ଼ିଶା ଏଥିରେ ସଫଳତା ହାସଲ କରିଛି। ରାଜ୍ୟବାସୀଙ୍କ ସଦିଚ୍ଛା ଓ ଏନ୍‌ଆଇଟି ରାଉରକେଲାର ଅଧ୍ୟାପକମାନଙ୍କ ସାମୂହିକ ଶ୍ରମ ଓ ଦୃଢ଼ ସଂକଳ୍ପ ପାଇଁ ଏହା ସାର୍ଥକ ହୋଇଛି। ଏହି ସଫଳତା ଭବିଷ୍ୟତ ପାଇଁ ପ୍ରେରଣାଦାୟୀ ହେବ ଏବଂ ସମସ୍ୟା ସମାଧାନରେ ସହାୟକ ହେବ। ଏହି କାର୍ଯ୍ୟକୁ ଆଗେଇ ନେବାକୁ ଯଦି ଠିକ୍ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ, ତେବେ ସେମିକଣ୍ଡକ୍ଟର୍‌ ଓ ଚିପ୍ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ‘ଡାର୍କ ହର୍ସ’ ବା ଅପ୍ରତ୍ୟାଶିତ ବିଜୟୀ ଭାବେ ଉଭାହେବ।

ଦୈନନ୍ଦିନ ଜୀବନରେ ଚିପ୍‌ର ଗୁରୁତ୍ବ ଓ ଭୂମିକା କ’ଣ?
ସାଧାରଣ ଲୋକ ବୁଝିବା ପାଇଁ ଚିପ୍ ହେଉଛି ଇଲେକ୍ଟ୍ରୋନିକ୍‌ ଯନ୍ତ୍ରାଂଶର ସଂଗୁପ୍ତ ମସ୍ତିଷ୍କ ବା ‘ହିଡିନ୍ ବ୍ରେନ୍’। ଘର, ବ୍ୟାଙ୍କ୍‌, ହସ୍‌ପିଟାଲ୍‌, ଥାନା ଏବଂ ଅତ୍ୟାଧୁନିକ ମୋଟରଯାନ, ମୋବାଇଲ୍, ଟିଭି, ୱାସିଙ୍ଗ୍‌ମେସିନ୍‌, ‌ଫ୍ରିଜ୍, ଏମ୍ଆର୍ଆଇ ସ୍କାନର୍, ଇସିଜି ମେସିନ୍‌, ଏଟିଏମ୍, ଡେବିଟ୍ କାର୍ଡ, ଏପରିକି ଇଣ୍ଟର୍‌ନେଟ୍ ପାଇଁ ବ୍ୟବହୃତ ୱାଇଫାଇ, ଜିପିଆର୍ଏସ୍ ଆଦିରେ ଚିପ୍‌ ଲାଗିଥାଏ। ଗୁଗ୍‌ଲ ଓ ପେଟିଏମ୍ ଭଳି ୟୁପିଆଇ ମାଧ୍ୟମରେ ଅନ୍‌ଲାଇନ୍‌ ଟଙ୍କା ଦେଣନେଣ ସଙ୍ଗକୁ ସେଲ୍‌ ଫୋନ୍‌ରେ ହ୍ବାଟସ୍‌ଆପ୍ ଓ ୟୁଟ୍ୟୁବ୍ ଚଳାଇବାରେ ବି ଚିପ୍‌ ସହାୟକ ହୋଇଥାଏ। ମୋଟାମୋଟି ସେମିକଣ୍ଡକ୍ଟର୍‌ ଓ ଚିପ୍ ଜରିଆରେ ଆଜି ଜୀବନ ତ୍ବରିତ, ସୁରକ୍ଷିତ, ସୁବିଧାଜନକ ଏବଂ ପରସ୍ପର ସହିତ ସହଜରେ ସଂଯୁକ୍ତ ହୋଇପାରିଛି।

ଓଡ଼ିଶାରେ ଯେଉଁ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଡିଜାଇନ୍‌ ଓ ଫେବ୍ରିକେସନ୍ ଚିପ୍ ପ୍ରସ୍ତୁତ ହୋଇଛି, ଭବିଷ୍ୟତ‌େର ସେଥିପାଇଁ କ’ଣ ସବୁ ଆହ୍ବାନ ରହିଛି?
ଚିପ୍‌ ପ୍ରସ୍ତୁତି ବେଳେ ଯେଉଁସବୁ ଆହ୍ବାନ ଥିଲା ଏବେ ବି ସେ ସବୁ ସମସ୍ୟା ରହିଛି। ଠିକ୍‌ ସମୟରେ ଆର୍ଥିକ ସାହାଯ୍ୟ-ସହଯୋଗ ତଥା ପ୍ରୋତ୍ସାହନ ନିତାନ୍ତ ଆବଶ୍ୟକ। ଏଥିପାଇଁ ଓଡ଼ିଶା ସରକାର ବଡ଼ ବଡ଼ କଂପାନିଙ୍କୁ ରାଜ୍ୟକୁ ଆଣି କାରଖାନା ସ୍ଥାପନ କରାଇବା ଦରକାର। କୁଶଳୀ ମାନବସମ୍ବଳ, ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ଗବେଷଣାଗାର ଓ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଆଦି ସ୍ଥାପନକୁ ଅଗ୍ରାଧିକାର ଦିଆଯିବା ଉଚିତ। ଏଥିପାଇଁ ଓଡ଼ିଶାରେ ଜଳ, ଜମି, ବିଦ୍ୟୁତ୍ ଶକ୍ତି ଓ କୌଶଳୀ ଯୁବବର୍ଗ ଭଳି ବ୍ୟାପକ ଭିତ୍ତିଭୂମି ରହିଛି। ଏହାର ସୁବିନିଯୋଗ ଦ୍ବାରା ଭାରତର ସେମିକଣ୍ଡକ୍ଟର୍‌ ରୋଡ୍‌ମ୍ୟାପ୍‌ରେ ଓଡ଼ିଶା ପଥପ୍ରଦର୍ଶକ ଭାବେ ପରିଚିତ ହେବ।

ସେମିକଣ୍ଡକ୍ଟର୍‌ ଓ ଚିପ୍ ନିର୍ମାଣ ଓ ଅନୁଧ୍ୟାନ ପାଇଁ ପ୍ରଥମେ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ଭାବୁଛନ୍ତି?
ଉନ୍ନତ ବୈଷୟିକ ଜ୍ଞାନକୌଶଳ ଦ୍ବାରା ୬-ଜି ଚିପ୍‌ ପ୍ରସ୍ତୁତି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ବୟକରି ଚିପ୍‌ର ସୁରକ୍ଷା ଓ ବିଶ୍ବସନୀୟତାକୁ ଅତ୍ୟାଧୁନିକ ତଥା ବିଶ୍ବସ୍ତରୀୟ ମାନଦଣ୍ଡରେ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ‌େକ୍ଷତ୍ରରେ ରାଜ୍ୟ ସରକାରଙ୍କର ଗୁରୁଦାୟିତ୍ବ ରହିଛି। ସେମିକଣ୍ଡକ୍ଟର୍‌ ଓ ଚିପ୍ ପ୍ରସ୍ତୁତି ଲାଗି ଗବେଷଣା ଓ ନିର୍ମାଣ କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ଶିଳ୍ପ ଓ ସଂସ୍ଥାମାନଙ୍କୁ ଆର୍ଥିକ ରିହାତି ଯୋଗାଇଦେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ଯେଉଁ ନୀତି ଓ ଯୋଜନା ପ୍ରଣୟନ କରିଛନ୍ତି ତାକୁ ପ୍ରାଧାନ୍ୟ ଦେଇ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ଜରୁରି। ଏଥିସହ ଆମ ଦେଶରେ ବିକଶିତ ପ୍ରତ୍ୟେକ ଚିପ୍‌ର ସିକ୍ୟୁରିଟି ବୈଶିଷ୍ଟ୍ୟଗୁଡ଼ିକୁ ଅଧିକ ସୁନିଶ୍ଚିତ କରିବା ପାଇଁ ଆଧୁନିକ ଗବେଷଣା କେନ୍ଦ୍ର ମଧ୍ୟ ପ୍ରସ୍ତୁତ କରିବା ଦରକାର। ଏସବୁର ବ୍ୟାବସାୟିକଭିତ୍ତିକ ପରିଚାଳନା ମଧ୍ୟ ଜରୁରି। ଚିପ୍ ପ୍ରସ୍ତୁତି ଓ ନିର୍ମାଣ ପାଇଁ ଅଧିକ ପୁଞ୍ଜିନିବେଶ ଓ କୁଶଳୀ ମାନବସମ୍ବଳ ବ୍ୟବସ୍ଥା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭକଲେ ଆତ୍ମନିର୍ଭର ସେମିକଣ୍ଡକ୍ଟର୍‌ ଡିଜାଇନ୍‌ ହବ୍‌ ଭାବେ ଓଡ଼ିଶା ପାରଦର୍ଶିତା ହାସଲ କରିବ ଏବଂ ‘ମେକ୍‌ ଇନ୍ ଓଡ଼ିଶା’ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିବ। ବର୍ତ୍ତମାନ ସେମିକନ୍-୨୦୨୫ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟରେ ଯେଉଁ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଶ୍ରୀ ମାଝୀଙ୍କ ସରକାର ରାଜ୍ୟରେ ଫ୍ୟାମ୍‌ଲେସ୍ ପଲିସି କାର୍ଯ୍ୟକାରୀ କରିଛନ୍ତି। ୧୦୦-୧୨୦ଟି ଚିପ୍ ଡିଜାଇନ୍‌ ଷ୍ଟାର୍ଟଅପ୍‌ଙ୍କୁ ଓଡ଼ିଶା ଆକର୍ଷିତ କରିବା ଏହାର ଲକ୍ଷ୍ୟ। ଯଦି ଏହା ସଫଳ ହୁଏ, ତେବେ ଆସନ୍ତା ୭ ବର୍ଷ ମଧ୍ୟରେ ଆଇଟି ଯୋଗ୍ୟତା ଥିବା ଓଡ଼ିଆ ଯୁବବର୍ଗଙ୍କ ପାଇଁ ବାର୍ଷିକ ପ୍ରାୟ ୫ରୁ ୬ ହଜାର ଚାକିରି ସୃଷ୍ଟି ହୋଇପାରିବ।