ସେ ମଞ୍ଚକୁ ଚଢ଼ିଲେ ଆନମନା ହୋଇଯାଉଥିଲେ ହଜାର ହଜାର ଶ୍ରୋତା। ସେ ଗୀତ ଗାଇବା ଆରମ୍ଭ କରିଦେଲେ ଝୁମି ଉଠୁଥିଲେ ଲୋକ। ଗାଁରୁ ସହର ଥିଲା ତାଙ୍କର ଅବିଶ୍ବସନୀୟ କ୍ରେଜ୍। ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ନାମୀ, ଦାମୀ ଗାୟକ। ଖୁବ୍ କମ୍ ବୟସରେ ସାଉଁଟିଥିଲେ ଈର୍ଷଣୀୟ ସଫଳତା। ଆଉ କମ୍ ବୟସରେ ବି ନିଜର ଅଗଣିତ ପ୍ରଶଂସକଙ୍କୁ ପର କରି ଆର ପାରିକୁ ଚାଲିଗଲେ। ତାଙ୍କ ଗୀତରେ ଝୁମୁଥିବା ଓଡ଼ିଶା ଆଜି ତାଙ୍କୁ ଝୁରି ହେଉଛି। ବିଦାୟ ହ୍ୟୁମାନ୍ ସାଗର।
ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ ସହରରେ ଜନ୍ମିତ ହ୍ୟୁମାନ ସାଗରଙ୍କ ବାପା ମା’ ଉଭୟ କଣ୍ଠଶିଳ୍ପୀ ଥିଲେ। ତାଙ୍କ ଜେଜେବାପା ବି ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ତେବେ ହ୍ୟୁମାନ ନିଜ ରାସ୍ତା ନିଜେ ତିଆରି ଥିଲେ। ପିଲାଟି ଦିନୁ ସଙ୍ଗୀତରେ ରୁଚି ରଖିଥିବା ହ୍ୟୁମାନ ତୃତୀୟ ଶ୍ରେଣୀରୁ ହିଁ ଗୁରୁ ଶୁଭ୍ରାଂଶୁ ମିଶ୍ରଙ୍କ ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ୨୨ ବର୍ଷ ବୟସରେ ସେ ତରଙ୍ଗ ଟିଭିର ଲୋକପ୍ରିୟ ରିୟଲିଟି ସୋ ‘ଭଏସ୍ ଅଫ୍ ଓଡ଼ିଶା ସିଜିନ୍-୨’ରେ ଅଂଶଗ୍ରହଣ କରି ବିଜେତା ହୋଇଥିଲେ। ୨୦୧୫ ମସିହାରେ କ୍ୟାରିୟର୍ର ଶ୍ରେଷ୍ଠ ଅଫର୍ ପାଇଥିଲେ। ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମ୍ଦାରଙ୍କ ସଂଯୋଜନାରେ ଗାଇଥିବା ତାଙ୍କର ପ୍ରଥମ ସଙ୍ଗୀତ ‘ଇସ୍କ ତୁ ହି ତୁ’ ଟାଇଟଲ୍ ଟ୍ରାକ୍ ଆଶାତୀତ ଭାବେ ସଫଳ ହୋଇଥିଲା। ଏହା ପରେ ସେ ଆଉ ପଛକୁ ଚାହିଁନାହାନ୍ତି। ‘ତତେ ଗାଇ ଦେଲେ..., ‘ମଲ୍କା ମଲ୍କା..., ‘ଧୀରେ ଧୀରେ ଭଲ ପାଇଗଲି..., ‘ସବୁ ନଜର ଲାଗେ ପ୍ରେମ ନଜର..., ‘ଛାତିଟା ରଗଡ଼ି ଦେଲା..., ‘ସୁନ୍ ଜରା.., ‘ଭାବିବା ଆଗରୁ ପାଖରେ ଥିବି..., ‘ପ୍ରେମ ତୋର ବଦ୍ମାସ... ଭଳି ଗୀତ ଗାଇ ସେ ଯୁବପିଢ଼ିଙ୍କ ତାରକା ପାଲଟିଯାଇଥିଲେ।
ମେଧା ଛାତ୍ର ଥିଲେ, ଡାକ୍ତରୀ ପଢ଼ୁଥିଲେ
ହ୍ୟୁମାନ ଖାଲି ଜଣେ ଭଲ କଣ୍ଠଶିଳ୍ପୀ ନ ଥିଲେ। ଜଣେ ମେଧାବୀ ଛାତ୍ର ବି ଥିଲେ। ସେ ବୁର୍ଲା ଭିମ୍ସାର୍ରେ ଏମ୍ବିବିଏସ୍ ପାଠ ପଢ଼ୁଥିଲେ। ଡାକ୍ତର ହେବାକୁ ଯୋଗ୍ୟ ହ୍ୟୁମାନ କିନ୍ତୁ ନିଜ ସଙ୍ଗୀତ ନିଶା ଛାଡ଼ି ପାରିନଥିଲେ। ସେ ପ୍ରଥମ ବର୍ଷ ଡାକ୍ତରୀ ପାଠ ପଢ଼ିବା ପରେ ସଙ୍ଗୀତ ପାଇଁ ଡାକ୍ତରୀ ପାଠ ଛାଡ଼ିଥିଲେ। ଆଉ ସଙ୍ଗୀତକୁ ନିଜ ନିଶା ଓ ପେଶା ଭାବେ ବାଛି ନେଇଥିଲେ।
ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗୀତ ଗାଇଥିଲେ
୨୦୧୯ ମସିହା ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାରେ ଗୁଞ୍ଜରିତ ହୋଇଥିଲା ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତ। ହ୍ୟୁମାନଙ୍କ ସଙ୍ଗୀତର ଏହି ଧୁନ୍ ଭୋଟର୍ଙ୍କୁ ବାଇୟା କରିଥିଲେ। ରାତାରାତି ନବୀନଙ୍କ ପ୍ରତି ଭୋଟରଙ୍କ ଆକର୍ଷଣ ବି ବଢ଼ିଥିଲା। ସଙ୍ଗୀତ ନିର୍ଦ୍ଦେଶକ ବିରଜା ପ୍ରସାଦଙ୍କ ସଂଯୋଜନାରେ ଏବଂ ଗୀତିକାର ପ୍ରମୋଦ ପରିଡ଼ାଙ୍କ ଲେଖନୀରୁ ନିସୃତ ଏହି ଗୀତକୁ ହ୍ୟୁମାନ ଏକ ପ୍ରକାର ଜୀବନ୍ୟାସ ଦେଇଥିଲେ। ଖାଲି କ’ଣ ନବୀନଙ୍କ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ବି ହ୍ୟୁମାନ ଗୀତ ଗାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ଗୀତିକାର ସୁବ୍ରତ ସ୍ବାଇଁଙ୍କ ଦ୍ବାରା ଲିଖିତ ଗୀତ ‘ପିପୁଲ୍ ସିଏମ୍ ମୋହନ’ ବି ସେ ଗାଇଥିଲେ। ୪ ମେ’ ୨୦୨୫ରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝରରେ ଏହି ଗୀତକୁ ଲୋକାର୍ପିତ କରିଥିଲେ। ଉଭୟ ଗୀତ ବେଶ୍ ଲୋକପ୍ରିୟ ଓ ହିଟ୍ ହୋଇଥିଲା।
/filters:format(webp)/sambad/media/media_files/2025/11/18/sfhfhshfxbv-2025-11-18-01-23-07.jpg)
ହ୍ୟୁମାନ କଟକରେ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ସଫଳ ହେଲା ପରେ ସେ ସିଡିଏ ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ଭଏସ୍ ଅଫ୍ ଓଡ଼ିଶା ସିଜିନ୍-୨ରେ ହ୍ୟୁମାନ୍ଙ୍କ ସହ ସହପ୍ରତିଯୋଗୀ ଶ୍ରୀୟା ମିଶ୍ରଙ୍କର ଭେଟ ହୋଇଥିଲା। ପ୍ରଥମ ଦେଖାରେ ପ୍ରେମ ହୋଇଥିଲା ଓ ୨୦୧୭ରେ ସେ ଶ୍ରୀୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଘରେ ତାଙ୍କର ଏକମାତ୍ର ଝିଅ ଆଞ୍ଜେଲ୍ ଅଛନ୍ତି।
ଜନ୍ମସ୍ଥାନ ଟିଟିଲାଗଡ଼ରେ ଶୋକାକୁଳ ପରିବେଶ
ଟିଟିଲାଗଡ଼: ଓଲିଉଡ୍ର ବିଖ୍ୟାତ ଗାୟକ ହ୍ୟୁମାନ ସାଗରଙ୍କ ପରଲୋକ ଖବର ଆସିବା ପରେ ସୋମବାର ତାଙ୍କ ଜନ୍ମମାଟି ଟିଟିଲାଗଡ଼ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଟିଟିଲାଗଡ଼ ପୌରାଞ୍ଚଳର ୱାର୍ଡ ନଂ ୧୨ ଦେ’ବନ୍ଧପଡ଼ା ନିବାସୀ ସ୍ବର୍ଗୀୟ ଶିକ୍ଷକ ରବି ସାଗର ଏବଂ ଶିକ୍ଷୟିତ୍ରୀ ଶେଫାଳୀ ସୁନାଙ୍କ ବଡ଼ପୁଅ ହ୍ୟୁମାନ ସାଗର ୧୯୯୦ ମସିହା ନଭେମ୍ବର ୧୨ ତାରିଖରେ ଏଠାରେ ଜନ୍ମଗ୍ରହଣ କରିଥିଲେ। ହ୍ୟୁମାନଙ୍କ ମା’ ଓ ବାପା ଉଭୟ ସଙ୍ଗୀତ ସଂଯୋଜକ ଥିଲେ। ତାଙ୍କ ପୂରା ପରିବାର ସଙ୍ଗୀତ ସାଧନା ପ୍ରତି ସମର୍ପିତ ଥିଲା। ହ୍ୟୁମାନଙ୍କ ସାନଭାଇ ନ୍ୟୁମାନ ସାଗରଙ୍କ ପୂର୍ବରୁ ୨୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିବା ବେଳେ କରୋନାରେ ପିତା ରବି ସାଗରଙ୍କ ପରଲୋକ ଘଟିଥିଲା। ଟିଟିଲାଗଡ଼ ସେଣ୍ଟ ଆନି ସ୍କୁଲରେ ହ୍ୟୁମାନ ପାଠ ପଢ଼ିଥିଲେ। ୨୦୧୭ରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ। ହ୍ୟୁମାନଙ୍କ ବିୟୋଗରେ ଟିଟିଲାଗଡ଼ ସମେତ ସମଗ୍ର ପଶ୍ଚିମଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ସୂଚନାଯୋଗ୍ୟ, ହ୍ୟୁମାନ ଅସୁସ୍ଥ ହୋଇ ଡାକ୍ତରଖାନାର ଚିକିତ୍ସା ପାଇଁ ଭର୍ତ୍ତି ହେବା ପରଠାରୁ ଟିଟିଲାଗଡ଼ରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ଚର୍ଚ୍ଚରେ କ୍ୟାଣ୍ଡେଲ୍ ଜଳାଯାଇଥିଲା।
କଳା ନଭେମ୍ବର ୧୭
ସେ ଦିନ ଥିଲା ନଭେମ୍ବର ୧୭। ଆଜି ବି ସେଇ ସମାନ ତାରିଖ। ୨୦୦୨ ମସିହାର ସେଇ ନଭେମ୍ବର ୧୭ ଓଡ଼ିଆଙ୍କଠାରୁ ଛଡ଼ାଇ ନେଇଥିଲା କିମ୍ବଦନ୍ତୀ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କୁ। ଆଜି ବି ସେମିତି ଏକ ନଭେମ୍ବର ୧୭ ଥିଲା। ଯାହାକି ଛଡ଼ାଇ ନେଇଛି ଓଡ଼ିଶାର ଦାମୀ ତଥା ସବୁଠାରୁ ଲୋକପ୍ରିୟ, ଚାହିଦାରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ। ଅକ୍ଷୟ ବି ପରିପକ୍ବତାର ସିଢ଼ି ଚଢ଼ୁଚଢ଼ୁ ଚାଲିଯାଇଥିବା ବେଳେ ହ୍ୟୁମାନ ସଫଳତାର ଶୀର୍ଷରେ ଥାଇ ଆଜି ଇହଲୀଳା ତ୍ୟାଗ କରିଛନ୍ତି। ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଏହି ନଭେମ୍ବର ୧୭ ଏକ କଳା ଦିନ ହୋଇ ରହିବ କାଳ କାଳକୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/adgdaggdgd-2025-11-18-01-22-36.jpg)