ବନ୍ୟପ୍ରାଣୀ ଗବେଷଣା ଓ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରି ଅନ୍ତର୍ଜାତୀୟସ୍ତରରେ ସ୍ବୀକୃତି ଓ ସୁଖ୍ୟାତି ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ ଜୀବବିଜ୍ଞାନୀ ଡକ୍ଟର ବିଭାସ ପାଣ୍ଡବ। ସଂପ୍ରତି ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନରେ ପ୍ରାଧ୍ୟାପକ ଭାବେ ଅବସ୍ଥାପିତ ଡ. ପାଣ୍ଡବଙ୍କୁ ଭେଟି ରାଜ୍ୟରେ ବିଭିନ୍ନ ବନ୍ୟପ୍ରାଣୀ ପ୍ରକଳ୍ପଗୁଡ଼ିକର ସ୍ଥିତି, ସମସ୍ୟା ଓ ଭବିଷ୍ୟତ ନେଇ ଆଲୋଚନା କରିଛନ୍ତି ‘ସମ୍ବାଦ ରବିବାର’ର ପ୍ରତିନିଧି ବିଭୂତି ପତି

Advertisment

ବିଭାସଙ୍କ ବିଶେଷତ୍ବ
ବନ୍ୟପ୍ରାଣୀ ଗବେଷଣା ଏବଂ ବ୍ୟାଘ୍ର ସଂରକ୍ଷଣ ପାଇଁ ବିଶ୍ବସ୍ତରରେ ବେଶ୍‌ ସୁପରିଚିତ ଡକ୍ଟର ବିଭାସ ପାଣ୍ଡବ। ଓଡ଼ିଆ ପୁଅ ବିଭାସଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ଏବଂ ପାଠପଢ଼ା ବାଙ୍କୀ ହାଇସ୍କୁଲ ଓ କଲେଜରେ। ପ୍ରାଣୀ ବିଜ୍ଞାନରେ ସ୍ନାତକ ଶିକ୍ଷା ପରେ ୧୯୯୧ ମସିହାରେ ଡେରାଡୁନ୍‌ସ୍ଥିତ ବିଶ୍ୱପ୍ରସିଦ୍ଧ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲ୍ୟୁ.ଆଇ.ଆଇ.)ରେ ଜୀବବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ଯଦିଓ ବିଶ୍ୱରେ ବିଭାସ ବନ୍ୟପ୍ରାଣୀ ଗବେଷଣା ଓ ସଂରକ୍ଷଣରେ ସୁନାମ ଅର୍ଜନ କରିଛନ୍ତି, କିନ୍ତୁ ସେ ବାଘ ଏବଂ ଅଲିଭ୍ ରିଡ୍‌ଲେ କଇଁଛ ଉପରେ ବିଶେଷ ଧ୍ୟାନ ଦେଇ ଅନ୍ତର୍ଜାତୀୟ ଖ୍ୟାତି ଲାଭ କରିଛନ୍ତି।

ଓଡ଼ିଶାର ଋଷିକୂଲ୍ୟା ମୁହାଣ ନିକଟରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନକୁ ସର୍ବପ୍ରଥମ ଲୋକଲୋଚନକୁ ଆଣି ସେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଜାତିସଂଘ ପରିଚାଳିତ ଡବ୍ଲ୍ୟୁ. ଡବ୍ଲ୍ୟୁ.ଏଫ୍. ଅନୁଷ୍ଠାନର ଅନ୍ତର୍ଜାତୀୟ ବ୍ୟାଘ୍ର ସଂରକ୍ଷଣ ପରିଯୋଜନା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ବେଳେ ବିଭାସ ଭାରତ ପାଇଁ ସ୍ୱତନ୍ତ୍ର ସମ୍ମାନ ଆଣିପାରିଥିଲେ। ବହୁ ଲୁକ୍କାୟିତ ବନ୍ୟଜୀବ ଓ ବୃକ୍ଷଲତା ଖୋଜି ବାହାର କରିଛନ୍ତି ସେ। ବନ୍ୟପ୍ରାଣୀ ଅନୁସନ୍ଧାନ ଏବଂ ସଂରକ୍ଷଣ, ବିଶେଷତଃ ପକ୍ଷୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥିବା ବିଭାସ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟିର ନିର୍ଦ୍ଦେଶକ ହେବାରେ ପ୍ରଥମ ଓଡ଼ିଆ ଥିଲେ।

ଆପଣ ଓଡ଼ିଶାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଥିବା ଜନବସତିର ବାସିନ୍ଦା ଓ ମତ୍ସ୍ୟଜୀବୀଙ୍କ ସହିତ କାର୍ଯ୍ୟ କରିଛନ୍ତି। ତେବେ ଜଙ୍ଗଲ ବିଭାଗ ଓ ବନ୍ୟପ୍ରାଣୀ ସଂରକ୍ଷକ କାହିଁକି ଅନେକ ସମୟରେ ସେମାନଙ୍କ ଆକ୍ରୋଶର ଶିକାର ହୁଅନ୍ତି? ଅଭିଯୋଗ ହୁଏ, ଇକୋ ଟୁରିଜିମ୍‌ରୁ ସ୍ଥାନୀୟ ଅଧିବାସୀ ବିଶେଷ ଲାଭବାନ୍‌ ହୋଇପାରୁନାହାନ୍ତି। ସ୍ଥାନୀୟ ବାସିନ୍ଦାଙ୍କୁ ବାଦ୍‌ ଦେଇ କୌଣସି ବନ୍ୟପ୍ରାଣୀ ସଂରକ୍ଷଣ ସଫଳ ହେବନାହିଁ। ସ୍ଥାନୀୟ ଲୋକଙ୍କ ବିକାଶ ପ୍ରତି ଆମର ପ୍ରତିବଦ୍ଧତା କଥା କହୁ, କିନ୍ତୁ ଆମେ ସଚ୍ଚୋଟ ହୋଇ କାର୍ଯ୍ୟ କରି ନଥାଉ। ପ୍ରକୃତି ପର୍ଯ୍ୟଟନ (ଇକୋ ଟୁରିଜିମ୍‌) ଦ୍ବାରା ସ୍ଥାନୀୟ ବାସିନ୍ଦା ଉପକୃତ ହେଉଥିବା ବିଷୟରେ ଆମେ ଆଲୋଚନା କରୁ, କିନ୍ତୁ ଏହା ପ୍ରକୃତରେ ହୋଟେଲ ଶିଳ୍ପ ପାଇଁ ଲାଭଦାୟକ ହୋଇଥାଏ। ସେହିପରି ଧନୀ ବ୍ୟବସାୟୀମାନେ ବ୍ୟାଘ୍ର ସଂରକ୍ଷଣରୁ ସର୍ବାଧିକ ଲାଭବାନ୍ ହୋଇଥାନ୍ତି। ସାମାନ୍ୟ ବ୍ୟତିକ୍ରମ ବ୍ୟତୀତ, ସ୍ଥାନୀୟ ଲୋକେ ନିଜ ଅଞ୍ଚଳର ଜଙ୍ଗଲ ଓ ପ୍ରକୃତି ପର୍ଯ୍ୟଟନ କାର୍ଯ୍ୟକଳାପରୁ ବିଶେଷ ଲାଭ ପାଆନ୍ତି ନାହିଁ। ସଂରକ୍ଷିତ ଅଞ୍ଚଳରୁ ରୋଜଗାର ସିଧାସଳଖ ସ୍ଥାନୀୟ ଲୋକଙ୍କ ନିକଟକୁ ନଆସିଲେ ଜଙ୍ଗଲ ବିଭାଗ ଆକ୍ରୋଶର ଶିକାର ହେବ ଏବଂ ସଂରକ୍ଷଣ ସଫଳ ହେବନାହିଁ। ଓଡ଼ିଶା ଭଳି ରାଜ୍ୟରେ ଇକୋ ଟୁରିଜିମ୍‌ ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ। ଉତ୍ତର ଭାରତ ପରି ‘ହୋମ୍‌ ଷ୍ଟେ’ କାର୍ଯ୍ୟକ୍ରମକୁ ଜଙ୍ଗଲ ବିଭାଗ ପ୍ରାଧାନ୍ୟ ଦେଇ କାର୍ଯ୍ୟକାରୀ କରିବା ଉଚିତ।

ମହାପ୍ରଭୁଙ୍କ ନୀତି ଲାଗି ନେପାଳରୁ କସ୍ତୁରୀ ଆସିପାରୁ ନାହିଁ କାହିଁକି?
କସ୍ତୁରୀ ମୃଗ ଅତ୍ୟନ୍ତ ବିରଳ। କେବଳ ଅଣ୍ଡିରା କସ୍ତୁରୀ ମୃଗଠାରୁ କସ୍ତୁରୀ ମିଳିଥାଏ। ଏହି ମୃଗର ସୁରକ୍ଷା ଓ ସଂରକ୍ଷଣ ପାଇଁ ବର୍ତ୍ତମାନ ଅନେକ ଅନ୍ତର୍ଜାତୀୟ ନିୟମ ଓ କଟକଣା ଲାଗୁ ହୋଇଛି। ତେଣୁ ଏହାର ଶିକାର ସମ୍ପୂର୍ଣ୍ଣ ନିଷେଧ ଏବଂ ଏହାର ଉଲ୍ଲଂଘନ ପାଇଁ କଠୋର ଆଇନ ପ୍ରବର୍ତ୍ତନ ହୋଇଛି। କସ୍ତୁରୀ ପାଇବାକୁ ହେଲେ ଏହି ମୃଗ ହତ୍ୟା କରିବାକୁ ପଡ଼ିବ। ଏହି ମୃଗ ଆଲ୍‌ପାଇନ୍‌ ଜଙ୍ଗଲରେ ଦେଖାଯାନ୍ତି। ଜଙ୍ଗଲରେ ମରୁଥିବା ମୃଗକୁ ଆପଣ କିପରି ଠାବ କରିବେ? ତେଣୁ କସ୍ତୁରୀ ମିଳିବା ପ୍ରାୟତଃ ଅସମ୍ଭବ ଏବଂ ଏହାର ବ୍ୟବହାର ଉପରେ ଅନେକ କଟକଣା ବି ରହିଛି। ପୁନଶ୍ଚ ଉତ୍ତରାଖଣ୍ଡରେ ଏହାର ଫାର୍ମିଙ୍ଗ୍ କରିବା ଯୋଜନା ବିଫଳ ହୋଇଛି। ନେପାଳ ଏ ଦିଗରେ ବିଶେଷ କିଛି କରିପାରିନାହିଁ। ହୁଏତ ଏହି ସବୁ କାରଣରୁ ନେପାଳ ପକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ କସ୍ତୁରୀ ଯୋଗାଇବା ସମ୍ଭବ ହେଉନାହିଁ।

ତେବେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଓ ସହଭାଗିତା ବିନା ବନ୍ୟପ୍ରାଣୀଙ୍କ ସୁରକ୍ଷା ଅସମ୍ଭବ?
ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ପ୍ରତି ଅଗ୍ରାଧିକାର ଦିଆଯିବା ଜରୁରି। ଏଥିପାଇଁ ସେମାନେ ଯଦି ଭିଟାମାଟି ହରାଉଛନ୍ତି, ସମସ୍ତ ସୁବିଧା ସୁଯୋଗ ଦେଇ ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏହା ନହୋଇ ପାରିଲେ ସଂରକ୍ଷଣ ବାଧାପ୍ରାପ୍ତ ହେବ। ନିରୀହ ବନ୍ୟପ୍ରାଣୀ ବଳି ପଡ଼ିବେ। ଏବେ ମଣିଷ ଓ ବନ୍ୟଜୀବ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଛି। ତେଣୁ ମୋ ମତରେ ଜଙ୍ଗଲ ବିଭାଗ ପର୍ଯ୍ୟଟନରେ ହସ୍ତକ୍ଷେପ କରିବା ଅନୁଚିତ। ଲଦାଖ ହେମିସ୍ ନ୍ୟାସ୍‌ନାଲ୍‌ ପାର୍କ ଏବଂ ନେପାଳରେ ବନ୍ୟପ୍ରାଣୀ ସଂରକ୍ଷଣର ଉପଯୁକ୍ତ ମଡେଲ୍‌ ରହିଛି। ଯେତେବେଳେ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାରେ ସ୍ଥାନୀୟ ବାସିନ୍ଦା ସିଧାସଳଖ ଲାଭବାନ୍‌ ହେଉଛନ୍ତି ସେମାନେ ଏହାର ସୁରକ୍ଷା କରୁଛନ୍ତି। ଚିଲିକାର ମଙ୍ଗଳାଯୋଡ଼ି ଏହାର ଏକ ଭଲ ଉଦାହରଣ।

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଯୋଜନାକୁ ନେଇ କ’ଣ କହିବେ?
ଭାରତର ଜଙ୍ଗଲ ଭୂମିରୂପର କେନ୍ଦ୍ରରେ ରହିଛି ସାତକୋଶିଆ। ଏହାର ଚାରିପଟରେ ଜଙ୍ଗଲ ବ୍ୟାପିଛି। ତେଣୁ ଏଠାରେ ବାଘଙ୍କ ଲାଗି ଉପଯୁକ୍ତ ବାସସ୍ଥଳୀ ଗଢ଼ାଯାଇ ପାରିବ। ଏଠାରେ ବାଘବଂଶ ବଢ଼ିଲେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବାଘସଂଖ୍ୟା ବଢ଼ିବ। ବିଗତ ଦିନରେ ରାଜ୍ୟ ଜଙ୍ଗଲ ବିଭାଗ ଅନେକ ସଫଳ କାର୍ଯ୍ୟକ୍ରମ ପରିଚାଳନା କରି ଶିମିଳିପାଳ ଓ ସାତକୋଶିଆ ପରିସ୍ଥିତିରେ ବ୍ୟାପକ ଉନ୍ନତି ଆଣିଛନ୍ତି। ରାଜ୍ୟରେ ବାଘସଂଖ୍ୟା ବୃଦ୍ଧି ପାଉଛି। ଯଦି ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନ ଉନ୍ନତ କରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କରାଯିବ, ତାହା ନିଶ୍ଚିତ ସଫଳ ହେବ। ତେଣୁ, ୨୦ରୁ ୨୫ ବର୍ଷର ଯୋଜନା ନେଇ ସାତକୋଶିଆରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦରକାର।

ଶିମିଳିପାଳରେ ବାସ୍ତବରେ ବର୍ତ୍ତମାନ କେତେ ବାଘ ଅଛନ୍ତି, କାରଣ ଏହାକୁ ନେଇ ବହୁ ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ଜଙ୍ଗଲ ବିଭାଗ ମଧ୍ୟରେ ବିବାଦ ଲାଗି ରହିଛି। ଗତ ୩୧ ବର୍ଷ ଧରି ମୁଁ ଶିମିଳିପାଳ ସହିତ ସମ୍ପର୍କ ରଖିଆସିଛି। ଶିମିଳିପାଳରେ ମୋ ଜାଣିବାରେ ବର୍ତ୍ତମାନ ୩୦ରୁ ୪୦ ମଧ୍ୟରେ ବାଘ ଅଛନ୍ତି। ଏହା ନିଶ୍ଚିତ ଯେ ଶିମିଳିପାଳରେ କମ୍‌ସଂଖ୍ୟକ ବାଘ ଅଛନ୍ତି। କିନ୍ତୁ ରାଜ୍ୟ ଜଙ୍ଗଲ ବିଭାଗର ସଫଳ ଉଦ୍ୟମ ଯୋଗୁ ଏବେ ସେଠାରେ ବାଘସଂଖ୍ୟା ବୃଦ୍ଧି ପାଉଛି। ଶିମିଳିପାଳକୁ ଅନ୍ୟ ସ୍ଥାନରୁ ବାଘ ଆଣିବାର ଯୋଜନା କରିବା ଦରକାର। ଏହାଦ୍ୱାରା ସ୍ବଜାତି ବା ସମବଂଶୀୟ ପ୍ରଜନନ ନିୟନ୍ତ୍ରଣ ହୋଇପାରିବ। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଜଙ୍ଗଲକୁ ଯେପରି ପ୍ରାକୃତିକ ଉପାୟରେ ବିଭିନ୍ନ ଜଙ୍ଗଲରୁ ବାଘ ଚଳପ୍ରଚଳ କରୁଛନ୍ତି ଓଡ଼ିଶାରେ ମଧ୍ୟ ସେପରି ହେବା ସମ୍ଭବ। ନିକଟରେ ମଧ୍ୟପ୍ରଦେଶ ସଞ୍ଜୟ ବାଘ ସଂରକ୍ଷଣ ଜଙ୍ଗଲରୁ ଗୋଟିଏ ବାଘ ହଦଗଡ଼କୁ ଆସିଛି। ତେଣୁ ଓଡ଼ିଶାର ଜଙ୍ଗଲକୁ ସୁରକ୍ଷିତ ରଖି ବାଘର ଖାଦ୍ୟ ଉତ୍ସ ବୃଦ୍ଧି କଲେ ଅନ୍ୟତ୍ର ବାଘ ଆଣିବା ଦରକାର ହେବ ନାହିଁ।

ବର୍ତ୍ତମାନ ଶିମିଳିପାଳରେ କଳାବାଘ ସଫାରି ପ୍ରକଳ୍ପ ନେଇ ଚିନ୍ତା କରାଯାଉଛି। ଏ ନେଇ କ’ଣ କହିବେ?
ଶିମିଳିପାଳର କଳାବାଘ ସଂଖ୍ୟା ଦେଖନ୍ତୁ। ଏହା ଏକ ସଫଳତା। କଳାବାଘ ସଫାରିକୁ ନେଇ ମୁଁ କହିବି, ରାତାରାତି ସଫଳତା ପାଇଁ ଚର୍ଚ୍ଚାରେ ରହିବାକୁ ଏବଂ ରାଜନୈତିକ ଅଭିଳାଷ ରଖି ଖାମ୍‌ଖିଆଲି ଭାବେ ପ୍ରକଳ୍ପ କରିବା ଉଚିତ ନୁହେଁ। କଳାବାଘ ସଫାରି ଶିମିଳିପାଳ ବାଘ ସଂରକ୍ଷିତ ଜଙ୍ଗଲର ବାହାରେ କରାଯିବା ଆବଶ୍ୟକ। ଏଥିପାଇଁ ଯଥେଷ୍ଟ ଅନୁଧ୍ୟାନ ମଧ୍ୟ ଜରୁରି, ନଚେତ ଏହା ଏକ ବିଫଳ ପ୍ରକଳ୍ପ ହେବ।