ଡିଜିଟାଲ୍‌ ପ୍ରଚାରରେ ପଛରେ ଓଡ଼ିଶା

ସ୍ୱର୍ଣ୍ଣ ତ୍ରିଭୁଜରେ ଆଉ ସୀମିତ ହୋଇ ରହିନି ଓଡ଼ିଶାର ପର୍ଯ୍ୟଟନର ଗାରିମା। ରାଜ୍ୟର ବହୁ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ପାଦ ପଡ଼ିଛି। ଭିତ୍ତିଭୂମିର ବିକାଶ ଏବଂ ନୂଆ ଯୋଜନା ପର୍ଯ୍ୟଟନ କ୍ଷେତ୍ରରେ ଆଶା ସଞ୍ଚାର କରିଛି। ୩୫୭ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ୧୩୭ଟି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ସେଠାକୁ ବିଦେଶୀ ପର୍ଯ୍ୟଟକ ଯାଆନ୍ତି ନାହିଁ। ଏହା ବ୍ୟତୀତ ୯୨ଟି ଦର୍ଶନୀୟ ସ୍ଥାନ, ୨୨ଟି ଐତିହ୍ୟସ୍ଥଳ, ୧୬ଟି ଜଳପ୍ରପାତ, ୧୪ ସମୁଦ୍ରକୂଳ ଥିଲେ ହେଁ ପ୍ରଚାର ପ୍ରସାର ଦିଗରେ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯାଇ ନାହିଁ। ଚଳିତ ବର୍ଷର ‘ବିଶ୍ୱ ପର୍ଯ୍ୟଟନ ଦିବସ’ର ବିଷୟବସ୍ତୁ ରହିଛି ‘ପର୍ଯ୍ୟଟନ ଓ ଡିଜିଟାଲ୍‌ ପରିବର୍ତନ’। ତେବେ ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ବହୁ ତଳେ ରହିଯାଇଛି। ୟୁ-ଟ୍ୟୁବ୍‌ ସବ୍‌ସ୍କ୍ରାଇବର୍‌, ଫେସ୍‌ବୁକ୍‌, ଟ୍ବିଟର୍‌ରେ ଓଡ଼ିଶା କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶଠାରୁ ପଛରେ ରହିଯାଇଛି। ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି ସତ କିନ୍ତୁ, ଡିଜିଟାଲ୍‌ ପ୍ରଚାରରେ ଏତେ ସୁଦୃଢ଼ ନଥିବାରୁ ଅନ୍ୟ ପର୍ଯ୍ୟଟକଙ୍କ ଆଗମନରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସଫଳତା ପାଇପାରିନାହିଁ।

ଆଶା: ଭୁବନେଶ୍ୱର କ୍ରୀଡ଼ା ସହର ପାଲଟିଛି। କ୍ରୀଡ଼ା ପର୍ଯ୍ୟଟନକୁ ନେଇ ଆଶା ଜାଗିଛି। ଝାରସୁଗୁଡ଼ାରେ ଏୟାରପୋର୍ଟ ଖୋଲିଥିବା ବେଳେ ରାଉରକେଲା ଓ ଜୟପୁରରେ ଏୟାରପୋର୍ଟ ସ୍ଥାପନ ହେବାକୁ ଯାଉଛି। ପଶ୍ଚିମ ଓଡ଼ିଶାରେ ଏୟାରପୋର୍ଟକୁ ଦୃଷ୍ଟିରେ ରଖି ଓଡ଼ିଶାରେ ୨୧ଟି ନାଇଟ୍‌ ଡେଷ୍ଟିନେସନ୍‌ ଉପରେ ଗୁରୁତ୍ୱ ପୂର୍ବକ କାର୍ଯ୍ୟପନ୍ଥା ଆପଣେଇବାକୁ ଯାଉଛି ‘ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା’। ଜୈବ ବିବିଧତାର ହଟ୍‌ସ୍ପଟ୍‌ ଭାବେ ପରିଚିତ ଓଡ଼ିଶା ଜୈବ ପର୍ଯ୍ୟଟନ କ୍ଷେତ୍ରରେ ଆଗେଇଛି। ଯେଉଁଠି କେବେ ପର୍ଯ୍ୟଟକଙ୍କ ପାଦ ପଡ଼ୁ ନଥିଲା ସେଠାରେ ‘ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ’ ନିର୍ମାଣ କରି ପର୍ଯ୍ୟଟକଙ୍କୁ ଆସିବାକୁ ଉତ୍ସାହିତ କରାଯାଇଛି। ୩୭ଟି ସ୍ଥାନରେ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ଥିବା ବେଳେ ଆଗକୁ ଆହୁରି ୫୦ଟି ସ୍ଥାନରେ ଏହା ନିର୍ମିତ ହେବାକୁ ଯାଉଛି। ଟୁରିଷ୍ଟ୍‍ ସର୍କିଟ୍‌କୁ ସଂଯୋଗ କରୁଥିବା ଟ୍ରେନ୍‌ ଲାଇନ୍‌ରେ ‘ବିଳାସପୂର୍ଣ୍ଣ’ ଟ୍ରେନ୍‌ ପାଇଁ ସରକାର ଆଶା ଦେଖାଇଛନ୍ତି। ପର୍ଯ୍ୟଟନର ପ୍ରଚାର ପାଇଁ ରୋଡ୍‌ ସୋ’ କରାଯାଉଛି।

ଅଭାବ: ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏବେ ବି ଅନେକ ପର୍ଯ୍ୟଟନସ୍ଥଳୀରେ ଟଏଲେଟ୍‌ର ବ୍ୟବସ୍ଥା ନାହିଁ। ପର୍ଯ୍ୟଟନସ୍ଥଳୀରେ ରହିବା ପାଇଁ ଆବଶ୍ୟକ ସୁବିଧା ନାହିଁ। ସଂପ୍ରତି ଓଡ଼ିଶାରେ ୧୦ଟି ଷ୍ଟାର୍‌ ହୋଟେଲ୍‌ ଥିବା ବେଳେ ୬୭୦ ରୁମ୍‌ ରହିଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ କିନ୍ତୁ ପୁଞ୍ଜିନିବେଶକାରୀଙ୍କୁ ସିଙ୍ଗିଲ୍‌ ଵିଣ୍ଡୋ ସିଷ୍ଟମ ଜରିଆରେ ହୋଟେଲ୍‌ ଶିଳ୍ପ ପାଇଁ ଜାଗା ଓ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା କରିବା ପରେ ଷ୍ଟାର୍‌ ହୋଟେଲ୍‌ ବଢ଼ିବା ନେଇ ଆଶା ସଂଚାର ହୋଇଛି।

ସମ୍ବନ୍ଧିତ ଖବର